Unknown

 

 

 

 

 

 

 

 

 

 

ଲୁହାର ମଣିଷ

ପଦ୍ମଭୂଷଣ କାଳିନ୍ଦୀ ଚରଣ ପାଣିଗ୍ରାହୀ

 

ଛକଡ଼ିର ଲୁହ ଦେଖି ବରଜୁ ମନଟା ବି ତରଳି ଗଲା । ତିରିଶ ବର୍ଷ ଆଗେ ତାକୁ ଯେତେବେଳେ ମାତ୍ର ବାରବର୍ଷ, ସେତେବେଳେ ବି ସାତବର୍ଷର ଛକଡ଼ିକୁ ଯେମିତି ପାଖରେ ବସାଇ ସେ କଥା ଗପୁଥିଲା, ଆଜି ସେମିତି ବସାଇ କହିଲା, ‘‘ତୁ କଣ ଭାବୁଚୁ ମୁଁ ମାନ ଅଭିମାନରେ ଘର ଛା଼ଡି ଚାଲି ଆସିଲି ? ମାନ ଅଭିମାନ କାହାକୁ କରିବି - ତତେ ?’’ ବରଜୁ ଓଠର ଗୋଟାଏ ପାଖ ଟିକିଏ ମେଲା ହୋଇ ମୁରୁକି ହସା ଦେଖାଦେଲା । ତାହା ଛକଡ଼ିର ପିଲାଦିନରୁ ଜଣା ହସ ।

 

ଏତେ ମୁହାଁ ମୁହିଁ ହୋଇ ଭାଇ ଆଗରେ ବସିବାକୁ ଛକଡ଼ିକୁ ଅଡ଼ୁଆ ଲାଗୁଥାଏ । ସେ ମୁହଁ ତଳକୁ କରି ଦେଲା । ଅଜାଣତରେ ନିଜ ଲମ୍ବାହାତଟାକୁ ଛକଡ଼ି କାନ୍ଧରେ ଥୋଇ ବରଜୁ ତାହାର ବଡ଼ ବଡ଼ ଡୋଳା ଦି’ଟାରେ ସାନ ଭାଇର ମୁହଁକୁ ଚାହିଁଲା, ‘‘ତୁ ସିନା ମୋ ପାଖେ ମାନ ଅଭିମାନ କରିବୁ, ମୁଁ ତୋ’ଠାରେ କରିବି କିମିତି ?’’

 

ବରଜୁର ଓଜନିଆ ହାତଟାରେ ଛକଡ଼ି କାନ୍ଧରୁ ଯେମିତି ଚାରି ମହଣର ଗୋଟାଏ ଭାର ଓହ୍ଲାଇଗଲା । ତେବେ ଭାଇ ନ ଥାଇ ନିଜ ଘର କଥା ମନେ ପଡ଼ି ସବୁଆଡ଼ ତାକୁ ଖାଲି ଖାଲି ଲାଗୁଥାଏ । ଘର ଗୋଟାକରେ ଏକା ନେତ୍ରମଣି, ଆଉ ଛକଡ଼ି ! ଛାତିଟା ତାହାର ଧଡ଼ି କିନି ପଡ଼ିଲା । ସେ ମୁହଁ ଟେକି ବୋକା ଭଳି ଚାହିଁଲା, ‘‘ତୁମେ ଫେରି ନ ଗଲେ ମୁଁ ସେ ଘରେ ତ ଏକାଟିଆ ରହି ପାରିବି ନାହିଁ ।’’

 

ଛକଡ଼ି କାନ୍ଧ ଉପରେ ମୁଠାକୁ ଟିକିଏ ଟାଣ କରି ବରଜୁ ତାକୁ ଦୋହଲାଇ ଦେଲା, ‘‘ରହି ପାରିବୁ ନି ? କାହିଁକି ରହି ପାରିବୁନି ? ହଁ ତତେ ସେଇ ଘରେ ରହିବାକୁ ହବ । ବାଡ଼ିବଗିଚା, ଗୋରୁଗାଈ, ଚାଷବାସ ସବୁ ଦେଖିବାକୁ ପଡ଼ିବ ।’’

 

ପର ଛିଡ଼ି ଯାଇଥିବା ଚଢ଼େଇ ପରି ଛକଡ଼ିକୁ କିଛି ହେଲେ ବୁଦ୍ଧିବାଟ ଦିଶୁ ନ ଥାଏ । ତା ମୁହଁରୁ ବାହାରି ଆସିଲା, ‘‘ନାହିଁ, ତମେ ଚାଲ ।’’

 

‘‘ପୁଣି ସେଇ କଥା କହିଲୁ ! ଆଉ କଣ ପାଞ୍ଚବର୍ଷିଆ ପିଲା ହେଇଚୁକି, ନିଜେ କିଛି ବୁଝିବୁନି, ଦେଖିବୁ ନି ? ମତେ ଘରୁ କିଏ ତଡ଼ି ଦେଇଚି - ନା ଫେରି ଯିବାକୁ କିଏ ମନା କରିବ ? ମୋ ଇଚ୍ଛା, ତୁ ଏକା ଚଳିବାକୁ ଶିଖ୍‌ । ଭଲ କଣ, ମନ୍ଦ କଣ, ଗାଁ ଭିତରେ କିଏ କି ଭଳି ମଣିଷ - ନିଜେ ଚିହ୍ନ୍‌, ନିଜ କଥା ନିଜେ ବୁଝ୍‌ । ମୋ ଖୁସିରେ ମୁଁ ଆସିଚି, ଯେତେବେଳେ ଇଚ୍ଛା ଫେରିଯିବି । ମତେ ତ କେହି ରୋକି ନାହିଁ !’’

 

ଗୌରାଙ୍ଗ ଘର ଭିତରକୁ ପଶି ଆସି କହିଲା, ‘‘ତମ ଘରକୁ ତମେ ଯିବ, ରୋକିବ କିଏ କାହିଁକି ?’’

 

ବରଜୁ ତାକୁ ଚାହିଁ କହିଲା, ‘‘ଛକଡ଼ି ସେ କଥା ବୁଝି ପାରୁ ନାହିଁ ।’’ ଗୌରାଙ୍ଗକୁ ଦେଖି ଛକଡ଼ିର ଟିକିଏ ଦମ୍ଭ ଆସିଲା, ‘‘ଆଜିଯାକେ ମୁଁ କେଉଁ କଥା ବୁଝୁଥିଲି ଯେ -’’

 

‘‘ବୁଝୁ ନ ଥିଲେ ଏଣିକି ବୁଝିବୁ । ଭାଇ ଯାହା ବତଉଚି, ସେଇତା କର’’ ଗୋରାଙ୍ଗ କହିଲା । ଛକଡ଼ି ପଚାରିଲା, ‘‘ଆଉ କଣ ପିଲାମାନେ ବି ଯିବେ ନାହିଁ ?’’ ଗୌରାଙ୍ଗ ଜବାବ ଦେଲା, ‘‘ଆରେ ହଁ, ନ ଯିବେ କାହିଁକି ? ମୋ ଘର କଣ ତୁମ ଘର ନୁହଁ, ନା ପଧାନପଡ଼ା ହରିପୁରଠାରୁ ପାଞ୍ଚ ଦଶ କୋଶ ବାଟ ହେଇଚି ?’’

 

‘‘ତେବେ ଗୋଟାଏ କଥା, -’’ ବରଜୁର ସ୍ୱର ଯେମିତି ଛକଡ଼ି ଗୌରାଙ୍ଗ ଦୁହିଁଙ୍କର କାନ ଧରି ଓଟାରିଲା -‘‘ଗୋଟାଏ କଥା କଣ କି, ମୁଁ ହୁଏଁ ପିଲାଏ ହୁଅନ୍ତୁ , ଏଛୁଣି ଘରୁ ଟିକିଏ ଅଲଗା ରହିବା ଦରକାର । ଦି’ଯାଆଙ୍କ ଭିତରେ ଘଡ଼ି ଘଡ଼ି ଯେଉଁ କଜିଆ ଲାଗୁଥିଲା, ଅଲଗା ରହିଲେ ସେତକ ହେଲେ ବନ୍ଦ ହବ । ଅକାରଣ କଜିଆରେ ଯାହା ବେଳ ଯାଉଥିଲା, ତା’ ଭିତରେ ଯେଝା ଚଳାଚଳ ପାଇଁ କାମ କଲେ ତ ଦୁହିଁଙ୍କର ଲାଭ । ଏକାଠି ରହିବା ବୋଲି ତୁଚ୍ଛାଟାରେ ଅଶାନ୍ତିଗୁଡ଼ାଏ ମୁଣ୍ତାଇବା କାହିଁକି ? ମାଇପଙ୍କ ଭିତରୁ କଜିଆ ବାହାରି ଡିଆଁ ରୋଗ ଭଳି ଶେଷରେ ଆମକୁ ବି ଧରୁଛି । କଜିଆ, କଜିଆ, ଘର ଭିତରେ ଗୋଡ଼ ଦେଲେ ଖାଲି କଜିଆ । ମଣିଷର ଆଉ ଯେମିତି କିଛି ହେଲେ କାମ ନାହିଁ ! ନାହିଁ ଛକଡ଼ି, ତୁ ଏଇଛୁଣି ଘରକୁ ଫେରିବା କଥା କହ ନା ।’’

 

ଛକଡ଼ିର ମୁହଁ ଶୁଖି ଯିବା ଦେଖି ତାହା ପିଠିରେ ହାତ ବୁଲାଇ ବରଜୁ ପୁଣି କହିଲା, ‘‘ତୁ କିଛି ହେଲେ ଚିନ୍ତା କର ନା ରେ, ସେଇ ଘରେ ତ ଆମେ ସମସ୍ତେ ଦିନେ ଏକାଠି ଚଳିଥାଇଁ । ସେଇ ଜମି ବାଡ଼ିରୁ ତ ଆମର ବାହା, ପୁନେଇ, ଖଜଣା, ଟିକସ ଜୁଟୁଥିଲା । ସେଥିପାଇଁ ବାପା ତ କାହାରି ଦୁଆରେ ହାତ ପତେଇ ନାହାନ୍ତି । ତୋ ପାଇଁ ଚିନ୍ତା କରୁଚୁ କାହିଁକି ?’’

 

ସତକୁ ସତ ଛକଡ଼ି ସେ କଥା ମୋଟେ ଚିନ୍ତା କରୁ ନ ଥିଲା । ଖାଲି ନିଜେ ଏକା ରହିବାକୁ ତାର ଛାତି ଭିତରଟା ଚିହିଁକି ପଡ଼ୁଥିଲା । ଫେରି ଯାଇ ଯୁଆଡ଼େ ଚାହିଁବ ସବୁଆଡ଼ ତ ଖାଇ ଗୋଡ଼େଇବ । ତେବେ ବରଜୁ ମୁହଁକୁ ସେ ଚାହିଁଦେଲା ବେଳେ ସବୁ ଭୟ ତାର କୁଆଡ଼େ ପାଣି ଫାଟି ଯାଉଥିଲା । ବରଜୁର ଆଖି ଯୋଡ଼ାକରେ ଛକଡ଼ି ଦେଖୁଥିଲା ନିଜର ସାହସ, ତାର ଲୁହା ରୋଳ ପରି ବାହା ଦୁଇଟାରେ ଦେଖୁଥିଲା ନିଜର ଦମ୍ଭ, ହାତୀ କାନ ପରି ତାହାର ଚୌଡ଼ା ଛାତିଟାରେ ଦେଖୁଥିଲା ନିଜର ଆଶ୍ରୟ ।

 

ଦାଣ୍ତ ଆମ୍ବଗଛଟାରେ ଗୋଟାଏ ହନୁ ବସି ଅକାରଣ ଖେଁକ୍‌, ଖେଁକ୍‌ ଖେଁକୃ ଥାଏ । କାର୍ତ୍ତିକ ଶେଷର ହେମାଳ ପବନ ଗଛଟାକୁ ଏ ପଟ ସେ ପଟ ଦୋହଲାଇ ଦେଉଛି । ଖରା ଟାଣ ହୋଇ ଆସିଲାଣି । ଦାଣ୍ତ ମଝିରେ ଗୋରୁ ପଲ ଗୋଠକୁ ଚାଲିଛନ୍ତି । ଦୁଇ ଭାଇ ତୁନୀ ହୋଇ କିଛି ସମୟ ବସିଲେ ।

 

ଗୌରାଙ୍ଗ ଡାକିଲା, ‘‘ଆଣିବଟି ଭାଉଜ, ତେଲ ଟିକିଏ ।’’ ପରେ ବରଜୁକୁ ଚାହିଁ କହିଲା,‘‘ ବାରି ଗଡ଼ିଆରେ ଦିପଟ ଖିଅ ଧରିବ ଚାଲ । ତମର ତ ମାଛ ନ ହେଲେ ଚଳିବ ନାହିଁ । ତିନି ବର୍ଷ ତଳେ ଗଡ଼ିଆଟାରେ ରୋହି ଯାଆଁଳ ଛାଡ଼ିଥେଲି ଯେ, ଆଜିଯାକେ ଗୋଟାଏ ହେଲେ ମରା ହୋଇ ନି । ଛକଡ଼ି, ତୁ ଲୁଗା ପାଲଟି ଗାମୁଛା ଖଣ୍ତେ ପିନ୍ଧି - ଯିବା’’

 

‘‘ମୁଁ ଏଓଳି ଏଠି ରହିବି କାହିଁକି ?’’ ଛକଡ଼ି ପଚାରିଲା ।

 

ହାରାବୋଉ ଆସି ତେଲ କାଞ୍ଚୁଲିଟାଏ ଥୋଇ ଦେଇ କହିଲା, ‘‘ହଁ, ଏଇଠି ରହିବ । ଏଡ଼ିକି ଖରାରେ କିଏ ଯାଏ, ନା ତୁମେ ଯିବ ? ଛାଇ ନେଉଟୁ, ତେବେ ଯାଇଁ ବାହାରିବ ।’’

 

ଛକଡ଼ି ଭାଉଜ କଥାକୁ ଏଡ଼ି ପାରିଲା ନାହିଁ । ଖାଲି ମୁରୁକି ହସି କହିଲା, ‘‘କାହିଁକି, ଆମ ଗାଁ କେତେ ବାଟ କି ?’’

 

‘‘ଯେତେ ବାଟ ହଉ, ଗୁଡ଼ଘର କଣ ପିମ୍ପୁଡ଼ି ଖାଇ ଯାଉଚି କି ?’’

 

ନେତ୍ରମଣିଠାରୁ ଏହି ଭାଉଜ ବିପକ୍ଷରେ ଛକଡ଼ି କେତେ କଥା ଶୁଣି କେତେ ଥର ତାକୁ ମୁହଁ ଉପରେ ହୁଡ଼ିଛି । ତେବେ ନେତ୍ରମଣି ଆସିଲା ଆଗରୁ ଭାଉଜ ତାହାର ମନଭିତରେ ଯେଉଁ ଥାନତକ ମାଡ଼ି ବସିଥିଲା, ସେଠାରୁ ତାକୁ ସେ ତଡ଼ିଦେଇ ପାରି ନାହିଁ ।

 

ତେଲ ଲଗାଇ ସାରି ଗୌରାଙ୍ଗ କହିଲା, ‘‘ମୁଁ ପଦିଆ ମାମୁଁକୁ ଡାକି ଆଣେଁ, ତମ ସାଥିରେ ମାଛ ଧରିବ ।’’

 

‘‘ପଦିଆ ମାମୁଁ !’’ ବରଜୁ ଦୁଆର ମୁହଁକୁ ଚାହିଁ କହିଲା, -‘‘ହେଲ ପରା ପଦିଆ ମାମୁଁ ଗୋଟାକ ଯାକ ।’’

 

ଗୌରାଙ୍ଗ କହିଲା, ଆରେ ତୋର କେତେ ଗୁଡ଼ା ପରମାୟୁ ମ ! ନେ, ତେଲଟିକେ ମାରି ଦବୁଟି !’’

 

ଦୁଆର ବନ୍ଧରେ ଭରା ଦେଇ ଛିଡ଼ା ହୋଇଥିବା ପଦିଆ ମାମୁଁର କଳା ମଚମଚ ଚେହେରା ଆଡ଼କୁ ତିନିହେଁ ଚାହିଁଲେ । ତାହାର ଆଖି ଯୋଡ଼ିକ ନାକ ଉପରକୁ ଉଠି ଆସି ନାକଟା ଭିତରକୁ ପଶି ଯାଇଛି । ଛାମୁ ଦାନ୍ତ ତଳ ଉପରେ ଚାରିଟା ଲେଖାଏଁ ଭାଙ୍ଗିଯାଇ ପାଖ ଦାନ୍ତଗୁଡ଼ାକ ହଲିଲାଣି । ମୁହଁଟାର ପ୍ରକାର ଏପରି ହୋଇଛି ଯେ, ସେ ତାକୁ ଯେତେ ଶୁଖାଇବାକୁ ଗଲେ ଯେ କେହି ଚାହିଁଲେ ହସିବ । କାରଣ ତାହାର ଡୋଳା ଯୋଡ଼ାକରେ ସବୁବେଳେ ଯେମିତି କି କୌତୁକ ଖେଳି ବୁଲୁଛି । ସତକୁ ସତ ହରିପୁର ଗାଁଟାର ତିନି ହଜାର ବସ୍ତି ଭିତରେ ପଦନ ସାହୁ କୌତୁକିଆ କଥା କହିବାରେ ଜଣେ ମସ୍ତ ନାମଜାଦା ଲୋକ । ରୋଜ ସକାଳେ ମୁଢ଼ି ଟୋକେଇ ମୁଣ୍ଡରେ ଥୋଇ ଦାଣ୍ଡ ମଝିରେ ସେ ଡାକି ଯାଏ, ‘ତଟକା ମୁଢ଼ି, ଗରମ ମୁଢ଼ି, ଦାନ୍ତ ଗଜୁରିବ ଖାଇଲେ ବୁଢ଼ି;’ ପୁଣି ‘ମୁଢ଼ି ମୁଢ଼ି ‘ ନିଅଲୋ ଖୁଡ଼ି, ଦାଦି କିଣି ଦେବେ ଦକ୍ଷଣୀ ଚୂଡ଼ି, ଅଜା ମୋ ମୁଢ଼ି ଭଜା, ଖାଇଲେ ମଜା ।’ ଦିନକୁ ଦିନ ଭଳି କି ଭଳି ଡାକ ।

 

ପିଲାଠାରୁ ବୁଢ଼ା ଯାକେ ସବୁରି ସେ ପଦିଆ-ମାମୁଁ । ଏଇ ମାମୁଁ ପଦଟା ବି ଏକ କୌତୁକିଆ ଘଟଣାକୁ ତାକୁ ମିଳିଛି । ଥରେ କୁଆଡ଼େ ଥାନା ମୁନିସି ବାବୁ କଣ ଗୋଟାଏ ମକଦ୍ଦମା ସରଜମିନ ତଦନ୍ତରେ ଆସିଥାନ୍ତି । ତାଙ୍କ କଥା ଉପରେ ପଦିଆ ଟିକିଏ ବେଆଡ଼ା କରି କହି ଦେବାରୁ ମୁନିସି ବାବୁ ଚିଡ଼ିଯାଇ ତାକୁ ଧମକେଇଥିଲେ, ‘‘ଚୁପ୍‌ରହ ଶଳା !’’ ତଦନ୍ତବେଳେ ଯେତେ ଲୋକ ଜମା ହୋଇଥିଲେ, ମୁନିସି ବାବୁଙ୍କ ତେଜ ଦେଖି ସମସ୍ତେ ଶଙ୍କିଗଲେ । ପଦିଆ କୁଆଡ଼େ ଅତି ସହଜରେ ଜବାବ ଦେଇଥିଲା, ‘‘ହଉ ଆଜ୍ଞା, ଚୁପ୍‌ରହୁଛି । ତେବେ କଥା କହିବାରୁ ସିନା ହଜୁର୍‌ଙ୍କ ପୁଅଙ୍କ ମାମୁଁ ହୋଇ ପାରିଲି ।’’ ସଭିଏଁ ତଟକା ହୋଇ ବିଚାରୁଛନ୍ତି ବାବୁଙ୍କ ରାଗ ଆହୁରି କେତେ ଉଚ୍ଚକୁ ଚଢ଼ି ଏଥର ପଦିଆ ଉପରେ ଛିଡ଼ିବ କେଜାଣି ! ତେବେ ମୁଣ୍ଡରେ ମୁଢ଼ି ବୋଝ, କାନ୍ଧରେ ଖଣ୍ଡେ କୋତରା ଗାମୁଛା, ଛାମୁ ଦାନ୍ତଭଙ୍ଗା ମୁହଁ, ପେଚା ନାକ, ଆଉ ଆଖିଯୋଡ଼କ ମିଶି ପଦିଆର ଯେଉଁ ଚେହେରା ତିଆରି ହୋଇଥିଲା, ସେ ଆଡ଼କୁ ଚାହିଁ ମୁନିସି ବାବୁ ନିଜ ଅଜାଣତରେ ଖେଁ କରି ହସି ପକାଇଲେ । ସାଙ୍ଗେ ସାଙ୍ଗେ ଜମା ହୋଇଥିବା ଲୋକ ବି ହସି ଉଠିଲେ । ପଦିଆର ମାମୁଁ ପଦଟା ସେହିଦୁନୁଁ ସାବ୍ୟସ୍ତ ହୋଇଗଲା ।

 

ପୋଖରୀକୁ ଯିବା ବାଟରେ ଛକଡ଼ି ପଦିଆକୁ ପଚାରିଲା, ‘‘ନବୀନା ଏବେ ଚିଠି ପତ୍ର ଦଉଚି ନା ?’’

 

‘‘ନୀବନା କଥା କାହିଁକି ପଚାରୁଚୁ ? ସେ କଣ ଚିଠି ପତ୍ର ଦବ ? ମୁଁ ପରା ଚିଠି ଦେଇ ଦେଇ ଥକିଲିଣି ! ଟଙ୍କା ପଇସା ନ ଦେଲୁ ନାହିଁ, ପଦେ ହେଲେ ବେଉରା ଦେ ?’’ ତାହା ପରେ ନବୀନାର ଜନ୍ମ ବିଷୟରେ ତାହାର ମାଆକୁ ମଧ୍ୟ ଅପବାଦ ଦେଇ ପଦିଆ ଗାଳିଦେଲା ।

 

ଗୌରାଙ୍ଗ କହିଲା, ‘‘ନବୀନା ସେହି କଲିକତାରେ ଅଛିଟି ?’’

 

ପଦିଆ କହିଲା, ‘‘ଏବେ ଆଠ ଦିନ ତଳେ ଫକୀର ଜେନା କଲିକତାରୁ ଫେରି ଯାହା କହୁଚି, ଶୁଣିନୁ କି ?’’

 

‘‘କଣ କହୁଚି ?’’

 

‘‘କହୁଚି ପରା ନବୀନା ଏବେ ଗୋଟାଏ ବାବୁ ହେଇ ଗଲାଣି । ଅଙ୍ଗା, ଯୋତା, ଛତା ଦେଖିବ କଅଣ ! ସାଙ୍ଗକୁ ପୁଣି କିଏ ଗୋଟାଏ ଛତରଖାଇ ଯୁଟିଚି ଯେ, ତା ପାଖରେ ବହୁତ ଟଙ୍କା ପଇସା, ସୁନାରୂପା ।

 

‘‘ତେବେ ତ ପଦିଆ ମାମୁଁର ଦୁଃଖ ଗଲା ।’’

 

‘‘ସେ କଥା କାହିଁକି କହୁଚୁ ପୁତ, ବାପ ମୁଢ଼ି ବୋଝ ମୁଣ୍ଡେଇ ଚନ୍ଦା, ମାଆର ତ ଘୋଷି ଗୋଟେଇବା ଫନ୍ଦା । ପୁଅ ଆମର ପୁଣି କେମିତି ଯୋଗ୍ୟ ପଡ଼ିଚନ୍ତି, ଶୁଣିନ କି ? ଯେ ଯାଉଚି, ତାକୁ କୁଆଡ଼େ କହୁଚି, ସେ ଛତରଖାଇଟା ତାର ବୋଉ ।’’

 

ବରଜୁ ଗମ୍ଭୀର ହୋଇ କହିଲା, ‘‘କଣ ହେଲା ?’’

 

‘‘ମୁଁ କଣ ମିଛ କହୁଚି ? ଫକୀର ଜେନା ପରା ମୋ ଦିହ ଛୁଇଁଲା ! ସେଇ ଛତରଖାଇକି ନବୀନା କହୁଚି ତାର ବୋଉ ଏ କଥା ମୋ କର୍ମ ଶୁଣେଇଲା ।’’

 

ଗୌରାଙ୍ଗ କହିଲା, ‘‘ପଦିଆ ମାମୁଁ, ବଙ୍ଗଦେଶରେ ନିଜ ଘରମଣିଷକୁ ପରା ‘ବୋଉ’ କହନ୍ତି ।’’

 

‘‘ହେଲେ ହେଉଥିବ । ତାହାହେଲେ ବି ନବୀନା କଣ କମ୍‌କଥା କହିଲାଣି !’’

 

ପୂର୍ବ ପରି ବରଜୁ କହିଲା, ‘‘ନାହିଁ ତ କମ୍‌ କଣ । ଟୋକାଟା ତ ନଷ୍ଟ ହୋଇ ଯାଉଚି । ଏକ୍ଷଣି ଉପାୟ ?’’

 

ପଦିଆ କହିଲା, ‘‘ଆଉ ଉପାୟ କଣ ? ମୁଁ ଭାବୁଚି ସେ ଯାହା ମୋ ପୁଅ ହେଇ ଜନମି ଥିଲା, ମୁଁ ହେଲେ ତା ପୁଅ ହେଇ ଜନମି ଥାନ୍ତି !’’

 

ଏ କଥାରେ ବରଜୁ ମଧ୍ୟ ହସି ପକାଇଲା ।

 

ପୋଖରୀକୂଳକୁ ଆସି ପଦିଆ, ଛକଡ଼ି ଜାଲ ଖିଅ ଧରି ପାଣି ଭିତରକୁ ପଶିଲେ । ବରଜୁ ପାଣି ଭିତରେ ପଶି ମାଛ ଅଡ଼େଇଲା ।

 

ଗୌରାଙ୍ଗର ମାଛ ଧରା ସଉକ ସରି ଯାଇଛି । ଖିଅଜାଲ, ଖେପାଜାଲ, ଜାଲ, ପୋଳୁହ, ଦାନ୍ତିଆ, ପଞ୍ଜରା ଯେତେ ରକମ ଯନ୍ତ୍ର ଘରେ ସାଇତି ରଖିଥିଲା, ତିନି ବର୍ଷ ହେଲା ସେଗୁଡ଼ିକୁ ଲୋକେ ମାଗି ନେଇ ଭାଙ୍ଗିବୁଜି ଫେରାଇ ଦେଇଛନ୍ତି । ଖାଲି ଖିଅଜାଲ ଖଣ୍ଡକ ଟିକିଏ ଯାହା ଭଲ ରହିଚି ।

 

ପାଣିକୁ ଓହ୍ଲାଇ ବରଜୁ କହିଲା, ‘‘ପୋଖରୀଟାକୁ କଣ କରି ପକାଇଚୁ, ଗୌରା !’’

 

ଜାଲ ଖିଅର ଗୋଟିଏ ପାଖ ଛକଡ଼ି ହାତକୁ ବଢ଼ାଇ ଦେଇ ପଦିଆ ଦଳ ଆଡ଼େଇ ପାଣି ଭିତରେ ତିନି ଚାରିଟା ଟୁବା ମାରିଲା । ଆହୁରି ଦି’ ଖୋଜ ଭିତରକୁ ପଶି କହିଲା, ପୋଖରୀ ନୁହେଁ ଯେ ଗୋବର ଖାତ । ଓହୋ, ଏତିକି ପଙ୍କ ! ୟା ଭିତରେ ଆଉ କେତେ ମାଲ ମସଲା ଅଛି ଦେଖ-।’’ ପଦିଆ ଡାହାଣ ଗୋଡ଼ ଆଙ୍ଗୁଠିରେ ଖଣ୍ଡେ ସଢ଼ା କଣି ପାଣି ଭିତରୁ କାଢ଼ି ବନ୍ଧ ଉପରକୁ ଫିଙ୍ଗି ଦେଲା । ବରଜୁ ହାବୁକା ମାରି ଜାଲ ଭିତରକୁ ମାଛ ଅଡ଼ାଉଥିଲା । ପୋଖରୀଟା ପଙ୍କରେ ଭର୍ତ୍ତି ହୋଇ ଯୁଆଡ଼େ ଗୋଡ଼ ବଢ଼ାଇଲେ ପାଣି ଭିତରୁ ସାନବଡ଼ ହୋଇ ପୁଳାଏ ଭୁଡ଼ି ଉଠୁଥାଏ ।

 

ପୋଖରୀକୂଳ ଓଉଗଛ ଡାଳରେ ଗୋଟାଏ ଗଙ୍ଗେଇ ଛକି ବସିଛି । ମଝିରେ ମଝିରେ ଉଡ଼ି ଆସି ପୋଖରୀ ଉପରେ ଡେଣା ଥରାଇ ଶୂନ୍ୟରେ ରହିଲା ଭଳି ଥଣ୍ଟ ତଳକୁ ନୁଆଇ ଲକ୍ଷ୍ୟ ଥୟ ରଖୁଛି । ତାହା ପରେ ସିଧା ଏକ ଝାମ୍ପି ମାରି ପାଣି ଭିତରୁ ମୀନ ମାଛଟାଏ ଥଣ୍ଟରେ ଧରି ଓଉଡାଳରେ ଯାଇ ବସୁଛି । ଦାଣ୍ଡ ଆମ୍ବ ଗଛରେ ରହି ରହି ଖିଙ୍କାରି ଉଠୁଛି, ସେହି ହନୁ ମାଙ୍କଡ଼ଟା-। ପୁଣି ପୋଖରୀ ଉପରେ ପବନ ଆଣି ପକାଇ ଦେଇଯାଉଛି ପରସ୍ତେ ଲେଖାଏଁ ଧୂଳି, ଆଉ ଶୁଖିଲା ବାଉଁଶ ପତ୍ର । ପୋଖରୀ ହୁଡ଼ା ସେପାଖ ବେତ ବୁଦାରୁ ଦୁଇଟା ଝିଙ୍କାରି ବାଦବୁଦିଆ ହୋଇ ନାଗେଶ୍ୱର ବଜାଉଛନ୍ତି । ଏପାଖ ତୁଠ ଉପରେ ଗୋଟାଏ କଅଁଳା ବାଛୁରୀ ଅକାରଣରେ ଏଣିକି ତେଣିକି ଧାଇଁଛି ।

 

ଗୌରାଙ୍ଗ ପୋଖରୀତୁଠର ମାଙ୍କଡ଼ାପଥର ପାହାଚ ଉପରେ ଠିଆ ହୋଇ ମାଛଧରା ଦେଖୁଛି । ତିନିବର୍ଷ ତଳେ ଶହେ ସରିକି ରୋହି ଯାଆଁଳ ଏହି ଗଡ଼ିଆରେ ଛଡ଼ା ହୋଇଥିଲା । ତା’ପରେ ମାସ ଗୋଟାଏ ଯାଇ ନାହିଁ ବିରୁପା ନଈରେ ଆସିଲା ବଢ଼ି । ସେହି ବଢ଼ିରେ ଗାଆଁ ଗୋଟାକର ଫସଲ ତ ଏକାବେଳକେ ମୂଳପୋଛ ଧୋଇଗଲା । ପୁଣି ପଛେ ପଛେ ଆସିଲା ହଇଜା ଯେ, ହରିପୁର ଭଳି ତିନି ହଜାର ବସ୍ତିର ବଡ଼ ଗାଁଟାରୁ ଛ’ପଣ ଲୋକ ଖାଲି ହୋଇଗଲେ । କେତୁଟା ଦୁଆରେ ଏକାବେଳେ କଣ୍ଟା ଛଟା ହେଲା । ଗୌରାଙ୍ଗର ଭାଇ, ଭାଇବୋହୂ, ବିଧବା ଖୁଡ଼ୀ, ଭେଣ୍ଡାପିଲା ପୁଅ ପୁତୁରା ଚାରିଜଣ ରାଣ ଦେଲାଭଳି ଦିନେ ଦି ଦିନ ଅନ୍ତର ସେହି ହଇଜାରେ କୁଆଡ଼େ ଉଭେଇ ଗଲେ । ଏମିତି ବିପତ୍ତି ପଡ଼ିଲା, ମଡ଼ା କାଢ଼ିବାକୁ ଅବା କାନ୍ଦିବାକୁ ବି ଲୋକ ମିଳିଲେ ନାହିଁ, କି କାହାରିକି ତର ହେଲା ନାହିଁ ।

 

କେତେ ଯୁଗର ଏହି ତିନିଟାବର୍ଷ । ଗୌରାଙ୍ଗର ଆଖି ଯୋଡ଼ିକ ମାଛଧରାରେ ରହିଥାଏ ସିନା, ମନଟା ଯାଇ ପଡ଼ିଥାଏ ତିନି ବର୍ଷ ପଛରେ । ସେହି ମନଭିତରେ କେତେ ଚିତ୍ର ଖେଳି ବୁଲୁଥିଲା । ତାର ତେର ବର୍ଷର ପୁଅ ମାଧବ । ନିଜ ହାତରେ ତିନି ବର୍ଷ ତଳେ ଏହି ଗଡ଼ିଆରେ ସେ ମାଛ ଜାଆଁଳ ଛାଡ଼ଥିଲା, ମାଛ ବଢ଼ିଲେ ଖାଇବ ବୋଲି । ପଚିଶ ବର୍ଷର ସାନ ଭାଇ ଚଇତନ ଛାଇ ପରି ଚାଲିଥିଲା ତାର ପଛେ ପଛେ । ଭଲ କରି ପୋଖରୀ ଖୋଳାଇବ, ପାହାଚ ବାନ୍ଧିବ । ଚାରିପଟ ବନ୍ଧଟା ମଜବୁତ ହୋଇ ଚେକାଛାଣି ହେବ । କଲମି ଆମ୍ବ, ପିଜୁଳି ଲାଗିବ । ତିନି ବର୍ଷ ହେଲା ସେ ସବୁ କଥା ମନଭିତରେ ମରି ଯାଇଛି । ତିନି ବର୍ଷ ହେଲା ପୋଖରୀଟାରୁ ଦଳ କଢ଼ା ହୋଇ ନାହିଁ । ପଥର ଉପରେ ଶିଉଳି ବସି ଖସଡ଼ା ହେଲାଣି । ତିନି ବର୍ଷ ହେଲା ଗୌରାଙ୍ଗ ଆଇଁଷ ଛାଡ଼ି ଲୁଗାରେ ଗେରୁ ମଡ଼େଇ ପିନ୍ଧୁଛ । ଗାଁ ମୁଣ୍ଡ ମେଲଣ ତୋଟାରେ କୁମ୍ଭୀପାଟୁଆଙ୍କର ସାନ କୁଡ଼ିଆଖଣ୍ଡ ଗୌରାଙ୍ଗ ଯତ୍ନରେ ଚୂନଲିପା ହୋଇ ଜକଜକ ଦିଶିଲାଣି । ବାବାଜୀମାନେ ମୁଣ୍ଡରେ ଲମ୍ବାଜଟା ଗୁଡ଼ାଇଏ ଗେରୁଆ କୌପୁନିରେ ଦେହଟାର ଷୋଳଭାଗରୁ ଭାଗେ ଘୋଡ଼ାଇ, ପୁଣି କାନ୍ଧରେ ଖଣ୍ଡେ ଲେଖାଁ ମସ୍ତ ତାଳପତ୍ର ପଙ୍ଖା ଧରି ପହଞ୍ଚିଯାନ୍ତି । ତିନି ବର୍ଷ ହେଲା ଗୌରାଙ୍ଗ ତାଙ୍କରି ପିଛା ଧରିଛି । ପୋଖରୀକୁ ଚାହିଁ କେତେ ଅଣଲେଉଟା କଥା ତା ଆଖି ଆଗରେ ଭାସି ଯାଉଥିଲା । କେବେ ନ ଫେରିବା ମୁହଁ ଦିଶି ଯାଉଥିଲା !

 

ହଠାତ୍‌ପଦିଆ ପାଟି ଶୁଣି ମାଛଧରା ଆଡ଼କୁ ତାହାର ମନ ଫେରିଲା । ଜାଲ ଟାଣୁ ଟାଣୁ ଯୋଡ଼ାଏ ବଡ଼ ରୋହି ଡିଆଁ ମାରି ଖସିଗଲେ । ଖିଅଟାକୁ ଉପରେ ଉଠାଇ ଦେଖାଗଲା ପୁଞ୍ଜାଏ ପାଞ୍ଚଟା ସାନ ଚିଙ୍ଗୁଡ଼ି, ପୋହଳା, କେତୁଟା କୁଲିଗେଣ୍ଡା, ଗୁଡ଼ାଏ ଦଳ ଆଉ ମେଞ୍ଚାଏ ପଙ୍କ ମିଶା ପଚା ଓଉପତ୍ର । ପଥର ଉପରେ ବସିପଡ଼ି ଗୌରାଙ୍ଗ କହିଲା, ‘‘ଓଉଗଛ ମୂଳକୁ ଗୋଟାଏ ପଟା ଦେଲ ଦେଖି ।’’

 

ବରଜୁ ପରିହାସ କରି କହିଲା, ‘‘ମାଛ ଖାଇବା ତ ଛାଡ଼ିଲୁ, ଧରେଇବାକୁ ଆଗ୍ରହ କରୁଚୁ କାହିଁକି ?’’ ଗୌରାଙ୍ଗ ଯେଉଁ ଦୀକ୍ଷା ନେଇଛି, ତହିଁରେ ଆଇଁଷ ଖାଇବା ମନା ନାହିଁ । ତେବେ ମାଛ ମାରିବାକୁ ମନା । ସେ ଖାଲି ଛାଏଁ ମାଛଖିଆ ଛାଡ଼ି ଦେଇଛି । କଥାଟାକୁ ବରଜୁ ଯେଡ଼େ ସହଜରେ କହି ପକାଇଲା, ତାହାର ଫଳ ସେଡ଼େ ସହଜ ହେଲା ନାହିଁ । ଗୌରାଙ୍ଗ ମନରେ କଥାଟା ଯେ ହଠାତ୍‌ ବାଡ଼େଇ ହୋଇଗଲା, ତାହାର ମୁହଁ ଉପରେ ଆଖି ପକାଇ ବରଜୁ ବୁଝି ପାରିଲା । ସିଧା କଥାଟାଏ କହି ଦେଇ ତାକୁ ଫେରାଇ ନେଇ ଆଉ ଗୋଟାଏ କଥା ବାଁରେଇ ବରଜୁକୁ କହି ଆସେ ନାହିଁ । ସେଥିପାଇଁ ତାକୁ ବି ଭାରି ଅଡ଼ୁଆ ଲାଗିଲା ।

 

ଓଉଗଛ ମୂଳେ ଖିଅଟାକୁ ଟେକି ଦେଲାକ୍ଷଣି ତିନିଟା ବଡ଼ ରୋହି ତାହା ଭିତରେ ଛଟପଟ ହେଇ ଜାଲକୁ ଛିଣ୍ଡାଇଦେବା ଉପରେ । ମାଛକୁ ଚାହିଁ ଧରାଳିଙ୍କ ମନ ଖୁସି ହୋଇଗଲା । ପଦିଆ ଗୋଟିଏ ହେଣ୍ଡି ମାରି କହିଲା, ‘‘ଯା’ ହଉ, ଆଜି ତେବେ କାର୍ତ୍ତିକ ଉଜୁଆଁ ହେବ ।’’

 

ଛାଇ ଲେଉଟିଲା ବେଳକୁ ଛକଡ଼ି ଭାଇ ଭାଉଜଙ୍କୁ ଦଣ୍ଡବତ ହୋଇ ବାହାରିଲା ଘରକୁ । ଗୌରାଙ୍ଗ ତାହା ସାଥିରେ ଆସୁ ଆସୁ ଛକଡ଼ି ତାକୁ କହିଲା, ‘‘ଭାଇଙ୍କୁ ବୁଝାଇ ସୁଝାଇ ଯେମିତି ଆଠ ଦିନ ଭିତରେ ସେ ଘରକୁ ଫେରାଇ ଦିଏ ।’’ ଗୌରାଙ୍ଗ ଟିକିଏ ମୂରବି ପଣିଆ ଦେଖାଇ କହିଲା, ‘‘ଏଥିରେ ତୁ ଭଲା ମନ ଊଣା କରୁଛୁ କାହିଁକି ? କଥାରେ କହନ୍ତି, ‘ଯେତେ ଭାଇ ସେତେ ଘର ଯେତେ କନିଆଁ ସେତେ ବର,’ ୟା ତୁ କଣ ଶୁଣିନୁ ?’’

 

ଛକଡ଼ି କହିଲା, ‘‘ହଁ, ଶୁଣିଚି ଯେ, ଭାଇ ସିନା ନିଆରା ଘର କରି ରହିଲେ ହୁଅନ୍ତା । ସେଥିରେ ମତେ କଣ କିଏ କହନ୍ତା କି ! ଘର ନାହିଁ, ଦୁଆର ନାହିଁ, ପିଲାଛୁଆଙ୍କୁ ଧରି ସେ ଏକା ଜିଦ୍‌ରେ ଯେ ବାହାରି ଆସିଲେ, ଏବେ ରହିବେ କେଉଁଠି ?’’

 

ଗୌରାଙ୍ଗ ପୁଣି ବୁଝାଇ ଦେଲା, ‘‘ସେ ଯେଉଁଠି ରହନ୍ତୁ, ସଂସାର ଛାଡ଼ି ତ କାହିଁ ଯିବେ ନାହିଁ ! ଘର ଦୁଆର କଥା ଭାବୁଚୁ ଯେ, ମୋରି ଘର ବୋଲି ଆଜି ଯାହା ଅଛି, ତିନି ବରଷ ତଳେ ତ ସେଇ ଘର ତୁ ଦେଖିଥିଲୁ ! ଆଜି କଣ ହେଲାଣି, ତା କି ଦେଖିଲୁ । ଘର ଦୁଆର, ଗାଈଗୋରୁ, ପୁଅ ଭାରିଜା, ଭାଇ ଭାଇବୋହୂ ସବୁ ତ ମୋର ଥିଲା । ଆଜି କାହିଁ ? ସେ ଗୁଡ଼ା ଖାଲି ବୁଝିବା ଭୁଲ୍‌ରେ ଛକଡ଼ି, ବୁଝିବା ଭୁଲ୍‌ । କି ଘର କାହାର, କିଏ କାହା ପୁଅ, କିଏ କାହା ଘର ?’’

 

ଛକଡ଼ିର ମନ ଏତେ କଥାରେ ଲାଖୁ ନ ଥାଏ, ଥରକୁ ଥର ଖାଲି ଗୋଟାଏ କଥା ଘାଣ୍ଟି ଚକଟି ହେଉଥାଏ, ବରଜୁ ଆଉ ଘରକୁ ଲେଉଟିବ ନାହିଁ । ନା, କଦାପି ନୁହେଁ । ସେ ଗୌରାଙ୍ଗକୁ ଜିଗର କରି କହିଲା, ‘‘ଗଉରା ଭାଇ, ତୁମେ ମୋ ରାଣ ପକା । ଆଠ ଦିନ ଭିତରେ ଭାଇଙ୍କି ବୁଝେଇ ପଠେଇ ଦବ ।’’

 

‘‘ସତେ ତୁ ଜମା ସମଝି ପାରିଲୁ ନାହିଁ ।’’ ଗୌରାଙ୍ଗ ପୁଣି ତାକୁ ତତ୍ତ୍ୱ କଥା କହିବାକୁ ଯାଉଥିଲା ।

 

ଛକଡ଼ି ତହିଁରେ ବାଧା ଦେଇ କଟାଳ କଲା, ‘‘ହଉ ପଛେ ଭାଇ, ମୁଁ ନିଗମ କଥା କାହୁଁ ବୁଝିବି ? ତୁମେ ଖାଲି ଜବାବ କର, ଭାଇଙ୍କୁ ଆଠ ଦିନରେ ନେଉଟାଇ ଦବ ।’’

 

ଗୌରାଙ୍ଗ କହିଲା, ‘‘ତୁ କଣ ନିଜ ଭାଇ କଥା ଜାଣି ନାହୁଁ ଯେ, ତାଙ୍କ ମନ ନ ହେଲେ ମୋରି କଥାରେ ସେ ନେଉଟି ଯିବେ ! ସେ ତ କିଛି ଶହେ ପଚାଶ କୋଶରେ ନାହାନ୍ତି ! ରୋଜିନା ଆସିବାକୁ ତତେ କିଏ ମନା କରିଚି କି ?’’

 

କଥା ଗପୁ ଗପୁ ଦୁହେଁ ହରିପୁର ଗାଁର ନୂଆପାଟଣା ଡେଇଁ ଥାନା ପାଖ ଡାକଘର ଯାଏ ଆସି ଯାଇଥିଲେ । ସେଠାରୁ ଗୌରାଙ୍ଗ ଫେରିଲା ।

 

ବାଟଯାକ ଖାଲି ଭାଇ କଥା ଭାବି ଭାବି ଛକଡ଼ି ଗାଁରେ ପହଞ୍ଚିଲା । ପ୍ରଧାନପଡ଼ା ଭିତରକୁ ପଶିବା ଆଗରୁ ହରିମିଶ୍ରଙ୍କ ଘର ପଡ଼େ । ତାଙ୍କ ଦାଣ୍ଡ ଦୁଆରେ ଗୋଟାଏ ଭିକାରୀ ଧୁଡ଼ୁକି ବଜାଇ ଗୀତ ବୋଲୁଥାଏ, ‘‘ବାଇଧନ ତ, ବାଇଧନ ଗଲେ ବୃନ୍ଦାବନ ତ, ବାଇଧନ ତ ।’’ ଭିକାରୀଟା କେବେ ଆଗକୁ କେବେ ପଛକୁ ଟଳିଟଳି ପୁଣି ଧୁଡ଼ୁକି ତୋର ପାଖରେ କାନଟାକୁ ଲଗାଇ ତାହାର ଶିରାମୟ ଆଙ୍ଗୁଠିରେ ଦେହ ଗୋଟାକର ଜୋର ଖଟାଇ ଧୁଡ଼ୁଧୁଡ଼ୁ କରି ବଜାର ଦେଉଛି, ‘‘ବାଇଧନକୁ ମୁଁ ଛାଡ଼ି ଆଇଲି ଜାଗର ଦୁତୀୟା ଦିନ ତ, ବାଇଧନ ତ ।’’ ତାହା ମଝିରେ, ‘‘ହଉ ଆଜ୍ଞା, ଭିକ ଗଣ୍ଡିଏ ମିଳୁ ଆଜ୍ଞା’’ - ଡାକ ।

 

କୁଟା ଗୋଛାଏ ମୁଣ୍ଡାଇ ନିତା ଦାଣ୍ଡରେ ଚାଲିଥିଲା । ଚାରିପଟେ କୁଟା ଓହଳି ତାହାର ଛାତିଯାକେ ଘୋଡ଼ାଇ ହୋଇ ପଡ଼ିଥାଏ । ଯେମିତି ଅବା ଖାଲି ଗୋଟାଏ କୁଟା ବୋଝର ଯୋଡ଼ାଏ ଗୋଡ଼ ! ତାହାରି ଭିତରୁ ଛକଡ଼ିକୁ ଚିହ୍ନିପାରି ସେ କହିଲା, ‘‘ହରିପୁର ଯାଇଥିଲୁ ପରା ! ଭାଇ ଶେଣ ଘରେ ଅଛିଟି କି ?’’ ତାକୁ ଖାଲି ‘ହଁ’ ଟାଏ ମାରି ଦେଇ କେମିତି ସହଳ ଯାଇ ଘର ଭିତରେ ପଶିବ, ଛକଡ଼ିକୁ ବାଟ ଦିଶିଲା ନାହିଁ । କେତେଲୋକ ଗାଁରେ ଭାଇ କଥା ପଚାରିବେ । ସେ କାହାକୁ କଣ କହିବ ? ନିତା ପୁଣି ତାକୁ ପଛକୁ ଡାକୁ ଡାକୁ ସେ ଗାଁ ଦାଣ୍ଡକୁ ଚାରିଖୋଜ କରି ଘର ଭିତରେ ପଶିଗଲା ।

 

ଘର ଭିତରେ ନେତ୍ରମଣି କେତେ କଥା ପଚାରିଲା । ରନ୍ଧାବଡ଼ା କରି ଖାଇବାକୁ ଦେଲା-। ଡାଲା ଆଣି ପାନ ଭାଙ୍ଗି ବସିଲା । ଘରବାଡ଼ି, ବିଲ ବଗିଚା, ଗୋରୁ ଗାଈ । ଛକଡ଼ି ହଁ ନାହିଁ କରି ଶେଷରେ ତୁନୀ ହୋଇ ଶୋଇପଡ଼ିଲା ।

 

ରାତିରେ ସେ ନିଦରେ ଦେଖିଲା, ସେହି ଧୁଡ଼ୁକିଆ ଭିଖାରୀକୁ । ପୋଡ଼ା ଗୋଜଣା ପରି ତାହାର ଲମ୍ବା ଲମ୍ବା ଟାଙ୍କ ଯୋଡ଼ାକୁ ଦୋହଲାଇ ପେଟଟାକୁ ଖାଙ୍କି ଦେଉଛି ଯେ, ତା ଭିତରେ ଅବା ଗଉଣୀଏ ଚାଉଳ ପଶିଯିବ । ପୁଣି ହାଡ଼ମାଳ ଦେହଟାକୁ ଏପାଖ ସେପାଖ ନଚାଇ ସେ ଗୀତ ବୋଲୁଛି, ‘‘ବାଇଧନ ତ, ବାଇଧନ ଗଲେ ବୃନ୍ଦାବନ ତ । ବାଇଧନକୁ ମୁଁ ଛାଡ଼ି ଆଇଲି- !’’

 

ନେତ୍ରମଣି କଥାରେ ନିଦଟା ତାର ଚାଉଁକିନା ଭାଙ୍ଗିଗଲା । ‘‘ହଇ କିଏ, ଭାଉଜ ତମର ଆଉ କଣ କହୁଥେଲା ମ ।’’ ଅଧାନିଦିଆ ହୋଇ ଛକଡ଼ି କହିଲା, ‘‘ହଁ, କହୁଥେଲା, କହୁଥେଲା, ବାଇଧନ ତ ।’’ - ‘‘ଏଁ ? କଣ କହୁଥେଲା ?’’ ପୁଣି ଛକଡ଼ିର ଘୁଙ୍ଗୁଡ଼ି ଶୁଣାଗଲା । ପୁଣି ସେଇ ପେଟଖଙ୍କା ଧୁଡ଼ୁକିଆର ଗୀତ - ‘‘ବାଇଧନ ତ, ବାଇଧନ ଗଲେ ବୃନ୍ଦାବନ ତ - ।’’

 

ଦିନା କେତେ ବିତି ଗଲା । ଦୁଇ ଭାଇଙ୍କ ଭିତରେ ଦେଖା ଚାହାଁ ହୋଇ ପାରିଲା ନାହିଁ । ବରଜୁ ନହେଲେ ଘରର କେଉଁ କଥା ହେବ ନାହିଁ ବୋଲି ଛକଡ଼ି ଯାହା ଆଗରୁ ଡରୁଥିଲା, ସେ ଡରଟା ତାହା ମନରୁ ଆସ୍ତେ ଆସ୍ତେ ଓହ୍ଲାଇଗଲା । ଗୋରୁ ଗାଈ, ବିଲ ବାଡ଼ି ସବୁଥିରେ ମନ ଲାଗିଲା । ଟିକିଏ ତର ମିଳିଲେ ସେ ହରି ମିଶ୍ରଙ୍କ ପାଖରେ ବସି ଖୁସି ଗପ କରେ । ମିଶ୍ରେ କି ତାହା ଉପରେ ବଡ଼ ସନ୍ତୋଷ । ଘର ଧନ୍ଦାରେ କେବେ କେଉଁ ଦିନ ଦେଖା ନ ହେଲେ ନିଜେ ତା ଦ୍ୱାରକୁ ଚାଲି ଆସନ୍ତି । ଭିତରକୁ ପଶିଯାଇ ଡାକନ୍ତି, ‘‘କିରେ, ପୁତ, ଭାରି ତ କାମ ଲାଗିଛି ଯେ, ଟିକିଏ ଦେଖା ଦର୍ଶନ ନାହିଁ ।’’ ଛକଡ଼ି ବାରି ପଟୁ ବାହାରି ଆସି ତାଙ୍କ ପାଖରେ ପାନ ଭାଙ୍ଗି ବସେ-। ମୁଗ ଓଳିଆ ଉପରେ ଆଖି ପକାଇ ମିଶ୍ରେ କହନ୍ତି, ‘‘ଭଲ ମୁଗ ତ ଆମଦାନୀ କରିଛୁ । ଚାଷକରି ଆସେ ନାହିଁ ବୋଲି ଡରୁଥିଲୁ ପରା ।’’ ଛକଡ଼ି ଉତ୍ତର କରେ, ‘‘ଚାଷ କରିବି କଣ ମଉସା, ହଡ଼ାଙ୍କ ଅବସ୍ଥା ଦେଖୁ ନ ?’’

 

‘‘କାହିଁକି ଦାମୁଡ଼ିଟିଏ କରୁ ନାହୁଁ ।’’ ଦାମୁଡ଼ି କରିବାକୁ ନଗଦ ପଇସା ଦରକାର । ଛକଡ଼ି ମାସକୁ ଟଙ୍କାକେ ଅଣାଏ ସୁଧରେ ମିଶ୍ରଙ୍କ ଠାରୁ କରଜ ବୟ କରି ଦାମୁଡ଼ି କିଣିଲା । ବାକୀ ଯାହା ବଳିଲା ତହିଁରେ ନେତ୍ରମଣି ପାଇଁ ଶାଢ଼ୀ ଆଣିଲା । ସାଙ୍ଗ ମେଳରେ ଭୋଜି ଭାତ କରି ଉଡ଼ାଇଲା ।

 

ଗୌରାଙ୍ଗ ଘରେ ବରଜୁ ପାଦ ଦେଇଛି କି ନାହିଁ, ତହିଁ ଆର ଦିନ ସକାଳେ ନିଦ ମଳମଳ ଆଖିରେ ଗୌରାଙ୍ଗ ତାହାର ବାରିପଟକୁ ଯାଇ ଦେଖିଲା, ସେ କାଙ୍କ ଖଣ୍ଡେ ଧରି ପୋଖରୀପର ପଡ଼ିଆ ଡିହଟାକୁ ଅଧେ ସରିକି ହାଣି ସାରିଲାଣି । ଗୌରା କାବା ହୋଇ ଚାହିଁ ରହିଲା । ବରଜୁକୁ କଣ ରାତିଯାକ ନିଦ ନାହିଁ ! ପାହଡ଼ରୁ ଝରଣା ବହିଲା ପରି ତାହାର କଳା ଦେହଟାକୁ ଧାର ଧାର ଝାଳ ଗଡ଼ି ପଡ଼ୁଥାଏ । ତାହାର ବାହା ଆଉ ପେଣ୍ଡାର ମାଂସପେଶୀଗୁଡ଼ାକ ଫୁଲି ଉଠୁଥାଏ । କିଆବାଡ଼ ପଛପଟ ତେନ୍ତୁଳି ଗଛଟାରେ କାହାଣେ କି ଦି’ କାହାଣ ବାଦୁଡ଼ି ଲଟକି ରହି ମଝିରେ ମଝିରେ ଡେଣା ଖଡ଼ ଖଡ଼ କରୁଛନ୍ତି ।

 

‘‘ଏ କଣ ଭାଇ, ତେବେ ମୁଁ ତୁମକୁ ମାଟି ହାଣିବାକୁ ଡାକି ଆଣିଥେଲି ?’’ - ବ୍ୟସ୍ତ ହୋଇ ଗୌରାଙ୍ଗ କହିଲା ।

 

ବରଜୁ ମୁହଁ ଫେରାଇ ଚାହିଁଲା, ‘‘ନାହିଁରେ, ଏଗୁରା ଯେମିତି ଅରମା ହୋଇ ପଡ଼ିଥିଲା, ପୁଞ୍ଜାଏ ଶାଗ ମଞ୍ଜି ଛାଟି ଦେଇ ଦି’ ବୁଦା କାକୁଡ଼ି କଖାରୁ ପୋତିଦେଲେ ହବ ନାହିଁ ? ତୁ ଆସି ଏଠୁ ଘାସତକ ବାଛି ଦେଲୁ ?’’ ଗୌରାଙ୍ଗ ବିଚରାର ଆଉ ତୁଣ୍ଡ ଫିଟିବାକୁ ବାଟ ନ ଥିଲା । ତୁନୀ ହୋଇ ଯାଇ ଅଧୁଆ ମୁହଁରେ ଘାସ ବାଛି ବସିଲା ।

 

ତାହା ଘରେ ଗୋଡ଼ ଦେଉ ନ ଦେଉ ବରଜୁ ଯେ ତାଙ୍କ କାଙ୍କ କୋଡ଼ି ଧରି ମାଟି ହାଣିବ, ଏ କଥା ଗୌରାଙ୍ଗକୁ ଭାରି ଅଡ଼ୁଆ ଲାଗୁଥାଏ । ହରିପୁର ଗାଁଟାର ଲୋକେ ଭଲା ତାକୁ କଅଣ କହିବେ ? କାହିଁକି, ତା’ର ତ ଯୋଡ଼ାଏ ବାରମାସିଆ ମୂଲିଆ ଅଛନ୍ତି । ବରଜୁ ତାହାର ବନ୍ଧୁଲୋକ, ଏସବୁ ମୂଲିଆ କାମ ସେ କରିବ କାହିଁକି ? ଭାଗ୍ୟକୁ ବଡ଼ିଭୋରଟା, ପୁଣି ବାରିପଟେ ମାଟି ହାଣୁଥିବାରୁ କାହାରି ଆଖିରେ ପଡ଼ି ନାହିଁ ବୋଲି ସିନା ! ତେବେ କି ବରଜୁକୁ ଭରସି ସେ ମନା କରିପାରୁ ନାହିଁ କିମିତି କରିବ ? ପଦେ କଥା କହିଲାରୁ ତାକୁ ତ ପୁଣି ଘାସ ବାଛିବାକୁ ପଡ଼ିଲା । ଗୌରାଙ୍ଗ ତା’ ଦିହକରେ ଭଲା କେବେହେଲେ ଏ କାମ କରିଥିଲା ? ହରିପୁର ଗାଁଟାରେ ଶେଣ ଘରକୁ ନ ଜାଣେ କିଏ ? ତିନି ହଳ ବଳଦର ଚାଷ । ମୂଲିଆ ଚାକରଙ୍କୁ ତ କାମ ନିଅଣ୍ଟ ସେ କରନ୍ତା କାହିଁକି ?

 

ବରଜୁର ମାଟିହଣା ପାଖରେ ବସି ଘାସ ବାଛିବାରେ ଗୌରାଙ୍ଗକୁ କିଛି ଗୋଟାଏ ନୂଆ କି ଛୋଟ କଥା କଲାଭଳି ଜଣାଗଲା ନାହିଁ । ବରଜୁ ଯେମିତି ସହଜରେ ତାକୁ ଘାସ ବାଛିବାକୁ ଡାକିଲା, ଗୌରାଙ୍ଗ ବି କିଛି ବିଚାରିବାକୁ ଫୁରସତ୍‌ନ ପାଇ ସେମିତି ତାହାର ବୋଲ ମାନିଲା । ମଝିରେ ମଝିରେ ସେ ଖାଲି ଥରେ ଲେଖାଏଁ ବରଜୁର ମାଟିହଣାକୁ ଚାହିଁ ଦେଇ ପୁଣି ଘାସ ବାଛିବାରେ ଲାଗିଥାଏ ।

 

ବରଜୁର ଚେହେରାକୁ ସେତେବେଳେ ଚାହିଁ ଗୌରାଙ୍ଗ ଛାତିରେ କିମିତି ଗୋଟାଏ ଛନକା ପଶିଗଲା । ମାଟିହଣା, ଘାସବଛା, ଯେ ମୂଲିଆଙ୍କ କାମ, ଗୌରାଙ୍ଗ ତାହା ପାସୋରି ପକାଇଲା । ବରଜୁ ତୁଣ୍ଡରେ କଥାଭାଷା କିଛି ନାହିଁ, ଏକା ଲହସରେ ସେ ମାଟି ହାଣି ଯାଉଛି । ତେବେ ଗୌରାଙ୍ଗକୁ ସେ ଯେମିତି ତାହାରି ଭିତରେ କେତେ କଥା ବତେଇ ଦଉଥିଲା । ସେଥିଲାଗି ଏ କାମରେ କିଛି ମାନହାନି ହୁଏ ବୋଲି ଭାବିବାକୁ ବି ଗୌରାଙ୍ଗ ଡରୁଥିଲା ।

 

ଘଡ଼ିଏ ନୁହେଁ କି ପହରେ ନୁହେଁ, ସକାଳୁ ସଞ୍ଜଯାକେ ବରଜୁର ଖାଲି ଘରବାରି, ବିଲବଗିଚା, ଗାଈଗୋରୁ କାମରେ ଦିନ ବିତିଗଲା । ଶେଷରେ ଗୌରାଙ୍ଗ ବିଚରା ବି ହଇରାଣ ହୋଇ ପଡ଼ିଲା । ଦିନଯାକ ଯାହାର ଖୁସି ଗପରେ, ନ ହେଲେ ବା କେତେବଳେ ଅମରଯୁମର, ଶୂନ୍ୟସଂହିତା କି ଶରୀର-ଭେଦ ଭଜନ ବୋଲିବାରେ କଟୁଥିଲା, ଏବେ ବରଜୁର ବରାଦ ମୁତାବକ କେଉଁଠି ହଳ, କେଉଁଠି କୋଡ଼ି, କେଉଁଠି ବିହନ, କେଉଁଠି କୁଳୁଚି, ଆଉ କେଉଁଠି ନସରା ଗାଈର ପଘା ଠିକଣା କରିବାରେ ତାକୁ ବେଳ ଅଣ୍ଟୁ ନାହିଁ । ହାରାବୋଉ ହାତ ଲାଗି ଘର ଭିତରେ ମଣିଷ ଥିଲା ପରି ଟିକିଏ ଦିଶୁଛି । କେଉଁ ଘର କୋଣରେ ମୂଷାମାଟି ଅବା ଉଇହୁଙ୍କା ଗଦା ହୋଇ ନାହିଁ, କି ବେଙ୍ଗ ପଶି ହାଣ୍ଡିତଳେ କଟକଟ କରୁ ନାହିଁ । ଚାରିଆଡ଼ ଲିପାପୋଛା ହୋଇ ସଫା ସୁତୁରା ଦିଶିଲାଣି ।

 

ବରଜୁ ଆସିବା ଆଗରୁ ବାହାରେ ରହି କୁମ୍ଭୀପାଟୁଆ ଟୁଙ୍ଗିରେ ଧର୍ମଚର୍ଚ୍ଚା କରିବାପାଇଁ ଗୌରାଙ୍ଗକୁ ଯେମିତି ସୁଖ ଲାଗୁଥିଲା, ପୁଣି ଘର ଭିତରେ ପଶିଲାକ୍ଷଣି ଘରଟା ଯେମିତି ଖାଇ ଗୋଡ଼ାଉଥିଲା, ଏବେ ଦିନ ଚାରିଟାରେ ସେ କଥା ବଦଳି ଯାଇଛି । ଏଣିକି ସବୁ ତାକୁ ଉଶ୍ୱାସ ଲାଗିଲାଣି । ଘରଟାକୁ ଡରିଡରି ସବୁବେଳେ ଦୂରେଇ ରହିବାକୁ ଆଉ ହେଉ ନାହିଁ ।

 

ନିଜ ଘରୁ ବାହାରି ଆସିଲାବେଳେ ବରଜୁ କେଉଁଠିକି ଯିବ, କେଉଁଠି ରହିବ, କିଛି ହେଲେ ଭାବି ନ ଥିଲା । ଛକଡ଼ି ଜିମା ଘର ଦୁଆର ଛାଡ଼ି ଆସିବା, ସେତେବେଳେ ଖାଲି ସେ ଠକ୍‌ବୋଲି ବିଚାରିଥିଲା । ପରେ କଣ କରିବ ସେଥିପାଇଁ ବେଶି ଭାବନା କରିବା କେବେହେଲେ ତାହାର ଅଭ୍ୟାସ ନୁହେଁ । ତାହାର ଅଭ୍ୟାସ ଖାଲି ଏତିକି ଯେ, ଯୁଆଡ଼େ ଯାଉ କାମ କରିବ, ଗଣ୍ଡାଏ ଖାଇ ଖଣ୍ଡେ ପିନ୍ଧିବାକୁ ତାକୁ ଅଭାବ ହେବ ନାହିଁ । ଜନ୍ଦା ପିମ୍ପୁଡ଼ିଙ୍କୁ ଖାଇବାକୁ ମିଳୁଛି, ଆଉ ସେ ମଣିଷ ହୋଇ ଭୋକରେ ମରିବ ! ସେ ବୁଝିପାରେ ନାହିଁ, କାହିଁକି ଲୋକେ ଭୋକ ଉପାସରେ ମରନ୍ତି । ଅନ୍ଧ, ବୁଢ଼ୀଙ୍କ କଥା ସିନା ନିଆରା ! ଦେହରେ ତାକତ୍‌ଥିବାଯାକେ ଦୁନିଆ ଗୋଟାକ ତ ସବୁରି ପାଇଁ ପଡ଼ିଛି । ଭୋକ ଉପାସରେ ମରିବା ଅଧିକାର ଜଣେ କାହାର ଅଛି କି ? କାହିଁକି ତେବେ ମଣିଷ ମରେ ! - କାହିଁକି ?

 

ବରଜୁ ଯେଡ଼େ ସହଜ ବିଚାରିଥିଲା, ସେତେ ସହଳ ଗୌରାଙ୍ଗ ଘରୁ ବାହାରିଯାଇ ପାରିଲା ନାହିଁ । ଗୌରାଙ୍ଗର କଣ୍ଟ ମୁତାବକ ଠିକ୍‌ ଚାରିଦିନ ପରେ ଯେତେବେଳେ ସେ ବାହାରିବାକୁ ଯୋଗାଡ଼ କରେ, ଗୌରାଙ୍ଗ ଆଉ ଦିନେ, ଆଉ ଦି’ଦିନ କହି ମଟାଳି ଦିଏ । କେବେ କେମିତି ମୁହଁ ନଫେଡ଼ି ଚାଲିଯାଏ । ଶେଷକୁ ଆଉ ଧରାଛୁଆଁ ଦିଏ ନାହିଁ । ଦିନ କେତୁଟା ଭିତରେ ବରଜୁକୁ ନିଜ ଘର ଭିତରେ ଜଣେ ବୋଲି ଧରି ନେଲାଣି । କାହିଁକି ସେ କୁଆଡ଼େ ବାହାରିଯିବ ! ସେ ଚାଲିଗଲେ ଘରଟା ତ ଆଗଭଳି ଗୌରାଙ୍ଗକୁ ପୁଣି ମାଡ଼ିମାଡ଼ି ପଡ଼ିବ । ସେ ଚଳିବ କିମିତି ?

 

ବରଜୁ କହିଲା, ‘‘ତେବେ କଣ ତୋରି ଘରେ ମୁଁ ସବୁ ଦିନ ରହିବାକୁ ଆସିଥିଲି ?’’

 

ଗୌରାଙ୍ଗ ମନ ଟାଣ କରି ଜବାବ୍‌ଦେଲା, ‘‘ଏ ଘର ମୋର କି ଆଉ କାହାର, ସେ କଥା କାହିଁକି ଆଜିଯାକେ ବୁଝି ପାରିଲି ନାହିଁ । ବର୍ଷ ତିନିଟା ଆଗରେ ତ କେତେ ଲୋକଙ୍କର ଏଇ ଘରଟା ଥିଲା । ପନ୍ଦର ଦିନ ଭିତରେ ସେ ଘର କଣ ହେଲା, ନିଜେ ତ ସବୁ ଦେଖିଚ । ସେତେବେଳେ ପରା ମୁଁ ଡୋର କୌପୁନି ଘେନି ଘରୁ ବାହାରିଯବାକୁ ବସିଥିଲି । ତୁମେ କାହିଁକି ମତେ ମନା କଲ ? ଡାକି ନେଇ ଏତେ ଦିନ ନିଜ ଘରେ ରଖିଲ ? ମନେ ନାହିଁ ? କହିଥିଲ ପରା ଏଠାରେ କିଛି ଦିନ ଆସି ରହିବ ବୋଲି ! ତିନି ବର୍ଷ ପରେ ଆଜି ତ ସେଇ ଯୋଗ ଜୁଟିଲା । ଆଉ ତେବେ, କୁଆଡ଼େ ଯିବେ ବୋଲି କହୁଚ କାହିଁକି ?’’

 

‘‘ସେ କଥା ସତ ଯେ, ତେବେ କଣ କି -----’’

 

‘‘ଆଉ ତେବେ କଣ ? ମୁଁ ତା’ ହେଲେ ବା ଏକୁଟିଆ ଏଡ଼େ ଘରଟାରେ ରହିବି କାହିଁକି-? ତୁମେ ଆଉ ମତେ କୌପୁନି ନବାକୁ ମନା କରିବ କାହିଁକି ?’’

 

‘‘ଆରେ ତୁ ବୁଝି ପାରୁନୁ । ମାଇପେ ପିଲାଏ ସମସ୍ତେ ଏଠି ରହିଲେ ଲୋକେ କଣ କହିବେ ? ଗାଁକୁ ଗାଁ ଲାଗିଚି ପରା ।’’

 

‘‘ଏଗୁଡ଼ା ମୋତେ ଖାଲି ଭଣ୍ଡେଇବାକୁ ତୁମେ କହୁଚ ଭାଇ । ଲୋକେ କହିବା କଥାକୁ ଯେବେ ଖାତିରି କରୁଥିଲା ତା’ ହେଲେ ନିଜ ଘରଟାକୁ ଛାଡ଼ି ଆସିଲ କାହିଁକି ?’’

 

ସେ ଦିନ ଗୌରାଙ୍ଗ ଖୁସି ହୋଇ ହାରାବୋଉକୁ ବରଜୁ କହୁଥିବାର ଶୁଣିଲା, ‘‘ଏଠାରୁ ତ ବାହାରିଯାଇ ହେଉ ନାହିଁ । କଣ କରିବା ?’’

 

ଗୌରାଙ୍ଗ ଆଗଟାରେ ବରଜୁ ଏଭଳି ପଚାରିବା ହାରବୋଉକୁ ଅଡ଼ୁଆ ଲାଗୁଥାଏ । ସେ କହିଲା, ‘‘ମୁଁ କଣ ତମକୁ ଜିଗର କରୁଚି କି ଆଉ କାହିଁ ଯିବାକୁ ?’’ ତା ପରେ ଗୌରାଙ୍ଗକୁ ଚାହିଁ କହିଲା, ‘‘ନିଅ ସମ୍ଭାଳ ସଭିଙ୍କି । ଏଣିକି ତେବେ ମନ ବୁଝିଲା ?’’

 

ଗୌରାଙ୍ଗ କହିଲା, ‘‘ସେମିତି କଥା ମତେ ତମେ କହିବ ନି ଭାଉଜ ! କିଏ କାହାକୁ ସମ୍ଭାଳେ ଭଲା ? ମୁଁ ଜାଣୁଚି, ତମେ ସବୁ ଆସି ତ ମତେ ଓଲଟି ସମ୍ଭାଳିଚ ।’’

 

ବରଜୁ ହାରାବୋଉକୁ କହିଲା, ‘‘ଭାରି ତ ଦମ୍ଭ ! କୁଆଡ଼େ ଯିବ, କଣ କରିବ ଭାବି ଭାବି ଦିନ ସରନ୍ତା ନାହିଁ । ଅରକ୍ଷିତକୁ ଦଇବ ସାହା । ବାଟ ଦି’ କୋଶରେ ତମ ପାଇଁ ଘରଦୁଆର ସଜିଲ ହୋଇ ରହିଚି - ସେ କଥା କଣ ଜାଣିଥିଲ ?’’

 

‘‘କାହିଁକି ନ ଜାଣିବି ମ ! ଗଉରା ତ କେତେ ଥର ତାଙ୍କ ଘରକୁ ଡାକିଛନ୍ତି । ତମକୁ ସିନା ସଂସାରଯାକ ମାଡ଼ିପଡ଼ୁଚି ଯେ ଏ ଘରେ ରହିବ ନି, ସେ ଘରେ ରହିବି ନି ବୋଲି ଫୁରୁକୁଟି ଡିଆଁ ମାରୁଚ । ମତେ କଣ ରହିବାକୁ ଘର ମିଳୁନି କି ?’’

 

ଗୌରାଙ୍ଗ ମନ ଖୁସିରେ ଠାକୁରଙ୍କ ପାଖେ ଭଲ କରି ଗୋଟାଏ ଚୁଡ଼ାଘଷା ଭୋଗ କଲା । କୁମ୍ଭୀପାଟୁଆ ଗୋସେଇଁମାନେ ବି ଦଇକେ ସେ ଦିନ ପହଞ୍ଚିଥାନ୍ତି । ଗାଁ ଭିତରୁ ଆଠ ଦଶ ଜଣ ଗେରୁଆପିନ୍ଧା ଭକ୍ତ ଆସି ଜୁଟିଲେ । ଚାହୁଁ ଚାହୁଁ ସାନଟୁଙ୍ଗି ଖଣ୍ଡକରେ ଗହଳ ଚହଳ ଜମି ଆସିଲା । କିଏ ନଡ଼ିଆ କୋରୁଚି, କିଏ ଚୁଡ଼ା କୁଟୁଚି, ଆଉ କିଏ ପାଣି ବୋହୁଚି ତ କିଏ ଗଞ୍ଜେଇ ପାଇଁ ଧାଇଁଚି ।

 

ରାତି ଦି’ ଘଡ଼ିକୁ ସବୁ ଯୋଗାଡ଼ ହୋଇଗଲା । ଛୁଆଁଛୁତି ବିଚାର ନାହିଁ । ସମସ୍ତେ ଧାଡ଼ି ହୋଇ ପ୍ରସାଦ ପାଇବାବୁ ପତ୍ର ପକାଇ ବସିଗଲେ । ମାଧ ସେଠି, ଚେମା ବେହେରା, ଭିକାରୀ ସାହୁ, ଅପର୍ତ୍ତି ଭୋଇ ସବୁରି ମୁହଁରେ ଗୋଟାଏ ଚିଲମ ବୁଲି ଆସିଲା ।

 

ଚେମା କହିଲା, ‘‘ଗଉରା ଦାଦିକୁ ମନ ଜାଣି ଫଳ ମିଳିଛି । ବରଜୁ ପଧାନ ତା’ ଘରେ ଗୋଡ଼ ଦେଇଚି କି ନାହିଁ, ଚାରିଆଡ଼ ଯେମିତି ହସି ଉଠୁଚି ।’’

 

ମାଧିଆ କହିଲା, ‘‘ତା’ ବାରିପଟ ଦେଖିଲୁଣି । ମାଟି ହଣା ହୋଇଚି ଯେ, କଣ କହିବି ତା’ ଗୁଣ । ଏ ଚୁଡ଼ାଘଷା ଭଲା ସେ ମାଟିକି ସରି ହବ !’’

 

‘‘କାହିଁକି, ଘର ଭିତର ? ସୋରିଷଟାଏ ପରା ହଜିବ ନାହିଁ ! ଚାରିଆଡ଼ ଲିପାପୋଛା ନିଚିପଡ଼ ।’’

 

ତଳ ଅଗଣାକୁ ଦଉଡ଼ି ଆସି ଗୌରାଙ୍ଗ ଡାକିଲା, ‘‘ଭାଉଜବୋଉ, ଭାଉଜବୋଉ !’’

 

‘‘କଣ’ କି ?’’ - ହାଣ୍ଡିଶାଳ ଭିତରୁ ହାରାବୋଉ ଜବାବ ଦେଲା ।

 

‘‘ବାହାରକୁ ଟିକିଏ ଆସ ଭଲା । କଣ ଏମିତି ରାନ୍ଧୁଚ କି ?’’

 

‘‘ରହିଥା, ଭାତ ହାଣ୍ଡିଟା ଉତୁରି ପଶୁଚି ପରା ।’’ ଆଖି ମକଚି ହାରାବୋଉ ପଦାକୁ ବାହାରି କହିଲା, ‘‘କଣ ହେଲା କି ?’’ କାଇଁକି ଆଜି ଭାରି ଖୁସି ।’’

 

‘‘ତମେ ଆଗ କଣ ଖାଇବାକୁ ଦବ କୁହ ?’’ ମୁରୁକି ହସି ହାରାବୋଉ କହିଲା, ‘‘ଖାଇବାକୁ ଦେବି କଣ ମ ? ଘରେ ତ ଯାହା ଅଛି ଖାଇବ ।’’

 

‘‘ନାତି ହୋଇଛି, ନାତି ! - ବୁଝିଲ ? ହାରା ଘରୁ ମଣିଷ ଆସିଚି । ପଞ୍ଚୁଆତି ସଜିଲ କର ।’’ ଗୌରାର ଯେମିତି ନିଜର ନାତି ହେଇଚି, ସେମିତି ତା’ କଥାଗୁଡ଼ା ଶୁଣାଗଲା ।

 

ହାରାବୋଉର ଛାତି ଉଲୁସିଉଠିଲା । କଣ କହିବ କିଛି ତାକୁ ପଇଟିଲା ନାହିଁ ।

 

ଚାଉଳ, ବୀରି, ମୁଗ, ଚଣା, ହରଡ଼ ଆଣି ଗୌରା ଗୌଣି ଗୌଣି କରି କୁଢ଼େଇଲା, ‘‘ନିଅ ଏଥର, ସାଉଟି ବୋଉକୁ ଡକାଇ ସବୁ ଭଜା ଭଜି କର ।’’

 

‘‘ଆଜିଠୁଁ, କାଇଁକି ଭଜାଭଜି ହବ ମ ।’’

 

‘‘କାଲି ତ ପଞ୍ଚୁଆତି ବୋଝ ଯିବ । ଆଜି ହବନି ଆଉ କୁ ଦିନ ? ପରିଦିନ ରାତିରୁ ପୁଅ ହେଲାଣି, ଆଜ ସରିକି ସେ ବାତାନି ଦଉଚି । ତମକୁ ତ ଘର ନ ମିଳିଲା ପରି ଅସଲ ଚୋଠା ଘରୁଟାରେ ଝିଅକୁ ଦେଲ । ଲୋକଟାଏ ହେଲେ ସେ ମୂର୍ଚ୍ଛିବ ? ଦିନୁଟାଏ ଚାଷ କାମ ବନ୍ଦ ହୋଇଯିବ ଯେ ! ବାଛି ବାଛି କରି କୁଆଡ଼ୁ ଗୋଟାଏ ମୁରୁକୁଟି ବୁଢ଼ୀ ହାତରେ ତିନ ଦିନରେ ବାତାନି ପଠେଇଚି । ଲଇଖଣ ସ୍ୱାଇଁକୁ ମୁଁ ଜାଣେ ନି ? ତା ନାଁ ଧଇଲେ ପରା ଖାଇବାକୁ ମିଳିବ ନାଇଁ ।’’

 

ନିଜେ ସମୁଦିର ଚୋଠାପଣିଆ କଥାରେ ହାରାବୋଉ ହସି ହସି କହିଲା, ‘‘ତାର ସେ ଚୋଠା ହେଲେ ଆମର କଣ ? ଆମ ଝିଅ ତ ସୁଖରେ ରହିଲେ ହେଲା । ଧାନ ମୁଗ କଥା ତେଣିକି ଥାଉ, ଖାଲି କୁଆଡ଼େ ସୋରିଷ ପାଞ୍ଚ ଭରଣ ସେ ଅମଳ କରେ । ଘରେ ସବୁ ଜିନିଷ ଏମିତି ସାଇତି ରଖିଚି ଯେ, ରାତି ଦି’ପହରେ ଦଶଜଣ କୁଣିଆଁ ହାବୁଡ଼ିଗଲେ ସମସ୍ତଙ୍କୁ ଚରଚା କରି ଛାଡ଼ି ଦବ ।’’

 

‘‘ହଁ, ତା ଘରେ କୁଣୁଆଁ ଖାଲି କୁଢ଼େଇ ହୋଇ ପଡ଼ୁଛନ୍ତି । ବରଜୁ ଭାଇ ଜଣେ, ତା’ ସମୁଦି ଲଇଖଣ ସ୍ୱାଇଁ ଜଣେ କଉଁଗୁଣକୁ ସରି ଭଲା ।’’

 

ବରଜୁ ପହଞ୍ଚି କହିଲା, ‘‘ହଇରେ ଗୌରା, ସେ ଡାଳିମୂଳ ବିଲ ଖଣ୍ଡ ରୁଆ ହେଉଥିଲା ପରା ! କାଲି ରାତିରେ ସେଥିରୁ ଅଧା ଅଧି ଗୋରୁ ଚରି ଯାଇଛନ୍ତି ।’’

 

ଗୌରା ସେଥିକି କାନ ଦେଲା ନାହିଁ । କହିଲା, ‘‘ଭାଇ, ହାରାର ପୁଅଟିଏ ହବାର ତିନି ଦିନ ହେଲାଣି । ଲଇଖଣ ସ୍ୱାଇଁ ଆଜି ସରିକି ଖବର ଦଉଚି ।’’ ହାରାବୋଉ ପଦେ ସେଥିରେ ଯୋଡ଼ି ଦେଲା, ‘‘ଏଡ଼ିକି ଚୋଠା ସେ । ମଣିଷଟାଏ ପରା ମୂର୍ଚ୍ଛିବ ନାହିଁ ।’’

 

ବରଜୁ ଛିଗୁରେଇ କହିଲା, ‘‘ଆଃ, ସେ ଚୋଠା । ସମସ୍ତେ ବାକୀ ଭାରି ଦିଆଳୁ । ହାରାର ପୁଅ ହେଲା ବୋଲି ତାକୁ ତ ଆଉ ରାତିରେ ନିଦ ହୁଅନ୍ତା ନାଇଁ । ଚାରିଆଡ଼େ ଖବର ଦେଇ ଡେଙ୍ଗୁରା ପିଟନ୍ତା ! କାଇଁକି ହାରାର ପୁଅ ହେଲା ବୋଲି ଦୁନିଆଯାକ ଖୁସିରେ ଡିଆଁ ମାରିବେ ? ଆଉ କାହାରି ପୁଅ ହେଉ ନାଇ ନାଁ କଣ ?’’ ତା’ପରେ ପଞ୍ଚୁଆତି ସରଞ୍ଜାମକୁ ଚାହିଁ ସେ ଟିକିଏ କାବା ହୋଇଗଲା, ‘‘ଏସବୁ ଏତେ କଅଣ ଗଦା ହେଲାଣି ? ପଞ୍ଚୁଆତି ବୋଝ ପରା ! ତମକୁ ସବୁ ଲାଜ ସରମ ନାହିଁ ନା କଣ ?’’

 

ହାରାବୋଉ ଆଡ଼କୁ ମୁରୁକି ହସି ଦେଇ ଗୌରାଙ୍ଗ ସେଠାରୁ ଖସି ଗଲା । ହାରାବୋଉ ଟିକିଏ ଦବିଲା ହୋଇ କହିଲା, ‘‘ଗୌରା ନିଜ ଛାଏଁ ପରା ସବୁ ଆଣି ଥୋଇଚନ୍ତି ।’’

 

‘‘ହଉ, ସେଥିରୁ ବାରପଣ କାଢ଼ି ରଖିଦିଅ । ଗୌରାଘର ଜିନିଷ ବୋଲି କଣ ଶସ୍ତା ହେଇଚି ।’’

 

ଗୌରାଙ୍ଗ ଘରେ ଆସି ରହିବା ଦିନୁ କିଛି ହେଲେ ଅସୁବିଧା ନାହିଁ ସିନା, ତେବେ ହାରାବୋଉ ମନଟା ସବୁବେଳେ କିମିତି ଅଡ଼ୁଆ ଲାଗୁଥାଏ । କେତେ ଦିନ ଏମିତି ସମସ୍ତେ ଏଠାରେ ରହିବେ ! କିଏ କାହା ଘରେ ଏଭଳି ରହେ ଭଲା ? ପଚାରିବ ପଚାରିବ ହୋଇ ସେ ବରଜୁକୁ ଭରସି ପାରୁ ନ ଥାଏ । ତା’ ଇଚ୍ଛା ତ ସେ ଯାହା କରୁଚି । ଉପରେ ପଡ଼ି ପଚାରି ଲାଭ କଣ ?

 

ଆଜି ଟିକିଏ ସୁବିଧା ଦେଖି କହିଲା, ‘‘ଆମେ ଆଉ କୁଆଡ଼େ ଯିବା - ନା ଏଇଠି ରହିଥିବା ମ ?’’

 

‘‘କାଇଁକି, ଗଉରା କଣ ତଡ଼ି ଦଉଚି କି ?’’

 

‘‘ନାଇଁମ, ସେ କଥା ନୁହେଁ ଯେ, ସେ ସିନା ଭଲ ମଣିଷ ବୋଲି ଆମକୁ ଦୟା କରି କୁଆଡ଼େ ଛାଡ଼ୁ ନାହାନ୍ତି; ତେବେ ଆମର ତ ପୁଣି ବିଚାରିବାକୁ ଅଛି ।’’

 

‘‘ହଉ, ଏଡ଼େ ସହଳ ବିଚାରିବାକୁ ତମକୁ କେହି କହୁ ନାହିଁ ।’’

 

‘‘ସହଳ ଉଛୁର କଣ ମ । ଲୋକେ କଣ କହୁଚନ୍ତି - ଭଲା ?

 

‘‘କଣ କହୁଚନ୍ତି ?’’ ବରଜୁ ନ ଶୁଣିଲା ପରି ପଚାରିଲା ।

 

‘‘ତମେ ତ ବାହାରେ ବାହାରେ ରହିଲ, ସେ କଥା କାହିଁକି ଶୁଣିବ । ସୁଲୀମା ପରା କହୁଥିଲା -’’

 

ବରଜୁ ଆଉ ତାକୁ କୁହାଇ ନ ଦେଇ କହିଲା, ‘‘ସୁଲୀମା ଯାହା କହୁଥିଲା ତୁମେ ଶୁଣ । ମତେ ସେ ସବୁ ଶୁଣିବାକୁ ବେଳ ନାଇଁ । ଯେତେଦିନ ଏଠାରେ ଅଛ, ନିଜ ଘରଭଳି ଚଳ । ତମେ ତ ଏକାହୋଇ କେଉଁଠି ରହୁନ କି କୁଆଡ଼େ ଯାଉ ନ । ଯୁଆଡ଼େ ଯିବ, ମୋ ସାଥିରେ । ଆଉ ତେବେ ଡର କାହିଁକି ? ସବୁବେଳେ ଏମିତି ଅଥୟ ହେଲେ ତ ଚଳିବ ନି !’’

 

ଦାମ, ମୋତି ଦାଣ୍ଡରେ ଖେଳୁଥିଲେ । ହାରାର ପୁଅ ହେବା ଖବର ଗୌରାଙ୍ଗଠାରୁ ଶୁଣିପକେଇ ଦୌଡ଼ି ଆସିଲେ । ଦାମ ଆଗ କରି ବୋଉକୁ କହିବାପାଇଁ ମୋତିକୁ ପଛରେ ପକାଇ ଧାଇଁ ଆସୁ ଆସୁ ପାହାଚ ତଳେ ପଡ଼ିଗଲା । ସାଙ୍ଗେ ସାଙ୍ଗେ ଉଠିପଡ଼ି କହିଲା, ‘‘ବୋଉଲୋ, ଅପାର ପୁଅ ହେଇଚି ।’’

 

ପୁଅକୁ କାଖେଇ ପକେଇ ହାରାବୋଉ କହିଲା, ‘‘ହଁ, ପଞ୍ଚୁଆତି ବୋଝ ଯିବ । ତୁ ତା’ସାଥିରେ ଯିବୁ । ଭଣଜାକୁ ଗୋଡ଼ରେ ଶୁଆଇ ଦଉଡ଼ି ବଳିବୁ ।’’

 

ବାମ ପଚାରିଲା, ‘‘ସେ ମୋର କଣ ହେବ ?’’

 

-‘‘ସେ ହବ ତୋର ଭଣଜା, ତୁ ତାର ମାମୁଁ ।’’

 

-‘‘ସେ ମତେ କଣ ମାମୁଁ ଡାକିବ ?’’

 

-‘‘ହଁ, ବଡ଼ ହେଲେ ମାମୁଁ ମାମୁଁ ବୋଲି ପଛରେ ଗୋଡ଼େଇବ ।’’

 

ମୋତି କି ବରଜୁର ଗୋଡ଼ ଦୁଇଟାକୁ କୁଣ୍ଢେଇ କହିଲା, ‘‘ବାପା, ମୁଁ ଅପା ଘରକୁ ଯିବି-।’’

 

ବରଜୁ ତାକୁ ଛାତି ଉପରକୁ ଉଠାଇ ନେଲା । ‘‘ହଁ, ତୁ ଯିବୁ ନି, ଦାମ କଣ ଏକା ଯିବ-?’’

 

ହାରାବୋଉ ବରଜୁକୁ କହିଲା, ‘‘ନାତି ଏକୋଇଶିଆକୁ ହାରା ପାଇଁକି ଖଣ୍ଡେ ଶାଢ଼ୀ ଯିବ । କେତେଦିନୁଁ କିଛି ତା’ଘରକୁ ଯାଇ ନାହିଁ । ଆଉ ତା’ପୁଅ ପାଇଁ ରୂପାଖଡ଼ୁ, ରୂପା ଅଣ୍ଟାସୁତାଟିଏ ତ ଯିବ । ପୋଢ଼ୁଆଁ ପୁଅ ନା ?’’

 

‘‘ହଁ ଯିବ, ଯବିନି କାହିଁକି ।’’ ତେବେ ସେଥିପାଇଁ ଟଙ୍କା କଉଠୁଁ ଆସିବ, ବରଜୁ ସେ କଥା ଭାବି ନ ଥିଲା । କାହିଁକି ଭାବିବ, ପଞ୍ଚୁଆତି ବୋଝ କଥା କଣ ସେ ଭାବିଥିଲା ? ଘରୁ ବାହାରି ଆସିଲାବେଳେ ତା ଅଣ୍ଟାରେ ଯେ କାଣିକଡ଼ିଟାଏ ବି ନ ଥିଲା। ସେ କଥା ହେଲେ ଭାବିଥିଲା ? ଗୌରାଙ୍ଗ ଘରେ ରହିବ କଣ ଭାବିଥିଲା ?

 

ସ୍ୱାମୀର ମୁହଁ ଟିକିଏ ଶୁଖି ଆସିଲାଭଳି ହାରାବୋଉକୁ ଲାଗିଲା । ସେ କଥା ଜାଣିଲା ପରି ବରଜୁ ନିଜର ଶୁଖିଲା ମୁହଁଟାକୁ ହସରେ ଘୋଡ଼ାଇ କହିଲା, ‘‘ମୋ ଦାନାପାଣି କାହା ଘରେ, ମୁଁ ଯାଇଥିଲି ବାହାଘରେ; ଆଛାବେଳେ ଆଛା ବରାଦ କରୁଚ ତମେ ।’’

 

ହାରାବୋଉ କହିଲା, ‘‘ହଉ, ଖଡ଼ୁ ଅଣ୍ଟାସୁତା ପଛେ ଥାଉ ମୁଁ ଯୁଆଡ଼ୁ ହେଲେ ଚଳେଇ ଦେବି । ଖାଲି ଶାଢ଼ୀ ଖଣ୍ଡକ ତମ ଭାଗ ।’’

 

‘‘ଭାଗବଣ୍ଟା ଠିକ୍‌ହେଲା ଯେ, ତମେ ଭଲା ଖଡ଼ୁ ଅଣ୍ଟାସୁତା କେଉଁଠୁ ଦବ, କହିଲ ?’’

 

‘‘କାହିଁକି, ମୋ ପାଖେ କଣ ରେଜାରେଜି ରୂପା ଟିକିଏ ନାହିଁ ? ବଣିଆକୁ ଦେଲେ କାଲିକି କରି ଦବ ଯେ, ତମେ ଖାଲି ଖଣ୍ଡେ ଶାଢ଼ୀ ଆଣିଲ ।’’

 

ଅପା ପାଇଁ ନୂଆ ଶାଢ଼ୀ ଯିବା କଥା ଶୁଣି ଦାମ ମୋତି ଦୁହିଁକି ଦୁହେଁ ଲଗେଇଲେ ଯେ, ତାଙ୍କର ବି ଖଣ୍ଡେ ଲେଖାଁ ଶାଢ଼ୀ ଦରକାର । ହାରାବୋଉ ଦାମକୁ କହିଲା, ‘‘ତୁ ଅଣ୍ଡିରିପୁଅ, ତୋର ଶାଢ଼ୀ କଣ ହବ କି ରେ ! ତୁ ତ ବଳେ ଭଉଣୀ ଘରୁ ନୂଆଲୁଗା ପିନ୍ଧିକରି ଆସିବୁ ।’’

 

ମୋତି ବରଜୁର ଗାଲି ଚିପି କାନ ଝିଙ୍କି ଯେତେବେଳେ ନୂଆ ଶାଢ଼ୀପାଇଁ ଅଳି କଲା, ସେ ଖାଲି ଝିଅ ମୁହଁକୁ ବଲବଲ କରି ଚାହିଁଲା । ମୋତିକୁ ସେ କଣ କହିବ ବୁଝେଇବ । ଶାଢ଼ୀ ! ଶାଢ଼ୀ ଖଣ୍ଡେ ଆସିବ କୁଆଡ଼ୁ ! ହାରାପାଇଁ ତ ଶାଢ଼ୀ ଖଣ୍ଡେ ନିହାତି ନ ହେଲେ ନ ଚଳେ । ମୋତି ରଡ଼ି ଛାଡ଼ିଲା, ‘‘ଅପା ନୂଆ ଶାଢ଼ୀ ପିନ୍ଧିବ, ଦାମ ପିନ୍ଧିବ, ମୁଁ କାଇଁକି ପିନ୍ଧିବି ନି ।’’ ସେ ବାପକୁ ଶାଢ଼ୀ ଶାଢ଼ୀ ବୋଲି ଅଥୟ କରି ପକାଇଲା । ବରଜୁ ହାରାପାଇଁ ଶାଢ଼ୀ ଦବା କଥା ଭାବିବ କି ମୋତି ପାଇଁ ? ସାନ ପିଲାଟାର ଅକାରଣ ଅଝଟ ପଣିଆରେ, ପୁଣି ନିଜ ପାଖେ ପଇସା ନ ଥିବାରେ ତା ମନଟା ଚିଡ଼ିଗଲା । ସେ ଏତେ ଜୋରରେ ମୋତିକୁ ତଳେ କଚାଡ଼ି ଦେଲା ଯେ, ପିଲାଟି ଦଣ୍ଡେଯାକେ ତଳୁ ଉଠି ପାରିଲା ନି କି କାନ୍ଦି ପାରିଲା ନି । ହାରାବୋଉ ଦାମକୁ ଓହ୍ଲେଇ ଦେଇ ମୋତିକୁ ଯାଇ ଧରି ପକେଇ ଚିତ୍କାର କଲା, ‘‘କଣ କଲ ମୋ ଝିଅକୁ ।’’

 

ହଠାତ୍‌ବରଜୁର ଚେତା ଆସିଲା । ଆଗରେ ତାର ହାରାବୋଉ, ମୋତି ଆଉ ଦାମ । ତାଙ୍କ ପାଖରେ ସେ କେଡ଼େ ସାନ ହୋଇ ପଡ଼ିଛି । ଚୋର ପରି ସେଠାରୁ ଏକାବେଳକେ ସେ ପଳାଇଗଲା । କାହିଁକି ସେ ମୋତିକୁ ମାରିଲା ! ତାର ଦୋଷ କଣ ? ସେଇଟା ତ ନିର୍ବୋଧ ପିଲା, ବୁଝେଇ ଦେଲେ ବୁଝିଯିବ । ହାରା ପାଇଁ ନ କିଣି ତା ଶାଶୁ ଶ୍ୱଶୁରଙ୍କୁ କି ତାକୁ ଅବା ତା ମା’କୁ ଯେତେ ବୁଝାଇଲେ କଣ ଜଣେ ହେଲେ କେହି ବୁଝିବ ? ଜଣେ ହେଲେ କେହି ବୁଝିବ କି ବରଜୁ କାହିଁକି ଶାଢ଼ୀ ଖଣ୍ଡେ କିଣି ପାରୁନାହିଁ ? କେତେ ବୁଢ଼ା, କେତେ ପୁରୁଖା ଲୋକ ତ ଦୁନିଆଟାରେ ଭର୍ତ୍ତି - କିଏ ଭଲା ବୁଝେ ! ଆଠବର୍ଷର ଝିଅ ମୋତି, ସେ ନ ବୁଝିଲା ବୋଲି ତାର କଣ ଦୋଷ ? ତାହାରି ବଡ଼ ଭଉଣୀ ହାରା ତ ପୁଅର ମା ହୋଇ ବୁଝୁ ନାହିଁ । ସେଇ ହାରାର ମା ଆଜି ଦରବୁଢ଼ୀ ହୋଇ ନାତି ଦେଖିଲାଣି - ସେ ବୁଝୁନାହିଁ । ମୋତି ନ ବୁଝିଲା ବୋଲି ତା’ର କି କସୁର ?

 

ବରଜୁ ଦେଖିଲା, ଦୋଷ ଆଉ କାହାରି ନୁହଁ, ଦୋଷ ତାରି ନିଜର । ଘର ସଂସାର କରି ଏତେ ବେପରୁଆ ହେଲେ ଚଳିବ କେମିତି ? ଅକାରଣରେ ସେ ଆଜି ନିଜ ଜନ୍ମକଲା ଝିଅଟିକୁ ଯେ ଦଣ୍ଡ ଦେଲା ସେ ଦୋଷର ପ୍ରାୟଶ୍ଚିତ୍ତ କାହିଁ ?

 

ଗୌରାଙ୍ଗ ଫେରିଆସି ପୁଣି ହାରାବୋଉକୁ ଡାକିଲା । ହାତରେ ତାହାର ତିନିରଙ୍ଗର ତିନିଖଣ୍ଡ ଶାଢ଼ୀ । ମୋତି ସେତେବେଳକୁ ବୁଝିଗଲାଣି । ଦଉଡ଼ି ଯାଇ ସେ ଆଗ ନାଲି ଶାଢ଼ୀଟା ଧରି ପକେଇ କହିଲା, ‘‘ଏ ଖଣ୍ଡ ମୁଁ ନେବି ।’’

 

ଗୌରାଙ୍ଗ ହସି ହସି କହିଲା, ‘‘ଆଲୋ ମା, ସେ ଗୁଡ଼ା ବଡ଼ ଶାଢ଼ୀ, ତୋ ପାଇଁ ଖଣ୍ଡେ ସାନ ଶାଢ଼ୀ ଆଣିବା ।’’

 

ମୋତି ସେ କଥା ନ ଶୁଣି ଶାଢ଼ୀଖଣ୍ଡକୁ ଆଗ ନିଜ ଦେହରେ କଣ୍ଟି ପକେଇଲା - ‘‘ନାଇଁ, ମତେ ତ ଏଇଖଣ୍ଡ ଠିକ୍‌ହେବ ।’’

 

ହାରାବୋଉ ଗୌରାଙ୍ଗକୁ ଆଖି ମାରି ବୁଝେଇଦେଲା । ‘‘ହଉ, ତୁ ସେଇ ଖଣ୍ଡ ନବୁ ।’’

 

ଶାଢ଼ୀ ଖଣ୍ଡି ଦି ହାତରେ ଯାକି ପକେଇ ମୋତି ଦାଣ୍ଡପଟକୁ ଦଉଡ଼ିଗଲା । ବରଜୁ ଗୁହାଳ ଘରେ ଗୋରୁମୁହାଁ ଦେଖୁଥିଲା । ଗୌରାର ଧଳା ଦାମୁଡ଼ିହଳକ ନ ଖାଇ ହାଡ଼ମାଳ ହେଇ ପଡ଼ିଥିଲେ । ବରଜୁ ଆସିବାଦିନୁଁ ତାଙ୍କୁ ଟିକେ ଚାହିଁ ସହିଲାଣି । କିଏ କାଲୁଆ ପିଉଁ ନାହିଁ ତାକୁ ଉଷୁମ ଦିଆଯିବ, କାହାକୁ ବେଶି କରି ଗଣ୍ଡାଏ କୁଳୁଚି କି ମୁଗଚୋପା ଦିଆଯିବ । କାହା ପିଠିରେ ହାତ ମାରି ମୁଣ୍ଡ ଆଉଁସି ସେ ଏହି ପଶୁଗୁଡ଼ିଙ୍କର ଯତ୍ନ ନେଉଛି । ମୋତିକୁ ଦାଣ୍ଡରୁ ଦେଖି ସେ କଅଁଳେଇ ଡାକିଲା, ‘‘ମୋତି କିଲୋ, ଆସିଲୁ ମା’ ଏଠିକି ।’’

 

ମୋତି ଆଜି ବାପକୁ ବାଗରେ ପାଇ ଅଭିମାନରେ କହିଲା, ‘‘କାଇଁକି, ତମେ ମତେ ମାରିବ ।’’

 

‘‘ହଉ ତୁ ଆସିଲୁ । ମୋର ସେ ଭାରି ଦୋଷ ହେଇଚି’’ କହି ବରଜୁ ନିଜେ ତା’ପାଖକୁ ଚାଲିଗଲା । ‘‘ଆରେ ଏ ତ କି ସୁନ୍ଦର ଶାଢ଼ୀ ଖଣ୍ଡେ - କିଏ ଦେଲା କି ? ଦେଖି, ଦେଖି !’’

 

ଲୁଗାକୁ ପଛଆଡ଼ିଆ ଧରି ମୋତି ଦୁଷ୍ଟାମି କରି କହିଲା, ‘‘ନା, ତମେ କଣ ଦେଇଚ କି ? ମୁଁ ନ ଦେଖେଇବି ?’’

 

ବରଜୁ ଝିଅକୁ ଧରି କୋଡ଼ରେ ବସାଇଲା । କାହିଁକି କେଜାଣି ତାର ଡୋଳା ଦି’ଟା ଢଳ ଢଳ ହୋଇ ମୋତି ମୁଣ୍ଡରେ ଦି ଟୋପା ଲୁହ ଖସି ପଡ଼ିଲା । ଗୌରା ! ଗୌରାର ଋଣ ସେ କେଉଁ ବାଟରେ ଶୁଝିବ !

 

ହାରାବୋଉ ଗୌରାକୁ ପଚାରିଲା, ‘‘ଏ ଶାଢ଼ୀ ଖଣ୍ଡକ କେତେ ଲେଖାଁ ପଡ଼ିଲା ।’’

 

‘‘ବେଶି କିଛି ନୁହଁ - ଅଢ଼େଇ ଟଙ୍କା କରି । ଏଠାରେ କଣ ସହର ବଜାର ଅଛି ଯେ ଆଉ ଭଲ ଶାଢ଼ୀ ମିଳିବ । ନାରଣ ସାଉ ଦୋକାନଯାକ ଖୋଜି ଖୋଜି ଏଇ ତିନିଖଣ୍ଡ ଭଲ ଶାଢ଼ୀ ବାହାର କଲା । ହାଟ ଦିନ ଅବା ଆଉ ଟିକିଏ ଭଲ ମିଳିଥାନ୍ତା । ସେ ତ ଆଉରି ଚାରି ଦିନ ଅଛି । ଆମ କାମ ଚଳନ୍ତା ନାହିଁ ।’’

 

‘‘ଶାଢ଼ୀ କଥା ତୁମକୁ ତ କେହି କହି ନ ଥିଲା । ତମର ପୁଣି ଏତେ ଘରକରଣା ବୁଦ୍ଧି !’’

 

‘‘କାଇଁକି ମୁଁ କଣ କିଛି ଜାଣି ନାହିଁ । ତେବେ କଣ କି, ପାଟଣାସାହି ଆଡ଼େ ବୁଲାବୁଲି ହେଇ ଗଲାବେଳେ ଲୁଗା ଦୋକାନକୁ ଦେଖି ହାରା କଥା ମନେ ପଡ଼ିଗଲା । ତମର ପସନ୍ଦ ହେବ କି ନାହିଁ, ଯାହା ପାଇଲି ତିନି ଖଣ୍ଡ ଘିନି ଆସିଲି ।’’

 

‘‘ହାରାପାଇଁ ତ ଖଣ୍ଡେ ଦରକାର । ମୋତି ଯେଉଁ ଖଣ୍ଡକ ନେଇଚି, ସେଇଖଣ୍ଡ ପଠେଇବା । ବାକୀ ଦି’ଖଣ୍ଡ ଫେରେଇ ଦେଇ ଆସ ।’’

 

‘‘ନାହିଁ, ମୋତି ଯେଉଁ ଶାଢ଼ୀଟା ଧରିଲାଣି, ସେ ଖଣ୍ଡ ଘରେ ଥାଉ । ବାକୀ ଏଥିରୁ ଖଣ୍ଡେ ରଖ ହାରାପାଇଁ । ଆଚ୍ଛା ଭାଉଜବୋଉ, ହାରାପାଇଁ ସିନା ଶାଢ଼ୀଟା ଯିବ, ନାତିପାଇଁ ତ ଖଡ଼ୁ ଅଣ୍ଟାସୁତା ନ ଗଲେ ନ ଚଳେ ! ତମେ ସେ ଟୁଙ୍ଗିଘର ପେଟରାଟାକୁ ଫିଟାଇ ଦେଖିଲ । କଞ୍ଚିଟା ତାହାରି ଉପର କାନ୍ଥକୁରାରେ ଥୁଆ ହେଇଚି । ସେଇ ପେଟରାଟାରେ ଘରଯାକର ସବୁ ରୂପା ସୁନା ଅଛି । ମତେ ଅବା ଫୁରୁସତ ନାହିଁ ଯେ ସେଗୁଡ଼ା ଫିଟେଇ ଦେଖିବି । ତମେ ଦେଖ, ତା ଭିତରୁ ଯାହା ଦରକାର, ପଠେଇ ଦେଲେ ଚଳିଯିବ ।’’

 

ହାରାବୋଉ ମୁହଁକୁ ଚାହିଁଦେଇ ସେ ପୁଣି କହିଲା, ‘‘ସେଗୁଡ଼ା ଆଉ କଣ ହବ କହିଲ ? ସେ ପେଟରାଟା ତ ମତେ ଖାଲି ବିଷପରି ଦିଶୁଚି । ତମେ ଆସ, ଫିଟେଇ ଦେଖିବା ।’’

 

ହାରାବୋଉକୁ ପଦେ ହେଲେ କଥା କହିବାକୁ ନ ଦେଇ ସେ ତାକୁ ଘର ଭିତରକୁ ଡାକି ନେଲା । ଗୌରା ଏତେ ସହଜରେ ବରଜୁର ପରିବାରକୁ ଆପଣାର କରି ପକାଇଲା ପୁଣି ନିଜେ ତାଙ୍କର ଆପଣାର ହୋଇ ପଡ଼ିଲା ଯେ, ହାରାବୋଉର ବି ମଝିରେ ମଝିରେ ହେଜ ରହିଲା ନାହିଁ, ସେ ନିଜ ଘର ଛାଡ଼ି ପର ଘରେ ଆସି ରହିଛି ।

 

ହରିପୁର ଗାଁର ସବୁରି ସଙ୍ଗେ ଆସ୍ତେ ଆସ୍ତେ ବରଜୁର ଚିହ୍ନା ପରିଚୟ ହୋଇଗଲା । ଯେତେବେଳେ ତାକୁ କାମରୁ ଟିକିଏ ତର ମିଳେ, ସେ କାହା ଅଗଣା ଭିତରେ ପଶି ଆଉ କାହା ପିଣ୍ଡାରେ ବସି ଦି’ପଦ ଦୁଃଖସୁଖ ହୋଇ ଆସେ ।

 

ମଝିରେ ମଝିରେ ତା’ର ଜନ୍ମସ୍ଥାନ ସେହି ସାନ ପଧାନପଡ଼ାଟିର କଥା ମନେପଡ଼ି ଛାତିଟା ବଥାଏ । ପଧାନପଡ଼ାଟି ତ ହରିପୁର ମୌଜାର କେଉଁ କଣରେ ଛପିଯିବ । ତାହାରି ପରି ସାତ କି ଆଠ ଖଣ୍ଡ ପଡ଼ାର ମଣିଷ ଏକା ହରିପୁରରୁ ବାହାରିବେ । ଖରୁଡ଼ା ସାହି, ବଣିଆ ସାହି, ବ୍ରାହ୍ମଣ ସାହି, ବଢ଼େଇ ସାହି ବୋଲି ସାତ କି ଆଠ ସାହି । ସେଥିରେ ତନ୍ତୀ, ଗୁଡ଼ିଆ, କମାର, କୁମ୍ଭାର, ତେଲୀ, ପାଟରା ସବୁ ପାଟକ ଅଛନ୍ତି । ଏ ଗାଁରେ ଯେମିତି ପଇସାବାଲା ମହାଜନ ଅଛନ୍ତି, ହରି ମିଶ୍ରେ ତାଙ୍କ ଆଗରେ କିବା ଲୋକ। ଏଇ ତ ମଥୁରି ସାହୁ ମହାଜନର ଗୋଟାଏ ଫୁଟୁକରେ କେତେ ହରି ମିଶ୍ର ଉଡ଼ିଯିବେ । ଦଶ ବାର ଖଣ୍ଡ ଶଗଡ଼ରେ କଟକ ମାଲ ଗୋଦାମର ମଥୁରି ସାହୁର ଖାଲି ଲୁଣ ବସ୍ତା ଚାଲିଥିବାବେଳେ ବଳଦ ବେକ ଘଣ୍ଟିରେ ଗାଁ ଦାଣ୍ଡ ଉଛୁଳି ପଡ଼ୁଥାଏ । ବଳଦ କଣ ଏମିତି ସେମିତି ? ଗୋଟାଏ ଲେଖାଁ ହାତୀ ! ତାର ଗୋରୁ ଗାଈଙ୍କ ଖୋରାକିରେ ଯାହା ଖରଚ, ହରି ମିଶ୍ରଙ୍କ ବର୍ଷକର ଆୟ ସେଥିରୁ ନିଅଣ୍ଟ ପଡ଼ିବ । ଏକା ତ ତାହାର କୋଠାବାଡ଼ି, ବାଗବଗିଚାର ମୂଲରେ ପଧାନପଡ଼ାପରି ତିନି ଖଣ୍ଡ ଗାଁ ସେ କିଣି ନେବ । ଦାନ ଖଇରାତ କଣ କମ୍‌ !

 

କପାଳେଶ୍ୱର ଠାକୁରଙ୍କ ନାଁରେ ବାଟିଏ ବିଲ ଖଞ୍ଜା । ଯେତ ଅତିଥି ଅଭ୍ୟାଗତ ଆସିବେ, ସମସ୍ତେ ପ୍ରସାଦ ପାଇବେ । ଚନ୍ଦନ ପୋଖରୀରେ ଦୀପକଣ୍ଡି ବସାଇ ପଥର ପାହାଚ କରିଛି । ନିମ୍ନ ପ୍ରାଥମିକ ଇସ୍କୁଲ ଘର ପାଇଁ ଜମି ଦେଇଚି । ହେଲେ କଣ ହେବ ? ଗାଁଟାରେ ଏତେ ଲୋକ ଥାଇ ଚାନ୍ଦା ଅଭାବରୁ ଇସ୍କୁଲଘର ଜଳାକବାଟି କେତେଖଣ୍ଡ ଆଜିଯାକେ ଲାଗି ପାରି ନାହିଁ । କୁଆ, କୁକୁର ପଶିବେ ବୋଲି ଖଣ୍ଡେ ଲେଖାଁ ଖଜୁରୀ ପଟିରେ ଜଳାଗୁଡ଼ିକ ବନ୍ଦ କରାଯାଇଚି ।

 

ଇସ୍କୁଲ ମାଷ୍ଟରଙ୍କ ଘର ଏହି ହରିପୁରରେ । ଲୋକାଲ ବୋର୍ଡ଼ରୁ ଆଠଟି ଟଙ୍କା ଦରମା ମିଳେ । ଗାଁ ଭିତରେ ଘର ବୋଲି ଖୋରାକ ପାଇଁ ସଞ୍ଚାଇ ଆଦାୟ କରିବାକୁ ପଡ଼େ ନାହିଁ । ତାଙ୍କ ଆଗରୁ ଯେ ଥିଲେ, ଘର ପିଛା ରୋଜିନା ଚାଉଳ, ଡାଲି, କାଠ, ତେଲ, ଲୁଣ, ପରିବାର ଗୋଟିଏ ଲେଖାଁ ବକତର ସଞ୍ଚା ପାଉଥିଲେ । ବ୍ରାହ୍ମଣ ସାହିରେ ଘର ଘର ବୁଲି ଦି’ଓଳି ଦି’ବକତ ଖାଇ ଆସୁଥିଲେ । ଏ ତ କିଛି ବିରଣା ଗାଁର ଲୋକ ନୁହନ୍ତି ! ନିଜ ବିଲବାରି, ଘର ଧନ୍ଦା ବୁଝାସୁଝା କରି ମାସକୁ ମାସ ଇସ୍କୁଲରୁ ଆଠଟି ଟଙ୍କା ପାଆନ୍ତି । ତାହା ଛଡ଼ା ଆଜି କାହା ଘରୁ ଲାଉ ଖଣ୍ଡେ, କାଲି କାହାଘରୁ କଖାରୁଟାଏ, ମୁଗ ପାଏ, କଦଳୀ ଫେଣାଏ କି ଖଡ଼ା ଦି’ବୁଦା ତ ଆଠକାଳି ବାରମାସି ଲାଗିରହିଛି । ଆଉରି ହରିତାଳିକା, ଶ୍ରୀପଞ୍ଚମୀକୁ ଭଲ ହେଉ, ମନ୍ଦ ହେଉ ଦି’ଖଣ୍ଡ ନୂଆ ଲୁଗା, ନଡ଼ିଆ ପଇଡ଼ ଆଠଦଶ ଗଣ୍ଡା ରୋଜଗାର ହୁଏ ।

 

କାହିଁକି ନା ବର୍ଷଭିତରେ ଏହି ଯୋଡ଼ିକ ଦିନ ସବୁଠାରୁ ବେଶି ପିଲା ଭେଦା ଚାନ୍ଦା ଦେଇ ଭୋଗ ନଡ଼ିଆ ଧରି ଇସ୍କୁଲକୁ ଆସନ୍ତି । ଆଉ ସେତେବେଳେ ଇସ୍କୁଲ ଇଲାକା ହାକିମମାନେ ଆସନ୍ତି, ସେତେବେଳେ ତିନି ଦିନ ଆଗରୁ ଘର ଘର କରି ମାଷ୍ଟର ଆପଣେ ତାଗିଦା କରି ଦେଇଥାନ୍ତି - ଖବରଦାର, ସେ ଦିନ ଯେମିତି ସମସ୍ତେ ଇସ୍କୁଲ ଆସିବେ ! ଶହେ ପିଲାଙ୍କ ଭିତରୁ ନିକୁଛରେ ହେଲେ ଏହି ଦିନଟା ଷାଠିଏ ଜଣ ତ ଆସିବା ଲୋଡ଼ା । ନ ହେଲେ ଇସ୍କୁଲ ଗ୍ରାଣ୍ଟ ରହିବ କିମିତି ? ନିତି ପନ୍ଦର କୋଡ଼ିଏ ଜଣରୁ ବେଶି ପିଲା ନ ହେଲେ କଣ ହେବ ? ମାଷ୍ଟରଙ୍କ ବିଚକ୍ଷଣ ବୁଦ୍ଧିରୁ ସିନା ଆଜିଯାକେ ଗ୍ରାଣ୍ଟ ବନ୍ଦ ହୋଇ ନାହିଁ । କାଗଜ କଲମରେ ସେ ଭାରି ଦୋରସ୍ତ; ପିଲା ଯାହା ଆସନ୍ତୁ । କେଉଁ ଦିନ ଷାଠିଏ ସତୁରିରୁ କମ୍‌ଛାତ୍ର ଉପସ୍ଥିତ ବହିରେ ଲେଖା ହୁଏ ନାହିଁ । ପୁଣି ସବୁ ବର୍ଷ ତ କିଛି ହାକିମମାନେ ପରିଦର୍ଶନ କରିବାକୁ ଆସୁ ନାହାନ୍ତି ! ବର୍ଷକ ଭିତରେ ଖାଲି ଏହି ଗୋଟାଏ ଦି’ଟା ଦିନ ଛାଡ଼ି ତେଣିକି ପଛେ କିଏ କୁଣୁଆଁଘର ଯାଉ, କିଏ ଜାଳକରୁ, ବାଛୁରୀ ଚରାଉ, କାହାକୁ ତା’ ମା ଦି’ ମାସର କଅଁଳା ପୁଅକୁ ଜଗାଇ ଦେଇ ଗାଧୋଇ ଯାଉ, ଆଉ କାହାର ମା ହାଣ୍ଡି ଛୁଉଁ ନାହିଁ ବୋଲି ବାପ ଆସି ଇସ୍କୁଲରୁ ପୁଅକୁ ଡାକି ନେଉ ଚୁଲୀ ଜାଳିବାକୁ ।

 

ମାଷ୍ଟର ହେଲେ ବୋଲି ତାଙ୍କ ନିଜର ତ ପୁଣି ପେଟ ପାଟଣା ଅଛି ! ସେଥିପାଇଁ ଗାଁ ଲୋକଙ୍କ ଆପତ୍ତି ଯେ, କହିଲେ ନ ସରେ । ନୂଆପଡ଼ାର ଯେଉଁ ମାଷ୍ଟର ଥିଲେ ସେ ଘର ଘର ବୁଲି ପିଲାଙ୍କୁ ରୋଜ ଡାକି ନେଉଥିଲେ । ଗାଁ ମାଷ୍ଟର ହେଲେ ବୋଲି ଏ କାହାରି ଦୁଆର ମାଡ଼ିବେ ନାହିଁ-। କିରେ ବାବୁ, ପିଲାଗୁଡ଼ାଙ୍କୁ ତମର ତ ଘର ଭିତରେ ଜମାରୁ ଆକଟ ନାହିଁ । କିଏ ଜାମୁକୋଳି ଖାଇବାକୁ ଯାଇଛି ତ କିଏ ମୁଗ ଛୁଇଁ ତୋଳୁଛି, ଆଉ କିଏ ବିଲ ମଝିରେ କିଆବୁଦାରେ ନିଆଁ ଲଗେଇ ବିଲୁଆ ହୁରୁଡ଼ଉଛି । କିଏ ପୁଣି ଡାଳି ମାଙ୍କୁଡ଼ି ଖେଳି ଛୋଟା ହେଇ ଘରେ ଶୋଇଲାଣି । ମାଷ୍ଟ୍ରେ କଣ ଗାଁ ଚଉକିଆ ହେଇଛନ୍ତି କି, ବିଲ ବାରି ଆମ୍ୱ ତୋଟା ବୁଲି ତମ ପିଲାଙ୍କୁ ଡାକୁଥିବେ !

 

ଅଗଣି ରଥେ ଇସ୍କୁଲ ପିଣ୍ଡାରେ ବସି ମାଷ୍ଟରଙ୍କ ବଟୁଆରୁ ଚୂନ ପତ୍ର ନେଇ ପାପୁଲି ଉପରେ ମକଚି ମକଚି ଗପ ଆରମ୍ଭ କରନ୍ତି । ‘‘ତମେ ସେଗୁଡ଼ାକୁ କାହିଁକି ଶୁଣୁଚ ହେ ମାଷ୍ଟ୍ରେ ! ହାଡ଼ି ବୋଉ ଏଣେ କଷ୍ଟ ପାଉଥାଏ, ମୁଁ ପୁଅକୁ କହିଲି, ନାହିଁରେ ପୁଅ, ତୁ ଆମର ଇସ୍କୁଲକୁ ଯା । ଘରେ କଣ ମଣିଷ ନାହାନ୍ତି କି ? ଶୂଳ ଧରିବା ଲୋକ ତ ଶୂଳ ଧରିଛି । ତେଲ ଟିକିଏ କନା ଖଣ୍ଡେ ଦେବାକୁ ହାଡ଼ି ମୋର କଣ ପାରିବନି କି ! ତୁ କାହିଁକି ପଢ଼ା ମାରା କରିବୁ ? ହାଡ଼ି ମୋର ଛୁଆଟାଏ ହେଲେ କଣ ହେବ, ମାଷ୍ଟ୍ରେ ! ବୋଉ ତାର ତିନି ଦିନ ତିନି ରାତି ଶୂଳ ଖାଇଲା । ଜଳ ପାଳ, ହାଣ୍ଡି ଚୁଲୀ କିଛି ହେଲେ ମୁଁ ଜାଣିଛି ? ଖାଲି ଯାହା ଭାତ ଗଣ୍ଡାକ ଗାଳି ଦେବାକୁ ହୁଏ । ଦଶବର୍ଷର ଝିଅଟା । ଭିଡ଼ କାମକୁ ସେ ପାରନ୍ତା କୁଆଡ଼ୁ ?’’

 

ଗୁଣ୍ଡିପତ୍ର ଟିକିଏ ପାଟିରେ ପକେଇ ମାଷ୍ଟ୍ରେମଧ୍ୟ ଦି’ଟା ତାଳି ମାରି ହାତଟାକୁ ଝାଡ଼ି ଦିଅନ୍ତି, ‘‘ନାହିଁ, ତମେ ଦେଖ ରଥେ; ମତେ ତ କିଛି ସେରେ ପାଏ ପାଳି ସଞ୍ଚା ମିଳୁ ନାହିଁ କି କାହାରି ବାହା ପୁଆଣିରେ ବୋଝେ ଭାରେ ଆସୁ ନାହିଁ ଯେ ମୁଁ ଦୁଆର ଦୁଆର ବୁଲିବି । ତମ ପିଲାକୁ ନିତି ଆଆରେ ବାପା ଯାଆରେ ବାପା କରୁଥିବି । ବର୍ଷକେ ଥରୁଟାଏ ଇସ୍କୁଲ ଘର ଛପର ହେବ ଯେ, ଛଣ ବୋଡ଼ିଏ ଲେଖାଏଁ ଦେଲା ବେଳକୁ ତମର ହାଙ୍କାସି ଉଡ଼ିଯିବ । ସେ ଦିନ କହୁଥିଲି ପରା, ଦୁବ ଓଝାକୁ ଗଣ୍ଠି ପୁଳାଏ ମାଗିଲାରୁ ଜବାବ ଦେଲା, କାହିଁକି, ମାଷ୍ଟ୍ରେ ତାଙ୍କ ଘରୁ ଆଣି ଦେଉ ନାହାନ୍ତି ? ଖାଲି କଣ ମାଗଣାରେ ଦରମା ଖାଇବେ କି ?’’

 

ରଥେ ଗୁଣ୍ଡି ପତ୍ରକୁ ତାରିଫ କରି କହନ୍ତି, ‘‘ବାଃ, ଏ ତ ଦକ୍ଷିଣି ପତ୍ର ପରା ! ଲଡ଼ୁ ଗଲା ବର୍ଷ ଧବଳେଶ୍ୱର ଯାଇଥିଲା ଯେ, କଟକରୁ ଆଣିଥିଲା । କଣ କହିବି ସେ ପତ୍ରର ଗୁଣ -’’

 

କଥାର ଖିଅ ଛିଣ୍ଡିଯାଏ । ମାଷ୍ଟ୍ରେ ତାକୁ ଯୋଡ଼ି ଦେଇ କହନ୍ତି, ‘‘ଆଚ୍ଛା ରଥେ, ଦୁବ ଓଝା କଣ ମତେ ଦରମା ଗଣୁଛି ?’’ ‘‘ଆହେ ସେଇଟା କଥା କାହିଁକି କହୁଛ ? ସେ ତ ନିପଟ ବାହାପିଆଟାଏ । ଶୁଣି ନାହଁ ? ରାଜୀବ ଯେନା ତା’ ନାଁରେ ଯେଉଁ ମକଦ୍ଦମା କରିଥାଏ ଆଉ ସାକ୍ଷୀ ମାନିଥାଏ ମତେ । ସେତିକି ବେଳକୁ ଏଣେ ଦନେଇ ଦାସଙ୍କର ପ୍ରାଶ୍ଚିତ୍ତ, ତେଣେ ମନ୍ଦର ଓତାଙ୍କର ଦୋଡ଼ି ବିଭା । ଦନେଇ ଡାକିଥାଏ ମହାପ୍ରସାଦ ସେବା କରିବାକୁ; ଓତାଏ ଆସି ଲଗେଇ ଥାନ୍ତି ଚମ୍ପା ପୋଖରୀକୁ ମାଛ ମରେଇ ଯିବାଲାଗି । ଚମ୍ପା ପୋଖରୀରେ ଯେଉଁ ମାଛ, ମାଷ୍ଟ୍ରେ ! ପାଣି ପୋଷକରେ ମାଛ ପୋଷେ । ମାଛ କଣ, ଖାଲି ତ ତେଲ ଗୁଡ଼ାଏ ।’’

 

ଇସ୍କୁଲ ଘର ଭିତରକୁ ଆଖି ତରାଟି ବେତ ଦେଖାଇ ଶିକ୍ଷକ ଚଦି ହୁଅନ୍ତି, ‘‘କିରେ ! ପାଠ ପଢ଼ା ସରିଗଲା କି ? ହଉ ଚାଲ, ମୁଁ ଯାଉଛି ଯେ ।’’ ଦଣ୍ଡକ ପାଇଁ ପିଲାଗୁଡ଼ିଙ୍କ ସ୍ୱର ଯାହା ଟିକିଏ ବିଶ୍ରାମ ନେଇଥାଏ, ପୁଣି ଦାଣ୍ଡ କମ୍ପାଇ ଶୁଣାଯାଏ, କ-ଆକାର-କା; ହ୍ରସ୍ୱଇକାର - କି; ଦୀର୍ଘଈକାର - କୀ; ହ୍ରସ୍ୱଉକାର-କୁ; ତେର ସତାଁ ଏକାନବେ ପଣ ପାଞ୍ଚକାହାଣ ଏଗାର ପଣ । - ଦଶରଥ ଅଯୋଧ୍ୟାର ରାଜା ଥିଲେ ।

 

ଅଗଣି ରଥେ ପୁଣି ଗପ ଆରମ୍ଭ କରନ୍ତି, ‘‘ଆମ ବେଳର ପାଠ କୁଆଡ଼େ ଗଲା ହେ ମାଷ୍ଟ୍ରେ ! ବାଡ଼ି ଦେଲେ କା, ଚିତା ଦେଲେ କି । ଆଙ୍କୁଶୀ ଦେଲେ କୀ, ଚାରି ଅଙ୍କିଆ କୁ । ପୁଣି ଓଢ଼ାଙ୍କ, ଫେଡ଼ାଙ୍କ, କୋଇଲି, ଗୋପୀଭାଷା । ଏବେ କଣ ନା, ଚଢ଼େଇର ଦୁଇଟି ପକ୍ଷ ଥିବାରୁ ତାହାକୁ ପକ୍ଷୀ କହନ୍ତି - ଏଗୁଡ଼ା କି ପାଠ ହେ !’’

 

ମାଷ୍ଟ୍ରେ କହନ୍ତି, ‘‘କାହିଁକି, ମାଟିବଉଁଶ ଅବଧାନ ଏବେ କଣ ଚାହାଳୀ କରୁ ନାହାନ୍ତି କି । ତେବେ ଇସ୍କୁଲ ପାଠ ହେଲା ନିଆରା ।’’

 

ମାଷ୍ଟ୍ରଙ୍କ କଥାରେ ରଥଙ୍କର କାନ ଯମାରୁ ନଥାଏ; ଇସ୍କୁଲ ବାରଣ୍ଡାରେ ବସିବାର ଅସଲ ମତଲବ ହେଉଛି, ଖେତ କିଆରି ଜଗିବା । ସେଠାରୁ ବାଡ଼ିତଳ ଚକଟା ସଫା ଦେଖାଯାଏ । ରଥେ କଥା ମଝିରେ ହେ ହେ ଡାକି ଗୋରୁ ହୁରୁଡ଼େଇବାକୁ ଉଠି ପଡ଼ନ୍ତି । ପୁଣି ଇସ୍କୁଲ ଭିତରଟା ତୁନ୍‌ତାନ୍‌ !

 

ବେତଖଣ୍ଡ ହଲାଇ ମାଷ୍ଟର ଇସ୍କୁଲ ଘରେ ପଶନ୍ତି । ଘରର ଏପାଖରୁ ସେ ପାଖ ଯାକେ ଚାଇଁ ଚାଇଁ ବେତଖଣ୍ଡ ସବୁରି ପିଠି ଗୋଡ଼ ହାତ ମୁଣ୍ଡରେ ବୁଲି ଆସେ । ଉହୁ, ଆହା, ଓହୋ, ମାଷ୍ଟ୍ରେ ମରିଗଲି ପାଟି ଭିତରୁ ପୁଣି ଶଦ୍ଦ ବାହାରି ଆସେ –

 

‘‘କ ଆକାର କା - ହ୍ରସ୍ୱଇକାର କି - ଦୀର୍ଘଈକାର କୀ - ହ୍ରସ୍ୱଉକାର କୁ - ଷୋହଳ ନୁଆଁ ଚଉରାଳିଶା ଶହେ ପଣ -’’ ପୁଣି ଦଣ୍ଡକ ପରେ କିଏ ଜଣେ ନାଲିସ କର, ‘‘ଆପଣ, ଅନାଥ ମତେ ଖତେଇ ହଉଚି ।’’ ଅନାଥ ବି ଜଣାଏ, ‘‘ସେ ମତେ ମାରିବାକୁ କହୁଚି, ଆପଣେ ।’’ ସାକ୍ଷୀ ଗୁହା ପ୍ରମାଣ ନିଆ ହୋଇ ଶିକ୍ଷକ ରାୟ ଦିଅନ୍ତି, ଦୁହେଁ ଦୁଇଙ୍କର କାନ ତିନିଥର ମୋଡ଼ିବେ । ଆଉ ଦୁହେଁ ଦୁହିଁଙ୍କର ନାକ ଧରି ପାଞ୍ଚ ଥର ଉଠ ବସ ହେବେ ।

 

ପିଲା ଯୋଡ଼ିଙ୍କର ଉଠ ବସ ନାଚ ଦେଖି ଆଉ କିଏ ତାଟକା ହେଇ ଚାହିଁଲା, କିଏ ଚାହାଁ ଚାହିଁ ହୋଇ ମୁହଁରେ ଲୁଗା ଦେଇ ହସିଲେ । ଏମିତି କି ପିଣ୍ଡାରେ ଯେଉଁ ଅଛୁଆଁ ପିଲା ଚାରିଟି ବସି ପାଠ ଅଭ୍ୟାସ କରୁଥିଲେ ସେ ବି ପଢ଼ା ଛାଡ଼ି ଦେଇ ଚାହିଁଲେ ।

 

ଏତିକି ବେଳେ ଯୋଡ଼ିଏ ସାନପିଲା ଆସି ଇସ୍କୁଲ ଦୁଆର ମୁହଁରେ ଠିଆ ହେଲେ । ହାତରେ ଗୋଟିଏ ଲେଖାଁ ନଡ଼ିଆ । ପୁଅଟିକ ଛଅ ସାତ ବର୍ଷ । ଝିଅଟି ତା’ଠାରୁ ଦି’ ବର୍ଷ ଖଣ୍ଡେ ବଡ଼ ହେବ । ନିହାତି ମଫସଲିଆ ଛୁଆ । ଇସ୍କୁଲ କିମିତି ଦେଖି ନଥିଲେ ଲାଗୁଚି । ପିଲା ଯୋଡ଼ିକ ଜଳ ଜଳ କରି ଇସ୍କୁଲ ଭିତରକୁ ଆଖି ବୁଲେଇଲେ । କାହାରିଙ୍କ ତାଙ୍କ ଆଡ଼କୁ ନଜର ନାହିଁ । ମାଷ୍ଟରଙ୍କ ବେତକୁ ଚାହିଁ ପିଲାଙ୍କର ପାଟି ଉଠୁଥାଏ ଯେମିତି ପାଠର ବୋପା କାନ୍ଧରେ କି ଆଜି ଚଢ଼ି ବସିବେ । ଇସ୍କୁଲଘର ଦୁଆରମୁହଁରେ କାହା ତୁଣ୍ଡ ଶୁଣା ଗଲା ।

 

ମାଷ୍ଟ୍ରେ ଦେଖିଲେ ଗୌରାଙ୍ଗ ଶେଣ । ହରିପୁରରେ ଯେତେ ହେଲେ ତ ଗୋଟାଏ ଘରୁଆ ଘର ପୁଅ ବୋଲି ନାଁ ଅଛି । ଉଠି ଯାଇ କହିଲେ, ‘‘କଣ କେତେ ବେଳୁ ଆସି ଠିଆ ହୋଇଚ କି ? ଭିତରକୁ ଆସୁ ନା ?’’ ବାମ, ମୋତିଙ୍କୁ ଘେନି ଗୌରାଙ୍ଗ ଇସ୍କୁଲ ଘରେ ପଶିଲା । -‘‘ଏଇ ପିଲା ଦୁହିଁଙ୍କର କଥା ତୁମକୁ ସେଦିନ କହୁଥିଲି ମାଷ୍ଟ୍ରେ ।’’

 

ପିଲା ଦୁହେଁ ଧରିଥିବା ବଡ଼ ବଡ଼ ନଡ଼ିଆ ଯୋଡ଼ାକୁ ଚାହିଁ ମାଷ୍ଟ୍ରେ କହିଲେ, ‘‘ଏଇ ପରା ପଧାନ ପଡ଼ାରୁ ଆସି ତମ ଘରେ ଅଛନ୍ତି ? ବାପ ନାଁ କଣଟି ?’’

 

ଗୌରାଙ୍ଗ ମୁହଁରୁ ବରଜୁ ପଧାନର ନାଁ ଶୁଣି କହିଲେ, ‘‘ହଇତ, ପଧାନ ପଡ଼ାର ଜଣେ ମାତବର ଲୋକ ସେ । ନାଥ ଖଟେଇର ଭାଇ ବଣ୍ଟରା ବେଳକୁ ଆମ ଗାଁ ପଞ୍ଚାଇତ ନିସାପକୁ ଡକରା ହେଇ ଆସି ନ ଥିଲେ କି ? ନୁହେଁ ? ଆଚ୍ଛା ଆସିଲୁରେ ବାୟା, ତୋ ନାଟି କଣ କହିଲୁ ?’’ ଦାମ ମୋତି ସେତେବେଳକୁ ଇସ୍କୁଲ ଭିତର ଚାରିପଟକୁ ଚାହିଁ କାବା ହୋଇଗଲେଣି ।

 

ଦୁଇ ପିଲାଙ୍କଠାରୁ ନାଁ ଲେଖେଇ ଆଠ’ଣା ଲେଖାଁ ପୁଣି ନଡ଼ିଆ ଯୋଡ଼ିକ ପାଇ ମାଷ୍ଟରଙ୍କ ମନ ଖୁସ୍‌ହୋଇଗଲା । ଦାମକୁ ଚାହିଁ କହିଲେ, ‘‘ଏ ପିଲାଟି ଭଲ ବୁଧିଆ ପଡ଼ିବ । ତା’ ଆଖି ପରା କହି ଦଉଚି !’’

 

ବରଜୁ ହାରାବୋଉ ପାଖରୁ ଶୁଣିଲା, ଦାମ ମୋତିଙ୍କୁ ନେଇ ଗଉରା ଇସ୍କୁଲରେ ଛାଡ଼ିଲାଣି । ହସିଦେଇ କହିଲା, ‘‘ଗୌରାକୁ କଣ କମ୍‌ ନବରଙ୍ଗ ଆସେ ? ହଉ ହେଲା, ଦି’ଅକ୍ଷର ପଢ଼ିଯାନ୍ତୁ । ତେବେ ମୋତିକୁ ଛାଡ଼ି ତମ ପାଇଟିରେ ଟିକିଏ ହରକତ ପଡ଼ିବ ।’’

 

‘‘ମୋତିଟା କଣ ଘର ଆଡ଼ତି କରୁଥିଲା ମ ! ସେ ଯୋଡ଼ାକ ପରା କେହି କାହାକୁ ଛାଡ଼ି ରହିବେ ନାହିଁ ।’’

 

କମାର ଶାଳରେ ପକାଇବାକୁ ଯିବା ପାଇଁ ବରଜୁ ଗୋଟାଏ ହାତରେ ଲଙ୍ଗଳ ଲୁହା ଖଣ୍ଡେ ଧରିଥାଏ । ହାରାବୋଉର ଆଖି ଦୁଇଟି ଆଜି କାହିଁକି ତାକୁ ଭାରି ସୁନ୍ଦର ଦିଶିଲା । ତାହାର ଯେମିତି ସଂସାର ଗୋଟାକରେ କିଛି ଅଭାବ ନାହିଁ କି ଭାବନା ନାହିଁ । ବରଜୁ ତା’ପାଖକୁ ଆଉରି ଟିକିଏ ଲାଗି ଆସି ନିଜ ଅଜାଣତରେ ଯେମିତି ହାରାବୋଉର ଆଖି ଉପରେ ପଡ଼ିଥିବା ବାଳ କେରାକ ସଜାଡ଼ିଦେଲା । ହାରାବୋଉ ବି କେମିତି ଟିକିଏ ଚମକିଲା ହୋଇ କହିଲା, ‘‘ହେ, କିଏ ଦେଖିବ ମ ।’’ ଗୋଟାଏ ହାତରେ ଲଙ୍ଗଳ ଲୁହାଟା ମୁଠାଇ ଆର ହାତରେ ବରଜୁ ସ୍ତ୍ରୀ ଦେହରୁ ଲୁଗାଟାକୁ ଟାଣିଦେଲା । ନିଜ ଛାତି ଉପରେ ତାକୁ ଜାକି ଧରି କହିଲା, ‘‘ଚାଲ ଘର ଭିତରକୁ - କହିବି ।’’

 

ବରଜୁର ଏଭଳି ଢଙ୍ଗ ସ୍ତ୍ରୀ ପାଖରେ ଆଜି ନୂଆ ନୁହେଁ । ତେବେ ଘର ଭିତରେ କଜିଆ ହେଲା ଦିନୁଁ ସେ ସ୍ୱାମୀ ସୁଆଗ ପାସୋରି ପକେଇଥିଲା । ବରଜୁର ସେହି ଟାଣୁଆ ଛାତି ଉପରେ ହାରାବୋଉର ଦିହଟା ବାଜି ମନ ତାର ପାଣି ଫାଟିଗଲା । କେତେ ପଛ କଥା ତାର ମନେ ପଡ଼ିଲା-। ବରଜୁର ଏହି ଛାତି ଉପରେ ମୁହଁ ରଖି ସେ କେତେ ଦୁଃଖ ଭୁଲି ଯାଇଛି । କେତେ ଲୁହ ପୋଛି ଦେଇଛି । ସେହି ଛାତି ଉପରେ ଟିକିଏ ଆଶ୍ରା ମିଳିଲେ ହାରାବୋଉକୁ କୋଟିନିଧି ପାଇଲା ଭଳି ଲାଗେ । ଆଜି ବି ସେମିତି ଲାଗିଲା । କେତେ ଯୁଗ ପରେ କେଜାଣି ! ହାରାବୋଉ ଆଖି ବୁଜି ଦେଲା । ସେ ଆଖି ଆଉ ତାର ନ ଫିଟନ୍ତା ହେଲେ !

 

ଘରୁ ବାହାରି ବରଜୁ କମାରଶାଳାକୁ ଚାଲିଲା । ହାରାବୋଉ ପନିଖିଟା ପକେଇ ନଡ଼ିଆପତ୍ର ଚିରି ବସିଲା ଖଡ଼ିକା କରିବ ବୋଲି ।

 

ଦାମ ମୋତି ଇସ୍କୁଲରୁ ଫେରିଲେ । ଗୌରା ଯେଉଁ ନୂଆ ସିଲଟ କିଣି ଦେଇଛି, ବୋଉକୁ ଆଣି ଦେଖେଇଲେ । ଦାମ ତାହାରି ଖଡ଼ି ଦି’ଖଣ୍ଡ କାଢ଼ି କହିଲା, ‘‘ଦେଖିଲୁ ବୋଉ, ଏକୁ କହନ୍ତି କୋଚିଲାଖଡ଼ି, ଆଉ ୟାନାଁ ଦୁଧ ଖଡ଼ି । ଦୁଧ ଖଡ଼ି ଗୁଡ଼ାକ ସହଳ ଘୋରି ହେଇଯିବ । ହେଲେ, କୋଚିଲା ଖଡ଼ି ବହୁତ ଦିନ ରହିବ ।’’

 

ବୋଉ କହିଲା, ‘‘ଦେଖି ଲୋ ମୋତି, ତୋର କିମିତି ଖଡ଼ି । ଇସିକୁଲରେ କଣ ଖଡ଼ି ସିଲଟ ମିଳେ ?’’

 

ମୋତି ଦାମକୁ ଚାହିଁ ବୋଉକୁ ହସରେ ଉଡ଼େଇ କହିଲା, ‘‘ଆରେ ଏ କିଛି ଜାଣେ ନାହିଁ-। ଇସ୍‌କୁଲ କଣ ଦୋକାନ କି ? ଗୌରାଦାଦି ପରା ଆମକୁ ଦୋକାନରୁ କିଣେଇଦେଲେ !’’

 

‘‘ମାଷ୍ଟର ତୁମକୁ କଣ କହିଲେ ?’’

 

ଦାମ କହିଲା, ‘‘ଆମକୁ ନାଁ ପଚାରିଲେ । ଆମ ବାପାଙ୍କୁ ସେ ଜାଣନ୍ତି ମ । ନାହିଁଲୋ, ଅପା ? ଦାଦିଙ୍କି କହୁ ନ ଥିଲେ ? ବାପାଙ୍କୁ ଆମର କେତେ ଲୋକ ଜାଣନ୍ତି । ବୋଉକୁ କେହି ଜାଣନ୍ତି ନାହିଁ ।’’

 

ସାନ ଭାଇର ବୋକାପଣିଆରେ ମୋତି ଓଠ କାମୁଡ଼ି ତାକୁ ଆକଟ କଲା, ‘‘ହେଃ, ବୋଉ ପରା ମାଇପି ଲୋକ, ତାକୁ କିମିତି ଜାଣିବେ ?’’

 

‘‘ମୋତି ଲୋ, ଯିବୁଟି ଆମର, କଣ ଘର ପଟା ଉପରେ ଭୋଗେଇରେ ମୁଆଁ ଅଛି । ଗୋଟିଏ ତୁ ନବୁ - ଆଉ ଗୋଟିଏ ଭାଇକୁ ଦବୁ ।’’

 

ଦାମ ବି ମୋତି ସାଙ୍ଗରେ ଯାଇ ମୁଆଁ ଆଣି ଚୋବେଇ ଚୋବେଇ କହିଲା, ‘‘ଏଥିରେ ତ ନଡ଼ିଆ ପାତି ପଡ଼ିଛି । ଆଜି ଏ ମୁଆଁ କୋଉଠୁ ଆସିଥିଲା କି ବୋଉ ?’’

 

‘‘ପଦିଆ ମାମୁଁ ଧନୁମୁଆଁ କରିଥିଲା ଯେ, ତମ ଦିହିଁଙ୍କ ପାଇଁ ଯୋଡ଼ିଏ ଦେଇ ଯାଇଛି । ମାଷ୍ଟର ଆଉ କଣ କହୁଥିଲେରେ ଦାମ ?’’

 

‘‘ସେ ବହିରେ ଆମ ବାପା ନାଁ ନେଖିଲେ । ମୋ ହାତରେ ଖଡ଼ିଧରି ମୁଣ୍ଡୁଳା ବୁଲେଇଲେ ।’’

 

ମୋତି ମୁରବୀପଣିଆ ଦେଖେଇ କହିଲା, ‘‘ହେଃ, ଆମ ନିଜ ନାଁ ନେଖିଲେ ନା, ବାପା ନାଁ ନେଖିବେ କାହିଁକି ? ବାପା କଣ ପାଠ ପଢ଼ିବେ ?’’

 

‘‘ବାପା ନାଁ ନେଖି ନାହାଁନ୍ତି ? ଆଚ୍ଛା, ଦାଦି ଆସୁ, ପଚାରିବା ।’’

 

‘‘ହଉ, ହଉ, ତୁ ଭାରି ସତିଆ ।’’

 

‘‘ନାହିଁ, ତୁ ତ ଭାରି ସତିଆ ।’’

 

ଲୁହା ପଜେଇ ସାରି ବରଜୁ ଘରକୁ ଫେରିଲା । ଦାମ ତା’ ପାଖକୁ ଦୌଡ଼ି ଯାଇ କହିଲା, ‘‘ଆଛା ବାପା, ଇସ୍କୁଲରେ ଭଲା ତୁମ ନାଁ ନେଖା ହୁଏ ନାହିଁ ?’’ ମୋତି କହିଲା, ‘‘ବାପା ମ, ଆମେ ସିନା ପାଠ ପଢ଼ିଲୁ, ଆମ ନାଁ ହବ; ତୁମ ନାଁ କାହିଁକି ଭଲା ନେଖିବେ ?’’

 

ବରଜୁ ବୁଝାଇ ଦେଇ କହିଲା, ‘‘ହଁ, ପିଲାଙ୍କ ନାଁ ସାଥିରେ ବାପ ନାଁ ଲେଖନ୍ତି । ନ ହେଲେ କାହାର ପିଲା କିମିତି ଜଣା ପଡ଼ିବ ?’’ ହାରାବୋଉ ବରଡ଼ା ଚିରାକୁ ମୁହଁ ଟେକି ବରଜୁକୁ ଚାହିଁ ହସିଲା ।

 

ଦାମର ଜୟ ହେବାରୁ ସେ ଉଭଣୀକୁ କହିଲା, ‘‘ଏଁ, ଦେଖିଲୁ ଏଥର ? ମୋ କଥା ହେଲା କି ନାହିଁ ।’’

 

ମୋତି କହିଲା, ‘‘ନାହିଁ ବାପା, ସେ କହୁଥେଲା ଆମ ନାଁ ନେଖା ହେଇ ନାହିଁ । ଖାଲି ବାପା ନା । ଆଛା, ବୋଉ ନାଁ ତେବେ କାହିଁକି ନେଖା ନ ହେଲା ?’’

 

‘‘ବୋଉକୁ ତ କେହି ଜାଣନ୍ତି ନାହିଁ । ନୁହେଁ ?’’ ଦାମ କହିଲା ।

 

ବରଜୁ ହାରାବୋଉ ଆଡ଼କୁ ଚାହିଁ ହସି ହସି କହିଲା, ‘‘ସେ କଥା ନୁହେଁ ଯେ, ବାପା ବୋଉ ଦି’ଜଣ ଭିତରୁ ଜଣକ ନାଁ ଲେଖା ହେଲେ ତ ଚଳିଲା । ଯୋଡ଼ାଏ ନାଁ କାହିଁକି ଲେଖା ହବ । ପୁଣି ବାପା ସବୁବେଳେ ଦାଣ୍ଡହାଟକୁ ବାହାରେ ବୋଲି ତାକୁ ସମସ୍ତେ ଜାଣନ୍ତି, ତାରି ନାଁ ଲେଖା ହୁଏ ।’’

 

ମୁହଁ ସଞ୍ଜ ହୋଇ ଯାଇଥାଏ । ଗୋଠରୁ ଫେରି ଗୋରୁ ଘର ଭିତରେ ପଶିଲେ । ବରଜୁ ଗୋରୁ ବାନ୍ଧିବାକୁ ଗୁହାଳକୁ ଗଲା । ହାରାବୋଉ ଖଡ଼ିକାତକ ସଜାଡ଼ି ପତ୍ର ପୁଳାକ ଧରି ହାଣ୍ଡିଶାଳରେ ପଶିଲା । ଖଣ୍ଡେ ଚିରାକନା ଆଣି ବଳିତା ବଳିଲା । ଦୀପ ଲଗାଇ ଆଗେ ତୁଳସୀ ଚଉରା ମୂଳେ ସଂଧ୍ୟା ଦେଲା; ସୁବ ଦିନ ପରି ଚଉରା ମୂଳେ ମୁଣ୍ଡିଆ ମାରି ଟୁପ୍‌ଟୁପ୍‌କରି ସ୍ୱାମୀ ଆଉ ପିଲାଙ୍କର କେତେ କଣ ଶୁଭ ମନାସିଲା । ରୁଖା ଉପରେ ଦୀପଟି ରଖିଦେଇ ରୋଷେଇ କାମରେ ଲାଗିଲା ।

 

ବରଜୁ ବାରି ପୋଖରୀରେ ମୁହଁ ହାତ ଧୋଇ ଭାଗବତ ପୋଥିଟି ଧରି ଆସି ରୁଖା ପାଖରେ ବସିଲା । ଭାଗବତ ଅଧ୍ୟାୟକ ପଢ଼ିସାରି ପୁଣି ସେହି ଗୋରୁମୁହାଁ, କୁଟାପକା, କେଉଁ ଗୋରୁଟା ଗୋଡ଼ରେ ପଘଛନ୍ଦି ହୋଇଯାଇଛି, କାହା ବେକଟା ଜୁଆଳିରେ ଛିଣ୍ତି ମାଛି ବସୁଛନ୍ତି, କିଏ ଉଷୁମ ନ ହେଲେ ପିଉନାହିଁ, ସବୁ ଦେଖିବ । ସେତେବେଳକୁ ହାରାବୋଉ ରନ୍ଧାକାମ ସାରି ପିଲା ଯୋଡ଼ିଙ୍କୁ ଖୁଆଇ ପକେଇଥିବ । ଗୌରା କେଜାଣି ମାସ ଭିତରେ ଆଠ ଦଶ ଦିନ ଘରକୁ ଆସୁଥିବ-। ବାକି ଦିନ ତାର ବାବାଜୀଙ୍କ ଆଡ଼ାରେ ଟୁଙ୍ଗି ଭିତରେ କଟିଯାଏ ।

 

ଗୁହାଳ କାମ ସାରି ବରଜୁ ଦେଖିଲା ଆଜି ବି ଗୌରା ଆସିନାହିଁ । ହାରାବୋଉ ଥାଳୀଟିରେ ତତଲା ଭାତ ଆଣି ଥୋଇଲା । ଆଜି ସେ ମୁଗ ଡାଲିରେ ବାଇଗଣ ପକେଇ ବହଳିଆ କରି ଡାଲମା କରିଛି । ମେଥି ଶାଗ କେରାଏ ସନ୍ତୁଳିଛି । ପିତା ଶୁଖୁଆ ପୁଞ୍ଜାଏ ପୋଡ଼ି ତା’ପାଖରେ ସୋରିଷ ତେଲ କାଞ୍ଚୁଲୀଟା ଲୁଣ ଟିକିଏ ଆଉ ଯୋଡ଼ାଏ କଞ୍ଚାଲଙ୍କା ଥୋଇଛି । ମୂଳା ପକେଇ ଭୁରସଙ୍ଗା ପତର ଛୁଙ୍କି ପଥୁରୀ ବେଲାରେ ଅଧ ବେଲାଏ କାଞ୍ଜି ରଖିଛି । ଭାତ ତରକାରୀର ଗରମ ବାମ୍ଫରେ ବରଜୁର ଭୋକ ଟିକିଏ ବଢ଼ି ଉଠିଲା । କାଞ୍ଜିରୁ ହାପୁଡ଼ାଏ ଖାଇ କହିଲା, ‘‘ବାଃ, କାଞ୍ଜିଟା ତ ଭାରି ସରସ ହୋଇଚି ।’’

 

ହାରାବୋଉ ଠିଆ ହୋଇ ସ୍ୱାମୀର ଆହାର ଦେଖୁଥିଲା । କହିଲା, ‘‘ଯେତେ ଯାହାକୁ କହି ତ ମାଛ ପୁଞ୍ଜାଏ ହେଲା ନାହିଁ ।’’ ‘‘ମାଛ ନ ହେଲେ ତ ଶୁଖୁଆ ଅଛି’’ କହି ବରଜୁ ଆହାରରେ ମନ ଦେଲା; ଟିକିଏ ପରେ କହିଲା, ‘‘ଆଜି ବି କଣ ଗୌରା ଘରକୁ ଆସୁ ନାହିଁ ?’’

 

‘‘ନାହିଁ, ଆଜି ତ ତାଙ୍କର ପୁଣି କଣ ମଉଛା, ତାଙ୍କ ଜୋରନ୍ଦା ଗାଦିରୁ କିଏ ସବୁ ବାବାଜୀ ଆସିଛନ୍ତି ପରା !’’

‘‘କଣ ଆଠକାଳି ବାର ମାସି ତା’ ବାବାଜୀ ଛାଡ଼ୁ ନାହାନ୍ତି । ମୁଁ ଗୋଟାଏ କଥା ଭାବୁଥିଲି-। ଗୌରାକୁ ଦି’ହାତ କରି ଦେଲେ କିମିତି ହୁଅନ୍ତା ?’’

 

ହାରାବୋଉ ଏ କଥା ଦିନେ ଗୌରାକୁ ପଚାରିଥିଲା । ଗୌରା ତ କିଛି ତାର ପୁଅ ଝିଅ ନୁହେଁ । ବେଶି ଜିଗର କାହିଁକି କରନ୍ତା ? କହିଲା, ‘‘ସେ କଣ ଆଉ ବାହା ହେବେ ? ଘର ଦୁଆର କାହିଁରେ ତାଙ୍କର ତ ମନ ନାହିଁ । ସେ ଦିନ ପୁଣି ହାରାର ପୁଅ ଏକୋଇଶିଆକୁ ମତେ ଆଣି ଘରର ପେଟରା କଞ୍ଚିଟା ବି ଦେଇ କହିଲେ, ଏହା ଭିତରେ ଯାହା ସୁନା ରୂପା ଅଛି, ତୁମେ ସବୁ ଦେଖ । ଏକୋଇଶିଆକୁ ଯାହା କିଛି ଲୋଡ଼ା ପଠେଇ ଦିଅ । ମୋର ଆଉ କଣ ହବ ?’’

 

ବରଜୁ ପଚାରିଲା, ‘‘ସେ କଥା ତ କହୁଥିଲା ସେ ଦିନ । କଞ୍ଚିଟା କଣ ସେ ଆଉ ନେଇ ନାହିଁ ?’’

 

‘‘ନାହିଁ ମ, ନେଲେ ଆଉ କୋଉ ଦିନ ? ସେ ଯେଉଁ କାନ୍ଥକୁରାରେ ଥୁଆ ହେଇଥିଲା, ସେଇଠି ଅଛି ।’’

 

‘‘ତମେ ତ ପେଟରା ଫିଟେଇ କିଛି ଜିନିଷ କଢ଼ାକଢ଼ି କରି ନ ?’’ ବରଜୁ ହସି ହସି ପଚାରିଲା ।

 

ହାରାବୋଉ ମୁହଁ ଫୁଲାଇ କହିଲା, ‘‘ଆଉ, ମୁଁ କଣ ଚୋରଣୀ ହେଇଛି କି ? ନାତି ଏକୋଇଶିଆକୁ ତ ସବୁ ଚିଜ ସେ ମୋ ଆଗରେ ମେଲେଇ ଦେଲେ । ମୁଁ ତେବେ ମୋର ଝୁମ୍ପିଟା ଭଙ୍ଗେଇ ଖଡ଼ୁ ଅଣ୍ଟାସୁତା କଲି କାହିଁକି ? ତମେ ଆସୁ ନ ଦେଖିବ, ତାଙ୍କର ଯେତେ ଥାନ ଗହଣା ଥେଲା, ସବୁ ସିମିତି ଅଛି କି ନାହିଁ ।’’

 

‘‘ତମେ ରାଗୁଛ କାହିଁକି ? ମୁଁ ସିମିତି ଟିକିଏ ଛଳେଇ କରି କହୁଥିଲି ନା ?’’

 

‘‘ମତେ ସେ ଛଳାଛଳି କଥା ଆସେ ନାହିଁ । ନିଜ ଘରୁ ତ ବାହାରି ଆସିଲି ଯେ, ଗୁରୁବାର ପେଡ଼ିଟି ଛଡ଼ା ଦାନ୍ତକାଠି ଖଣ୍ଡେ ବି ଆଣିଛି ବୋଲି କେହି କହିବ ନି ।’’

 

‘‘କାହିଁକି, ଦାନ୍ତକାଠି ଖଣ୍ଡେ ଆଣିବାକୁ ମୁଁ କଣା ମନା କରୁଥିଲି କି ?’’

 

‘‘ହଁ, ତମେ ତ ଭାରି ଭଲ ଲୋକ । ମତେ କେଉଁ ପଦରେ ରଖିଚ ଯେ, ପୁଣି କହିଲଣି ଗୌରା ଘର ଗହଣାରେ ଲୋଭ କରିବି ।’’

 

‘‘ତମର ଏଠି ଯେବେ କିଛି ଅସୁବିଧା ହେଉଛି, କହୁନ ?’’

 

‘‘ନାହିଁ, ନିଜ ଘର ଛାଡ଼ି ତ ପରଘରେ ରହିଲି । ମୋର ଆଉ କି ଅସୁବିଧା ?’’ - ହାରାବୋଉ ହସି ପକେଇଲା ।

 

ବରଜୁ କହିଲା, ‘‘ସତେ ତମକୁ ମୁଁ ନିରନ୍ତରେ ପଚାରୁଛି । ଘର ଛାଡ଼ି ତ ଏଠି ଆସି ଏତେ ଦିନ ରହିଲ । କହିଲ ଭଲା, ଗୌରା କେଉଁ ଦିନ ମତେ କି ତମକୁ କି ପିଲାଙ୍କୁ ହେଲେ ପର କରି ଦେଖିଲାଣି ?’’

 

ହାରାବୋଉ ଜିଭ କାମୁଡ଼ି ଦେଲା । ‘‘କଣ କହୁଚ, ଗୌରାକୁ ମୁଁ ନିନ୍ଦିବି । ତାଙ୍କୁ ନିନ୍ଦିଲେ ମୋତେ ତିନିପୁରେ ଠାବ ମିଳିବ ଭଲା ?’’

 

‘‘ତେବେ ଆଉ ପରଘର କାହିଁକି କହୁଚ ? ନିଜଘର ଠାରୁ ତ ଏଠାରେ ଆଉରି ବେଶି ସୁଖରେ ଅଛ ।’’

 

‘‘ସେ କଥା ମୁଁ କଣ ନାହିଁ କଲି ।’’

 

‘‘ସେଇଥିପାଇଁ ମୁଁ କହୁଥେଲି ତାକୁ ହାତକୁ ଦି’ହାତ କରିଦବା । ଆମ ପାଇଁ ସେ କରୁଚି-। ଆମେ କଣ ଏତିକି ତା ପାଇଁ କରି ପାରିବା ନାଇଁ ?’’

 

ହାରାବୋଉ କହିଲା, ‘‘ତମକୁ ପରା ମୁଁ ଏଇ କଥା କହିବି କହିବି ବୋଲି କେତେ ଦିନୁଁ ହେଲିଣି । ତାଙ୍କର ଆଉ ତ ବାପା ଖୁଡ଼ୁତା କି ମା ଭଉଣୀ ନାହାନ୍ତି ଯେ ଏ କଥା ଭାବିବେ । ଆମକୁ ସେ ତ ମୁରବୀ କରି ମାନିଚନ୍ତି । ତାଙ୍କ ବାହାଘରେ ତାଙ୍କରି ଘରୁ ସବୁ ଖର୍ଚ୍ଚ ହବ । ଆମର ଖାଲି ଟିକିଏ ବୁଝିଦବା କଥା ।’’

 

‘‘ତେବେ ସେଥିରେ ସେ ମଙ୍ଗିଲେ ତ । ତମେ ପରା କହୁଚ ତାର ଯମାରୁ ମନ ନାହିଁ ?’’

 

‘‘ସେ ତମ କଥା ତଳେ ପକେଇବେ ନାହିଁ ।’’

 

‘‘କିମିତି ଜାଣିଲ ?’’

 

‘‘ହଁ, ତୁମକୁ ସେ ଭାରି ମାନନ୍ତି । ମୁଁ ସେ ଦିନ ପଚାରିଲାରୁ ପରା କହିଲେ, ଭାଇଙ୍କର କଣ ଏହା ଇଚ୍ଛା ? ମୁଁ କହିଲି, ‘ହଁ । ଆଉ ମୁଁ କଣ ବାହାଘର ଠିକଣା କରିବି ? ସେ ସିନା ସବୁ ବୁଝିଲେ ।’ ତେଇଁତୁରୁ କହିଲେ, ‘ଆଉ କାହିଁକି ସେ ଜଞ୍ଜାଳରେ ମତେ ପକେଇବାକୁ ବାହାରିଚ ? ମୋର କି ଆଉ ବୟସ ଅଛି ।’ ମତେ ହସ ମାଡିଲା । ଲୋକେ ତ ତିନି କୋଡି ବଅସରେ ନାତି ନାତୁଣୀ ଦେଖି ବି ଷୋଳବରଷୀ ଘିନି ଘର କରୁଛନ୍ତି । ତମର କଣ ହେଉଛି କି ? ମୁଁ ତ କାଲି ମରିଗଲେ ହାରାବାପା ମନେକଲେ ତା’ ଆର ଦିନ ଆଉ ଗୋଟାଏ ଆଣି ଘରେ ପୂରେଇବେ । ତମକୁ କିଆଁ ଲାଜ ମାଡୁଚି ?’’

 

‘‘ଯା’ ହଉ, ମତେ ବି ଉଲୁଖା ଦେଇ ସାରିଚ । ଖୁବ୍ ତ କହିଲ । ଆଉ କହନ୍ତ କଣ ?’’

 

‘‘କାଇଁକି, କଣ ମିଛ କହିଲି ? ଆମ କୁଳରେ କଣ ଏ କଥା ହଉ ନାହିଁ ? ଆମର କିଛି ବ୍ରାହ୍ମଣ କରଣ ଘର ନୁହଁ। ବାହା ନ ହେଲେ ତ ଦୁତୀଅ ଅଛି । ନଡ଼ାବିଡ଼ାକରେ ତ ପୁଣି ଯଉଁ ଘରକୁ ସେଇ ଘର, ଯଉଁ କଥାକୁ ସେଇ କଥା । ତମେ ହେଲେ କେତେ, ଆଉ କିଏ ହେଲେ କେତେ ।’’

 

‘‘ହଉ ତେବେ ମୁଁ ଗୌରାକୁ ପଚାରିବି । ସେ କାଳେ ନାହିଁ କରି ଦବ ? ଭଲ କଥା, ଯଉଁ ବାବାଜୀଙ୍କ ସାଙ୍ଗେ ବସ ଉଠ କରୁଛି, ତାଙ୍କୁ ତା’ ହେଲେ ଆଗ କହେଁ । ସେ କହିଲେ ଆଉ ନାହିଁ କରିବାକୁ ତାର ବାଟ ନ ଥିବ ।’’

 

‘‘କହ ତମ ଇଚ୍ଛା ଯାହାକୁ । ମୁଁ ଜାଣେଁ ତମ କଥା ସେ କେତେବେଳେ ହେଲେ ତଳେ ପକେଇବ ନାହିଁ ।’’

 

ବରଜୁର ମନ ଲାଗିଛି । କଥାଟାକୁ ପକା କରି ନେବା ଲୋଡ଼ା । ତହିଁ ଆର ଦିନ ଖରାବେଳିଆ ବାବାଜୀ ଟୁଙ୍ଗିକୁ ବାହାରିଲା । ଟିକିଏ ପାଖକୁ ଯାଇ ଶୁଣିଲା ଟୁଙ୍ଗି ଭିତରେ ଖଞ୍ଜଣି ବଜାଇ ଭଜନ ଚାଲିଛି, ‘‘ମିଛ ମାୟାରେ କିପାଁ ହେଉ ଲଡ଼ବଡ଼, ଲଡ଼ବଡ଼ ଲଡ଼ବଡ଼ ।’’ ବରଜୁକୁ ବାବାଜୀ ଚିହ୍ନିଥିଲେ । ଦେଖି ଡାକିଲେ, ‘‘ଭିତରକୁ ଆସ ପଧାନେ । ଆଜି କଉଁ ଦିଅଁଙ୍କର ଆଖି ଫିଟିଲା, ପଧାନେ ଏଣିକି ଗଡ଼ିପଡ଼ିଲେ ।’’

 

ବସିପଡ଼ି ବରଜୁ କହିଲା, ‘‘ତର ମିଳୁଚି କୁଆଡ଼ୁ ଯେ କେତେବେଳେ ଆସିବି ?’’

 

‘‘ସତ କଥା, ତମେ ହେଲ କାମିକା ଲୋକ । ‘କର୍ମ ମୋହର ନିଜ ଗୁରୁ, ଉଦ୍ଧବ କେତେ ତୁ ପଚାରୁ ।’ ତମର ତ କାମ ହେଲା ନିଜର ଗୁରୁ; ତମେ ଆଉ ଗୋଟାଏ ଗୁରୁ କରିବ କାହିଁକି ?’’

 

‘‘ତେବେ ଆମେ ହେଲୁ ସଂସାରୀ ଲୋକ । ସବୁବେଳେ ଜଞ୍ଜାଳରେ ଘାଣ୍ଟି ହଉଛୁଁ । ଛାଡ଼ିଲେ ବା ଜଞ୍ଜାଳ ଛାଡ଼ୁଛି କାହିଁ ? ପୁଣି କେତେ ନୂଆ ଜଞ୍ଜାଳ ଆସି ଲାଗିଯାଉଛି ।’’

 

‘‘ହଁ ପଧାନେ, ସେଥିପାଇଁ ପରା କହିଚି, ‘ମିଛ ମାୟା ସଂସାର କେହି ନୁହେଁ କାହାର ।’ ଏ ମୋ ବାପ, ସେ ମୋର ପୁଅ, ସେ ମୋର ଭାରିଯା, ସବୁ ମିଛ, ସବୁ ମାୟା, କେହି କାହାରି ନୁହଁ-। ତା ବୋଲି ସଂସାରୀ କଣ ସବୁ ଛାଡ଼ି ପଳେଇବ ? ନାହିଁ, ନାହିଁ, ସଂସାରେ ଥିବ ଯେତେଦିନ, ଆନନ୍ଦ କରୁଥିବ ମନ ।’’

 

ବାବାଜୀଙ୍କଠାରୁ ଏ ସବୁ ତତ୍ତ୍ୱ କଥା ଶୁଣିବାକୁ ବରଜୁର ମନ ନ ଥାଏ । ଶିଷ୍ୟମାନେ ଖଞ୍ଜଣି ତଳେ ଥୋଇ ଗଞ୍ଜାଇ ମଳୁଥାନ୍ତି । ବରଜୁ ଚାରିଆଡ଼ ଆଖିବୁଲେଇ କହିଲା, ‘‘ମୁଁ ଗୌରାକୁ ସେଇ କଥା ବୁଝାଉଥିଲି । ଘର ଯେବେ ଛାଡ଼ିବୁ, ତେବେ ତ ଡୋର କୌପୁନୀ ଘେନି ବାହାରି ଯିବୁ-। ଘରେ ଥିବାଯାକେ ତ ସଂସାର ଧର୍ମ କରିବା ଦରକାର ।’’

 

‘‘ମାୟ ବନ୍ଧନ । କଣ ସହଜେ ଛିଡ଼ିବ କି ପଧାନେ ?’’

 

ବରଜୁ ତାଙ୍କୁ ଆଉ ବେଶି କଥା କୁହାଇ ନ ଦେଇ କହିଲା, ‘‘ଆପଣ ତାକୁ ଟିକିଏ ସେଇ କଥା ବୁଝେଇଦିଅନ୍ତୁ । ଘର ବିଲ ଗୋରୁ ଗାଈ କାହିଁ ହେଲେ ତାର ମନ ଥାନ୍ତା !’’

 

ଯେଉଁ ଦିନୁଁ ବରଜୁ କାହାର ପିଲା ମାଇପଙ୍କୁ ଆଣି ଗୌରା ଘରେ ରହିଲାଣି, ବାବାଜୀଙ୍କୁ ମନ ବି ଗୌରା ପ୍ରତି ଛାଡ଼ରା ଧରି ଯାଇଥାଏ । ଗୌରାର ସାହି ପଡ଼ିଶା ଲୋକେ ଯେମିତି ସହି ପାରୁ ନ ଥାନ୍ତି, ବାବାଜୀଙ୍କ ଆଗରେ ଟୁପ୍‌ଟାପ୍‌ ହେଲାରୁ ତାଙ୍କ ମନ ବି ବିଗିଡ଼ି ଥାଏ-। କାହିଁକି ଗୋଟାଏ ବିଚଣାଗାଁର ବଉଁଶ ଆଣି ଗୌରା ପୋଷିବ ! ମୁହଁ ଉପରେ ସିନା କେହି କାହାକୁ କିଛି କହି ପାରନ୍ତି ନାହିଁ, ଦି’ଚାରି ଜଣ ଏକାଠି ହେଲେ ସେ କଥା ପଡ଼େ । କିଏ ବରଜୁକୁ କହେ ଅଲାଜୁକ ବେହିୟା, କିଏ ଗୌରାକୁ କହେ ବୋକା, ଗଧ ।

 

ବାବାଜୀ କହିଲେ, ‘‘ ଆମେ କଣ ତାଙ୍କୁ ବୁଝଉ ନ ଥିଲୁ କି ? ମଝିରେ ତମେ ଖାଲି ପିଲା ପିଲି ଘେନି ଆସିଗଲାରୁ ସେ ଆହୁରି ବେପରୁଆ ହେଇ ପଡ଼ିଲେ ସିନା ! ଯା ହଉ, ତମେ ଆସି ରହିଲ ଭଲ କଲ । ଏବେ ଗୋଟିଏ କଥା ଯେବେ କରନ୍ତ, ତାଙ୍କୁ ଖାଲି ହାତକୁ ଦି’ହାତ ଛନ୍ଦି ଦେଲେ ତେଣିକି ବଳେ ସେ ତାଙ୍କ ଘର କରନ୍ତେ ଯେ । କାନ୍ଧରେ ଜୁଆଳି ନ ପଡ଼ିବାଯାକେ ସେତ ଏମିତି ଉଦା ଖାଇ ବୁଦା ଡେଉଁଥିବେ ।’’

 

ବରଜୁ ଦେଖିଲା ବାବାଜୀ ନିଜ ଆଡ଼ୁ ଗୌରାର ବାହାଘର କଥା ଉଠେଇଲେଣି । ଉଠେଇବାର ତ କଥା । ଏମିତି ଯାହା ତାର ସମ୍ପତ୍ତି ଭୂତ ଖାଇ ଯାଉଛନ୍ତି-ସେମିତି ସେ ତାର ନିଜର ସବୁ କରିବ ଧରିବ ।

 

ବାବାଜୀ ପୁଣି କହିଲେ, ‘‘କନିଆ ଅଭାବ ହେବେ ନାହିଁ; ଜାଣିଲ ପଧାନେ । ଗୌରାଙ୍ଗକୁ କନିଆ ମିଳିବେ ନାହିଁ; ତ ଆଉ ମିଳିବେ କାହାକୁ ? ଜଇନ୍ତରା ମୌଜାରେ ପାତ୍ର ଅଛନ୍ତି । ଯେମିତି ତମେ ଖୋଜିବ ସେମିତି ପାଇବ । ଦଶ ବାର ବର୍ଷରୁ ଷୋଳ ସତର ଯାକେ ।’’

 

ବାବାଜୀ ଧର୍ମଚର୍ଚ୍ଚା କରିବା ଭିତରେ ଆହୁରି ଏତେ ଖବର ଯେ ରଖନ୍ତି ସେଥିରେ ବରଜୁ ଖୁସି ହୋଇ କହିଲା, ଆଚ୍ଛା ହଉ, ଗୌରା ଆଗ ମଙ୍ଗିଲେ ତ ।’’

 

‘‘ତମେ ମଙ୍ଗେଇଲେ ସେ ଅମଙ୍ଗ ହେବ କାହିଁକି ? ଘରୁ ସବୁଗୁଡ଼ାକ ତା’ ପଛକୁ ତା ପଛ ମରିଗଲାରୁ ସିନା ସେ ଟିକିଏ ଚଗଲ ବଗଲ ହୋଇଥିଲା । ଏକୁଟିଆ କାହିଁରେ ମନ ଲାଗୁ ନ ଥିଲା । ଏବେ ତମେ ସବୁ କଣ ତାକୁ ବାହାତୋଳା କରେଇ ଛ ମାସ ବରଷେ ଚଳାଚଳ କରି ନବନି କି ?’’

 

ବାବାଜୀଙ୍କୁ ଜୁହାର ହୋଇ ବରଜୁ ଉଠି ପଡ଼ିଲା । ବାଟରେ ଦେଖିଲା ପଦିଆ ମାମୁଁ ମୁଆଁ ବୋଝ ମୁଣ୍ଡେଇ ଡାକି ଡାକି ଚାଲିଛି, ‘‘ଧନୁମୁଆଁ, ଧନୁମୁଆଁ ବୁଢ଼ାଏ କାନ୍ଦିବେ କୁଆଁ କୁଆଁ ।’’ ବରଜୁକୁ ଦେଖି ଠିଆ ହୋଇପଡ଼ି ପଚାରିଲା, ‘‘ଆଜି ଏଣେ କୁଆଡ଼େ ବାହାରି ଆଇଲ ?’’

 

ବରଜୁ ଜାଣେ ପଦିଆ ପାଖରେ କିଛି ଲୁଚାଇବାର ନୁହେଁ । ସେ ତ ଅଖଳା ଲୋକ । କାହାରି ହାନି ଲାଭରେ ନ ଥାଏ । ବାବାଜୀ ଟୁଙ୍ଗିକୁ ବରଜୁ ଯାଇଥିବାର ଶୁଣି ପଦିଆ କହିଲା, ‘‘ସଇଲା, ସଇଲା, ତମେ ବି ସେଠିକି ଗଡ଼ିଲଣି ? ମୁଁ ଜାଣେ ପରା, ମତେ ଛାଡ଼ି ସମସ୍ତେ ଏଥର ବାବାଜୀ ହେବେ ।’’ ବରଜୁ ତୁନୀ ତୁନୀ ଯିବାର ମତଲବ ବୁଝେଇ ଦେଲା । କଳା କଳା ଓଠ ଯୋଡ଼ାକ ମେଲା କରି ହସିଲା ହୋଇ ପଦିଆ କହିଲା, ‘‘ଏ କଥା ଆଉ ପରାରିବାକୁ ଅଛି ? ସେଇ ବାବାଜୀ ପାଇଁ ତ ଆଜିଯାକେ ଗୌରା କାହାରି କଥାରେ କାନ ଦେଲା ନାହିଁ । ପୁଣି ଭଲେଇ ହଉଛି କଣ ! ହଁ ଭାରି ଭଲ ଲୋକ ସେ । ଜଇନ୍ତରା ଗାଁରେ କନିଆ ଅଛି ବୋଲି କିଏ ନ ଜାଣେ ଯେ ସେ ବାକୀ ଆଗତୁରା ଖବର ଦେଇ ପକାଇଲା । ସେଇଠୁତ ତିନିତିନି ଥର ଲୋକ ଆସି ନେଉଟି ଗଲେ-। କାହିଁ ସେତେବେଳେ ତ ଗୁରୁଙ୍କ ମୁହଁରୁ ପଦେ କଥା ବାହାରିଲା ନାହିଁ ? ଆଜି ତମକୁ ଦେଖି ଏତେ ଗୁଡ଼ାଏ !’’

 

ବରଜୁ ପଚାରିଲା, ‘‘ଜଇନ୍ତରା ଗାଁରେ କନିଆଁ ପାତ୍ର ଅଛନ୍ତି ?’’

 

‘‘କନିଆଁ କଉଁ ଗାଁରେ ନାହାଁନ୍ତି, କହିଲ ? ଆମ ଏଇ ଗାଁରେ ଦରାଣ୍ଡିଲେ କଣ ଦି’ପୁଞ୍ଜା ଦଶୁଟା ବାହାରିବେ ନି ?’’

 

‘‘ତେବେ ସେ ଗାଁରେ କୁଆଡ଼େ ଭଲ ପାତ୍ର ଅଛି ।’’

 

‘‘ମତେ ପଚାରୁ ନ । ମୁଢ଼ିବୋଝ ମୁଣ୍ଡରେ ଥିବାଯାକେ ମତେ ଏ ଚାରିଖଣ୍ଡ ମୌଜାରେ କଉଁ କଥା ଅଛପା ଅଛି ? ହଁ ହଁ ଜଇନ୍ତରା ବାଜି ରାଉତ ଝୁଅ ତ ଖାସା ଡଉଲ । ଗଉରା ନାଖି ହବ ଏକା ।’’

 

‘‘ଅତି ସାନ ପିଲା ନୁହଁ ତ ? ଗୌରାର ଘର ସମ୍ଭାଳିବାକୁ ଟିକିଏ ବଡ଼ ପାତ୍ର ହେଲେ ସିନା ।’’

 

‘‘ତମେ ପାତ୍ର ପାଇଁ ଚିନ୍ତା କରନି । ଇଚ୍ଛା କଲେ ମୋରି ବ’ସର ପାତ୍ର ବି ଜୁଟେଇ ଦେବି-। ଆଗ ଖାଲି ଗଉରାକୁ ମଙ୍ଗେଇଲ । ତମେ କହିଲେ ନିଶ୍ଚେ ହବ ।’’

 

ବରଜୁ ଘର ଭିତରେ ପଶି ଶୁଣିଲା ଗଉରା ହାରାବୋଉଙ୍କର ତର୍କ ଚାଲିଛି, ସେଇ ବାହାଘର କଥା । ସେ ଟିକିଏ ଆଡେଇ ହୋଇ ରହିଗଲା । ଦାମ ମୋତି ଦିହେଁ ଗଡ଼ି ଧୂଳିରେ ମୁହଁଟିମାନ ଧଳା କରି ବୋଉକୁ ଖାଇବାକୁ ମାଗିଲେଣି ।

 

ଗୌରା କହୁଛି, ‘‘ମୁଁ କଣ ଦୁଃଖରେ ଅଛି ଯେ ବାହାହେଲେ ବେଶି ସୁଖରେ ରହିବି । ବାହା କରି ଘର ଦୁଆର କଲି । ସବୁ ତ ଟଣ୍‌କିନି ଛିଡ଼ିଗଲା । ଆଉରି ଛିଣ୍ଡା ସୂତା ଗଇଣ୍ଠେଇବି କାହିଁକି ?’’ ହାରାବୋଉ କହି ଲାଗିଛି, ‘‘ଏ କୁଆଡ଼ିକା କଥା ମ । ଲୋକେ ତ ତିନି ତିନିଟା ବାହା କରି ରହୁଛନ୍ତି । କଥାରେ ତ ଅଛି ସଂସାର ଭିତରେ ଘର କରିଥିଲେ ପଥର ପଡ଼ିଲେ ସହି । ଆମ କୂଳରେ ପରା ଅଧା ବୁଢ଼ୀଟାମାନ ଘଇତା ମଲା ବାସୀ ଆଉ କାହାକୁ ଆଦରି ରହିବେ ବୋଲି ବିଚାରୁଛନ୍ତି । ତମେ ତ ମରଦ ପୁଅ ।’’

 

ଗଉରା କଥାର ଢଙ୍ଗରୁ ବରଜୁ ବୁଝିଲା, ସେ ଏକାବେଳେ ଅମଙ୍ଗ ନୁହେଁ । ଦୁହିଙ୍କ କଥା ମଝିରେ ଆସି ହାରାବୋଉକୁ କହିଲା, ‘‘ତମେ ବାହାଘର ଯୋଗାଡ଼ କର । ଏହି ମାଘ ମାସରେ କରିଦେବା ।’’ ହାରାବୋଉ ଆଖିରେ ଆଖିଏ ହସ କୌତୁକ ପୂରାଇ ଗୌରାକୁ ଚାହିଁଲା, ‘‘ଗଉରା ସିନା ହଁ ଭିରିଲେ ହେବ ।’’

 

ଗୌରା ଉଠିପଡ଼ି କହିଲା, ‘‘ମତେ ଆଉ ଛେପରା ହେଇ ପଚାରୁଛ କାହିଁକି ? ଭାଇ ତ ନିଜେ କହିଲେଣି । ଦିହେଁ ପରା ଶିଖାଶିଖି ହେଇଚ-ଯା କରିବ କର ।’’

 

ଗଉରା ବାହାରି ଗଲାରୁ ବରଜୁ ସ୍ତ୍ରୀ ଆଗରେ ନିଜ ବାହାଦୁରୀ କାଢ଼ି କହିଲା, ‘‘ଦେଖିଲ-? ତୁମେ ଯେଉଁ କଥାକୁ ଏତେ ଦିନ ଘୋରି ହଉଥିଲ, ପଦେ କଥାରେ ସେ କିମିତି ଛିଡ଼ିଗଲା ? ଛେଳି ଗୋଡ଼ରେ ଯେବେ ଧାନ ମକଚି ହୁଅନ୍ତା, ବଳଦ କାହିଁକି ଖୋଜା ପଡ଼ନ୍ତେ ?’’

 

ହାରାବୋଉ କହିଲା, ‘‘ହଉ ତମେ ପଛେ ବଳଦ ହେଲ । କନ୍ୟା ପାତ୍ର ଭଲା ଦେଖିଲଣି-? ଆମ ସୁଲୀକି କରିଥିଲେ କେଡ଼େ ଭଲ ହୋଇଥାନ୍ତା, କହିଲ । ଗଉରା ସେତେବେଳେ ହରସ୍ଥାପ ମଙ୍ଗିଲେ ନାହିଁ ବୋଲି ସେ ସିନା ଆଉ ଠାଏ କରିଗଲା ।’’

 

ଆଉ କଣ ଭାବୁ ଭାବୁ ବରଜୁ ପଚାରିଲା, ‘‘ସୁଲୀ ପୁଣି କିଏ ?’’

 

‘‘ମଲା, ସୁଲୀକି ଜାଣନି ? ଆମ ଗଣଶା ଝିଅ ମ ।’’ ଗଣଶା ହାରାବୋଉାର ସାନ ଭାଇ ।

 

କଥାଟାକୁ ଉଡ଼େଇଦେଇ ବରଜୁ କହିଲା, ‘‘ଯାଃ, ସୁଲୀଟା ମାଙ୍କଡ଼ ଛୁଆଟାଏ, ଗୌରାକୁ ହୁଅନ୍ତା ?’’

 

‘‘ମାଙ୍କଡ଼ ଛୁଆ କାହିଁକି ମ । ବାର ତେର ବର୍ଷର ଝୁଅ, ଖାଇଲେ ପିଇଲେ ଗଣ୍ଠିମୋଟିଆ ହୋଇ ଖାସା ମାଇପିଟାଏ ହବ । ଛାଡ଼, ସେ କଥା ତ ଗଲାଣି । ଆଉ କଉଁଠି ଦେଖ ହେଲେ ।’’

 

‘‘ହଉ ଦେଖିବା, ଆଜି ତେବେ ବାହାରିବା ।’’

 

‘‘କାଲି ଯିବ, ଆଜି ତ ଏକାଦଶୀ ନିଷିଫଳା ଦିନଟା । କାଲି ଶୁକ୍ରବାର । ଭଲ ଦିନ ଅଛି-।’’

 

ସେଦିନ ଛାଇ ନେଉଟା ବେଳକୁ ବରଜୁ ପଦିଆ ସାଥିରେ କନ୍ୟା ଦେଖି ବାହାରିଲେ । ଜଇନ୍ତରା ଗାଁଟା ହରିପୁରଠାରୁ ବାଟ ତିନି କୋଶର ଖବର ।

 

ହରିପୁର ଗାଁ ଆମ୍ବତୋଟା ପାରି ହୋଇ ଦୁହେଁ ନଈବନ୍ଧ ତଳେ ତଳେ ଚାଲିଥାନ୍ତି । ଛାଇ ଲେଉଟା ବେଳକୁ ପୁଷମାସିଆ ଶୀତ ପଡ଼ି ଯାଇଥାଏ । ଧାନକଟା ସାରି କେହି ଚାଷୀ ମୁଗ ବୁଣାରେ ଲାଗିଛନ୍ତି । ଦୂରରେ ସୋରିଷ ଫୁଲର ଗୋଟାଏ ମସ୍ତ ସୁନେଲି ଗାଲିଚା ପରା ହୋଇଛି । ବରଜୁ କହିଲା, ‘‘ତଣ୍ଟିକଟା ମୌଜାରେ ଏବର୍ଷ ଭାରି ସୋରିଷ ହୋଇଛି। ଜଣେ ଜଣେ ଚାଷୀ ଭରଣେ ଲେଖାଁଏ ସୋରିଷ ପାଇବେ ।’’

 

ପଦିଆ ଟିକିଏ ପଛରେ ପଡ଼ିଯାଇଥିଲା । ପାଖକୁ ଲାଗି ଆସି କହିଲା, ‘‘କାହିଁକି ନ ପାଇବେ ? ସେ ଗାଁରେ ହେଲେ ସମସ୍ତେ ଚାଷୀ । ଚାଷର ମୂଲ୍ୟ ବୁଝନ୍ତି । ଗୋରୁ ଖନ୍ଦା ହବ ଯେ, ଗୋଟାଏ ବାଛୁରୀ ପିଲା କିଏ ଛାଡ଼ିବ ? ସାଙ୍ଗେ ସାଙ୍ଗେ ଜରିମାନା ନଇଲେ କାଞ୍ଜିଆହସା । ଆମ ହରିପୁରଟାରେ ତ ଯେଝା ହାତରେ ସେ ଚଉଦ ପା । କିଏ କାହାକୁ ମାନେ ? ସେଥର ଯେ ବନ୍ଧଭାଙ୍ଗି ଗାଁଟାଯାକ ଧୋଇଗଲା, ଖାଲି କଉତୁକରେ ସିନା । ନଈ ଦି’କୂଳ ଅତଡ଼ା ଖାଉଛି । ଗାଁ ଗାଁକର ଲୋକେ ଦିନିରାତି ଜଗି ବସିଲେ । ଏ ଗାଁରୁ ପରା ତେଢ଼ାତେଢ଼ି ହୋଇ ଜଣେ ବୋଲି କେହି ବାହାରିଲେ ନାହିଁ । ଶେଷକୁ କହିଲେ କଣ ନା, ସରକାର ଲୋକେ ବନ୍ଧ ଭାଙ୍ଗି ଦେଲେ । କିରେ ସରକାର କଣ ଖାଲି ବନ୍ଧ ଭାଙ୍ଗିବାକୁ ଅଛନ୍ତି । ତାଙ୍କ ମୁଣ୍ଡରେ ସବୁ ଅଠା ବୋଳୁଛ କିଆଁ ? ଆଉ କିଏ କି ? ସେଇ ନାଥବାବୁ ଛଡ଼ା ଆଉ ଏତେ କଥା କାଢ଼ିବ କିଏ ? ତାଙ୍କ ପିଛା ନରିବାସେ ପାଠପଡ଼ାରେ ଯେତେ ପଇସା ଖରଚ କଲେ ସେଥିରେ କୁଆଡ଼େ ବାଟିଏ ବିଲ କିଣା ହୋଇଥାନ୍ତା, ସବୁ ତ ଅକାରଣ । ବାପ ବିଚରା ଖାଲି ମୁଣ୍ଡରେ ହାତ ଦେଇ ବସିଛି । ଏତେ ପାଠ ପଢ଼ି ତ କାହାକୁ ଯୋଗ୍ୟ ହେଲେ ନାହିଁ । ତମେ କଣ କହୁଚ ଭଲା । ସରକାର ଏକଥା କରନ୍ତା ? ନଇବନ୍ଧ କାଟିଲେ ତାର ଭଲା କଣ ଲାଭ ?

 

ବରଜୁ କହିଲା, ‘‘ହଁ ସେ କଥା ମୁଁ ବି ଶୁଣିଚି । କଟକ ସହରକୁ ବଞ୍ଚେଇବାକୁ ସରକାର ବନ୍ଧ କାଟି ଦେଇ ଗାଁ ସବୁ ଭସେଇ ଦିଅନ୍ତି ।’’

 

‘‘ହେଲେ ହେଇଥିବ ଅବା । କଟକ ସହର ତ କିଛି କମ୍‌ସହର ନୁହଁ । ନାଥବାବୁ ପରା କହୁଥିଲେ, ଗୋଟାଏ ନେଖାଁ କୋଠାଘର ତୋଳାରେ ଯାହା ଟଙ୍କା ଲାଗିଚି, ସେଥିରେ କୁଆଡ଼େ ଆମ ଗାଁ ଭଳିକା ଖଣ୍ଡେ ଖଣ୍ଡେ ଗାଁ କିଣା ହୋଇଯିବ ।’’

 

ଖଣ୍ଡେ ଦୂରରେ ନଈବନ୍ଧ ଉପରେ ଦୁଇଜଣ ଲୋକ କଥା ଗପି ଗପି ଚାଲିଥାନ୍ତି । ବନ୍ଧତଳେ ପଦିଆ ବରଜୁ, ତାଙ୍କ କାନକୁ ସବୁ କଥା ଶୁଣା ଯାଉଛି । ଆଗରେ ଚାଲିଥିବା ଲୋକଟି କହି ଚାଲିଛି, ‘‘ହେଇ ସେ ଯେ ବନ୍ଧ ଉପରେ ଖଜୁରୀ ଗଛଟା ଦୁଉଚି ତମକୁ ମିଛ ମତେ ସତ । କହିବି କଣ । ଥରେ ହାଟସଉଦା କରି ବାହାରିଲା ବେଳକୁ ମୁହଁସଞ୍ଜ ହେଲାଣି । ତା’ ବୋଲି କିଛି ଅନ୍ଧାର ନୁହଁ । ସୂରୁଜ ଦେବତା ମା କୋଳକୁ ଯାଇ ନ ଥାନ୍ତି । ଠିକ୍‌ଏଇ ଜାଗାରେ ମୁଁ ଗାମୁଛା ପାଲଟି ନଈ ଭିତରକୁ ଗଡ଼ିଲି । ଶୌଚ ହବାକୁ ଯାଉଚି । ସେଇ ଖଜୁରୀ ଗଛଟା ଉପରେ ଆଖି ପଡ଼ିଗଲା । ଆଉ ଶଉଚ ହେବି କଣ ! ଆଣ୍ଠୁଏ ପାଣିରେ ତ ଛିଡ଼ା ହେଇ ଚାହିଁ ରହିଛି ।’’

 

ପଛ ଲୋକଟିର ହାତରେ ଗୋଟିଏ ସାନ କିରାସିନି ଶିଶି । ବେକରେ ତାହାର ଯତ୍ନରେ ବନ୍ଧା ହେଇ ଆଙ୍ଗୁଠିରେ ଝୁଲୁଚି । ପିଠି ଉପରେ ଗାମୁଛାରେ ଫାଶ ପଡ଼ି ପୁଞ୍ଜାଏ ବଡ଼ ବଡ଼ ମୂଳା । ମୂହଁ ପୋତି ସେ ଏକା ଲହସରେ କଥାଶୁଣି ଚାଲିଛି । ତଳେ ପଦିଆମାମୁଁ ତାଟକା ହେଇ କାନଡେରି ରହିଲାଣି ।

 

ଆଗ ଲୋକଟି କହି ଚାଲିଲା, ‘‘ ସେଇ ଖଜୁରୀ ଗଛଟା ହେ । ଦେଖୁଚ ଟିକି ।’’

 

ପଛ ଲୋକଟି ଖଜୁରୀଗଛ ଆଡ଼କୁ ଚାହିଁ କହିଲା, ‘‘ହଁ ତ ହେଲା କଣ ?’’

 

‘‘ଆଉ ହବ କଣ । ସେ କଥା ଭାବି ଦେଲେ ମୋ ତଳିପା ଯୋଡ଼ାକ ପାଣି ହେଇଯାଏ ପରା । ସେଇ ଖଜୁରୀ ଗଛଟା, ଜାଇଁଲ ମଉସା । ତା’ ଅଗଟା ଯେମିତି ବାଟୁଳିଖଡ଼ା ପରି ନଇଁ ଅଇଲା, ଏକାବେଳେ ପାଣି ଭିତରକୁ । ଘଡ଼ିକ ଉତ୍ତାରୁ ପୁଣି ଯଉଁ ସିଧାକୁ ସେଇ ସିଧା ! କଣ ଗୋଟାଏ ଥର ହେଇଚି ଯେ ଆଖି ଭରମ ହେଉଥିବ ? ଥରକୁଥର ପରା ସାତଥର ମୁଣ୍ଡ ନଇଁଲା । ଗାଁରେ ଯାଇ ଏ କଥା ମଧୁନନାକୁ କହିଲି ଯେ, ସେ ହସରେ ଉଡ଼େଇଦେଲେ । କହିଲେ, ‘‘ତୁ ତ ତେବେ ଶଙ୍କରଚାର୍ଯ୍ୟରେ । ସେ ଜଣେ ଋଷି ଥେଲେ ଯେ ମନ୍ତ୍ରବଳରେ ଖଜୁରୀ ଗଛକୁ ଏମିତି ନୁଆଁଇ କୁଆଡ଼େ ତାଡ଼ି ପିଇଥେଲେ ।’’ ହେଲେ ଦନେଇ ଯାହା କହିଲା, ତ’ କଥାତେ ମୋ ମନ ମାନିଗଲା । ସେହି ଖଜୁରୀ ଗଛରୁ ଜଣେ ଶିଅଳ ମଦ କାଟିବାକୁ ଚଢ଼ି ଖସିପଡ଼ି ମରି ଯାଇଥେଲା । ସେଇ ଦିନୁ କେତେ ହେଲେ ସେ ଗଛବାଟେ ମୁଁ ଗଲିଣିକି !’’

 

ପଛ ଲୋକଟି ମୁହଁ ନ ଟେକି କହିଲା, ‘‘ହେଲେ ସେ ଶିଅଳଟା କାହାର କିଛି କ୍ଷିତି କରି ନାଇଁ । ଜଇନ୍ତରା ଆମ୍ବତୋଟାରେ ତ ଦିନ ଦି’ ପହରେ ଲୋକେ ମରୁଛନ୍ତି ।’’

 

ଆଗ ଲୋକଟି ତାହାଠାରୁ କଥା ଛଡ଼େଇ ନେଇ କହିଲା, ‘‘ସେ ଖାଲି ଶୁଣା କଥା । ସେହି ବାଟେ ତ ମୁଁ ହଜାରେ ଥର ଯାଆସ କଲିଣି । ଯେତେ ଥର ଯାଏ ପାଖରେ କିଛି ଖାଇବା ଜିନିଷ ଥେଲେ ସେଇଠି ଟିକିଏ ରଖିଦିଏଁ । ତେବେ ଗୋଟିଏ କଥା । ଠାକୁର ପରସାଦ ଧରି ସେବାଟେ କେତେବେଳେ ହେଲେ ଯିବ ନାହିଁ । ଯଦି ଟିକିଏ ପରସାଦ ନ ରଖିଚ, ତେବେ ତମେ କି ଆଉ ପ୍ରାଣ ପାଇ ଘରକୁ ଫେରିବ ? ସେଠି ଖାଲି ଅମୋକ୍ଷ ଗୁଡ଼ାଏ ଅଛନ୍ତି କି ନା । ଦନେଇ ଡାଇଭର ଯାହା କହୁଥେଲା, ଶୁଣିଚ ସେ କଥା ? କିଣେଇ ସାବୁତଙ୍କ ଝିଅ ବାହାଘରକୁ ଟେସନରୁ ଅଭଡ଼ା ଅନ ବୋଝେଇ କରି ସେ ମଟର ଘିନି ଆସୁଥାଏ । ଖାଲି କଣ ଅଭଡ଼ା ଅନ ? ମଟର ଭିତରେ ବର ବରଯାତିରି ହେଇ ପଚିଶିକି ତିରିଶି ନୋକ । ରାତି କୁଆଡ଼େ ପହରେ କି ପାଞ୍ଚଘଡ଼ି ହବ । ମଟର ଆଲୁଅ ତ ଦେଖିଚ । ଦିହୁଡି ମିତି ଜଳୁଥାଏ । ସମତେ ତାକୁ ମନା କଲେ ତୋଟା ଭିତରେ ଯିବା ନାଇଁ । ଗାଁ ଦାଣ୍ଡ ପଛେ ଟିକିଏ ବୁଲାଣି ପଡ଼ୁ, ସେଇ ବାଟେ ଚାଲ । ସେ ତ ମଟର ଗାଡ଼ି ଚଲଉଚି । ତାର କୋଉଁ ଡରଭୟ ଅଛି ନା କାହାରି କଥାକୁ ପରାୟ କରିଛି -’’

 

ପଛ ଲୋକଟି କଥା ମଝିରେ ବାଟଭାଙ୍ଗୀ ବନ୍ଧ ତଳକୁ ଓହ୍ଲାଇ ଗଲା । ସେ ଆଉ କେଉଁ ଗାଁକୁ ଯାଉଥିବ । ଆଗଜଣକର ସେ ଆଡ଼କୁ ନଜର ନାହିଁ । ସେ ଆଗେ ଆଗେ ଗପି ଚାଲିଚି –

 

‘‘ଯେତେ ହେଲେ ଡାଇଭର ପିଲା ସେ । କେଡ଼େ କେଡ଼େ ସିପେଇ ଦିପୁଟିଙ୍କି ଜବାବ ଦେଲାବାଲା । କଣ କହିବି ମଉସା ରାଜୀବା ମତେ ଉଚ୍ଛନ୍ନ କରିଥେଲା । ମୁଁ କଣ ଆଜି ସଂସାରରେ ଘର କରି ରହିଥାନ୍ତି ? ତିନିତିନିଟା ମକଦ୍ଦମା ଯୋଡ଼ିଦେଲା ମୋ ନାଁରେ । ମୁଁ ହେଇ ମୁଣ୍ଡ - ମକଦ୍ଦମା କିଏ, ମୁଁ କିଏ । ସେଇ ଦନେଇ ଥେଲାରୁ ସିନା ମତେ ସବୁ ଆପଦରୁ ବଞ୍ଚେଇ ଦେଲା । ତାକୁ ଯାଇ କହିଲି, ‘‘ବାପ ଦନେଇ, ତୁ ନ ହେଲେ ମୋର ଏଠି ଆଉ କେହି ସାହା ଭରସା ନାଇଁ ।’’

 

ବରଜୁ କେଉଁ ବିଲରେ ମୁଗ, କେଉଁଠି ସୋରିଷ ଫସଲ, କେଉଁ ମାଟିଟା ଦୋରସା, କିଏ ଅବା ମଟାଳ ଦେଖି ଦେଖି ବନ୍ଧତଳେ ଆଗରେ ଚାଲିଛି । ପଦିଆ କେତେବେଳେ ବନ୍ଧ ଉପରକୁ ଉଠି ଯାଇ ସେହି ଗପୁଡ଼ି ଲୋକଟିର ପିଛା ଧରି ଚାଲିଲାଣି । ଲୋକଟି ଖାଲି ଆଗେ ଆଗେ ଗପି ଲାଗିଛି - ‘‘ଦନେଇ ଯଉଁ ଉପୁକାର କଲା, ତାକୁ ସାତ ଜନ୍ମରେ ସୁଝି ପାରିବି ନାଇଁ । ତାର ଉଜୁତିରୁ ଉଜୁତି ହଉ । ତମେ ଭାବିଚ ମତେ ଖାଲି ବିନା ଭଡ଼ାରେ କଟକ ପହଞ୍ଚେଇ ଦେଲା ? ନିଜେ ଯାଇ ମତେ ହାକିମ ଆଗରେ ଠିଆ କରେଇ ଦେଲା । ମୁଁ କିଏ କଟକ କିଏ ? ଓକିଲ ତ ମତେ ଦେଖି ଆଗ ଦୁର୍‌ଦୁର୍‌ ମାର୍‌ମାର୍‌ ! ଆମେ ଚଷା ଭୂଷା । ଓକିଲ ଆଗରେ ଛିଡ଼ା ହେଇ କଥା କହିବୁଁ କୁଆଡ଼ୁ-? ହେଲେ ଦେଖିଲି ହାକିମ ପିଲା ଏକା । ନଇଲେ କି ତାକୁ ଏଡ଼େ ବଡ଼ ପାହିଆ ମିଳିଚି। ଖାଲି ଗୋଟାଏ ଥର, ଜାଇଁଲ ମଉସା, ଶୁଣୁଚଟିକି –

 

ସେ ପଛକୁ ଫେରି ଚାହିଁଦେଲେ କଥାର ମଜା ଭାଙ୍ଗିଯିବ ବୋଲି ପଦିଆ ମଝିରେ ମଝିରେ ଗୋଟାଏ ଅଧେ ହୁଁ ହାଁ କରି ଦେଉଥାଏ ।

 

‘‘ଖାଲି ତ ଗୋଟାଏଥର ସେ ମୋର ଗୋଡ଼ରୁ ମୁଣ୍ଡ ଯାକେ ଅନେଇ ଦେଲା । ମୁଁ ହାତଯୋଡ଼ି କାଠଗଡ଼ା ଭିତରେ ଛିଡ଼ା ହୋଇଥାଏଁ । ସାହସ ବାନ୍ଧି କହିଲି, ହଜୁର, ମତେ ତିନି ଓଳିରେ ଓଳିଏ ଦାନା ମିଳେ ନାହିଁ । ମତେ ଖାଲି କଟକ ଦଉଡ଼େଇ ଦହସତ କରିବ ବୋଲି ମକଦ୍ଦମା ଖଞ୍ଜି ଦେଇଛି । ଆଜିଯାକେ ମୁଁ ନାଲିମାଟି ମାଡ଼ି ନଥେଲି, ହଜୁର । ମୁଁ କାହିଁକି ତା ଗଛରୁ ଡାଳ ହାଣିବି, ହଜୁର । ମାଇପେ ମାଇପେରେ କଜିଆ କଲେ । ଦୋଷ ଭିତରେ ମୁଁ ଖାଲି ତାକୁ ଯାହା ତେଜି କରି ପଦେ ଅଧେ କହିଥେବି । ଦେଖିଲି ପରା ହାକିମ ପିଲା । କଣ ବିଚାରିଲା କେଣାଣି, କହିଲା, ହଉ ଯା, ଆସାମୀ ନିରିଦୋଷରେ ଖଲାସ । ଯେତେହେଲେ ହାକିମ ପିଲା । ନଇଲେ ମତେ ରାଜୀବା ସାଉ ଯାହା କରିଥେଲା, ଆଉ କଣ ସଂସାରେ ଠାବ ମିଳନ୍ତା ?’’

 

ପଛ କଥା ମନେପଡ଼ି ତାର ପାଟି ଖନି ମାରିଗଲା । ନିଶ୍ୱାସ ବେଗରେ ବୋହିଲା । ଆଙ୍ଗୁଠି ଅଗରେ ଆଖି ସଫା କରି ସେ ପୁଣି କହିଲା, ହଁ, କଣ କହୁଥେଲିଟି । ଢେଙ୍କିଶାଳରୁ ଢେଙ୍କାନାଳ ଯାଏ ଗଲିଣି । ଦନେଇ ତ ମଟର ଚଳଉଥାଏ । ଯେମିତି ଆସି ଜଇନ୍ତରା ତୋଟାପାଖେ ହେଇଛି, ମଟର କି ଆଉ ଚାଲେ ! ଇଞ୍ଜନ ଫିଟେଇ ଦେଖିଲା, କଉଁଠି କିଛି ଅସଜ ନାହିଁ । ମଟର ଭିତରୁ କିଏ ଜଣେ କହିଲା, ହେଇ ସେ ଗଛ ମୂଳକୁ ଅନେଇଲ । ଚାହିଁ ଦେଲାବେଳକୁ ଗୋଟାଏ ନୁହଁ କି ଯୋଡ଼ାଏ ନୁହେଁ, ଏକାବେଳେକେ ଦଶ ବାରଟା । କାହାର ମୁଣ୍ଡ ନାହିଁ, ସମତେ ହାତ ହଲେଇ ନାଚୁଛନ୍ତି ! ରୁଆଏ ନେଖାଁ ପରସାଦ ତଳେ ରଖି ଦେଲାରୁ ମଟରଟା ପୁଣି ସୁ ସୁ ରଡ଼ି ଛାଡ଼ି ଚାଲିଲା । ଆରେ ବାବୁ, ପୁଣି କୋଡ଼ିଏ ହାତ ଯାଇଚି କି ନାଇଁ, ଦେଖିଲା ବେଳକୁ ମଟର ଆଗରେ ଗୋଟାଏ କାଠଗର । ଦି’ପାଖେ ତ ଯୋଡ଼େ ଖାଲ । ମଟର ଆଉ ଯାଉଛି କୁଆଡ଼େ ! ପଛ ଆଡ଼ିଆ ଫେରେଇବ ନି କି । ପୁଣି କଣନା, ମଟର ଯେତିକି ପଛେଇଲେ, ସେ କାଠଗର ସେତିକି ତା’ ଆଗକୁ ଗଡ଼ି ଗଡ଼ି ଆସିଲା । ଯେତେକ ପରସାଦ ନେଉଥିଲେ ସବୁ ଆଣି ନ ଥୋଇବାକୁ ଚାରା କାହିଁ । ତେଣିକି ଆଉ କାଠଗର ନାହିଁ, ବାଟ ଏକାବେଳକେ ସଫା । କଣ କହୁଚ, ଏତେ ନୋକ ଥେଲାରୁ ସିନା । ନଇଲେ ଦନେଇ ନା ଦନେଇ ପେରି ପଣେ ! ସେଠୁଁ ପ୍ରାଣ ପାଇ ଫେରିଥାନ୍ତା ? ସେ ଆଉ କିଛି ନୁହଁ, ବୁଝିଲ ମଉସା । ଜରନ୍ତରା ଖଣ୍ଡେଇତ ଆଗେ ତ ଭାରି ‘ଡାକୁ’ ଥେଲେ । ଏଇ ତୋଟାରେ କେତେ ବାଟୋଇଙ୍କି ଛେଦି ନାହାନ୍ତି । ତମ ପିଲା ଦିନେ କଣ ଶୁଣିନ ? ସେତିପାଇଁ ଆଗେ କଣ ଏକାଟେ ବେଶି ଯା ଆସ ଥେଲାକି ? ଯାହା କହ, ସରକାର ଏବେ ଯଉଁ କାଇଦା କରିଚି - ବାଘ ବକ୍ରି ଏକାଠେଇଁ ପାଣି ପିଉଚନ୍ତି । ଚୋର ଖଣ୍ଟକୁ ପରାୟ କାହାର ?’’

 

ପଦିଆ ତଳକୁ ଓହ୍ଳାଇ ଆସି କହିଲା, ‘‘ଶୁଣିଲ ପଧାନେ, ଆମେ ସେ ତୋଟା ବାଟେ ଯିବା କେମତି ?’’ ବରଜୁ ଗୋଟାଏ ବେଖାତିରି ହସ କହିଲା, ‘‘କଣ ଦିନ ଦି’ ପହରେ ଆମକୁ ଭୁତ ଡରେଇବ !’’

 

‘‘ବାଉଳା ହେଲ, ଦିନ କଣ ରାତି କଣ ହେ । ସେ ବାଟେ ଆମର ନ ଗଲେ କଣ ଚଳୁ ନାହିଁ ? ତମେ ଚାଲ, ମୁଁ ସଳଖ ବାଟ ବତେଇ ଦେବି ଯେ ।’’

 

ଗାଁମୁଣ୍ଡ ତବକା ଖଣ୍ଡକରେ ଦୁହେଁ ହାତଗୋଡ଼ ଧୋଇ ଗାଁ ଭିତରେ ପଶିଲେ । ବରଜୁ ସେଇ ବାଟେ ଆଗରୁ କେତେଥର ଯା ଆସ କଲେ ବି ଗାଁ ଭିତରଟା ଦେଖି ନଥିଲା । କେଉଁ ଘର କାହାର, ପଦିଆ ମାମୁଁକୁ ପଚାରି ବୁଝୁଥାଏ । ବାଜିରାଉତ ଦୁଆର ମୁହଁକୁ ଆସି ଦୁହେଁ ଛିଡ଼ା ହେଲେ-। ଘରୁଟା ଉଜୁଡ଼ା ପଡ଼ିଥିଲେ ବି ଉଞ୍ଚ ପିଣ୍ଡାରୁ ଜଣାଯାଏ ପୁରୁଣା କାଳିଆ । ପିଢ଼ା ଉପରେ କେତେଗୁଡ଼ାଏ ପାଣିକଖାରୁ ପାଉଁଶିଆ ଧରିଗଲାଣି । ଆଉ କେତେ ଫୁଲ କସି ହେଇଛି । ପିଣ୍ଡାତଳେ ଗୋଟାଏ ଶଗଡ଼ଚକ ଡେରା ହୋଇଛି । ତାହା ପାଖରେ ପାଣି କସ ହୋଇ ଗୋଛାଏ ବତା ବାଉଁସ । ଘର ସାମନାରେ ଗୋଟାଏ ମେଲା ଡିହରେ ନଳିତା କିଆରୀରେ ଫୁଲ ଧରିଲାଣି । ତିନି ଚାରିଟି ପିଲା ଧୂଳିଘର କରି ଖେଳୁଥିଲେ ।

 

ପଦିଆ ଡାକିଲା, ‘‘କିରେ ପିଲେ, ଭାତ ରାନ୍ଧୁଚ ପରା ଆମକୁ ଗଣ୍ଡେ ଦବ କି ?’’ ସାତ ଆଠ ବର୍ଷର ଝିଅଟିଏ ତାକୁ କେତେବେଳେ ଯାକେ ଏକା ନଜରରେ ଚାହିଁ ରହିଥିଲା । ଚିହ୍ନିପାରି ଜବାବ ଦେଲା, ‘‘ତମେ ଆମକୁ ମୁଢ଼ି ଦବ ?’’ ପଦିଆ ଡାକିଲା, ‘‘ଆଇଲୁ ମା, ଏଠିକି ।’’ ପିଲାଟି ପଦିଆ ପାଖରେ ଜଣେ ଅଚିହ୍ନା ଲୋକକୁ ଦେଖି ଆସିଲା ନାହିଁ । ପଦିଆ ଯାଇ ପଚାରିଲା, ‘‘ବାଜି ରାଉତ ଘରେ ନାହାନ୍ତି କି ?’’ ଝିଅଟି କହିଲା,‘‘ବାପା ବିଲକୁ ଯାଇଚି ମୁଗ ବୁଣି ।’’- ‘‘ଆଉ ତୁ ଏଠି କରୁଚୁ କଣ ? ଘରେ କଣ ଆଉ କେହି ନାହାନ୍ତି ?’’- ‘‘ମୋ ବୋଉ ପରା ଧାନ ଉଷଉଁଚି-’’ କହି ଦେଇ ପିଲାଟି ଖେଳରେ ମନ ଦେଲା ।

 

ଘଡ଼ିକ ପରେ ବାଜିରାଉତ ବିଲକୁ ଫେରିଲା । ପଦିଆଠାରୁ ସବୁ କଥା ଶୁଣି ପକେଇ କୁଳୁଆଁ ଚର୍ଚ୍ଚାରେ ଲାଗିଗଲା । ଘର ଭିତରେ ଭାରିଯା ଧାନ ଉଷୁଆଁ ଛାଡ଼ି ଜଳଖିଆ ସାମଗ୍ରି ସଜାଡ଼ିଲା । ବନ୍ଧୁ ନ ହେଲାଯାକେ ତ କେହି କାହାଘରେ ସଙ୍ଖୁଡ଼ି ହେବେ ନାହିଁ । ଟୁଙ୍ଗିଘର ହାଣ୍ଡି ଦରାଣ୍ଡି ଦେଖିଲା, ସେଥିରେ ଆଠ ଦିନ ତଳର କେତୁଟା ଆରିସା ପିଠା ପଡ଼ିଛି । ବାକୀ ଖଇ ଚୁଡ଼ାପୁଆ ଆମ୍ବୁ ଲଗାଇ ନିଜଘରୁ ସାଇପଡ଼ିଶାରୁ ଯୋଗାଡ଼ କରିଦେଲା । ଘରେ ଦୁହାଳ ଗାଈ, ହେଲେ ବି ପାଳୁଆ ଗଣ୍ଡେ ତ ଦରକାର । ବାଜି ରାଉତ ବନ୍ଧୁଆ ଦୋକାନକୁ ଯାଇ କେଉଁ କାଳର ଗମରା ପାଳୁଅ ଆଣି ଦେଲା । ପଦିଆ କହିଲା, ‘‘ତମେ ତ ଖାଲି ଧାଁ ଧପଡ଼ କରିବାରେ ଲାଗିଲ ରାଉତେ, ଆମେ ପରା ଦି’ପଦ କଥା ହେଲେ ବାହାରିଯିବୁ ।’’

 

‘‘ହଁ ହେ, ବାହାରିଯିବ କୁଆଡ଼େ ? ତମେ ସିନା ସବୁଦିନିଆ । ଆମର ଆଜି କେଡ଼େ ଭାଗ୍ୟ, ପଧାନଙ୍କ ପାଦ ପୁଣି ଆମ ଦୁଆରେ ପଡ଼ିଲା । ତମେ ପାନ ଭାଙ୍ଗିବଟି । ମୁଁ ଏଛୁଣି ଆସୁନି କି ।’’ ବାଜି ରାଉତର ଉମର ପଚାଶ ଉପରେ ହେବ । ତେବେ ଦାନ୍ତଗୁଡ଼ିକ ବେଶ୍‌ଟାଣ ଅଛି । ମୁଣ୍ଡରେ କେରାଏ ବୋଲି ବାଳ । ବାରପଣ ପାଚି ଆସିଲାଣି । ଆଖି ବାଳଯାକ ବି ଧଳା ହୋଇଯାଇଛି । ନାକଟି ସରୁ, ସଳଖ । କାନ ଉପରେ ବେଢ଼ି ଘାସବୁଦା ପରି କେରାଏ ଲେଖାଁ ଧଳାବାଳ । ଛାତିଟା ବି ପେଟଯାକେ ଧଳାବାଳରେ ଘୋଡ଼େଇ ହେଇ ପଡ଼ିଚି । ଚମଡ଼ାଟା ଖରାରେ ସିଝି ପାଣିଖାଇ ଟାଁସା ଧରି ଗଲାଣି ।

 

ଜଳଖିଆ ବରାଦ କରିସାରି ବାଜି ରାଉତ ଝିଅ ଦେଖେଇବାପାଇଁ ଯୋଗାଡ଼ କରିବାକୁ ଘରଆଡ଼େ ବରାଦ କରିଦେଲା । ସାଇପଡ଼ିଶାରୁ ଦି’ଚାରି ଜଣ ମାଇପେ ଆସି ଜୁଟିଗଲେ । କିଏ ଝିଅର ମୁଣ୍ଡ ବାନ୍ଧିବସିଲା । ଆଉ କିଏ ଗୋଡ଼ଖଡ଼ୁ, ହାତଖଡ଼ୁ ପିନ୍ଧାଇ ଦେଲା । ପାଦରେ ଅଳତା, ଆଖିରେ କଜ୍ଜ୍ୱଳ, କପାଳରେ ଟିକିଲି ନାହିଁ, ଖଣ୍ଡେ ନାଲି କୁମ୍ଭଶାଢ଼ୀ ପିନ୍ଧି ଦୁଲାମଣି ଖାସା ଡଉଲ ଦିଶିଲା । ଝିଅ ଦେଖି ବରଜୁର ମନ ବି ମାନିଗଲା । ସତର ଅଠର ବର୍ଷର ଝିଅ । ଗୌରାଙ୍ଗ ପାଇଁ ନ ହେବ କାହିଁକି ? ବୁଢ଼ା ରାଉତ ଭଲ କରି କୁଳୁଆଁଙ୍କୁ ଚର୍ଚ୍ଚା କଲା । ଝିଅଟିତ ତାର ସୁଖରେ ରହିବ-। ଆଉ କଣ ଲୋଡ଼ା ? କଥା ତ ଦିଆନିଆ ହୋଇଗଲା । ଆଉ କଣ ? ଆସନ୍ତା ମାଘ ମାସରେ ବାହାଘର । ବରଜୁ କହିଲା, ‘‘ତମ ଖୁସି, ତମେ ତମ ଝିଅଜ୍ୱାଇଁଙ୍କୁ ଯାହା ଦବ । କିଛି ଦେଲେ ଖୁସି, ନ ଦେଲେ ଖୁସି । କଣ କହୁଚ, ମାମୁଁ ? ଆମର ତ ଝିଅ ପାଇଁ ସବୁ ଅଳଙ୍କାର ଅଛି ।’’

 

ପଦିଆ କିଛି କହିବା ଆଗରୁ ବୁଢ଼ା ରାଉତ ଜବାବ ଦେଲା, ‘‘ଦବାନବା କଥା କାହିଁକି ପଚାରୁଚ ? ମାଣିକଯୋଡ଼ା ଗାଁର ନନ୍ଦବିଶୋଇ ଘର ତ ଜାଣିଚ । ଅଚଳାଚଳ ସମ୍ପତ୍ତି । ଦି’ଦିଟା ଭଲଲୋକ ଆସି ଫେରିଗଲେ । କେତେ ଫୁସୁଲାଇଲେ, ହାତୀ ଦବୁଁ, ଘୋଡ଼ା ଦେବୁଁ, ତାହା ବୋଲି ମୁଁ ଜାଣୁଁ ଜାଣୁଁ ଝିଅଟାକୁ ଫସେଇ ଦିଅନ୍ତି ? ନନ୍ଦ ବିଶୋଇ ମୋଠୁଁ ବି ଆଠ କି ଦଶ ବର୍ଷ ବଡ଼ । ଆଠ ଦଶୁଟା ପିଲାଛୁଆ ନାତି ନାତୁଣୀ । ତେବେ କେତେ ଲୋକ କେତେଭାବରେ ଆସି କହିଲେ, ବ’ସ ହେଲେ କଣ ହେଲା । କାଲି ସକାଳେ ସେ ତ ଆଖି ମୁଦିଲେ ତମ ଝିଅ ହବ ଘର ଗୋଟାକର ରାଣୀ । ଦୁଲାବୋଉକୁ ପଚାରିଲି, ସେ କହିଲା ଆମର ରାଣୀ ହବା ଲୋଡ଼ା ନାଇଁ । ମୋ ଝିଅ ପଛେ ଗରୀବ ଘରେ ଧାନ କୁଟି କରି ପେଟ ପୋଷିବ । ତମେ ତ ଜାଣ ସାହୁପୁଅ, ତିନି ତିନି ଥର ହରିପୁରକୁ ଯାଇ ନେଉଟିଥିବି । ସେଠି କଣ ମୋର ଆଶା ଥିଲା କି ? ଦୋ’ଡ଼ ପକ୍ଷ ହେଲେ କଣ ହବ, ଜୋଇଁଙ୍କର ତ ଏମତି କିଛି ବ’ସ ହେଇ ନାହିଁ ।’’

 

ବରଜୁ କହିଲା, ‘‘ବ’ସ କଣ ପଚାରୁଛ ହେ । ସେ ତ ଆମ ଆଗର ପିଲାଟା । ତା କର୍ମ ମନ୍ଦ । ନଇଲେ କି ସେ ଆଜିଯାକେ ବାହା ନ ହେଇ ବୁଲୁଥାନ୍ତା ।’’

 

‘‘ଘରେ ପରା ମୁରବି ହେଇ ଜଣେ କେହି ରହିଲେ ନାଇଁ । ତେବେ ଯେଡ଼େ ବଡ଼ ଦାଉ ସେ ସମ୍ଭାଳି ଗଲେ । ହଉ, ହଉ, ତମେ ଆସି ଖୁବ୍‌ଭଲ କାମଟାଏ କଲ । ଘରଟାକୁ ଯାହା ଟକିଏ ଆଇତି କରିଦେଲ ।’’

 

ରାତି ହୋଇଗଲା । ଜଇନ୍ତରା ତୋଟା କଥା ମନେ ପଡ଼ି ପଦିଆ ବିଚରାର ଛାତି ଥରୁଥାଏ । ମଳୁ ଲୋଡ଼ିବାକୁ ବଇଦ ବତେଇଲା ପରି ବୁଢ଼ା ରାଉତ ବି ଜିଗର କରି ରାତିରେ ସେ ଦିହିଙ୍କି ଛାଡ଼ିଲେ ନାହିଁ । ବରଜୁ ରହିବା ପାଇଁ ଟିକିଏ ହେଲେ ଇଚ୍ଛା ନ ଥାଏ । ପଦିଆ ଟିକିଏ ଚିଡ଼ିଲା ଭଳି କହିଲା, ‘‘ରାତି ଅଧରେ ଘରେ ପହଞ୍ଚି ଶୋଇବା ଛଡ଼ା ତ ଆଉ କିଛି କାମ ନାଇଁ । ଏଇଠି ଶୋଇ ପଡ଼ିଲେ କଣ ହବ ନି ? ସତ କଥା କହି ଦଉଚି, ମୁଁ ଟିକିଏ ଡରକୁରା ମଣିଷ । ରାତି ଅଧରେ ଅଗଣା ମଝିକୁ ବାହାରିଲେ ନବୀନାବୋଉ ନ ଉଠିଲେ ତ ଖୋଦ୍ ପଦାକୁ କାଢ଼ିବି ନାଇଁ । ସତ କଥା ତ, ଏତେ ଲୁଚା ଛପା କାଇଁକି !’’

 

ବରଜୁ କହିଲା, ‘‘ଓଃ ସତେ ତମକୁ ଏତେ ଡର ?’’

 

‘‘ତମକୁ ତ ଜମାରୁ ଡର ଭୟ ନ ଥିବ ପରା । ଏକୁଟିଆ ଏତେବେଳେ ଦେଖି ଜଇନ୍ତରା ତୋଟା ବାଟେ ଚାଲିଗଲ, ଜାଣିବା ତା’ ହେଲେ ପୁଅ ।’’

 

ବରଜୁ ଠୋ ଠୋ ହସି ଉଠିଲା । ପଦନ ସାହୁ ଆଗରୁ କେବେ ବରଜୁର ଏଡ଼େ ଜୋର ହସ ଶୁଣି ନ ଥିଲା ।

 

ହରିପୁର ଗାଁଟାର ଘରଗୁଡ଼ାକ ଏତେ ଲଗାଲଗି ହେଲେ ବି ପଧାନପଡ଼ା ଭଳି ଲୋକଙ୍କ ଭିତରେ ମନ ମେଳ ନାହିଁ । ଜଣକ ମୁହଁ ଏଣିକି ହେଲେ ଆଉ ଜଣଙ୍କର ତେଣିକି । କାହାରି ଶିରି କେହି ଦେଖି ପାରନ୍ତି ନାହିଁ । ଶେଷରେ ସମସ୍ତେ ହରକତ ହୁଅନ୍ତି ।

 

ଗୋରୁ କାଇଦା ନ ହୋଇ ଏ ବର୍ଷ କୋଳଥ ଫସଲଟା ଉଜୁଡ଼ିଯିବା ଉପରେ । ସେଥିସାଙ୍ଗରେ ସୋରିଷ, କୋଳଥ ଯେମିତି ଝଙ୍କା ହୋଇ ଲଟେଇଚି, କିଆରୀକୁ ଚାହିଁଲେ ମନେହୁଏ ସତେ ଅବା ଖାଲି ସୁନା ଜରିର ବନାରସ ଶାଢ଼ୀଟାଏ କେଜାଣି କେତେ ଦୂରଯାଏ ପଡ଼ିଛି-। ଖେତ ଭିତରେ ଗୋରୁ ଖୋଜ ପଡ଼ିଲେ କି ଫସଲ ଉଧାଏ ! ରାତିରେ ଥରେ ଅଧେ କାହାର ଓଲେଇ ଗାଈଟା ଖୁଣ୍ଟ ଉପାଡ଼ି କିଆରୀ ଭିତରେ ପଶିଲା । ତା ଦେଖାଦେଖି ଆଉ କିଏ ଜାଣି ଶୁଣି କସରା ଦାମୁଡ଼ିଟାକୁ ରାତି ଅଧରେ ଫିଟେଇଦେଲେ । ତା’ ପରେ ଜଣ ଜଣ କରି ଆଉମାନେ ନିଜ ବାଛୁରୀଗାଈଙ୍କୁ ଛାଡ଼ିଲେ । ଖାଇବେ ଯେବେ ସବୁରି ଗୋରୁ ଖାଆନ୍ତୁ, ଜଣେ ଦି’ ଜଣଙ୍କର ଖାଇବେ କାହିଁକି ? ଶେଷକୁ ରୋଜ ବଡ଼ ଭୋରରୁ ଦେଖାଗଲା, ହରିପୁର ଗହିରରେ ଗୋଠେ ଗୋରୁ କୋଳଥ କିଆରୀରେ ଚରୁଛନ୍ତି । ଏହା ପୁଣି ବରଜୁ ପଧାନର ଦିହ ସହେ କେତେକେ ?

 

ସେ ଗାଁ ଭିତରେ ଘର ଘର ବୁଲି ସମସ୍ତଙ୍କୁ ନେଉରା ହେଲା । ଜଣକୁ କହିଲେ ସେ ଆଉ ଜଣକର ଉଲଖା ଦିଏ । ସେ ଆଗ ଗୋରୁ ଅଟକ ନ କଲେ ୟେ’ କାହିଁକି କରିବ ? ଫସଲ କରିବାକୁ ମୂଳ ଲଗୁତି ସବୁରି ତ ଖରଚ ହେଇଚି । ଗୋରୁ ଚରିବେ ଯେବେ ସବୁରି ଚରନ୍ତୁ ।

 

ବରଜୁ ସମସ୍ତଙ୍କୁ କହି କହି ଥକିଲା । କିଏ କହିଲା, ‘‘ଏତେ ଖୋସାମତ ପଡ଼ିଚି କାହିଁକି, ପଧାନେ ? ସବୁ ଗୋରୁଙ୍କ କାଞ୍ଜିହାସାରେ ଥରେ ଦି’ଥର ପକେଇ ଦେଲେ ତ ନଟ ଗଲା ।’’ ତେବେ କେହି ଜଣେ ଆଗୁଆ ହୋଇ ବାହାରିଲେ ନାହିଁ । କେଉଁ ଗୋଟିକ ଭଲ ଯେ, କାହାକୁ କିଏ ଦୋଷ ଦେବ !

 

ରାଜୀବ ସ୍ୱାଇଁ କହିଲେ, ‘‘ମରନ୍ତୁ ସବୁ ଶଳାଯାକ । ତୁମେ କାହିଁକି ବାର ଦୁଆର ଦଉଡ଼ିଚ ପଧାନେ । ଏ ଶଳାଙ୍କୁ ଯେବେ ଭଲ ଗତି ଥାନ୍ତା, କମେଇଲା ଫସଲା କିଏ ଉଜାଡ଼େ ଭଲା-!’’ ଦରଜୁର ମନ ମାନିଲା ନାହିଁ । କେତେ ଲୋକ ତାହା ଆଗରେ ଭାରି ଭଲେଇ ହୋଇସାରି ସେ ଚାଲିଗଲା ପରେ ପଛରେ ଟାହି ଟାପରା କରନ୍ତି, ‘‘କିଓ କୁଳୁଆଁଙ୍କୁ କିଆଁ କାନ୍ଥ ଗରୁ ? ତମେ ତ କେଇଟା ଦିନ ପେଇଁ ବନ୍ଧୁଘର ଆଇଚ । ତମର କାଇଁକି ଏଡ଼େ ଚିନ୍ତା ?

 

ତେବେ ବରଜୁର ଚିନ୍ତା ବଢ଼ିଲା ସିନା କମିଲା ନାହିଁ । ସବୁରି ଏମିତି ଅବୁଝାମଣା ପଣରୁ କଣ ଗାଁ ଗୋଟାକର ଫସଲ ନଷ୍ଟ ହେବ । ବରଜୁ ହାତରେ କଣ କିଛି ହେଲେ ଉପାୟ ନାହିଁ-? ଉପାୟ ଖୋଜି ଖୋଜି ଦୁଇ ରାତି ତାର ପଲକ ପଡ଼ିଲା ନାହିଁ । ଆଖି ଆଗରେ ନାଚି ଉଠିଲା ରାତି ଅଧରେ ଗୋଟାଏ ଭୟାନକ ଦୃଶ୍ୟ- ହରିପୁର ଗାଁର ଗହୀର ଗୋଟାଏ ଅନାବାଦୀ ମରୁଭୂଇଁ ହୋଇ ପଡ଼ିଛି, ସେଥିରେ ଆଉ କୁଶ କଅଁଳିବାକୁ ନାହିଁ । ପୁଣି ହରିପୁରର ସେଇ ଉଦାଖିଆ ଗୋରୁ ଗୋଠଟା ପାଟଳି, ଆମ୍ବଝରି, ଓଡ଼ଗାଁ, ଫକୀରପଡ଼ା ଡେଇଁ ଶେଷରେ ପଧାନପଡ଼ାର ଗହୀରକୁ ବି ପଦା କରି ଦେଲେଣି । ବରଜୁର ତାଳୁରୁ ତଳିପାଯାକେ ମାଘ ମାସ ଜାଡ଼ରେ ବି ତାତି ଉଠେ । ଚମକି ପଡ଼ି ସେ ବିଛଣାରେ ବସେ । କଣ କରିବ ବିଚାରେ । କାହାକୁ ଆଉ କହିବ ?

 

ଅନିଦ୍ରା ହୋଇ ବିଛଣାରେ କେତେ ରାତି ସେ ପଡ଼ି ରହିବ ! ନିଶା ଗର୍ଜ୍ଜୁଛି । ସ୍ୱାଇଁବାଡ଼ି ବାଉଁଶବୁଦା ଗହଳରୁ ପହରିକିଆ ଚଢ଼େଇ ଅଧରାତିଆ କାହାଳୀ ବଜେଇଲେଣି । ଅନ୍ଧାର ପକ୍ଷର ଦଶମୀ ଜହ୍ନ ତଳରେ ଧଳା ଚାନ୍ଦୁଆ ଭଳି ଗୋଟାଏ ପାଉଁଶିଆ କୁହୁଡ଼ି ଝୁଲି ପଡ଼ିଥାଏ । ଚାରିଆଡ଼ର ନିଶୂନତା ମଧ୍ୟରେ ହରିପୁର ଗହୀର ମଝିରେ ଏକା ହୋଇ ଏ କିଏ ଚାଲିଛି ? ଭୂତ ନା ମଣିଷ ? ମୁଣ୍ଡରେ ଠେକା ହାତରେ ଠେଙ୍ଗାଟା ଧରି ଟଙ୍ଗ ଟଙ୍ଗ ହୋଇ ସେ କିଆରୀକୁ କିଆରୀ ଗୋରୁ ଅଡ଼େଇ ଯାଉଛି । ଶୀତ କଷ୍ଟରେ ରହି ରହି ବିଲୁଆ ରଡ଼ି ଛାଡ଼ୁଛି । ଏହି ମୂର୍ତ୍ତିଟିର କାନକୁ କିଛି ଯେମିତି ଶୁଣା ଯାଉ ନାହିଁ । ଦେହ ଗୋଟାକ ଓଦା ସରସର ହେଲାଣି । କୁହୁଡ଼ି ଅନ୍ଧାରରେ ଉଣ୍ଡି ଉଣ୍ଡି ସେ ଖାଲି ଗୋରୁ ଖୋଜିବାରେ ଲାଗିଛି । ଆଉ ଚାଲିଚି ଯେମିତି ଶୀତ ରାତିର ଗୋଟାଏ ଯମ ।

 

ଚାହୁଁ ଚାହୁଁ ସେ ହରିପୁର ଗହୀର ଗୋଟାକ ବୁଲିଆସି ଗୋରୁଗୁଡ଼ିଙ୍କୁ ଠୁଳ କଲା । ପହରିକିଆ ଚଢ଼େଇ ଶେଷ ରାତିର କାହାଳୀ ବଜେଇଲେ । କେଉଟ ସାହିର ଚୂଡ଼ାକୁଟା ଦୁମୁକ ଗାଁ ଗୋଟାକୁ ଦୁଲୁକେଇ ଦେଲା । ପଚାଶ ଷାଠିଏ ଗୋରୁଙ୍କୁ ଅଡ଼େଇ ସେହି ମୂର୍ତ୍ତିଟି ଗାଁ ଭିତରକୁ ଆଣୁଛି । ମାଘ ସ୍ନାନ ସାରି ଜଣକେତେ ବିଧବା ମାଇପେ ବିଲ ମଝିରେ ବସି ଗୟସ ଫୁଲ ତୋଳୁଛନ୍ତି, ମହାଦେବଙ୍କୁ ଲାଗି କରିବେ । ତାଙ୍କ ସାଥିରେ କେତୋଟି ସାନ ପିଲା ଓ ସଧବା ଝିଅ ବି ପାହାନ୍ତାରୁ ଗାଧୋଇ ଫୁଲ ତୋଳୁଛନ୍ତି । ଗୋରୁଗୋଠଟା ସେଇ କିଆରୀବାଟେ ପଶିଲା । ମାଇପି ପିଲା ଗୁଡ଼ିକ ଉଠି ପଡ଼ି ଏକ ପାଖିଆ ହୋଇଗଲେ । ପଛରେ ଡଗଡଗ ଚାଲିଥିବା ମଣିଷଟି ହେ ହେ ଡାକ ଛାଡ଼ି ଗୋରୁ ଅଡ଼ାଉ ଥାଏ ।

 

ଜଣେ ବିଧବା କହି ପକେଇଲା, ‘କିଏ ସେ ମ ଏଇଟା ? ତତେ କଣ ମଣିଷ ଦିଶୁ ନାହାନ୍ତି କି ? ଏଡ଼ିକି ସକାଳୁ ଗୋରୁ ତଡ଼ି ଲାଗିଚୁ ?’’

 

ଲୋକଟିକୁ ଦୂରରୁ ଚାହିଁ ଆଉ ଜଣେ କହିଲା, ‘‘ମଲା ଏତ ବନ୍ଧୁଆ ଗଉଡ଼ ହବ ପରା ! କୋଳଥ ଚରେଇବ ବୋଲି ତାକୁ କଣ ରାତିରେ ନିଦ ଅଛି କି ? ହଉ ରହିଥା, ଦିନ ହେଲେ ତୋ ମଜା ନିକିଲି ଯିବନି କି ?’’

 

ଲୋକଟା ଏକା ନିଶ୍ୱାସରେ ଗୋଠ ପଛେ ପଛେ ଧାଇଁଥାଏ । ସେ ଗୋରୁ ତଡ଼ିବା ଛଡ଼ା ଦୁନିଆ ଭିତରେ ଏଛୁଣି ଆଉ ଯେମିତି କିଛି ଜାଣେ ନାହିଁ ।

 

ମଥୁରୀ ସାହୁଙ୍କ ଝିଅ ଉମା ବିଧବା ଦୁହିଁଙ୍କି ଚପେଇଦେଇ କହିଲା, ‘‘ଯାଃ, ବଡ଼ ନାକରା ମଣିଷ ଗୁଡ଼ା ତମେ । କାହାକୁ ଯେ କଣ କୁହ, ତମ କଥାର ବାଗ ସାଗ ନାହିଁ ।’’

 

‘‘କାଇଁକି, ସେ କ’ଣ ବନ୍ଧୁଆ ଗଉଡ଼ ନୁହଁ ?’’

 

‘‘ତୁନି ହ, ଆଉ ବେଶୀ ଗୁଡ଼ାଏ କହନା । ତୁ ଯେଉଁ ମଣିଷ ଚିହ୍ନୁଟି କି ?’’

 

‘‘ତୁ କେମିତି ଚିହ୍ନୁଚୁ କହିଲୁ ଭଲା କିଏ ସେ ?’’ ଉମା କହିଲା, ‘‘ମତେ ନାଗୁଚି ଶେଣ ଘରକୁ ଯଉଁ ଲୋକ ଜଣକ ଚାରି ମାସ ହେଲା ଆସିଚି ତାରି ଭଳି ।’’

 

‘‘ତୁ ଭାରି ଠିକଣା କଥା କହୁଚୁ ଉମା, ସେ କାହିଁକି ଏଡ଼େ ପାହାନ୍ତରୁ ଗୋରୁ ଅଡ଼ନ୍ତା କିଲୋ ?’’ ସମସ୍ତେ ବସି ପୁଣି ଫୁଲ ତୋଳିଲେ ।

 

ସତୁରି ପଞ୍ଚସ୍ତରି ବର୍ଷର ବୁଢ଼ା ବନମାଳୀ ମିଶ୍ରେ କେତେବେଳୁଁ ମାଘସ୍ନାନ ସାରି କୋତରା କାଣ୍ଟିଆ ଖଣ୍ଡେ ପିନ୍ଧି କପାଳେଶ୍ୱର ଦେଉଳକୁ ଚାଲିଥିଲେ । ଶୀତରେ ଦୁଇ ପାଟି ଠକ ଠକ କରି କେତେ କଣ ବୋଲି ଲାଗିଛନ୍ତି । ‘‘ନାରାୟଣଂ ନମୋସ୍କୃତ୍ୟଂ ନରଂ ଚୈବ ନରୋତ୍ତମଂ, ଓଁ ନମଃ ଶିବାୟ, ନମଃ ଶିବାୟ, ନମଃ ଶିବାୟ ।’’ ଗୋରୁପଲ ଦେଖି ତାଙ୍କ ମନ୍ତ୍ର ପାଠ ବନ୍ଦ ହୋଇଗଲା । ପାଟି କରି ଉଠିଲେ, ‘‘ଆରେ ଏ ଗୋରୁ ଗୁଡ଼ା ଏତେବେଳେ କୁଆଡ଼ୁ ଆସିଲେ ?’’ ପଛରେ ଠେଙ୍ଗାଧରି ଆସୁଥିବା ଲୋକ ଜଣକ ତାଙ୍କୁ ଦଣ୍ଡବତ ହେଲା । ମିଶ୍ରେ ଆଶୀର୍ବାଦ କଲେ ‘‘ସର୍ବାରିଷ୍ଟ ଶାନ୍ତି ଭବତୁ । କିଏ ରେ ତୁ ? ଏଡ଼େ ପାହାନ୍ତାରୁ ଗୋରୁ ଚରେଇ ବାହାରିଚୁ । କିରେ, ଏ ଗାଁଟାକୁ ଉଚ୍ଛନ୍ନ କରିଦେବ କି ରେ ? ଧାନତକ ଯାହା କଲ, କୋଳଥ ପୁଞ୍ଜାକ ବି ସାଇଲ । ବଉଁଶ ବୁଡ଼ିଯିବ ରେ, ବଉଁଶ ବୁଡ଼ିଯିବ । ସାତ ପୁରୁଷକୁ ପାଣି ଦେବାକୁ କୁଳରେ କେହି ରହିବେ ନାହିଁଟି ? ଜାଣିଥା, ବ୍ରହ୍ମ ବଚନ ଏ। ଓଁ ନମଃ ଶିବାୟ’’ । କହି କହି ବୁଢ଼ା ଗୋସେଇଁ ଚାଲିଲେ ।

 

ପାଣି କୁହୁଡ଼ିଟା ବି ଛାଡ଼ି ପଡ଼ିଥିଲା । ଅଧା ଜହ୍ନଟା ପଶ୍ଚିମକୁ ଢଳି ଫିକା ଦିଶିଲାଣି । ପୂର୍ବ ଦିଗରେ କୁଆତରାଟି ବି ମଉଳି ପଡ଼ୁଛି । ଗୋରୁଯାକ ଗାଁ ଦାଣ୍ଡକୁ ଆସି ଯେଝା ଗୁହାଳ ଚିହ୍ନି ଭିତରକୁ ପଶିଗଲେ । ଗାଁ ମାଇପେ ବାସି ଆଡ଼ତି କରିବାକୁ ବଡ଼ି ଭୋରରୁ ଉଠି କିଏ ଓଳଉଥିଲେ ଦାଣ୍ଡ, ଆଉ କିଏ ଲିପୁଥିଲେ ପିଣ୍ଡା ।
 

କଥାଟି ଲୁଚି ରହିଲା ନାହିଁ । ପଦନ ସାହୁ ଇସ୍କୁଲ ବାଟରେ ମୂଢ଼ି ଉଖୁଡ଼ା ବିକିବାକୁ ଯାଇ ମାଷ୍ଟରଙ୍କୁ କହିଲା, ‘‘ବୁଝିଲ ଆପଣେ, ଇଆଙ୍କୁ କହନ୍ତି ଦଇବି ବେଠିଆ । ଗାଁ ଯାକ ତ ଗୋରୁ ଛାଡ଼ି ଫସଲ ଚରଉଛନ୍ତି, ତେତେ କାହିଁକି ଭଲା ରାତିରେ ନିଦ ନାହିଁ ?’’

 

ଛାତ୍ରମାନଙ୍କୁ ଘେନି ମାଷ୍ଟ୍ରେ ଖରା ପୋଉଁଥିଲେ । କହିଲେ, ସେ କିଛି ମାରାକଥା ନୁହେଁ-। ଆମ ଶାସ୍ତ୍ର ପରା କହୁଚି- ପରୋପକାରାୟ ସ୍ୱର୍ଗାୟ । ପର ଉପକାର କଲେ ସ୍ୱର୍ଗ ମିଳେ ।’’

 

‘‘ମୁଁ ତ ମୂରୁଖ ଗୋଡ଼ିଗଣଶ । ମୁଁ ତମକୁ ବୁଝେଇବି କଣ, ଆପଣେ । ୟାକୁ କହନ୍ତି ପରଉପୁଗାର ! ମୁଁ ଯେବେ ତମ ଉପୁଗାର ନ ବୁଝିଲି ସେମିତି ଉପୁଗାର ତମେ କଲେ କେତେ ନ କଲେ ? ଓଲଟି ଲୋକେ ହସୁଚନ୍ତି ପରା । କହିବି କଣ ତମକୁ !’’

 

ଗୁଣ୍ଡିପତ୍ର ମକଚୁ ତିନିଟା ତାଳି ମାରିଦେଇ ମାଷ୍ଟର କହନ୍ତି-‘‘ହସିଲେ ହସନ୍ତୁ ହେ ସାହୁପୁଅ । ମତେ କଣ ଲୋକେ ହସୁ ନାହାନ୍ତି କି ? ନାରଣ ଲେଙ୍କା ସେ ଦିନ ପରା ମୋ ସାଙ୍ଗରେ କଜିଆ କରି ଧାନ ଗୋଟେଇବ ବୋଲି ତା ପୁଅଟାକୁ ଇସ୍କୁଲ ଘରୁ ଟାଣି ଘିନିଗଲ। । ମୁଁ ଯେତେ କହିଲି ଓଲଟି ଜବାବ ଦେଲା- ‘‘ତମେ ନିଜେ ଆସୁନ, ଧାନ କାଟିବ । ପାଠ ପଢ଼ିକରି ଆମେ ଯୋଉଁ ସ୍ୱର୍ଗକୁ ଯିବୁଁ, ସେ କଥା ପଛେ ନ ହେଲା ।’’ ଆଚ୍ଛା, କହିଲ ଦେଖି ସାହୁଏ ଏ ଗାଁ ପିଲାଙ୍କୁ ଆମେ ଦି’ଅକ୍ଷର ପଢ଼େଇ କଣ କିଛି ହେଲେ ଉପକାର କରୁନୁଁ ?’’

 

ରାତି ଅଧରେ ବରଜୁ ପଧାନ ଗୋରୁ ଅଡ଼େଇବା କଥା ଗାଁଭିତରେ କେତେ ଲୋକ ଟୁପୁରୁଟାପୁର ହେଲେ, ଥଟ୍ଟା ତାମସା କଲେ । ପୁରୁଖା ଲୋକେ ବରଜୁକୁ ତାରିଫ କରି କହିଲେ । ତହିଁ ପରରାତି ପୁଣି ସେହି କଥା ହେଲା । କେତେଜଣ ଗୋରୁ ଛାଡ଼ିଲେ। ବରଜୁ ପୁଣି ରାତି ଅଧରୁ ବାହାରି ଗୋରୁ ଅଡ଼େଇଲା । ଦି’ଦିନ ତିନି ଦିନ, ଚାରି ଦିନ- ଏହିପରି ଚାଲିଲା । ଜଣ ଜଣ କରି ଯେଝା ଗୋରୁ ବାନ୍ଧି ରଖିଲେ । ବରଜୁ ସାଙ୍ଗକୁ ବି ରାତି ଅଧରେ ଗୋରୁ ତଡ଼ିବାକୁ ଆହୁରି ପାଞ୍ଚ ସାତ ଜଣ ଛାଏଁ ବାହାରି ପଡ଼ିଲେ । ବରଜୁ ସମସ୍ତଙ୍କୁ ବୁଝେଇ ଦେଲା, ଯେଉଁମାନେ ସବୁରି ଥଟ୍ଟା ତାମସା ଶୁଣି ପାଟି ତୁଣ୍ଡ ନ କରି କାମ କରିବେ, ସେହିମାନେ ଖାଲି ଆସନ୍ତୁ । ଶେଷରେ ହରିପୁର ଗାଁର ଯେତେ ଲୋକ ଗୋରୁ ଛାଡ଼ୁଥିଲେ, ତାଙ୍କ ନିଜ ଲାଜ ନିଜକୁ ଖାଇଲା । ଗାଁ ଗୋଟାକର ଗୋରୁ ଅଟକ ହୋଇଗଲେ । ଲୋକେ ତାଜୁବୁ ହେଲେ, ଆଜିଯାକେ ହରିପୁର ଗାଁରେ ଯେଉଁ କଥା ଶୁଣା ନଥିଲା ତାହା ପୁଣି ହେଲା କିମିତି ! ପଦ ପଦକେ ଯେଉଁ ଗାଁରେ ମାଲି ମକଦ୍ଦମା, ହାତ ପାଉଣାରେ ଥାନା ରହିଚି ବୋଲି ପୁଲିସ ଆଗରେ ଗୁହାରି। କିଏ ଭଲ କେବେ ବିଚାର କରିଥିଲା ସେଇ ଗାଁରେ ଏଭଳି କାମଟାଏ ହୋଇପାରିବ ବୋଲି !

 

ବରଜୁ ପଧାନର ଖାତିରଟା ଟିକିଏ ବଢ଼ିଗଲା । ଗାଁ ଭିତରେ କେତେ ଅଚିହ୍ନା ଲୋକ ତାକୁ ଚିହ୍ନିଲେ । ମଣିଷଟା ଏକବାଗିଆ ହେଉ କି ଯାହା ହେଉ, ଏମିତି ଗୋଟାଏ କାମ ତ କରି ପାରିଲା !

 

ଆସନ୍ତା ମାଘ ସତର ଦିନ ତିଥିରେ ଗୌରାଙ୍ଗର ବାହାଘର । ଆଉ ତ ଦିନ ପନ୍ଦର କୋଡ଼ିଏଟା ରହିଲା । ହାରାବୋଉକୁ ପୁଣି ତର ମିଳିବ କୁଆଡ଼ୁ ? ଆଗ ବଡ଼ିଜାଇ ଅନୁକୂଳ । ବିରି ବଟା ମୁଗ ରଗଡ଼ାରେ ତାକୁ ବେଳ ଅଣ୍ଟୁ ନାହିଁ । ଦି’ଦି’ଟା ଝିଅ ବାହାଘର କରିଛି । ତାକୁ ଅବା କଉଁକଥା ଅଜଣା ? ସିଉକାର ବୋଝ ଆଗ ଦିଆ ନିଆ ଚଳିଗଲା । ବୋହୂ ଘରକୁ ପାନିଆ, ଫରୁଆ, ଶାଢ଼ୀ, ସିନ୍ଦୂର, ଅଳତା, ସବୁ ଏମିତି ଖଞ୍ଜି ଖାଞ୍ଜି ପଠେଇଛି ଯେ, ରାଉତ ଘରେ କହିଲେ, ଗଉରାର ଆପଣା ମା ଭଉଣୀ ଥିଲେ ବି ଏଥିରୁ ଅଧିକା କରି ପାରନ୍ତେ ନାହିଁ । ଗଉରା ପାଇଁ କରିବ ନାଇଁ ତ ଆଉ କରିବ କାହାପାଇଁ ? ସେ କଣ ତାକୁ ନିଜ ମା ଭଉଣୀଠାରୁ କେବେ ଊଣା କରି ଦେଖିଚି କି ?

 

ବରଜୁ କହେ, ‘‘ନିଜ ଝିଅ ବାହାଘରକୁ ତ କାହିଁ ଏତେ ଗୁଡ଼େ ତତ୍‌ପର ହଉ ନ ଥିଲ !’’

 

ହାରା ବୋଉ ବୁଝାଇଦିଏ, ‘‘ଆହେ, ନିଜ ଝୁଅ କଥା ନିଆରା । କଉଁଠି ଟିକିଏ ଊଣା ପଡ଼ିଗଲେ, ସେଥିକି ଲୋକଙ୍କ କଥା ସୁହାଯିବ । ଗଉରା ବାହାଘରେ ସେ କଥା ହେଲେ ଲୋକ କହିବେ କଣ ନା, ଯେତେହେଲେ ତ ପର । କଉଁଆପଣାର ହେଇଛନ୍ତି ଯେ । ପୁଣି ସେ ତ ଆମକୁ ଆପଣାରୁ ବଳି କରିଚନ୍ତି ।’’

 

ହାରାବୋଉ କଥାଶୁଣି ବରଜୁ ମନେ ମନେ ଖୁସି ହୋଇଯାଏ, ତେବେ ମୁହଁ ଉପରେ କିଛି କହେ ନାହିଁ । କେବେ କିମିତି ଚିଡ଼ିଯାଇ କହିପକାଏ, ‘‘ସବୁବେଳେ ମୁଁ ତମର ଏତେ ବରାଦ ତୁଲେଇ ପାରିବି ନାଇଁ । ବାହାଘର ଯାଇଁ କାହିଁ ଅଛି । ତମକୁ ଏଇ ଦିନୁଁ ରାତିରେ ନିଦ ନାଇଁ ।’’

 

‘ହଁ‘ମ, ଦିନ ଆଉ କାହାଘରେ କି । କାନ କୁଣ୍ଡଉ କୁଣ୍ଡଉ ତ ପହଞ୍ଚିଯିବ । ଆଉ କଣ ଚାରି ଦିନ ଆଗରୁ ତମେ ସବୁ ସଜିଲ କରି ପକେଇବ କି ।’’

 

‘‘କରିବି କି ନାଇଁ ସେତେବେଳେ ସିନା ଦେଖିବ ।’’

 

‘‘ହଁ, ଦେଖିଚି ସବୁ । ସୁନା ବାହାଘରକୁ ସେମିତି କହି କହି ଶେଷ ବେଳକୁ ପାଞ୍ଚିଖଣ୍ଡେ ମିଳିଲା ନାଇଁ ଯେ ଝିଅକୁ ମୋର ନୂଆ ଲୁଗାରେ ହଳଦୀ ମଡ଼େଇ ପିନ୍ଧେଇଲି । ଆଉ କାହା ପାଖେ ନିଜ କାଟଣ ଦେଖେଇବ ଯେ, ସେ ଶୁଣିବ ।’’ ବରଜୁ ହସି ହସି ବାହାରିଯାଏ ।

 

ଗୌରା କୁଆଡ଼ୁ ଆସି ହଠାତ୍‌ କହିଲା, ‘‘ଭାଉଜ, ବାହାଘର ହବ ନାହିଁ ।’’

 

ଚମକି ପଡ଼ି ହାରାବୋଉ ଚାହିଁଲା । ଗୌରା ମୁହଁଟା ଅଭିମାନରେ ଫୁଲିଯାଇଛି । ‘‘କିମତି କାଳତୁଣ୍ଡା ମଣିଷ କି ତମେ ? ବୋହୂ ବେଦୀରେ ବସିଲାଯାକେ କଣ ଏଇ କଥା କହି ହଉଥିବ ? ତମରି ବାହାଘର ନା ଆଉ କାହାରି ହୁଏ ମ ?’’

 

ଗୌରା ଜିଦ୍‌କଲା, ‘‘ବାହାଘର ତ ହବ ନାହିଁ । ତମେ କରୁଚ କଣ କରୁଥାଅ ।’’

 

‘‘କାଇଁକି, କଣ ପୁଣି ହେଲା କି ?’’

 

‘‘ହବ ଆଉ କଣ । ସବୁରି ଘରକୁ ତ ଗୁଆ ନିମନ୍ତ୍ରଣ ଚଳିଲା । ହାର ସୁନା କି ଦୋଷ କରିଥିଲେ କି ?’’

 

ହସିଦେଇ ହାରାବୋଉ କହିଲା, ‘‘ଏଇ କଥା କହୁଚ ? ତମ ଭାଇ ପରା ସବୁ କରିବାକୁ-। ମୋର କି ଦୋଷ ? ହେଲା ତେବେ, ତାଙ୍କୁ ଯେବେ ଲୋଡ଼ିବ, ମତେ କଣ ମୋ ଝିଅ ପିତା ଲାଗୁଚନ୍ତି କି ?’’

 

ହାରା ସୁନା ଘରକୁ ନିମନ୍ତ୍ରଣ ଚଳିଲା । ହାରା ବୋଉର ବରାଦ ମୁତାବକ ସବୁ ହେଉଛି-। ଗୌରାଙ୍ଗର ପାଲିଙ୍କି ଚଢ଼ା ବାହାଘର ହେବ । କନ୍ୟା ପକ୍ଷର ତ ପୋଢ଼ୁଆଁ ଝିଅ । ସେ ବା ଅମଙ୍ଗ ହେବ କାହିଁକି ? ବାଜା ବଜନ୍ତରି ବରଯାତ୍ରୀ ପାରି ପାରି ପଚିଶ ତିରିଶ ହେବେ । ଏଇ କେତେ ଜଣଙ୍କୁ ସେ କଣ ଚର୍ଚ୍ଚା କରି ଛାଡ଼ି ଦେଇ ପାରିବ ନାଇଁ !

 

ଚାହୁଁ ଚାହୁଁ ଦିନ ଆଖର ହୋଇ ପଡ଼ିଲା । କେଉଁଠି ପାଲିଙ୍କି, କେଉଁଠି ବାଜାବାଲା, ପୁରୋହିତ,ନାହାକ, ଭଣ୍ଡାରୀ, ଗଉଡ଼ ଠିକଣା କରିବାରେ ବରଜୁ ବିଚରା ହଇରାଣ ହୋଇ ପଡ଼ିଲାଣି । ପୁଣି ପାନ ମସଲା, ଲୁଗା ପଟା ତ କିଣା ସରି ନାହିଁ । ଯାହାହେଉ, ପଦିଆ ମାମୁଁଟି ତାକୁ ବଡ଼ ହିମତ ଦଉଚି । ନଇଲେ ଏତେ ଧାଁ ଧପଡ଼କୁ ସେ ଜଣେ ଲୋକ ବା ପାରନ୍ତା କୁଆଡ଼ୁ ? ଆଜି ପୁଣି ସେହି ପଦିଆକୁ ଡାକି ସଉଦାପାଇଁ ହାଟକୁ ବାହାରିଛି । ଯାହା ଯାହା ଆସିବ ପଦପଦ କରି ହାରାବୋଉଠାରୁ ସବୁ ଶୁଣି ସେ ତାଳପତ୍ର ଖଣ୍ଡକରେ ଟିପି ଆଣିଛି । ପଦିଆକୁ ହାରାବୋଉ ଆଡ଼ ହୁଏ ନାହିଁ । ତାକୁ ତାଗଦା କରି ଦେଇଛି- ‘‘ହଁ, ତମେ ନିଜେ ସବୁ ଦେଖାଚାହାଁ କରି କିଣିବ । ନଇଲେ ତ ତାଙ୍କର ଯେମିତି ଭୋଳା ମନ, ଜାଣ । ସେ ଯାହା ପାରିବେ ଆଣିବେ । ଯାହା ନ ପାରିବେ ମୋ ଉପରେ ନେଉଟ ଝଡ଼େଇ ହେବେ ।’’

 

ମଙ୍ଗଳବାର ହାଟଟା ହରିପୁରର ସବୁଠୁଁ ବଡ଼ ହାଟ । ଏ ପାଳିପୁଣି ବାହାଘର ଘଡ଼ି ଯେ, ଲୋକ ଏକାବେଳକେ ଜନ୍ତାଜନ୍ତି । ଯେଉଁ ଦୋକାନକୁ ଯାଅ, ମଣିଷରେ ରାହା ମିଳୁ ନାହିଁ । ଜିନିଷପତ୍ର ଭାଉ ବି ଖୁବ୍‌ବଢ଼ି ଯାଇଛି । ହାଟ ଭିତରେ ପଶି ବରଜୁ କହିଲା, ‘‘ଆଜି କଣ ସଉଦା କରି ପାରିବାନି କି ? ଏଡ଼େ ସହଳ ଆସି ତ ଆଗରୁ ଏତେ ଲୋକ ଜମା ହୋଇ ଗଲେଣି ।’’

 

ପଦିଆ କହିଲା, ‘‘ଏସବୁ ଦୂର ବାଟରୁ ଆଇଚନ୍ତି, ସହଳ ସହଳ ଫେରି ପଡ଼ିବେ ଯେ, ଆଜି ସଉଦା ନ କଲେ ଆମକୁ ଆଉ ଦିନ କାହିଁ କି ? ପରଦିନ ପରା ମଙ୍ଗଳ । ଶୁକ୍ରବାର ବାହାଘର-।’’

 

ପଛରୁ କାହାର ଚିହ୍ନା ତୁଣ୍ଡ ଶୁଣାଗଲା, ‘‘ବରଜୁଆ ଭାଇ ! ଆମକୁ ସବୁ ଏକାବେଳେ ପାସୋରି ଦେଲ ପରା !’’

 

‘‘କି ରେ ଯଦୁ’’ କହି, ଯଦୁ କଳେଇ ଦଣ୍ଡବତ ହେଉଁ ହେଉଁ ବରଜୁ ତାକୁ କୁଣ୍ଢେଇ ପକେଇଲା । ଯଦୁ ପଛକୁ ଜଇ ଖଟେଇ, ଉଦସୂତାର ଧରମା ଭୋଇ ଆସି ପହଞ୍ଚିଗଲେ । ବରଜୁ ଖୁସି ହୋଇ କହିଲା, ‘‘କି ରେ ଆଜି କଣ ସମସ୍ତେ ବାହାରି ଆସିଚ ?’’ ଶୁଣିଲ, କାହାର ଝୁଅ ପୁଆଣି, କାହା ଶଳା ବାହାଘରକୁ ବନ୍ଧୁ ବେଭାର ଯିବ । କାହାର ଅବା ଭଣଜା ବାହା ହେବ । ସବୁରି ସଙ୍ଗେ ସୁଖ ଦୁଃଖ ହେଲା । ଗାଁର ହାଲଚାଲ ବୁଝିଲା । ପୁଣି ସେହି ପୁରୁଣା ମୁହଁଗୁଡ଼ିକୁ ଦେଖି ଛାଡ଼ିବାପାଇଁ ତାହାର ମନ ଜମାରୁ ମଙ୍ଗୁ ନ ଥାଏ ।

 

ଯଦୁ କହିଲା, ‘‘ବରଜୁଆ ଭାଇ, ରୂପ ଯେନାଟି ଚାଲିଗଲା ।’’ ବରଜୁର ମୁହଁଟା କଳାକାଠ ପଡ଼ିଗଲା, ‘‘କଣ କହୁଚୁ, ରୂପ ଚାଲିଗଲା !’’

 

‘‘ହଁ ଭାଇ ହେଇ ପରା ତା’ପୁଅ ଆସିଛି । ଦଶତୁଠ କରିଆ କିଣିବ ବୋଲି, ଆଜିକି ଆଠ ଦଶ ଦିନ ହେଲାଣି ।’’

 

‘‘ଆଃ, ମତେ କେହି ହେଲେ ଟିକିଏ ବାତାନି ଦେଲ ନାହିଁ ! କଣ ହେଇ ଥେଲା ରେ ?’’

 

‘‘କିଛି ନାହିଁ ଭାଇ, ଖାଲି ତ ଜର । ଦିହେ ଦିହେ ଜର ରଖି ଲୋକେ କଣ କାମଦାମ କରୁ ନାହାନ୍ତି ! ଆମେ ହେଲେ ଆଗରୁ କିଛି ଜାଣି ପାରିଲୁଁ ? ସକାଳେ ମୁଁ ଦାମୁଡ଼ିଳକ ଆଣି ଦାଣ୍ଡ ଖୁଣ୍ଟରେ ବାନ୍ଧୁଚି, କିଏ ଗୋଟିଏ ଆସି କହିଲା, ରୂପ ଯେନା ଢୋକଉଚି । ଯାଇ ଦେଖିଲା ବେଳକୁ ଆଉ ତ ଶବଦ ବାରିପାରୁ ନାଇଁ । କାହାର କଣ ଗଲା, ତା’ ପିଲା ଦୋ’ଟି ତ ଅନାଥ ହେଲେ । ସମତେ ବିଚାର କଲୁ, ମଣିଷ ତ ଗଲା, ତାର କଣ ଅଛି ଯେ, ବାକୀ ଗୁଡ଼ାଏ ଭାଇଭାଗ କରିବ । ହରି ମିଶ୍ରେ କହିଲେ, କାହିଁକି ତାର ତ ଦି’ମାଣ ଜମି ଅଛି । ପୁଅ ଯୋଡ଼ା ଯୋଡ଼ା, ଭାଇଭାଗ ବୁଡ଼େଇବେ, ଅଣଶୁଧିଆ ରହିବେ ? କାହିଁକି ଜମି ଦଶଗୁଣ୍ଠ ବିକି ଦଉ ନାହାନ୍ତି ? ତମେ ତ ଆସିଲ, ଗାଁରେ ଆଉ କିଏ ଅଛି ଯେ, କାହାକୁ କହିବୁଁ ?’’

 

‘‘କଣ ପୁଣି କଲ ଶେଷରେ ?’’ ବରଜୁ ପଚାରିଲା ।

 

‘‘ଆଉ କରିବୁଁ କଣ ଭାଇ, ତମେ ଯାହା ଶିଖେଇଥିଲ । ମିଶ୍ରଙ୍କ ଇଚ୍ଛା ଥାଏ, ତାଙ୍କରି ଦୁଆରେ ଯାଇ ଗୋଡ଼ ଭାଙ୍ଗି ଛିଡ଼ା ହେଉ । ମିଶ୍ରେ ତ କିଛି ଆମ ଭାଇ ନୁହନ୍ତି । ସବୁ ଭାଇ ଏକାଠି ବସି ବିଚାର କଲୁଁ । ଯେ ଯାହା ପାରିଲା, ସାହାଯ୍ୟ ହେଇ ତା’ କାମ ଉଠାଇ ନେଉଛୁଁ ।’’ ବରଜୁ ଯଦୁକୁ ପୁଣି କୁଣ୍ଢାଇ ପକାଇଲା ।

 

ତେଣେ ପଦିଆ ଡାକିଲା, ‘‘ହାଟ ଭାଙ୍ଗିଯିବ ପରା । ଉଛୁର କଲେ ଆଉ ଚଳିବଟି ?’’ ସମସ୍ତଙ୍କୁ ବିଦା କରି ବରଜୁ ପୁଣି ପଛରୁ ଡାକି କହିଲା, ‘‘ହଁ, ହଁ, ଗୋଟାଏ କଥା ତ ପାସୋରି ପକେଇଥିଲି । ଗୌରାଙ୍ଗ ବାହାଘର ମାଘ ସତର ଦିନ ତିଥି । ଏଇ ଶୁକ୍ରବାର ତ, ନୁହଁକି ପଦିଆ ମାମୁଁ ? ସେ ତ ଏକୁଟିଆ ମଣିଷ । ମୁଁ ଖାଲି ଯାହା ବାଆକୁ ବତା ବୁଝାସୁଝା କରୁଚି । ଆଉ ଆମର ଏହି ପଦିଆ ମାମୁଁ । ଗୌରା ମତେ କେତେ ଆଗରୁ କହିଲାଣି ଯେ, ମୁଁ ସିନା କାହାକୁ ଦେଖିଲେ ତମକୁ ବାତାନି ଦେବି । କିଛି ବିଚାରିବ ନାହିଁ, ଭାଇ ! ଏ ତ ତମରି କାମ । ମୁଁ ଯେମିତି କରୁଚି, ତମେମାନେ ବି ସବୁ କାମ ତୁଲେଇବ । ନଟ, ରାଜୀବ ଯାହାକୁ ପାରିବ ମୋର ହୋଇ କହି ଦବ ।’’

 

ଯଦୁ ଦଳେଇ କହିଲା, ‘‘ତମେ କହୁଚ, ବରଜୁଆ ଭାଇ । ଦେଖିବନି, ଯେତେ କାମ ଥେଲେ ବି ଆସି ହାଜର ହବୁଁ ।’’ ପଦିଆ ମାମୁଁ ଉଚ୍ଚନ୍ନ କଲା, ‘‘ଆଉ ସଉଦା କରିବା କଣ । ଯାହା ତମ ଘରଣୀ କହୁଥେଲା, ତମେ ତ ଖାସା ଲୋକ, ପ୍ରଧାନେ ।’’

 

ଲୁଗାପଟା କିଣିସାରି ପାନ ମସଲା ଦୋକାନକୁ ଦୁହେଁ ବାହାରିଛନ୍ତି, ବରଜୁ ଦେଖିଲା ମେଲଣ ପଡ଼ିଆରେ ବହୁତ ଲୋକ ରୁଣ୍ଡ ହେଇ କଣ ଦେଖୁଚନ୍ତି । ସବୁରି ହାତରେ ସଉଦା । କିଏ ପାନ କଡ଼ାଏ ଧରିଚି, କିଏ ଗାମୁଛାରେ ଜାଉଁଳିକରି କାନ୍ଧରେ ଝୁଲାଇଚି । କାହା କାଖରେ ଛତା, କାହା ମୁଣ୍ଡରେ ଠେକା, କିଏ ଆଙ୍ଗୁଠି ଅଗରେ ଛିଡ଼ା ହେଇ ବେକ ଲମ୍ବେଇ ଦେଖୁଚି । କିଏ ଗହଳି ଭିତରେ ଯାଇ ପଶୁଚି, ଆଉ କିଏ ବାହାରି ଆସୁଚି । ବରଜୁ କହିଲା, ‘‘କଣ ହଉଚି ଟିକିଏ ଦେଖିବାନି !’’ - ‘‘ମୁଣ୍ଡ ପୋତା କେଳା ହେଇଥିବ ହେ’’ - କହି ପଦିଆ ପାନ ମସଲା ଦୋକାନ ଆଡ଼କୁ ଚାଲିଲା । ବରଜୁ ସେହି ଗହଳି ଆଡ଼କୁ ଚାହିଁ ଚାହିଁ ପଦିଆର ପିଛା ଧରିଥାଏ । ଗହଳି ଭିତରୁ ପାଟି ଆସି କାନ ଅତଡ଼ା ପକାଉଛି । ବରଜୁ କହିଲା, ‘‘ନାହିଁ, ମୁଣ୍ଡପୋତା କେଳା ନୁହଁ । ତା ହେଲେ ଏତେ ପାଟି ହୁଅନ୍ତା କାହିଁକି ?’’

 

‘‘ନଇଲେ ଷଣ୍ଢ ଲଢ଼େଇ କି ଆଉ କିଛି ତାମସା ଚାଲିଥିବ ।’’ ପଦିଆ ସେ ଆଡ଼କୁ ଆଦୌ ନଜର ନ ଦେଇ ଦୋକାନ ଭିତରକୁ ମୁହାଁଇ ଥାଏ । ତିନି ଚାରି ଜଣ ଲୋକ କଥା ଭାଷା ହୋଇ ଚାଲିଥାନ୍ତି, - ‘‘ହଁ ସେଇ ଜଣକ ଯେ କଟକରୁ ଆସିଛନ୍ତି, ଭାରି କୁହାଳିଆ । ଓଃ କଥାରେ ତ ତାଙ୍କର ବାଟୁଳି ବାଜୁ ନାହିଁ । ଆମ ନାଥ ବାବୁ ଯେତେହେଲେ ତାଙ୍କ ଭଳି କହିବେ କୁଆଡ଼ୁ !’’ ଆଉ ଜଣେ ମୁହଁରୁ ବିଡ଼ି ଧୂଆଁ ବାହାର କରି କହୁଛି, ‘‘ସେଇ ନା ? ହଁ ତାଙ୍କ ପାଖେ ତ ନାଥ ବାବୁ ନାଭ ଦିଆ ହେବେ ନାହିଁ । ଯେତେହେଲେ ପରା ସହରିଆ ।’’ ଆର ଲୋକଟି ତାକୁ ଆକଟ କରି କହିଲା, ‘‘ଧେତ୍‌, ତାଙ୍କର ବେଶି ପଢ଼ା ଅଛି ନା, ସହରିଆ କଣ ସମତେ ଏମିତି କହିବେ !’’

 

ପଦିଆ ଡାକିଲା, ‘‘ଦିଅ, ତାଲିକାଟା ପଢ଼ିବଟି । ଗୁଆ କେତେ ସେରେ ନା ପାଞ୍ଚ ପା ? ଆଉ କଣ ? ଜିରା ଧନିଆ କେତେ ? ଦେଖ ମହାଜନେ, ଭଲ ଜିରା କାଢ଼ିବଟି ।’’

 

ସେହି ଗହଳି ଭିତରୁ ସମୁଦ୍ର ଗର୍ଜନ ଭଳି ଆସିଲା ‘‘ଭାରତ ମାତା କି ଜେ ।’’

 

ବରଜୁ ପଦିଆ ମାମୁଁର କାନ୍ଧରେ ହାତ ରଖି ଡାକିଲା, ‘‘ଶୁଣି ପାରୁଚ ?’’ ଜିରା ଗଣ୍ଡାଏ ମକଚି ନାକ ପାଖକୁ ନେଇ ପଦିଆ କହିଲା, ‘‘କଣ କି ?’’

 

‘‘ଏହି ଯେ ପାଟି ଶୁଣା ଯାଉ ନାହିଁ ?’’

 

‘‘କଣ ପାଟି ?’’

 

‘‘ଭାରତ ମାତା କି ଜେ ।’’

 

‘‘ହଁ ହେ, ବହୁତ ମାତା ମୁଁ ଦେଖିଛି । ବାବାଜୀ ଗୋଟିକେ ମାତା ଗୋଟିଏ ଆମର ସେତୁରୁ କଣ ହେଲା । ଦବଟି ମହାଜନ। ହଁ, ଜିରା କେତେକର ଯିବ ?’’

 

ବରଜୁ ତାଲିକା ପଢ଼ି କହି ଦେଲା । ପୁଣି ସେହି ଶବ୍ଦ ଭାସି ଆସିଲା । ସଉଦା କିଣୁ କିଣୁ କିଏ ଜଣେ କହିଲା, ‘‘ଅଃ ଏମିତି ପାଟି କରି କାନ ଅତଡ଼ା ପକେଇଲେ ମଣିଷ କି ସଉଦା କରିବ ଭଲା ।’’

 

ପଦିଆର ସଉଦା କିଣା ସରିଲା । ସବୁ ଜିନିଷ ବନ୍ଧାବନ୍ଧି କରି ଅଧେ ବରଜୁକୁ ଦେଇ ବାକୀ ଅଧକ ସେ ନିଜେ ଧରି ବାହାରିଲା । ସେତେବେଳକୁ ହାଟ ମଉଳିଲାଣି । ମେଲଣ ପଡ଼ିଆରେ ଯେତେ ଲୋକ ଜମା ହୋଇଥିଲେ ଆଉ ଏକ୍ଷଣି ନାହାନ୍ତି । ଦୋକାନୀମାନେ ଆଲୁଅ ଜାଳି ଦୋକାନ ବାନ୍ଧିଲେଣି । କାହା ପିଠିରେ ଗଣ୍ଠିଲି, କାହା ମୁଣ୍ଡରେ ବୋଝ, କିଏ ହାତ ଧରାଧରି ହୋଇ ଏଣେତେଣେ ଚାଲିଛନ୍ତି ।

 

‘‘କି ହୋ ପଦିଆ ମାମୁଁ, ଆଜି ତ କଣ ଶକତ ବୋଝ । ହାଟ ଗୋଟାକ ଟେକି ଆଣିଲା ପରି ଲାଗୁଛି ।’’ ପଛକୁ ବୁଲିପଡ଼ି ପଦିଆ ଚାହିଁଲ ।

 

‘‘ନାଥ ବାବୁ କି ? ଓଳିକି, ଓଳିକି । ହଁ ବାବୁ, ଆମର ପରା ବାହା ଘର, ସଉଦା କରି ଆସିଥିଲୁଁ ।’’

 

ନାଥ ବାବୁଙ୍କ ସଙ୍ଗେ ଆଉ ଚାରି ପାଞ୍ଚ ଜଣ ଲୋକ ଚାଲିଥାନ୍ତି । ସେମାନଙ୍କୁ ଚାହିଁ ସେ କହିଲେ, ‘‘ଆମ ଗାଁରେ ଏ ହେଉଛନ୍ତି ସବୁରି ପଦିଆ ମାମୁଁ । ହଁ ହେ ପଦିଆ ମାମୁଁ, ତମର କିଏ ପୁଣି ବାହା ହେଉଛି ?’’

 

ପଦିଆ ଉତ୍ତର କଲା, ‘‘ନାହିଁ ଆଜ୍ଞା, ମୋର ଆଉ ବାହା ହବ କିଏ ? ଆମ ସାହିର ଗୌରଙ୍ଗ ଶେଣ ବାହା ହେବେ । ଆଜି ତ କଣ ଆପଣଙ୍କ ସାଥିରେ ଆଉ ସବୁ କିଏ ନୂଆ ବାବୁମାନେ ଆଇଚନ୍ତି ।’’

 

‘‘ସେମାନେ କଟକରୁ ଆସିଛନ୍ତି । ତମେ କଣ ଆଜି ସଭା ଠେଇଁକି ଯାଇ ନ ଥିଲ କି ?’’

 

‘‘କି ସଭା ଆଜ୍ଞା, ଆମେ ତ ସଭା ବୋଇଲେ ସଙ୍ଖୁଡ଼ି ସଭା, ନଇଲେ ଆଳିପଣା ସଭା ବୁଝୁଁ ।’’

 

ସମସ୍ତେ ଖେଁ ଖେଁ ହସି ଉଠିଲେ । ନାଥ ବାବୁ କହିଲେ, ‘‘ନାହିଁ ମ, ସେ ସଭା ନୁହେଁ ଯେ, କଂଗ୍ରେସ ସଭା ମେଲଣ ପଡ଼ିଆାରେ ଆଜି ପରା ହେଉଥିଲା । ଏଇ ବାବୁମାନେ କଟକରୁ ଆସି ସେଇଠି ବକ୍ତୃତା ଦେଉଥିଲେ । ଯାଇଥିଲେ କେତେ କଥା ଶୁଣିଥାନ୍ତ, ବୁଝିଥାନ୍ତ ।’’

 

‘‘ହଁ ହଁ, ହେଇଥିବ, ହେଇଥିବ । ପଧାନେ ମତେ ସେଇ ସଭା କଥା ପଚାରୁଥିଲେ ପରା-। ‘‘ନାହିଁ କି ହେ ପଧାନେ ?’’ ମୁଁ କହିଲି ସିନା ମୁଣ୍ଡ ପୋତା କେଳା ଡେଉଁଥେବେ କି ଷଣ୍ଢ ଲଢ଼େଇ ଲାଗିଥିବ ।’’

 

ନାଥବାବୁ ବରଜୁକୁ ଚାହିଁ କହିଲେ, ‘‘ପ୍ରଧାନେ କେଉଁ ଗାଁର କି ? ତାଙ୍କୁ ତ କାହିଁ ଆଗରୁ ଦେଖିଲା ପରି ମୋତେ ଲାଗୁ ନାହିଁ’’ ।

 

ବରଜୁ କହିଲା, ‘‘ମୋ ଘର ପ୍ରଧାନପଡ଼ାରେ, ବାବୁ । ଗୌରାଙ୍ଗ ମୋର ପ୍ରୀତି ବନ୍ଧୁ । ମାସ ଦୁଇ ତିନି ହେଲା ତାଙ୍କ ଘରକୁ ମୁଁ ଆସିଚି ।’’

 

‘‘ହେଲା ତେବେ ଏଥର । ମୁଁ ସବୁ ଶୁଣିଚି, ପଧାନେ । ତମେ ଆମରି ଗାଁରେ ତିନିମାସ ହେଲା ଆସି ରହିଲଣି । ଦୁଃଖର କଥା, ଆଜିଯାକେ, ତମ ସାଙ୍ଗେ ଚିହ୍ନା ପରିଚୟ ହୋଇନାହିଁ ।’’ - ନାଥବାବୁ କହିଲେ ।

 

ବରଜୁ ନ କହୁଁ ପଦିଆ ଉତ୍ତର କଲା, ‘‘ତାଙ୍କୁ କଣ କେତେବେଳେ ତର ଅଛି କି, ବାବୁ । ସବୁବେଳେ ତ ଏପଟ ସେପଟ ବିଲବାରି ହଉଁ ହଉଁ ତାଙ୍କୁ ଦିନ ଅଣ୍ଟୁ ନାହିଁ । ଯାହାହଉ ଗଉରାକୁ ଗୋଟାଏ ଖାସା କୁଣୁଆ ମିଳିଗଲା ।’’

 

ବରଜୁ ଟିକିଏ ଚିଡ଼ିଲା ହୋଇ କହିଲା, ‘‘ଯାଃ, ସବୁ କଥାରେ ତମର ଖାଲି ଟାପରା ।’’

 

‘‘ଆଚ୍ଛା ହଉ, ହଉ, ଏଥର ଦେଖା ହେବ ଯେ’’ - ନାଥବାବୁ କହିଲେ । ପଦିଆ ପୁଣି ଉତ୍ତର କଲା, ‘‘ସେ ମଧ୍ୟ ଆପଣଙ୍କ ଭଳି ଭାରି ବେପରୁଆ ମଣିଷ । ସମ୍ପତ୍ତି ବାଡ଼ି ସବୁ ସାନ ଭାଇକି ଦେଇ ପକେଇ ଏଠାକୁ ପିଲା ମାଇପ ଧରି ପଳେଇ ଆଇଚନ୍ତି ।’’

 

ବରଜୁ ପଦିଆକୁ ରଟମଟ କରି ଚାହିଁ ନାଥବାବୁଙ୍କୁ ଦଣ୍ଡବତ ହେଲା । ‘‘ଆସନ୍ତୁ ଆଜ୍ଞା ! ମୁଁ ଯାଇ ଏଥର ନିଶ୍ଚେଁ ଦେଖା କରିବି ।’’

 

ଯେଉଁ ସମୟରେ ବରଜୁ ସବୁ ସମ୍ପତ୍ତି ସାନ ଭାଇ ଜିମା କରିଦେଇ ନିଜ ଗାଁ ଛାଡ଼ି ହରିପୁରରେ ଆସି ରହିଲା, ସେତେବେଳେ କଣ ଗୋଟାଏ ଭାରି ଚହଳ ପଡ଼ିଯାଇଥାଏ । ସେତେକିବେଳେ ଇସ୍କୁଲ କଚେରୀ ଛାଡ଼ି କେତେ ପାଠ ପଢ଼ୁଆ ଲୋକ ବାହାରି ଆସିଲେ । ସେଠି ଘରେ ପହଞ୍ଚି ପୁଣି ଘର ଛାଡ଼ି ପଶିଲେ ଜେଲ ଭିତରେ । ଶୁଣା ଯାଉଥାଏ ଇଂରାଜି ପାଠ ରହିବ ନାହିଁ, କଚିରୀ ବାଚିରୀ ଭାଙ୍ଗି ଯିବ । ସବୁ କାମ ଦେଶୀ ଲୋକେ କରିବେ । ହରିପୁର ଶ୍ରୀନାଥ ବାବୁ ସେତିକିବେଳେ ପଢ଼ା ଛାଡ଼ି ଗାଁକୁ ଆସିଥାନ୍ତି । ସବୁରି ଆଗେ କହି ବୁଲୁଥାନ୍ତି, ଆଉ ଏ ପାଠ ପଢ଼ାର କିଛି ମୂଲ୍ୟ ନାହିଁ । ଏସବୁ ବିଦେଶୀ ପାଠକୁ ଫୋପାଡ଼ି ଦେଇ ଆମର ଦେଶୀ ପାଠ ପଢ଼ା ହବ । ଯେଉଁ ଗାଆଁକୁ ଗଲ, ଖାଲି ଏଇ କଥା । ଯେଉଁଠି ପାଠ ପଢ଼ୁଆ ଲୋକ ଅଛନ୍ତି, ତାଙ୍କ ପାଖକୁ କେତେ ଲୋକ ଧାଇଁଲେ ଖବର କଣ ଶୁଣିବା ପାଇଁ । ମକଦ୍ଦମା ତାରିଖକୁ ଯେ କଚିରୀ ଯାଇ ଫେରିଲା, ତାହା ମୁହଁରେ ବି ଏଇ କଥା । ପୁରୀ, କଟକ, ବାଲେଶ୍ୱର ସବୁଆଡ଼େ ଏହି ଚହଳ-। ଆହୁରି ବଡ଼ ସହର, ବମ୍ବେ, କଲିକତା, ଦିଲ୍ଲୀ ସେଠିକାର କେତେ ବଡ଼ ବଡ଼ ଓକିଲ, ବାରିଷ୍ଟର, କେତେ କୋଟିପତି, ଶେଠ, ମହାଜନ, ନିଜ ପିଲା କବିଲା କୋଠା ବାଡ଼ି ଚାକର ବାକର ଛାଡ଼ି ଛାଏଁ କୁଆଡ଼େ ହାତକଡ଼ି ପିନ୍ଧିଲେ। ଚାରିଆଡ଼େ ଦୁଲୁକି ଉଠୁଥାଏ ।

 

ପଦିଆ ନାଥ ବାବୁଙ୍କୁ କହିଲା, ବରଜୁ କୁଆଡ଼େ ତାଙ୍କରି ଭଳି ବେପରୁଆ ମଣିଷ । କାହା ସାଥିରେ କାହା କଥା ! ନାଥ ବାବୁ ଭଲା କଣ ବିଚାରିବେ ! କେତେ ପାଠ ଶାଠ ସେ ପଢ଼ି ନାହାନ୍ତି ! କେତେ କଥା ଜାଣି ନାହାନ୍ତି ! ତାଙ୍କ ସାଥିରେ ବରଜୁ କେଉଁ ଗୁଣରେ ସରିସା ! ପଦିଆ ମାମୁଁଟାକୁ କଥା କହି ଆସେ ନାହିଁ । କାହାକୁ ନେଇ କେଉଁଠି ଥୋଉଚି ।

 

ପଦିଆକୁ ସେ ଆକଟ କଲା, ‘‘ତମେ ବଡ଼ ନାକରା କଥାଟା କହିଲ । ତାଙ୍କ ସାଙ୍ଗରେ ମତେ ନେଇ ସରିସା କରୁଚ ? ଏମିତି କଥା କହନ୍ତି ?’’

 

‘‘କାହିଁକି କହନ୍ତି ନି ? ସେ ପାରି ପାରି ବିଚାରିଥେବେ ଆମେ ଚଷା ଭୂଷା ମଣିଷ । ଆମକୁ ଅବା କଥା କହି ଆସେ ନାହିଁ । କାହିଁକି, ସେ କଥା କଣ ସତ ନୁହ କି ?’’

 

ନାଥ ବାବୁଙ୍କ ସାଥିରେ କଟକରୁ ଆସିଥିବା ଆଉ ବାବୁମାନେ ହରିପୁର ହାଟରେ ସେ ଦିନ ଯେଉଁ ସଭା କଲେ, ସେ ଖବର ବିଜୁଳି ପରି ଆଖପାଖ ଗାଁ ଗୁଡ଼ିକରେ ଚମକିଗଲା । ଜାଣିବା ଶୁଣିବା ଲୋକେ ନାଥ ବାବୁଙ୍କୁ ହସରେ ଉଡ଼େଇଲେ । ହଃ ୟାଙ୍କର କଥାରେ ଇଂରାଜି ସରକାର ବାହାରିଯିବ !

 

ଇସ୍କୁଲ୍‌ମାଷ୍ଟର ଖଣ୍ଡେ ଗଣ୍ଠିଆ ବାଉଁଶକୁ ଚାଁଛି ବାଟୁଳି ଖଡ଼ା ତିଆରି କରୁଥାନ୍ତି । ମାଙ୍କଡ଼ଗୁଡ଼ା ଏବେ ଭାରି ଉତ୍ପାତ କରୁଛନ୍ତି, ପିଢ଼ା ଉପରେ କଖାରୁ, ଶିମ୍ବ କିଛି ତ ରଖି ଦେଲେ ନାହିଁ । ପୁଣି ପିଢ଼ାଟାକୁ ଅଧା ଓଲାରି ସାରିଲେଣି । ବାଟୁଳି ଖଡ଼ାର ଗଣ୍ଠିଗୁଡ଼ିକ ଚାକୁରେ ଖୁବ୍‌ଯତ୍ନରେ ତୁଳା ଯାଇଛି । ଖଡ଼ା ଖଣ୍ଡିକ ଧରି ନଜର-ନଳୀରେ ଚାହିଁଲା ଭଳି ଏ ମୁଣ୍ଡରୁ ସେ ମୁଣ୍ଡକୁ ଦେଖି ମାଷ୍ଟ୍ରେ କହନ୍ତି, ‘‘ଆହେ, ସେ କଥାକୁ ଆଉ ଉପହାସ୍ୟ କଲେ ଚଳିବ ନାହିଁ । ଆମ ଜିଲାବୋର୍ଡ଼କୁ ଏବେ ଯେ ନୂଆ ଚରମେନ୍‌ ଆସିଛନ୍ତି, ତାଙ୍କର ତ ବରାଦ ହେଲାଣି, କି ପିଲା, କି ମାଷ୍ଟର ସମସ୍ତେ ଏଣିକି ସୂତା କାଟି ଶିଖିବେ । ଏବକୁ ତ ସବୁ ନୂଆ ଭିଆର ହଉଚି ।’’

Unknown

 

ପଦିଆ କହେ, ‘ତମେ କାହିଁକି ଆଉ ପାଠ ପଢ଼େଇବ କି ମାଷ୍ଟ୍ରେ, ଆମ କେଳାମା ଗଉଡ଼ୁଣୀ ତ ଇସ୍କୁଲ ମାଷ୍ଟ୍ରେ ହେଲେ ଭଲ ହୁଅନ୍ତା । ତା ସାଙ୍ଗେ ତେମେ କଣ ସୂତା କାଟି ପାରିବ-?’’

 

ନାଥ ବାବୁଙ୍କ ଘରକୁ ଆଉ ଯେ ବାବୁମାନେ ଆସିଥାନ୍ତି, ତାଙ୍କ ଭିତରେ ଜଣେ ଭାରି କୁହାଳିଆ ଜୟକୃଷ୍ଣ ବାବୁ । ସେ କହନ୍ତି, ‘‘ତୁମ ମନରେ ସବୁ ଯେ କେମିତି ବିଶ୍ୱାସ ହେବ, ବୁଝି ହଉ ନାହିଁ । ଯେଉଁ ଓକିଲ ବାରିଷ୍ଟରମାନେ କଚେରୀ କାମ ଛାଡ଼ି ଏ କାମରେ ମାତିଛନ୍ତି, ତାଙ୍କ ରୋଜଗାର କଣ ଜାଣ ? କାହାର ତିରିଶ ହଜାର ତ ଆଉ କାହାର ପଚାଶ ହଜାର ।’’ ମାସକୁ ଟଙ୍କା ଆଠଟା ରୋଜଗାର କରୁଥିବା ଇସ୍କୁଲ ମାଷ୍ଟରଙ୍କ ମୁଠାଟା ତେଲ ମାଲିସ କରୁଁ କରୁଁ ବାଡ଼ି ମଝିରେ ଅଟକିଯାଏ । ପଚାରନ୍ତି, କଣ ବାବୁ, ବର୍ଷକୁ ଏତେ ରୋଜଗାର ?’’

 

‘‘ନାହିଁ ହେ ଆପଣେ, ମାସକୁ, ବୁଝିଲ ? ହଁ, ଆଉ ଯେ ଶେଠମାନେ ମାତିଛନ୍ତି ତାଙ୍କର ତ ଏହା ଦିନକର ରୋଜଗାର ।’’

 

ଆଚ୍ଛା ବାବୁ, ‘‘ଆମ ମଧୁ ବାରିଷ୍ଟର ଭଲା ୟା’ ଭିତରେ ଅଛନ୍ତି ?’’

 

ମାଷ୍ଟରଙ୍କ ଚାଳ ଉପରେ ମାଙ୍କଡ଼ ଚଢ଼ି କଖାରୁ ଛିଣ୍ଡାଏ । ତାଙ୍କ ପୁଅ ସମନି ପାଟିକରେ-। ମାଷ୍ଟର ମଧ୍ୟ ଜୟକୃଷ୍ଣ ବାବୁଙ୍କ ଉତ୍ତରକୁ ଆଉ ତକେଇ ନ ପାରି ‘ଧୁଅ ଧୁଅ’ ଗର୍ଜନ କରି ମାଙ୍କଡ଼ ମାରିବାକୁ ଦୌଡ଼ନ୍ତି ।

 

ଜୟକୃଷ୍ଣ ବାବୁଙ୍କ ଘର କୁଆଡ଼େ ବାଲେଶ୍ୱର । ଧନୀ ଘରର ପିଲା । ବାପା ତାଙ୍କର କାନ୍ତରାଟି କାମରେ ବହୁତ ପଇସା ରୋଜଗାର କରିଥିଲେ । ଏବେ ବାପା ନାହାନ୍ତି, ଅଚଳାଚଳ ସମ୍ପତ୍ତିର ମାଲିକ ସେ । ହେଲେ ଆଉ ସମ୍ପତ୍ତିବାଡ଼ିକି ତାଙ୍କର ମୋଟେ ସେତେ ନିଘା ନାହିଁ । ବୟସ କିଛି ବେଶି ନୁହେଁ । ଜମାରୁ କୋଡ଼ିଏ କି ବାଇଶି ହେବ । ଗୋରା ତକ ତକ ଚେହେରା । ପାନ ଖାଇଲା ପରି ଓଠ ଯୋଡ଼ିକ ସବୁବେଳେ ଲାଲ । ଟିକିଏ ଚିଲା ଆଖିଆ, ଚସମା ଘେନିଥିବାରୁ ବାରି ହୁଏ ନାହିଁ । ଦିହରେ ତ ହାଡ଼ ଚାରି ଫାଳ ହେବ କି ନାହିଁ, ତେବେ ତେଜ ଦେଖିବ କଣ ? ସଭା ମଝିରେ ଠିଆ ହେଲା ବେଳେ ହଜାର ଲୋକଙ୍କୁ ତୁନୀ କରି କେତେ ଉଲୁଖା ଦେଇ କହି ଚାଲିଥିବେ ଯେ, ପାଟିରେ ବାଟୁଳି ବାଜିବ ନାହିଁ । ପୁଣି ସେଠୁ ବାହାରି ଆସିଲେ ଯେମିତି ଗୋଟାଏ ମାଇଲା ମୂଷା । ବାଉରି କଣ୍ଡରା ଯେ ହେଲା, କାହାରିକି ଆପଣ ଛଡ଼ା ତୁମେ ନାହିଁ । ନାଥବାବୁ ହେରିକା ତାଙ୍କୁ ଜୟ ଜୟ ବୋଲି ଡାକନ୍ତି । ଘରେ ଖାଲି ବୁଢ଼ୀମା ଛଡ଼ା ଜୟକୃଷ୍ଣ ବାବୁଙ୍କର ନିଜର ହୋଇ କେହି ନାହିଁ । ବୁଢ଼ୀ ତେଣେ କାନ୍ଦି ବୋବେଇ ପଡ଼ିଛି । କଲେଜରେ ପଢ଼ିଲାବେଳର ବାକ୍‌ସରେ ଚିକ୍‌ଚିକ୍‌ ଯୋତା, ସୁନା ଘଡ଼ି, ପାଟଅଙ୍ଗା, ଫରାସୀଡ଼ିଙ୍ଗାର ସରୁ ସୂକ୍ଷ୍ମ ଲୁଗାକୁ ଚାହିଁ ବୁଢ଼ୀ ଆଖିରେ ଲୁହ ସମ୍ଭାଳି ପାରୁ ନାହିଁ । କଲେଜରେ ଯେମିତି ବେଶ ହେଇ ବାହାରୁଥିଲେ ସତେ କି ପାଲିଙ୍କିରୁ ଓହ୍ଲାଇ ବେଦୀ ଉପରକୁ ଚାଲିଛନ୍ତି । ପୁଣି କୁଆଡ଼େ ଗଲା ସେ ଫୁଲରୀ ତେଲ ସାବୁନ୍‌ ! ଏବେ ଖାଲି ଅଣ୍ଟାରେ ଖଣ୍ଡେ ପାଞ୍ଚ ହାତି ମୋଟା ଖଦଡ଼, ଦେହରେ ଖଣ୍ଡେ ଖଦଡ଼ ଚାଦର । ମୁଣ୍ଡରେ ତ କେଉଁ ଦିନୁ କେଜାଣି ତେଲ ବାଜି ନ ଥିବ । ସେତିରେ ପୁଣି ମଝିରେ ମଝିରେ ଖିଅର ହେଇ ଏକାବେଳେ ଟାଙ୍ଗରା ଦିଶନ୍ତି ।

 

ଖାଇବା ପିଇବାରେ ମୋଟା ଗେଟା କରି ଯାହା ଖଣ୍ଡେ ଦେଲ ଖୁସି । ନାଥବାବୁ କହନ୍ତି, କଲେଜରେ ପଢ଼ିଲାବେଳେ ମେସ୍‌ ପୁଝାରିକି ବରାଦ ଥିବ, ଠାଏ ଦି’ଠା ତାଙ୍କପାଇଁ ଅଧିକା କରିବାକୁ । ରସଗୋଲା, ସନ୍ଦେଶ ନ ହେଲେ ବାବୁଙ୍କର ଜଳଖିଆ ହୁଏ ନାହିଁ । ଏବେ ଚୂଡ଼ା ମୁଢ଼ି ଯାହା ଦେଲ ଖୁସି । ତେବେ ଅର୍ଜ୍ଜୁନ ବାବୁଙ୍କୁ ଚୁଡ଼ା ମୁଢ଼ି ରୁଚେ ନାହିଁ ।

 

ଅର୍ଜ୍ଜୁନ ବାବୁଙ୍କ ଘର ଯାଜପୁର । ବାପା ତାଙ୍କର କଟକରେ ଓକିଲାତି କରି ବେଶ୍‌ କୋଠାବାଡ଼ି ବନେଇଛନ୍ତି । ଏବେ ସମସ୍ତେ କଟକରେ ରହିଲେଣି । ଯେତେହେଲେ କଟକୀ ବାବୁ, ପୁଣି ଓକିଲ ପୁଅ । ସେ କଣ ସିପେଇ ଦାରେଗାଙ୍କୁ ଖାତିର ତଳେ ଆଣୁଛନ୍ତି ? ସଭାରେ ଠିଆହେଇ ସେ ସିପେଇ, ଦାରୁଗା, ଅମଲା ହାକିମଙ୍କୁ ଯେମିତି ଶୋଧା ଶୋଧିଲେ ତାହା ତ ଚୋର ଚଣ୍ଡାଳକୁ କେହି କହିବେ ନାହିଁ । ଏଡ଼ିକି ନିର୍ଭୟ ! ଯାଜପୁରରେ କୁଆଡ଼େ ଗୋଟାଏ ସଭାରେ ବକ୍ତୃତା ଦେଇ ସାରି ଆସିଲାବେଳେ ଜଣେ ସିପେହି ସାଥିରେ ତାଙ୍କର କଣ ବଚସା ହେଲା । ସିପେହି ତ ଯେତେହେଲେ ମୁର୍ଖ ଲୋକ । ସେ କଣ ପାଠ ବୁଝିବ ? ତାଙ୍କୁ ଗୋଟାଏ ଚାପୁଡ଼ା କସି ଦେଲା ଯେ, ଗାଲଟା ବେଙ୍ଗଫୁଲା ପରି ଦିଶିଲା । ଅର୍ଜୁନ ବାବୁ ଗାଲ ତ ଆଉଁସି କୁଆଡ଼େ ଆର ଗାଲଟି ଦେଖାଇଦେଇ କହିଲେ, ‘‘ଏ ଗାଲରେ ତେବେ ଆଉ ଗୋଟିଏ ମାର ।’’ ଯେତେ ଲୋକ ଜମା ହେଇଥିଲେ ସମସ୍ତେ ସେ ସିପେଇକୁ ଛି ଛାକର କଲେ ଯେ, ସେଠୁ ବାହାରି ଯିବାକୁ ତାକୁ ବାଟ ଦିଶିଲା ନାହିଁ । ଏବେ ସେ ସିପେଇ ଜଣକ ହେଡ୍‌କନେଷ୍ଟବଳ ହେଇ ବେଶି ଦରମା ପାଇଲାଣି । ଅର୍ଜୁନ ବାବୁଙ୍କ ନାଁ ଖବରକାଗଜରେ ବାହାରିଗଲା । ଯେ ଶୁଣିଲା ସେ ଧନ୍ୟ ଧନ୍ୟ କଲା । ୟା ନାଁ ଯେ ପୁଅପଣିଆ !

 

ବାଙ୍ଗର ହୋଇ ମଣିଷ ଖଣ୍ଡେ । ରଙ୍ଗ ଟିକିଏ ସାବନା । ନାକଟି ସାନ ହେଲେ ବି ସଳଖ-। ଅଳପକେ ନାକ ତଳକୁ ନିଶକୁ ଅନିସା କଲେ, ସତେ କି କଳା ପ୍ରଜାପତିଟିଏ ଡେଣା ମେଲି ବସିଚି । ଓଠ ଦିଓଟି ସରୁ । ହସିଲେ ଦି’ଧାଡ଼ି ଧଳା ଦାନ୍ତ ବାହାରି ଆସେ । ମୁଣ୍ଡ ଅନ୍ଦାଜରେ କାନ ଟିକିଏ ବଡ଼ ବଡ଼ । ମୁଣ୍ଡ ହଲାଇ କଥା କହିଲେ ଯେମିତି ଅବା କାନଯୋଡ଼ିକ ଦୋହଲିଯିବ । ସେ ପଢ଼ା ଛାଡ଼ି ବାହାରେ ବୁଲିବାକୁ ବାପାଙ୍କର ଜମାରୁ ଇଚ୍ଛା ନ ଥିଲା । ତେବେ ଦୟାନିଧି ବାବୁ ଓକିଲ ବଡ଼ ଖାଣ୍ଟି ଲୋକ । ଆପଣା ଫିସ୍‌ଟିକୁ ଛାଡ଼ି ଆଉ କେଉଁବାଟେ ହେଲେ ମହକିଲଠାରୁ ପଇସା ଖାଇବେ ନାହିଁ । ନିଜେ ପୁଣି ତ ସେ ଆମରି ଦେଶର ଲୋକ । ଦେଶ ପାଇଁ ସେ ନିଜେ ଗୀତ ବାନ୍ଧି ଦି’ପଇସିଆ, ଚାରିପଇସିଆ ବହି ଛପାଇ ବାଣ୍ଟିଛନ୍ତି । ଆହୁରି କୁଆଡ଼େ ଦୁଇଦିନ କାଳ ସେ କଚେରୀ ନ ଯାଇ ଘରେ ବସି ଅରଟରେ ସୂତା କାଟିଥିଲେ । ସରକାର ତାଙ୍କ ଓକିଲାତି ଲାଇସନ୍‌କାଟିଦେବ ବୋଲି ଧମକେଇଲାରୁ ସିନା କଚେରୀ ଗଲେ । ହେଲେ ଅର୍ଜୁନ ବାବୁଙ୍କ ମା ଭଉଣୀ ସମସ୍ତେ ଚରଖାରେ ସୂତା କାଟନ୍ତି । ତାଙ୍କ ଘରକୁ ଯେତେ ମାମଲାବାଜ ଲୋକ ମସୁଧା କରିବାକୁ ଆସନ୍ତି, ସବୁରିଙ୍କୁ ଦୟାନିଧି ବାବୁ କହି ଲାଗିଲେ, ‘‘ଆରଟିରେ ସୂତା କାଟ । ବର୍ଷକ ଭିତରେ ସ୍ୱରାଜ ମିଳିଯିବ ।’’ ନିଜେ ଆଗ କାମରେ ସବୁ ଦେଖାଇଲେ ସିନା ଲୋକେ ତାଙ୍କ କଥା ଶୁଣିବେ । ଦୟାନିଧି ବାବୁ ସେଥିପାଇଁ ରୋଜ କଚେରୀରୁ ଫେରି ଗୋଟିଏ ଘଣ୍ଟା ସୂତା କାଟନ୍ତି । କେହି କେହି କହନ୍ତି, ଦେଶପାଇଁ ଯେବେ ଏଡ଼େ ଲୋଭ, ଆଉ ତେବେ ସରକାରୀ କଚେରୀକୁ ଯିବେ କାହିଁକି ? କି ରେ ବାବୁ, ମଣିଷର ତ ପୁଣି ପେଟ ପାଟଣା ଅଛି ।

 

ସେ ତ ନିଜେ ଓକିଲ । ତାଙ୍କୁ କେଉଁ କଥା ଅଛପା ରହିଛି ଭଲା ! ବର୍ଷକ ଭିତରେ ସ୍ୱରାଜ ହୋଇଗଲେ ଦୟାନିଧି ବାବୁଙ୍କୁ ବଳେ ଗୋଟିଏ କିଛି ବଡ଼ପାହିଆ କାମ ମିଳିଯିବ ନାହିଁକି । ନଇଲେ କି ସେ ପୋଲିସ କି ସରକାରକୁ ଖାତିର ନ କରି ସବୁରି ଆଗରେ ଖଦଡ଼ଲୁଗା ପିନ୍ଧି ବସୁଛନ୍ତି । ତେବେ ଅର୍ଜୁନ ବାବୁ ଯେଉଁ ଦିନ କଲେଜ ଛାଡ଼ି ବାହାର ଆସିଲେ ତାଙ୍କ ବାପାଙ୍କ ମନକୁ ସେ କଥାଟା ପାଇଲା ନାହିଁ । ହେଲା ଏବେ, ଆମେ ତ ସବୁ ଦେଶ ପାଇଁ ଯାହା କରିବାର କରୁଚୁଁ । ପରୀକ୍ଷାଟା ନ ଦେଇ ଘରକୁ ପଳେଇ ଆସିଲୁ କାହିଁକି ? ଫିସ୍‌ ଦାଖଲ ହେଲା, ଏତେ ପରିଶ୍ରମ କରି ପଢ଼ିଲୁ, ଶେଷ ମୁଣ୍ଡରେ ଛାଡ଼ି ଚାଲି ଆସିବା ଠିକ୍‌ହେଲା କି ? ପରୀକ୍ଷାଟା ଦେଇ ପକେଇଥିଲେ କଣ ଅବା ଅପରାଧ ହୁଅନ୍ତା ! ଖାଲି ପରୀକ୍ଷା ଯୋଗୁଁ କଣ ସ୍ୱରାଜ ଅଟକି ଯାଉଚି !

 

ତେବେ ପୁଅକୁ ଯେତେ ସେ ଆକଟ କରିଛନ୍ତି, ସବୁ ଘର ଭିତରେ । ପଦାରେ କରିବେ କିମିତି ? ଅର୍ଜୁନ ବାବୁ ତ କିଛି ଏକା ନୁହନ୍ତି । ଆହୁରି କେତେ ଜଣ ପିଲା ବି ପରୀକ୍ଷା ନ ଦେଇ ବାହାରି ଆସିଥାନ୍ତି । ନିଜେ ଆଗୁଆ ହୋଇ ବାହାରିଛନ୍ତି, ପୁଅକୁ ମନା କରିବେ କେଉଁ ମୁହଁରେ ? ସେଥିପାଇଁ ରାତିରେ କେହି ବାହାର ଲୋକ ନଥିଲା ବେଳେ ଟୁପୁଟୁପୁ କରି ପୁଅକୁ କେତେ କଥା ବୁଝାଇଲେ । ଅକାରଣରେ ତାଙ୍କ ପଢ଼ାପିଛା ପଇସା ଗୁଡ଼ାଏ ଖର୍ଚ୍ଚ ହେଲା ବୋଲି ବ୍ୟସ୍ତ ହେଲେ । ସ୍ତ୍ରୀଙ୍କୁ ମଧ୍ୟ ସାକ୍ଷୀ କଲେ । ଶେଷକୁ କାହିଁରେ କିଛି ନ ହେଲାରୁ ଆର ଦିନ ଓକିଲାତିଖାନାରେ ପୁଅଙ୍କ ପଢ଼ାପିଛା ଯାହା ଖର୍ଚ୍ଚ କରିଥିଲେ, ତାହାର ଗୋଟିଏ ଲମ୍ବା ଫର୍ଦ ହିସାବ ଦେଇ ଏବେ ବଂଶଯାକ ଦେଶ କାମରେ ବାହାରିଲେ ବୋଲି ଶୁଣାଇଦେଲେ ।

 

ଦୟାନିଧି ବାବୁ ଯେମିତି ମନେ ମନେ ପୁଅକୁ ନିହାତି ବୋକା ବୋଲି ବିଚାରୁଥାନ୍ତି, ଅର୍ଜୁନ ସେମିତି ବାପାଙ୍କ କଥା ପଡ଼ିଲେ ନାକ ଟେକି ଦିଅନ୍ତି । ବାପାଙ୍କ ଇଚ୍ଛା ଦୁଇ ନାଆରେ ଗୋଡ଼ ଦେଇ ଚାଲିବା ପାଇଁ । ଏଣେ ଓକିଲାତି, ତେଣେ ଦେଶକାମ ଦୁଇଟାଯାକ ଏକା ସାଙ୍ଗରେ ଚାଲିଥିବ । କରିବ ଯେବେ ଗୋଟାଏ କାମ ଭଲ ଭାବରେ ହେଲେ କର। ପୁଅ ମୁଣ୍ଡକୁ ଆଶା, ତେଲ ଘଡ଼ିକ ଆଶା । ବାପ ପୁଅଙ୍କର ବେଶି ଭେଟ ହୁଏ ନାହିଁ । ଖାଲି ଲୋକେ ଜାଣିବାକୁ ଦୁଇଜଣଯାକ ଦେଶ ପାଇଁ ବାହାରିଛନ୍ତି ।

 

ଜୟୀବାବୁ, ଅର୍ଜୁନ ବାବୁଙ୍କ ସାଥିରେ ନିଶାମଣି ବାବୁ ବୋଲି ଆଉ ଯେଉଁ ଜଣଙ୍କ ଆସିଥାନ୍ତି ତାଙ୍କ ଘରେ କେହି ବୋଲି କେହି ନାହିଁ । ସେ ଭାରି ଗରିବ । ମଗା ଯଚା କରି ପଢ଼ୁଥିଲେ । ତେଣିକି ଆଉ ପାରିଲେ ନାହିଁ । ପୁରୀ ଜିଲ୍ଲା ସାକ୍ଷୀଗୋପାଳ ଥାନାରେ ଘର । ମଣିଷଟି ଦେଖିବାକୁ ଚିକ୍‌କଣ କଳା । ନାକପୁଡ଼ା ଯୋଡ଼ିକ ମୋଟା, ଡାହାଣ ପୁଡ଼ାତଳେ ଗୋଟିଏ କଳା ଜାଇ । ଦେହ କଳା ଥିବାରୁ ନିରେଖି ନ ଚାହିଁଲେ ବାରି ହୁଏ ନାହିଁ । ଚକା ମୁହଁଟି ସବୁବେଳେ ଶୁଖିଲା ଦିଶେ । କଥା କହୁଁ କହୁଁ କାନ୍ଦି ପକାନ୍ତି । ବେଶି ମେଳାପୀ ନୁହନ୍ତି ।

 

ତେବେ ନିଶାମଣି ବଡ଼ ନିଷ୍ଠାପର ମଣିଷ । ପାହାନ୍ତାରୁ କେହି ନ ଉଠିବା ଆଗରୁ ଗାଧୁଆ ପାଧୁଆ ସାରି ଅଧ୍ୟାୟେ ଗୀତା ପାଠ କରିବେ । ତା’ ସାଙ୍ଗକୁ ପୁଣି କଣ ଯୋଗ ସାଧନା କରନ୍ତି । ଥରେ ବା ନାକ ପୁଡ଼ାରେ, ଆଉଥରେ ଡାହାଣ ପୁଡ଼ାରେ ନିଃଶ୍ୱାସ ନେଲାବେଳେ ତମ୍ପସାପ ଗର୍ଜନ ଭଳି ସୁ ସୁ ଶୁଣାଯାଏ । ଯେଉଁ ଗୁରୁ ତାଙ୍କୁ ଏ ବିଦ୍ୟା ଶିଖାଇଥିଲେ ସେ କୁଆଡ଼େ ସାଧନା କଲାବେଳେ ମାଟିରୁ ଚାଖଣ୍ଡେ ଉପରକୁ ଉଠିଯାନ୍ତି । ଆଉ ତାଙ୍କ ଗୁରୁଙ୍କ ଗୁରୁ କୁଆଡ଼େ ଆକାଶରେ ଯା’ଆସ କରନ୍ତି । ଦିନେ ତ ବରଜୁ ନିଜେ ଭୋରରୁ ଯାଇ ଦେଖିଲା ବେଳକୁ ନିଶାମଣି ମୁଣ୍ଡ ତଳକୁ କରି ଗୋଡ଼ ଯୋଡ଼ିକ ସିଧା ଉପରକୁ ଟେକି ମୁଣ୍ଡରେ ହିଁ ଛିଡ଼ା ହୋଇଛନ୍ତି ।

 

ତାହାପରେ ତ ଅରଟ ଧରି ଶହେ ଗଜ ସୂତା କାଟିବେ । ତାଙ୍କ ନିଷ୍ଠା ଦେଖି ଆଉ ବାବୁମାନେ ବି ତାଙ୍କୁ ଖାତିର କରନ୍ତି ଢେର୍‌ । ପୁଣି ଭିଡ଼ କାମ ପଡ଼ିଲେ ତ ତାଙ୍କ ପାଖେ ସମସ୍ତେ ହଟିଯିବେ । ଆଜି ଦଶ କୋଶ ଚାଲିବାକୁ ହେବ ତ ଚାଲ । ରାତି ତିନି ପହରେ କାହାର ମଡ଼ା କାଢ଼ିବାକୁ ଦରକାର ପଡ଼ିଲା ତ ପରୁଆ ନାହିଁ । ଖାଇବା ପିଇବାରେ ଯାହା ମିଳିଲା ଖୁସି । ଭାତ ନ ମିଳିଲେ ଚୂଡ଼ା ମୁଢ଼ି । କିଛି ନ ଥିଲେ ଖାଲି ଚାଉଳ ମୁଠାଏ ବତୁରାଇ ଲୁଣଟାଏ ହେଲେ ବି ତାଙ୍କର ଓଳିଏ ଚଳିଗଲା ।

 

ତାଙ୍କ ଢଙ୍ଗ ସାଥିରେ ନାଥବାବୁଙ୍କ ଢଙ୍ଗ ଛଡ଼ା ଅର୍ଜୁନ ବାବୁ ହେଲେ, କି ଜୟୀବାବୁ ହେଲେ, କାହାରି ଚଳଣି ମିଶେ ନାହିଁ । ଯେତେ ହେଲେ ସେ ଦିହେଁ ସହରିଆ । ପୁଣି ଜୟୀବାବୁ କେତେ ଆଡ଼ ବୁଲିଛନ୍ତି । ଚାନ୍ଦବାଲି ବାଟେ ତାଙ୍କର କଲିକତାରେ କାରବାର ହେଉଥିଲାବେଳେ କଲିକତା ବି ଯାଇଛନ୍ତି । ତାଙ୍କ ବାପାଙ୍କୁ ସେ ତରଫରେ ନ ଜାଣେ କିଏ ? ନିଶାମଣି କଲିକତା କଥା ଯାହା କି ଜାଣିଛନ୍ତି, ଶୁଣିଛନ୍ତି, ସବୁ ତାଙ୍କ ପିଉସୀପୁଅ ଭାଇ ଜରିଆରେ । ସେ ଚଟକଳରେ କାମ କରେ । ତାଙ୍କ ଗାଁରୁ ଆଉ ଦଶ ପନ୍ଦର ଲୋକ ବି କଲିକତା ଯା’ଆସ କରନ୍ତି । ସେଥିରୁ ନିଶାମଣି ଜାଣିଥିଲେ କଲିକତାକୁ ଖାଲି ବୁଲି, ରୋଷୟା ଯାନ୍ତି । ଚାନ୍ଦବାଲି ବାଟେ ଜାହାଜରେ କାରବାର କରି ଓଡ଼ିଶାରୁ ବଡ଼ଲୋକ ହୋଇଛନ୍ତି, ଏହା ତ ସେ ଦେଖି ନ ଥିଲେ, କି ଶୁଣି ନ ଥିଲେ; କାହୁଁ ଜାଣିବେ ? ଜୟୀବାବୁ ବେଳେ ବେଳେ ‘ଖାଇବାକୁ’ ନ କହି ‘ଖାଇତେ’ କହି ପକାନ୍ତି, ‘ଗୋଡ଼’ ନ କହି ‘ଗୁଡ଼’ କହନ୍ତି । ବାଲେଶ୍ୱରିଆ କଥା । ଯାହା କହନ୍ତୁ ପଛେ ସେ ବେଶି ପଢ଼ିଛନ୍ତି, ଜାଣିଛନ୍ତି । ତାଙ୍କ ଚଳଣି ତ ଟିକିଏ ସୁକୁମାରିଆ ହେବ । ଯେତେ ହେଲେ ବଡ଼ଘର ପୁଅ । ବାପାଙ୍କୁ ତାଙ୍କର ସେ ତରଫରେ ନ ଜାଣେ କିଏ !

 

ବାପା ଓକିଲାତିରେ ସେତେ ଜଣାଶୁଣା ନ ହେଲେ ବି କଂଗ୍ରେସରେ ବାହାରି ତାଙ୍କ ନାଁ ଖବରକାଗଜରେ ଛପା ହେଲାଣି । ପୁଣି କଟକ ସହରରେ ଏମିତି କିଛି କଥା ନାହିଁ ଯାହାକି ତାଙ୍କ ପୁଅ ଅର୍ଜୁନଙ୍କୁ ଅଜଣା । ନାଚ ତାମସା, ଖେଳ କଉତୁକ ସବୁ ସେ ଦେଖିଛନ୍ତି । କ୍ରିକେଟ୍‌ ମ୍ୟାଚ୍, ଫୁଟବଲ୍‌ ମ୍ୟାଚ୍‌, ଦେବୀ ଯାତ କେଉଁ କଥା ସେ ନ ଜାଣନ୍ତି । ପୁଣି ସବୁ ସଭାସମିତିରେ ତ ଆଗ ହୋଇ ବାହାରିଛନ୍ତି । ବାପା ସିନା ତାଙ୍କର ମଫସଲରୁ ଯାଇ ସହରରେ ରହିଲେ; ସେ ନିଜେ ତ ସହରରେ ଜନ୍ମ, ଆଉ ତାଙ୍କୁ ମଫସଲିଆ ବୋଲି କିଏ କହିବ ! ହେଲେ ମଫସଲରୁ ଆସି ତାଙ୍କର ଟିକିଏ ହେଲେ ଗର୍ବ ନାହିଁ । ସବୁରି ସାଥିରେ ଭାଇ ବନ୍ଧୁ ହିସାବ ।

 

ହରିପୁରକୁ ଏ ତିନୋଟି ବାବୁ ଆସିଲା ଦିନୁଁ ଗାଁ ଲୋକେ ତାଙ୍କ ବିଷୟରେ ପଚରା ଉଚରା କରି ବୁଝିଲେଣି । ନାଥ ବାବୁଙ୍କ ବାପା ନରହରି ଦାସଙ୍କୁ ଏ ସବୁ ସୁଖ ଲାଗୁ ନ ଥାଏ । ପୁଅ ଉପରେ ଚିଡ଼ିମିଡ଼ି ହୋଇ ତୂନୀ ରହନ୍ତି । ଆଉ କରିବେ କଣ ? ଭଲ ଲୋକ ଘର ପାଠୁଆ ପିଲା ତିନିଟା, ତାଙ୍କୁ କଣ ତଡ଼ିଦେବେ ?

 

ହରିପୁର ଗାଁର ଲୋକଙ୍କ ଭିତରେ ଏ ବାବୁମାନେ ଆସି ଗୋଟାଏ ଚହଳ ପକେଇଦେଲେ । ପାଠଶାଠ ପଢ଼ି ପୁଣି ବଡ଼ ଘରର ପୁଅମାନେ ଚାକିରୀ ବାକିରୀ ନ କରି ଏମିତି ଯେ ଗାଁ ଗାଁ ବୁଲୁଛନ୍ତି, ଖାଲି କଣ ମାହାଳିଆ ? କେଉଁ କାଳେ ତ ଏ କଥା ଶୁଣା ନ ଥିଲା । ସମସ୍ତେ ଖାଲି ଅରଟରେ ସୂତା କାଟିଲେ କୁଆଡ଼େ ବିଦେଶୀ ସରକାର ଛାଡ଼ି ପଳାଇବ ! ଲୁଗା ବାବତରେ ଦେଶରୁ ପରା ଷାଠିଏ କୋଟି ଟଙ୍କା ବର୍ଷକୁ ବାହାରି ଯାଉଛି । ସେତକ ବନ୍ଦ ହେଲେ ତ ବିଲାତୀ ବ୍ୟବସାୟୀଙ୍କର ଆୟ କମିଗଲା । ନଇଲେ କାହିଁକି ବାବୁମାନଙ୍କୁ ଗୋଡ଼େ ଗୋଡ଼େ ପୁଲିସ ଏମିତି ଜଗନ୍ତା । ଏହା ଭିତରେ ନିଶ୍ଚେ ହେଲେ କିଛି ମରମ ଥିବ ବୋଲ ତ !

 

‘‘ତୁ ପୁଣି କରଜ କଲୁ କେବେ ରେ, ଗୌରା ? ମତେ ତ କାହିଁ ଏ କଥା କହିନୁଁ ?’’ ବରଜୁ ଆଶ୍ଚର୍ଯ୍ୟ ହୋଇ ପଚାରିଲା ।

 

‘‘ମୁଁ କଣ କରଜ କରିଥିଲି କି ଭାଇ ! କରଜ କରିଥିଲେ ନତା କଣ୍ଡରା, ମହନା ମାଝି ନା’’ - ଗୌରାଙ୍ଗ ଉତ୍ତର ଦେଲା ।

 

‘‘ସେମାନେ କିଏ ? ତେବେ ତୋ ନାଁରେ ଏ ନୋଟିସ୍‌ହୋଇଛି କିଆଁ ?’’

 

‘‘ମୁଁ ପରା ତାଙ୍କ ଜାମିନ୍‌ହୋଇଥିଲି । ତାଙ୍କର ତ ଘରବାଡ଼ି କିଛି ନାହିଁ, ତାଙ୍କ ଟଙ୍କା ମୋ ଛଡ଼ା ଆଉ ଦେବ କିଏ ?’’

 

‘‘ତେବେ ତୁ ନିଜେ କିଛି ହେଲେ ଧାରି ନାହୁଁ ?’’

 

‘‘ଏକ ଛଦାମ ବି ନୁହେଁ । ଓଲଟି ମୋର ଅଂଶ ଅମାନତ ବାବତରେ ଟଙ୍କା ପଚାଶ ସରିକି ଜମା ଥିବ ।’’

 

‘‘ଏ ତ ବଡ଼ ଅନ୍ୟାୟ କଥା !’’

 

‘‘ଅନ୍ୟାୟ କଣ ଭାଇ ! ଗାଁ ଭିତରେ ଯେଉଁମାନେ ଚଳପକ୍ଷ, ତାଙ୍କର ତ ଆଉ ପାଞ୍ଚଟି ଗରିବଗୁରୁବା ଭାଇଙ୍କୁ ଟିକିଏ ସାହାର୍ଯ୍ୟ କରିବା ଲୋଡ଼ା ।’’

 

‘‘ସାହାର୍ଯ୍ୟ କରିବା ଲୋଡ଼ା ସିନା, ତେବେ କଣ ଏହିପରି ସାହାର୍ଯ୍ୟ । ତୋର ନିଜର ଲୋଡ଼ା ନାହିଁ; ଆଉ ଜଣକ ପାଇଁ ଜାମିନ ହୋଇ ଟଙ୍କା ଦିଆ ନିଆ କରେଇବୁ, ଶେଷରେ ବିନା ଦୋଷରେ ତୁ ଇ ସବୁ ଟଙ୍କା ଶୁଝିବୁ !’’

 

‘‘ମୁଁ କଣ ଏତେ କଥା ବୁଝିଥିଲି କି ? ସେଥର କଟକରୁ ଦୟାନିଧି ବାବୁ ଓକିଲ ଆଉ ବେଙ୍କ ଇଲାକାର ଜଣେ ବଡ଼ ହାକିମ ଆସିଥିଲେ । ତାଙ୍କ କଥାରେ ମନଟା ମୋର ମାନିଗଲା ।’’

 

‘‘ଦୟାନିଧି ବାବୁ କିଏ ? ଆମର ଏଇ ଅର୍ଜୁନବାବୁଙ୍କ ବାପା ତ ନୁହନ୍ତି ?’’ - ବରଜୁ ପଚାରିଲା ।

 

‘‘ହେଇଥେବେ । ସେ ତ ମୋଟା ଖଦଡ଼ ଲୁଗା, ଜାମା ପିନ୍ଧି ଆସିଥିଲେ । ପୁଣି ପାଖରେ ଗୋଟାଏ ଅରଟ ଧରି ବସିଥାନ୍ତି । ଏଣେ ଆମ ସାଙ୍ଗେ ଗପ କରୁଥାନ୍ତି, ତେଣେ ଅରଟରେ ସୂତା କାଟି ଲାଗିଥାନ୍ତି । ଭାରି ସାଧାରଣ ମଣିଷ ।’’

 

‘‘ତେବେ ତ ତାଙ୍କ ଛଡ଼ା ଆଉ କେହି ନୁହଁ ! ଆଚ୍ଛା, ତହିଁରୁ କଣ ହେଲା ?’’

 

ଗଉରା କହିଲା, ‘‘ମୁଁ କଣ-ସୁଆଁଲ, ଟିକରପଡ଼ା, ଘାଟିଖିଆ, ଫିରଫିରା, ବଢ଼େଇବାଙ୍କ-ସବୁଆଡ଼େ ଲୋକ ଆସି ରୁଣ୍ଡ ହେଇଥାନ୍ତି ଆମ ଗାଁରେ ।’’ ଦୟାନିଧି ବାବୁ କହିଲେ, ସେ ତ କଟକରେ ଓକିଲାତି କରନ୍ତି; ସେ କାହିଁକି ଦୁଇ ଦିନ କାଳ ନିଜ ବେଉସା ମାଟି କରି ଆଣ୍ଠୁଏ ଏ ପାଣି କାଦୁଅରେ ଆମ ଗାଁକୁ ଆସିଲେ ? ସେ ଆମର କେଉଁ ଭାଇ ବନ୍ଧୁ, ନା ପଡ଼ିଶା ଅଡ଼ିଶା ? ସେ ଆମ ପାଇଁ ଏତେ କଷ୍ଟ ସହି ଆସିଲେ, ପୁଣି ବେଙ୍କ ମଧ୍ୟ ଆମ ଅସୁବିଧା ଘୁଞ୍ଚାଇବା ପାଇଁ ଋଣ ମଞ୍ଜୁର କରୁଚି । ତା ହେଲେ ଆମେ ଯେ ଗାଁ ଭିତରେ ଜଣେ ଅଧେ ଚଳପକ୍ଷ-ଘର ଅଛୁଁ, ଦଶ ପଚିଶ ମାଣ ଚାଷ କରୁଚୁଁ, ଆମ ଗାଁ ଭିତରୁ ଯାହାଙ୍କର ମାଣେ କଣେ ନାହିଁ, ତାଙ୍କ ଚଳାଚଳ ପାଇଁ ଆମେ ହାମି ହୋଇ ଠିଆ ହେଲେ କେତେ ବଡ଼ ପୁଣ୍ୟ କରିବୁଁ ! ଦୟାନିଧିବାବୁ ପୁଣି କହିଲେ ।’’

 

ବିରକ୍ତ ହୋଇ ବରଜୁ କହିଲା, ‘‘ଆଚ୍ଛା, ଦୟାନିଧି ବାବୁ ସେ କଥା କହିଲାବେଳେ ତାଙ୍କୁ ପଚାରିଥିଲେ କି ଯେଉଁ ଦି’ଦିନ କଚେରୀ ମାରା କରି ସେ ଆସିଥିଲେ, ସେ ଦି’ଦିନ ବେଙ୍କରୁ ଗସ୍ତ ଖର୍ଚ୍ଚା ପାଇବେ କି ନାହିଁ ?’’

 

‘‘ସେ କଥା ଆମେ କିମିତି ତାଙ୍କୁ ପଚାରନ୍ତୁ, ଭାଇ ! ସମିତି ଇଲାକାର ଯେଉଁ ହାକିମ ଜଣକ ଆସିଥିଲେ, ସେ ବି କେତେ ବୁଝେଇ ଶୁଝେଇ କହିଲେ । ଗାଁ ଲୋକଙ୍କ ଭିତରେ ଏକତା ରହିଲେ ସମସ୍ତଙ୍କର ସେଥିରେ କେତେ ଉପୁଗାର ଅଛି । ପରର ଉପୁଗାର କଲେ ସ୍ୱର୍ଗବାସ ହୁଏ ବୋଲି ଶାସ୍ତ୍ର କହୁଚି; ଆମ ନିଜ ଭିତରେ ମନ ଅମେଳରୁ ସିନା କଳି ତକରାଳ, ଖୁଣି ମାରପିଟ, ମାଲିମକଦ୍ଦମା ହେଇ ଘର ଘର ଉଚ୍ଛନ୍ନ ହଉଚି ।’’

 

‘‘ସେତିକି ହଉ, ଗଉରା । ମୁଁ ସେ ହାକିମକୁ ପଚାରିଥାନ୍ତି, ମାସକୁ ତାଙ୍କ ଦରମା କେତେ, ଗସ୍ତଖର୍ଚ୍ଚା କଣ । ଲୋକଙ୍କ ଉପକାର କରିବା ପାଇଁ ସମିତି ଇଲାକାକୁ ଆସି ତାଙ୍କ ନିଜର ଆଗ କି ଉପକାର ହେଇଚି; ଦରମା, ଗସ୍ତଖର୍ଚ୍ଚା ଛାଡ଼ି ଲୋକଙ୍କ ଭଲ କରିବାକୁ ସେ କେତେ ଅଧିକା ଭତ୍ତା ପାନ୍ତି ? କେତେ କଣ ଗରିବ ଗୁରୁବାଙ୍କ ପାଇଁ ସେ ନିଜେ ଜାମିନ୍ ଦେଇଚନ୍ତି ? ପୁଣି କେତେ ଲୋକଙ୍କ ପାଇଁ ସେ ଜାମିନ୍ ହେବାକୁ ରାଜି ? ଏ ତ ସଫା ମହାଜନି ଖାତକି କାରବାର । ସେଥିରେ ଜଣକୁ ଆଉ ଜଣକର ଜାମିନ୍ କରେଇ ତାଙ୍କ କାରବାରକୁ ସେ ମଜବୁତ କରୁଥିଲେ ସିନା । ସ୍ୱାର୍ଥତ୍ୟାଗ, ପର ଉପୁଗାର-ଏତେ କଥା କହୁଥିଲେ କାହିଁକି ?’’

 

‘‘ଏ ସବୁ କଥା ସେତେବେଳେ କିଏ ଜାଣିଥିଲା କି ଭାଇ ! ବାବୁଭାୟା ପାଠୁଆ ଲୋକେ ଯେତେବେଳେ ୟା କହୁଚନ୍ତି, ଆମେ କି ମାତ୍ର ମୁଣ୍ଡ, କଣ ବୁଝିବୁଁ ? ଏମିତି ସିନା ବାର ଫୁସୁଲାଫୁସୁଲି କରି ଲୋକଙ୍କୁ ସମିତିର ‘ସଭ୍ୟ’ କରିଦେଲେ । ପୁଣି ବର୍ଷେ ଛ’ମାସ ପରେ ସେଇ ବେଙ୍କ ଇଲାକା ବାବୁମାନେ ଟଙ୍କା ଆଦାୟ ପାଇଁ ଧମକ ଚମକ ଦେଖେଇଲେ । ତା’ ପରେ ନଈବଢ଼ି, ହଇଜା ପରି କରଜ ସୁଅରେ ଗାଁ ଗାଁ ଏମିତି ଧୋଇଯିବ, ଏତେ କଥା ଆଗରୁ କିଏ ହେଲେ ବିଚାରି ପାରିଥିଲା !’’

 

ଡିଗ୍ରିଜାରୀ ନୋଟିସ ଖଣ୍ଡ ଗୌରାଙ୍ଗ ହାତକୁ ବଢ଼ାଇଦେଇ ବରଜୁକୁ କହିଲା, ‘‘ଯାହା ତ ହେବାର ହେଇଗଲାଣି, ଟଙ୍କାତକ ଏକ୍ଷଣି ଯୋଗାଡ଼ କରି ଦେଇପକେଇବା ସବୁଠୁଁ ଭଲ । ଆଚ୍ଛା ବେଳେ ତ ଆଚ୍ଛା କଥା । ଯାହା କହନ୍ତି, ବାହାଘର ବେଳେ ବାଇଗଣ ରୁଆ ।’’

 

ନୋଟିସ କାଗଜ ଖଣ୍ଡ ହାତରେ ମୋଡ଼ୁ ମୋଡ଼ୁ ଗୌରାଙ୍ଗ କହିଲା, ‘‘ହଁ, ମୋର ସିନା ଅଛି ବୋଲି ଦେବି । ନଇଲେ ଅବା ଜମି ମାଣେ ବିକି ଶୁଝିଦେବି । ତେବେ ଯାହାଙ୍କର କିଛି ନାହିଁ, ଅବା କେଉଁଠି ମାଣେ କଣେ ଅଛି, ତାଙ୍କ କଥା ଭାବିଲ ଦେଖି ! ଆମ ଗାଁ ବାବନ ମାଝିକୁ ଦେଖିଲ ତ । କାଲି ସକାଳେ ହଡ଼ା ଦି’ଟା ବାନ୍ଧି, ନିଜ ଜମି ସାଙ୍ଗେ ଭରା ବଖରା ଦି’ମାଣ ଚଷି ତାର ସେ ସୁଖେ ଦୁଖେ ଚଳୁଥିଲା । ଆଜି ଏକାବେଳେ ଦାଣ୍ଡର ଫକଡ଼ । ବେଙ୍କ ଟଙ୍କା ଆଣି ଏଇ ତ ତାର ଶେଷ ଲାଭ । ମୋ ଦେଖିବାରେ ପାଖପଡ଼ିଶା ଯେତେ ଗାଁ ଲୋକେ ସମିତି ଟଙ୍କା ଆଣିଚନ୍ତି, କାହାରି ତ ଘର ନ ଭାଙ୍ଗି ନାହିଁ !’’

 

ବରଜୁ ପଧାନ ସବୁ ଶୁଣି ମୁରୁକି ମୁରୁକି ହସୁଥାଏ । ‘‘ତୁ ବୁଝିନୁ କି ରେ ଗୌରା ? କଟକ ସହରକୁ ରଖିବା ପାଇଁ ଯେମିତି ଶହ ଶହ ଗାଁକୁ ନଈବଢ଼ିରେ ଭସେଇଦବାକୁ ପଡ଼ୁଚି, ସେମିତି ଶହେଟା ମାଟିଘର ନ ଭାଙ୍ଗିଲେ ଖଣ୍ଡେ ପକ୍‌କା ଘର ତୋଳା ହବ କିମିତି ? ବାବନ ମାଝିର ଜମିବାଡ଼ି ନିଲାମ ହେଲା ତ, ମନ୍ଦ କଣ ? ସେତେବେଳେ ଅବା ନିଜର ତିନି ମାଣ ମିଶେଇ ଆଉ କାହାଠୁଁ ଭାଗ ବଖରା ଦି’ମାଣ ଚଷୁଥିଲା, ଏବେ ନ ହେଲା ମୂଲ ଲାଗି ଚଳିଲା । ପାଞ୍ଚ ମାଣ ଜମି ଚଷି ଚଳିବା ଆଉ ମୂଲ ଲାଗି ଚଳିବା ଭିତରେ କିଛି ଫରକ ଅଛି ଭଲା ? ପାଞ୍ଚ ମାଣ ଜମିରେ ତାର ପିଲା କୁଟୁମ୍ବ ନିତି କଉଁ ଖିରି ପିଠାରେ ଭାସୁଥିଲେ, ଆଜି କିଛି ନ ଥାଇ ଖାଲି କଣ ପେଜ ତୋରାଣି ପିଉଚନ୍ତି ! ମୋ ବିଚାରରେ ପାଞ୍ଚମାଣ ତିନିମାଣ ଯେଉଁମାନେ ଚଷୁଚନ୍ତି, ତାଙ୍କର ତ ମୂଲ ଚଳିବା ବେଶି ସୁବିଧା । ଜମି ପାଞ୍ଚମାଣ ଚଷିବା ପାଇଁ ଯେଉଁ ହଳ ଲଙ୍ଗଳ, ବିହନ, ଲଗୁତି କାରିବାକୁ ପଡ଼େ, ସେ ତ ଘୋଡ଼ା ଛ ଟଙ୍କା ହେଲେ ବାଖର ନ ଟଙ୍କା । ସାନ ଚାଷୀଙ୍କ କଥା ଛାଡ଼ି ଦେଲେ ତୁ ତ ଜଣେ ବଡ଼ ଚାଷୀ, ପୁଣି ଘରେ ତୋର ଜଣେ ହେଲେ ଖାଇବାକୁ ନାହିଁ । ଜମି ଚାଷ କରି କେତେ ଟଙ୍କା ଜମା କରି ରଖିଚୁ ? ପିଲା କୁଟୁମ୍ବ ବଂଶବର୍ଗତ ହଇଜାରେ ମଲେ, ଡାକ୍ତର ପିଛା କେଯାଏ ଟଙ୍କା ଖର୍ଚ୍ଚ କରି ପାରିଲୁ ? ତୋ ହାତରେ ଟଙ୍କା ଦି’ ହଜାର ଥିଲେ ଶହେ କୋଶ ଦୁରରୁ ତ ଡାକ୍ତର ଡାକି ପାରିଥାନ୍ତୁ । ବେଙ୍କ ହଉ, ସରକାର ହଉ, ସବୁରି ବାଟ ଗୋଟାଏ କଣ ଜାଣୁ ତ ? ଶହେ ଝିଣ୍ଟିକା ମାରି ଗୋଟିଏ ବଣି ପୋଷିବା । ଗାଁ ମହାଜନ, ସାଉକାର ଆଗେ ଯେତେବେଳେ ଗରିବ ଗୁରୁବାଙ୍କ ତଣ୍ଟି ଚିପୁଥିଲେ, ସେତେବେଳେ ଗାଁ କଥା ଗାଁ ଭିତରେ ଲୁଚି ଛପି ରହୁଥିଲା । ଏବେ ସରକାଙ୍କ ସୁପାରିଶରେ ବଡ଼ ବଡ଼ ବ୍ୟବସାୟୀ, ଚାକିରିଆ, ଓକିଲ, ଜମିଦାରଙ୍କର ବଳକା ଟଙ୍କାରେ ବେଙ୍କ ଗଢ଼ାଯାଇ କିରାନି, ମେନେଜର, ନଥି ଶିରସ୍ତାରେ କଥାଟା ବାହାରେ ଖାଲି ଜଣା ପଡ଼ିଲା । ଯେଉଁମାନେ ସମିତିରୁ ଟଙ୍କା ନ ନେଇ ମହାଜନଠାରୁ ନିଅନ୍ତି, ସେମାନେ ଗାଁ ଭିତରେ ଫକଡ଼ ହୁଅନ୍ତି । ଆଉ କୁଆଡ଼େ ତାଙ୍କ ନାଁ ପଡ଼େ ନାହିଁ । ଏମିତି ଜାଣି ଶୁଣି ଫକଡ଼ ହେଲେ ବେଙ୍କ ତ ଭଲ ଛଡ଼ା ମନ୍ଦ କିଛି କରି ନାହିଁ ! ଲୁଚି ଛପି ଯାହା ଘଟୁଥିଲା, ବାହାରେ ସେହି ସତଟାକୁ ଧରା ପକେଇ ଦେଇଚି । ଗାଁ ମହାଜନ ଠକାମି କି ମୂଲାହିଜା କରି ଯେଉଁ ବେଆଇନ କାମ କରୁଥିଲା, ସେଥିପାଇଁ ବେଙ୍କ ଆଇନ ବାନ୍ଧି ଦେଇଚି । ଗାଁର ମୁର୍ଖ ମହାଜନଠୁଁ ଶିକ୍ଷିତ ସରକାର ଯାକେ ସମସ୍ତେ ଯେ ଗୋଟାଏ ବାଟରେ ଚାଲିଛନ୍ତି, ସମବାୟ ସମିତି ଏ ବିଷୟରେ ସବୁରି ଆଖି ଖୋଲି ଦେଇ ଭାରି ଉପକାର କରିଚି ।’’

 

ଚୈତନ୍ୟ ମାଝି ଆସି କହିଲା, ‘‘ଗଉରା ଦାଦି, ମେନେଜର ବାବୁ ଡାକୁଚନ୍ତି ।’’

 

‘‘ଆଉ ଡାକୁଚନ୍ତି କାହିଁକି, ଯାହା ତ କଚିରିରେ ଏଣିକି ହବ । ହଉ ଚାଲ । ଆଉ ସବୁ ଗଲେଣି ?’’ –ଗଉରା ପଚାରିଲା ।

 

ଚୈତନ୍ୟ ମାଝି ସମିତିର ଡାକୁଆ ନମୋଦ ହୋଇଛି । ନିଜେ କରଜ ନେବା ଛଡ଼ା ବାବୁମାନେ ଆସିଲେ ସଭ୍ୟମାନଙ୍କୁ ଡାକି ଆଣି ହାଜର କରାଇବା ତାହାର କାମ । ସେଥିପାଇଁ ସେ ମଜୁରୀ ପାଏ । ଗାଁରେ ଥିବା ନ ଥିବା ସଭ୍ୟଙ୍କର ଲମ୍ବା ତାଲିକା ଦେଇ କିଏ କୁଣିଆ ଘର, ଆଉ କିଏ କାଞ୍ଜି ହାଉସ୍, କିଏ ବା ବଦ୍ୟ ପାଖକୁ ଯାଇଚି, ଆଉ କିଏ କାହିଁ ନ ଯାଇ ମଧ୍ୟ ଗାଁ ଭିତରେ ଦେଖିବାକୁ ମିଳୁ ନାହିଁ, ପୁଣି ବାକୀ କେଉଁମାନେ ଯାଇ ହାଜର ହେଲେଣି ସବୁରି କଥା କହିଗଲା ।

 

ଗୌରାଙ୍ଗ ବରଜକୁ କହିଲା, ‘‘ଭାଇ, ତୁମେ ଯିବ କି ?’’

 

‘‘ହଉ ଏବେ ଚାଲ, ଗଲେ ମାରା କଣ ? ତେବେ ଯାଇ ବି ଲାଭ କଡ଼ାକର ନାହିଁ । ଅମିନଗିରି କରୁଥିଲା ବେଳେ ବହୁତ ଗାଁ ବୁଲି ଏଇ ସମବାୟ ମସିତିର କାମ ମୁଁ ଦେଖିଚି । ଆଉ ଅଧିକା ଦେଖିବି କଣ !’’

 

ଗାଁ ମଝିରେ ଖଣ୍ଡେ ସମିତି ଘର ତିଆରି ହୋଇଛି, ସମିତି ସଭ୍ୟଙ୍କ ଚାନ୍ଦା ମୂଲରେ । ସମିତିର ସାଧାରଣ ସଭା ପୁଣି କମିଟି ବୈଠକ ଏଠାରେ ହୁଏ । ବାବୁମାନେ ପରିଦର୍ଶନ କରିବାକୁ ଆସିଲେ ସେଇ ଘରେ ରହନ୍ତି । ସେଠାରେ ପହଞ୍ଚି ବରଜୁ ଯାହା ଦେଖିଲା, ସେଥିରେ ଏକାବେଳେ ତାଟକା ହୋଇପଡ଼ିଲା । ଘର ଭିତରୁ ମେନେଜର ବାବୁଙ୍କ ପାଟି ଶୁଭୁଛି । ସମିତିର ସଭ୍ୟମାନଙ୍କ ପ୍ରତି ଯେଉଁ ଭାଷାରେ ସେ ଚିତ୍କାର କରୁଥାନ୍ତି, ତହାକୁ କେହି ସୁଦ୍ଧା ସଭ୍ୟଭାଷା ବୋଲି କହିବ ନାହିଁ-। ପୁଣି ଘର ବାହାରେ ଟାଇଁଟାଇଁଆ ଖରାରେ ଚାରିଜଣ ଲୋକ ହାତ ଯୋଡ଼ି ଠିଆ ହୋଇ ରହିଥାନ୍ତି ।

 

ତାଙ୍କ ପାଖକୁ ଯାଇ ବରଜୁ ପଚାରିଲା, ‘‘କି ରେ, ଏ ଖରା ତାତିରେ ଏମିତି ଛିଡ଼ା ହେଇଚ କାହିଁକି ?’’

 

ଉତ୍ତର ହେଲା, ‘‘କଣ କରିବୁଁ, କିସ୍ତି ଟଙ୍କା ଦେଇ ପାରିନୁଁ ।’’

 

‘‘କେତେ ବେଳ ଯାଏ ଇମିତି ଠିଆ ହେଇଥିବ ?’’

 

‘‘ସମସ୍ତଙ୍କ ହିସାବ ମୁକାବିଲା ସରିବ, ଦିଆ ନିଆ ସରିବ, ଶେଷକୁ ଯେତେବେଳେ ହୁକୁମ ହବ ।’’

 

‘‘ହୁକୁମ କରିବ କିଏ ?’’

 

ବାହାରେ ବରଜୁକୁ ଛିଡ଼ା ହୋଇ ଗପ କରୁଥିବାର ଦେଖି ଘର ଭିତରକୁ ମେନେଜର ବାବୁ ତାକୁ ଡାକି ପଠାଇଲେ । ଚାରି ଜଣ ଲୋକଙ୍କୁ ଏ ଭାବରେ ଜ୍ୟେଷ୍ଠମାସ ଉଦୁଉଦିଆ ଖରାରେ ଛିଡ଼ା ହୋଇ ସିଝୁଥିବାର ଆଖି ଆଗରେ ଦେଖି, ପୁଣି ତାହାର କାରଣ ବୁଝି ସାରି, ଛାଇତଳେ ବସି ମେନେଜର ବାବୁଙ୍କ ସଙ୍ଗେ ଗପ କରିବାକୁ ଛାଏଁ ଛାଏଁ ତା ଗୋଡ଼ ଦି’ଟା ଦୁଆର ମୁହଁରେ ଅଟକି ଗଲା । ଭିତରକୁ ନ ପଶି ସେ ପଚାରିଲା, ‘‘ଦଣ୍ଡବତ, ମେନେଜର ବାବୁ ! କାହିଁକି ଡାକୁଚନ୍ତି ?’’

 

ମେନେଜର ବାବୁ ଘରର ଦୁଆର ମୁହଁ ଆଡ଼କୁ ବସିଥାନ୍ତି । ସତୁରି ଅଶି ଟଙ୍କାର ଚେହେରାଟି । ପାଖରେ ସମିତିର ବହି ବସ୍ତାନି । ସମିତିର ସମ୍ପାଦକ ଓ ବ୍ୟାଙ୍କର ଜଣେ ପରିଦର୍ଶକ କିରାନି ଶିରସ୍ତା ଖାତାପତ୍ର ଦେଖୁଥାନ୍ତି । ଭିତରକୁ କୋଡ଼ିଏ ପଚିଶ ସରିକି ସଭ୍ୟ ନିତାନ୍ତ ଅସଭ୍ୟ ଓ ଅପରିଛିନ୍ନ ପରିଚ୍ଛଦ ପିନ୍ଧି ତୁନ୍‌ତାନ୍ ବସିଥାନ୍ତି । ବରଜୁକୁ ଦୁଆର ମୁହଁରେ ଠିଆ ହୋଇ ରହିଥିବାର ଦେଖି ମେନେଜର ବାବୁ କହିଲେ, ‘‘ତୁମ ବିଷୟରେ ମୁଁ ସବୁ ଶୁଣିଛି, ଆସ ଭିତରକୁ ।’’

 

‘‘ନାହିଁ ବାବୁ, ଭିତରକୁ ଯିବ କଣ-ତେବେ ଗୋଟାଏ କଥା ପଚାରିବାକୁ ଇଚ୍ଛା ହଉଛି ।’’ –ବରଜୁକୁ କହିଲା ।

 

‘‘କଣ କଥା ?’’

 

‘କଥା କଣ କି-ଏଇ ଯେ ଚାରିଜଣ ଲୋକ ଖରା ତାତିରେ ଠିଆ ହୋଇ ସିଝୁଛନ୍ତି, ଏଥିପାଇଁ ଦାୟୀ କିଏ ? କେଉଁ ଆଇନ ବଳରେ ଏପରି ଦଣ୍ଡ ଦିଆଯାଉଚି ?’’

 

ଲୋକଟାର ସାହସ ଓ ଦମ୍ଭ ଦେଖି ମେନେଜର ବାବୁ ଆଗ ବିଶ୍ୱାସ କରି ପାରିଲେ ନାହିଁ-। ଏତେ ଲୋକଙ୍କ ଆଗରେ ବରଜୁ ମୁହଁରୁ ହଠାତ୍ ଏଭଳି ପ୍ରଶ୍ନ ଶୁଣିବେ ବୋଲି ସେ ଜମାରୁ ପ୍ରସ୍ତୁତ ନ ଥିଲେ । ତାଙ୍କ ମୁଣ୍ଡ ଚହିଲିଗଲା । ଗୋଟାଏ ଅତି ଅପମାନକର କଡ଼ା କଥା ତାଙ୍କ ମୁହଁରୁ ବାହାରି ପଡ଼ୁଥିଲା । ତେବେ ବରଜୁର ଆଖି ଦୁଇଟାକୁ ଚାହିଁ ତାଙ୍କ ଆଖି ପୋତି ହୋଇଗଲା। ଦଣ୍ଡେ କାଳ ନିଜକୁ ସମ୍ଭାଳି ନେଇ ସେ କହିଲେ, ‘‘ଓ, ଏଇ କଥା ପଚାରୁଛ ?’’ ଏଥିପାଇଁ ଦାୟୀ ସେମାନେ ନିଜେ । ଆଉ ଯେଉଁ ଆଇନ କଥା ଜାଣିବାକୁ ଚାହିଁ-ପଡ଼ିବଟି ଧଡ଼ିବାବୁ, ସାଧାରଣ ସଭାର ପ୍ରସ୍ତାବଟା !’’

 

ଧଡ଼ିବାବୁ ଓରଫ ଧଡ଼ିଆ ମହାପାତ୍ରଙ୍କ ଦେହଟା ସତକୁ ସତ ଏମିତି ଧଡ଼ିଆ ଯେ, ମୋଟା ଖଦଡ଼ ଜାମା ଖଣ୍ଡେ ପିନ୍ଧି ଚେହେରାଟିକୁ ଘୋଡ଼ାଇବାକୁ ଯେମିତି ସେ ଚେଷ୍ଟା କରୁଛନ୍ତି । ମାଟ୍ରିକ୍ ଫେଲ୍ ହୋଇ ଯେତେବେଳେ ସେ ଚାକିରୀ ଖୋଜିଲେ, ସେତେବେଳେ ନିଜର ଚେହେରା ଓ ନିଜ ବିଦ୍ୟାକୁ ଚାହିଁ ବୁଝିଲେ ଯେ କୌଣସି ସରକାରୀ ବିଭାଗ ତାଙ୍କୁ ଲାଭରେ ସୁଦ୍ଧା ଗ୍ରହଣ କରିବାକୁ ରାଜି ହେବ ନାହିଁ । ତେଣୁ ଏହି ଅଧା ସରକାରୀ ଚାକିରୀ ଖଣ୍ଡ ପାଇ ତାଙ୍କର ପୁରା ସନ୍ତୋଷ ଆସିଥିଲା । ବେଙ୍କ ଦରମା ଓ ଗସ୍ତ ଖର୍ଚ୍ଚଟା ତାଙ୍କ ପକ୍ଷରେ ଯଥେଷ୍ଟ ବୋଲି ସେ ସବୁବେଳେ ଭାବୁଥିଲେ । କଟକ ଜିଲାର କୌଣସି ଗାଁ ମଝିରେ ବୋଝିଆ ମୁଣ୍ଡରେ ନିଜର ବାକ୍‌ସ ବିଛଣା ଥୋଇ, ପଛରେ ଧଡ଼ିବାବୁ ଚାଲିବାବେଳେ କେହି ଗାଁଲୋକ କଲିକତାଫେରନ୍ତା ବୋଲି ତାଙ୍କୁ ବିଚାର କରି, ସେଠାରେ ଖବର ପଚାରନ୍ତି । ତହିଁରେ ତାଙ୍କର ଆଦୌ ମାନହାନି ହେଉ ନ ଥିଲା ।

 

ଧଡ଼ିବାବୁ ପଢ଼ିଲେ, ପ୍ରସ୍ତାବଟିରେ ଲେଖାଅଛି, ‘ଧାର୍ଯ୍ୟ ତାରିଖରେ ଯଦି କେହି କିସ୍ତି ଟଙ୍କା ଦେଇ ନ ପାରେ, ସମସ୍ତେ ଯେପରି ସ୍ଥିର କରିବେ ସେହିପରି ଦଣ୍ଡ ତାଙ୍କୁ ଦିଆଯିବ ।’

 

‘‘ଏଠି ଯେତେ ଗୁଡ଼ିଏ ସଭ୍ୟ ବସିଚନ୍ତି, ସମସ୍ତେ ଏ ପ୍ରସ୍ତାବରେ ଦସ୍ତଖତ ଦେଇଚନ୍ତି । ଏବେ ବୁଝିଲ ?’’-ମେନେଜର ବାବୁ କହିଲେ ।

 

ତେବେ ସାଧାରଣ ସଭା ଯେ ସଭ୍ୟମାନଙ୍କୁ ଯାହା ଇଚ୍ଛା ଦଣ୍ଡ ଦେଇପାରେ, ସେ କଥା ସମିତି ଆଇନର କେଉଁ ଦଫାରେ ଅଛି ?’’

 

ଏଥର ମେନେଜର ବାବୁ ଆଉ ନିଜକୁ ସମ୍ଭାଳି ନ ପାରି କହିଲେ, ‘‘ଏ ସବୁ କଥା ତୁମେ ପଚାରିବାକୁ କିଏ ?’’

 

ବରଜୁ ପଧାନ ପୂର୍ବପରି କହିଲା, ‘‘ମୁଁ, ଜଣେ ସାଧାରଣ ଗାଉଁଲି ଲୋକ, ଯେ କି ଆପଣଙ୍କ ସମିତିରୁ କାଣି କଉଡ଼ିଟାଏ ଧାରେ ନାହିଁ । ମୁଁ ବରାବର ଶୁଣି ଆସୁଚି, ସମିତି ଗାଁ ଲୋକଙ୍କର ସବୁ ରକମର ଉନ୍ନତି, ଉପକାର ସୁବିଧା କରି ଦବାକୁ ବାହାରିଚି । ତେବେ ସବୁଠାରେ ଠିକ୍ ଓଲଟା କଥା ଦେଖୁଚି । ସେଥିପାଇଁ ଆପଣଙ୍କ ପରି ଜଣେ ବଡ଼ ବାବୁଙ୍କୁ ଦେଖି ଅସଲ କଥାଟା ବୁଝିବାକୁ ଯାହା ପଚାରୁଥିଲି ।’’

 

ମେନେଜର ବାବୁଙ୍କ କ୍ରୋଧ ସପ୍ତମକୁ ଉଠିଗଲା-‘‘ମୁଁ ଜାଣେ, ତୁମେ ଗୌରାଙ୍ଗ ଶେଣ ପାଇଁ କହିବାକୁ ଆସିଛ । ଏମିତି କଥାବାର୍ତ୍ତା କରି ତୁମେ ତାକୁ ରଖିପାରିବ ପରା ? ଜାଣ, ଖାଲି ନିତା କଣ୍ଡରା, ମହନା ମାଝିଙ୍କ ପାଇଁ ନୁହେଁ, ସମିତିର ସବୁ ଟଙ୍କା ପାଇଁ ମଧ୍ୟ ଗୌରା ଦାୟୀ । ସମିତିର ମୂଳ ନୀତି ହେଉଛି, ସମସ୍ତେ ପ୍ରତ୍ୟେକଙ୍କ ପାଇଁ ଓ ପ୍ରତ୍ୟେକେ ସମସ୍ତଙ୍କ ପାଇଁ ଦାୟୀ । ଆମେ ଇଚ୍ଛା କଲେ ଏକା ଗୌରାଠାରୁ ବେଙ୍କର ସବୁ ଟଙ୍କା ନିଲାମ ତ୍ରୋକ୍ କରି ଆଦାୟ କରିନେବୁଁ ।’’

 

ବରଜୁ ପ୍ରଧାନ ମୁରୁକି ହସି କହିଲା, ‘‘ଏତିକି କଥା ତ ବୁଝିବାକୁ ମୁଁ ଲୋଡ଼ୁଥିଲି, ମେନେଜର ବାବୁ ! ତା’ ହେଲେ ଏ ଯେ ସମିତି, ଲୋକଶିକ୍ଷା, ନିଜ ଗୋଡ଼ରେ ନିଜେ ଛିଡ଼ା’ ହେବା, ମହାଜନଠାରୁ ଲୋକଙ୍କୁ ଉଦ୍ଧାରିବା, ଚାଷୀ ମୂଲିଆଙ୍କ ଉନ୍ନତି କରିବା, ସଚ୍ଚା ହେବା, ସାଇ ପଡ଼ିଶାଙ୍କୁ ସାହାଯ୍ୟ ଦବା-ସବୁ ଖାଲି ବାହାର ଦେଖାଣି । ପଞ୍ଚାୟତ, ସାଧାରଣ ସଭା ଖାଲି କାଗଜପତ୍ର ଦୋରସ୍ତ ରଖିବା ପାଇଁ । ମୂଳ କଥାଟି ହଉଚି ଧନୀ, ବଡ଼ଲୋକଙ୍କ ବଳକା ଟଙ୍କା ବେଙ୍କ ଜରିଆରେ ଲୋକଙ୍କ ଭିତରେ କରଜ ଲାଗୁଚି, ଆଉ ତାଙ୍କରି ଦଲାଲଭାବେ ଆପଣମାନେ ଯେ ଟଙ୍କାଟି ଅସୁଲ କରି ସେମାନଙ୍କର ଆଉ ନିଜ ନିଜର ଉପକାର କରିବାରେ ଲାଗିଚନ୍ତି ।’’

 

ମେନେଜର ବାବୁ ବରଜୁକୁ ନ ଚାହିଁ ଗୌରାଙ୍ଗକୁ ପଚାରିଲେ, ‘‘ତୁ କଣ ଏ ଲୋକକୁ ମୋତେ ଅପମାନ ଦେବାପାଇଁ ଡାକି ଆଣିବୁ ? କିନ୍ତୁ ଜାଣିଥା, ଏହାର ପ୍ରତିଫଳ ନ ଦେଇ ମୁଁ ଛାଡ଼ିବି ନାହିଁଟି !’’ ତାହା ପରେ ବରଜୁକୁ କହିଲେ, ‘‘ବହୁତ ଉପଦେଶ ତୁମେ ଦେଇ ସାରିଲଣି । ଏକ୍ଷଣି ବିଦାୟ ହୁଅ ।’’

 

ବରଜୁ ଦେଖିଲା, ସେଠାରେ ବେଶି ସମୟ ରହିଲେ କ୍ଷତି ଛଡ଼ା ଲାଭ ନାହିଁ । ସେ ଗଉରାକୁ ଘେନି ବାହାରିଗଲା ।

 

ସେ ଦିନୁ ସାଧାରଣ ସଭାର ଚୁମ୍ବକ ବହିରେ ଆଉ ଗୋଟାଏ ଲମ୍ବା ପ୍ରସ୍ତାବ ଲେଖାଗଲା-। ମେନେଜର ବାବୁ ଡାକୁଥାନ୍ତି ଓ ସମ୍ପାଦକ ଲେଖୁଥାନ୍ତି । ଅଥଚ ସାଧାରଣ ସଭା ଯାହାଙ୍କର, ସମିତିର ସେହି ସବୁ ସଭ୍ୟ ଜମା ହୋଇଥିଲେ ବି କାହାରି ତୁଣ୍ଡ ଫିଟୁ ନଥାଏ । ଉପାୟ କଣ ? ଲୋକଙ୍କୁ ତ ସାଧାରଣ ସଭା କରି ନିଜ କଥା ନିଜେ ବୁଝିବାକୁ କ୍ଷମତା ମିଳିଲା । ସେମାନେ ଆପେ ଯେବେ ତାହା ବିଧିମତେ କରି ନ ପାରିଲେ, ମେନେଜର ବାବୁ ବା କିରାନି ବାବୁ ତାଙ୍କୁ ବତାଇ ନ ଦେଲେ ଚଳିବ କେମିତି ?

 

ଆଉ କେତେଗୋଟି ମାମୁଲି ପ୍ରସ୍ତାବ ଭିତରେ ମେନେଜର ବାବୁଙ୍କ ଡାକିବା ଅନୁସାରେ ସମିତିର ସମ୍ପାଦକ ଲେଖିଲେ, ‘‘ହରିପୁର ସମିତିର ଏହି ସାଧାରଣ ସଭା ସ୍ଥିର କରୁଅଛନ୍ତି କି, ଗୌରାଙ୍ଗ ଶେଣ ନାମକ ଜଣେ ସଭ୍ୟ ବରଜୁ ପଧାନ ନାମରେ ତାହାର ଜଣେ ପ୍ରୀତି ବନ୍ଧୁକୁ ସମିତିର ଆଉ ସବୁ ସଭ୍ୟଙ୍କର ବିନା ଅନୁମତିରେ ଅଦ୍ୟ ସାଧାରଣ ସଭାସ୍ଥଳକୁ ଆଣି, ତାହା ନାମରେ ଡିଗ୍ରୀଜାରି ହୋଇଥିବା କାରଣ ସମସ୍ତଙ୍କୁ ଅପାମନ ଦେଇଅଛି । ନିଜେ ମେନେଜର ବାବୁ ଓ କିରାନି ବାବୁ ଏହାର ସାକ୍ଷୀ ଅଛନ୍ତି । ସମିତିର ନିୟମ ବାହାର କାମ କରିଥିବାରୁ ଗୌରାଙ୍ଗ ଶେଣକୁ ସର୍ବସମ୍ମତିକ୍ରମେ ୫ଟଙ୍କା (ପାଞ୍ଚ ଟଙ୍କା) ଜରିମାନା କରାଗଲା । ଏହି ଜରିମାନା ଟଙ୍କା ସହିତ ଗୌରାଙ୍ଗ ଶେଣଠାରୁ ଡିଗ୍ରୀଜାରି ବାବତ୍ ସବୁ ପାଉଣା ଯଥାଶୀଘ୍ର ଆଦାୟ ହୋଇ ତାହାକୁ ସମିତିରୁ ତଡ଼ି ଦିଆଯିବାର ସ୍ଥିର ହେଲା ।’’

 

ଏହି ପ୍ରସ୍ତାବ ଆଉସବୁ ପ୍ରସ୍ତାନ ସଙ୍ଗେ ସମସ୍ତଙ୍କୁ ପଢ଼ି ଶୁଣାଇ ଦିଆଗଲା । କିଏ ଶୁଣିଲେ, କିଏ ନ ଶୁଣିଲେ, କିଏ ବୁଝିଲେ, କିଏ ବା ନ ବୁଝିଲେ; କେହି ଜଣେ ତୁଣ୍ଡ ଫିଟାଇଲେ ନାହିଁ । ସମିତି ନା ସମିତି, ସଭା ନା ସଭା ! ସେଥିରେ କାହା ପାଏ କେତେ, ଆସେ କେତେ ? ସମସ୍ତେ ତ ଧାରୁଆ; କଥା ଅଛି କାହା ମୁହଁରେ ଯେ କହିବ ? ଟଙ୍କା ଶୁଝି ନ ପାରିବାଯାକେ ଯାହା ଯେତେବେଳେ ଲେଖାପଢ଼ା ହେଉଛି ସେଥିରେ କେହି ତୁଣ୍ଡ ନ ଫିଟାଇଲେ ଗଲା ।

 

ତଥାପି ନିଶ୍ଚୟ ଅନୁସାରେ ସମିତିର ସବୁ ସଭ୍ୟଙ୍କୁ ଏହି ପ୍ରସ୍ତାବ ତଳେ ଦସ୍ତଖତ ଟିପଚିହ୍ନ ଦେବାକୁ ହେଲା। ସେ ବିଷୟରେ ମଧ୍ୟ ସେମାନେ ଆପତ୍ତି କଲେ ନାହିଁ । କାରଣ ସମିତିରେ ନାଁ ଲେଖାଇବା ଦିନୁଁ କେତେ କାହାଣ ଦସ୍ତଖତ, ଟିପଚିହ୍ନ ସେମାନେ ଦେଇ ସାରିଲେଣି-। ଏବେ ତ ସେ ସବୁର ମୂଲ୍ୟ ମାଟି ଗୋଡ଼ ପରି ହୋଇ ପଡ଼ିଚି ।

 

ଲେଉଟିବା ବାଟରେ ବରଜୁ ପଛରୁ ଶୁଣିଲା, ‘‘ନମସ୍କାର ପଧାନେ !’’ ସେ ‘ଦଣ୍ଡବତ’, ‘ଓଳିକି’ ଶୁଣିଛି । ‘ନମସ୍କାର’ଟା ତାକୁ ନୂଆ ଶୁଣାଗଲା ।

 

ଚାହିଁ ଦେଖିଲା, ଜୟକୃଷ୍ଣ ବାବୁ ହସି ଆସୁଛନ୍ତି । ‘‘ଏଣିକି କୁଆଡ଼େ ବାହାରି ଆସିଥିଲେ-?’’ -ଜୟବାବୁ ପଚାରିଲେ । ବରଜୁଠାରୁ ସବୁ କଥା ଶୁଣି ସାରି ପୁଣି କହିଲେ, ‘‘ଆପଣ ଟିକିଏ ରାଗିଗଲେ ପରା ? ତେବେ ଏହି ସମବାୟ ବିଭାଗଟା ହେଲା ଅଧା ସରକାରୀ । ବେଙ୍କ ବାବୁମାନେ କେହି ସରକାରୀ କର୍ମଚାରୀ ନୁହନ୍ତି । ପୁଣି ଯେଉଁ ଟଙ୍କାଟ ବାଦନ ଲାଗୁଅଛି ତାହା ବି ସରକାରୀ ନୁହେଁ । ଆମରି ଦେଶ ଲୋକଙ୍କର ଟଙ୍କା । ଆମ ଟଙ୍କା ଆମରି ଲୋକେ ଯେବେ ଭଲରୂପେ କାରବାର କରି ନ ପାରିବେ ତେବେ ଆଉ ଦୋଷିବା କାହାକୁ ?’’

 

‘‘ତାହା ବୋଲି ଆମରି ଲୋକଙ୍କ ଉପରେ ଏଭଳି ବ୍ୟବହାର କରିବା କଣ ଠିକ୍ ?’’ -ବରଜୁ ପଚାରିଲା ।

 

‘‘କଦାପି ନୁହେଁ । ତେବେ ତ୍ରିଲୋଚନ ବାବୁଙ୍କ ଆପଣ ବୋଧେ ଜାଣିନ୍ତିନି । ମୁଁ ତାଙ୍କୁ ପଢ଼ିଲା ଦିନୁଁ ଜାଣେ । ଏକାସଙ୍ଗେରେ ବୋର୍ଡ଼ିଂରେ ଥିଲୁ । ମୋର ଗୋଟାଏ କ୍ଲାସ ଉପରେ ସେ ପଢ଼ୁଥିଲେ । ଖୁବ୍ ସ୍ୱଦେଶଭକ୍ତ । ୧୯୨୦ ମସିହାର ମହମ୍ମଦ ଆଲି ଯେତେବେଳେ ଛାତ୍ରମାନଙ୍କ ଡାକଦେଲେ ଯେ, ସେ ବର୍ଷ ଯେ ପରୀକ୍ଷା ଦେବେ ତାଙ୍କ କପାଳରେ ୧୯୨୦ ମସିହା ଲେଖା ହୋଇ ରହିବ, ସେତେବେଳେ ଆମେ କେତେ କଣ ପରୀକ୍ଷା ନ ଦେଇ ବାହାରି ଆସିଲୁଁ । ତ୍ରିଲୋଚନ ବାବୁଙ୍କ ଅବସ୍ଥା ଭଲ ନ ଥିଲା । ସେ ପରୀକ୍ଷା ଦେଇ ପାଶ୍ କଲେ । ତା’ପରେ ବେଙ୍କ୍ ମେନେଜର ହୋଇଛନ୍ତି । ଆପଣ ଯାହା କହୁଛନ୍ତି, ତାଙ୍କଠାରୁ ବି ସେଇ କଥା ଥରେ ଶୁଣିଥିଲି । ସେ ଦୁଃଖ କରି କହୁଥିଲେ, ଶହ ଶହ ବର୍ଷ ଧରି ଆମ ଲୋକଙ୍କର ଏମିତି ଅଭ୍ୟାସ ହୋଇ ଯାଇଛି ଯେ, ପଇସାଟିଏ ଧାର ନେଲେ ଭଲରେ ସେତକ ଫେରେଇ ଦେବେ ନାହିଁ ।’’

 

ବରଜୁ କହିଲା, ‘‘ସେ କଥା ସତ ଯେ ବାବୁ, ଭଲରେ କିଏ କରଜ କରେ କି ? ପୁଣି ଭଲରେ ଥିଲେ କଣ ଲୋକ କରଜ ନ ଶୁଝି ଦଣ୍ଡ ଫଜତି ସହେ ? ସବୁ ସିନା ଅଭାବରୁ, ବାବୁ !’’

 

‘‘ତା’ ନୁହେ କଣ । ମାତ୍ର ତ୍ରିଲୋଚନ ବାବୁ ମନ୍ଦ ଲୋକ ନୁହନ୍ତି ।’’

 

‘‘ମୁଁ କଣ ତାଙ୍କୁ ମନ୍ଦ ବୋଲି କହୁଚି କି ? ପୁଣି ତ ଅର୍ଜୁନ ବାବୁଙ୍କ ବାପା ଦୟାନିଧି ବାବୁ ଆସି ଏ ଗାଁରେ ସମିତି ଗଢ଼ି ଯାଇଛନ୍ତି । ସେ କଣ ମନ୍ଦ ଲୋକ ? ଯେତେ ଯାହା ହେଲେ ଲୋକଗୁଡ଼ାଙ୍କୁ ଘଣ୍ଟା ଘଣ୍ଟା ଉଦୁଉଦିଆ ଖରାରେ ଛିଡ଼ା କରେଇ ରଖିବାଟାକୁ ମତେ କାହିଁକି ଜମାରୁ ଭଲ ଲାଗୁନି । ଏଥିପାଇଁ ଆମେ ଯେ ସମସ୍ତେ ଦୋଷୀ, ସେକଥା ମୁଁ କଣ ବୁଝୁନି କି । ତେବେ ପାଠପଢ଼ୁଆ ଆଉ ମୂର୍ଖଙ୍କ ଭିତରେ ତ ଫରକ ରହିବା ଲୋଡ଼ା ।’’ ରାଗ ଆଉ ଘୃଣାରେ ତା’ର ଆଖି ଦୁଇଟା ଜଳି ଉଠିଲା ।

 

ଜୟକୃଷ୍ଣ କହିଲେ, ‘‘ଆହୁରି ଗୋଟାଏ କଥା ମଧ୍ୟ ଆମକୁ ବିଚାରିବାକୁ ହେବ, ବୁଝିଲ ପଧାନେ ? ବାଲେଶ୍ୱର ବେଙ୍କ୍‍ ରେ ମୋର ଜଣେ ପିଉସୀପୁଅ ଭାଇ କାମ କରନ୍ତି । ଭଲ ଆଦାୟ ଅସୁଲ କରୁଥିବାରୁ ତାଙ୍କର ଅନ୍ୟ କର୍ମଚାରୀଙ୍କଠାରୁ ବେଶି ସୁନାମ ଅଛି । ସେଥିପାଇଁ ତାଙ୍କ ଦରମା ବି ବଢ଼େଇ ଦିଆଯାଇଛି । ସେ କହନ୍ତି, ଆଦାୟ ବେଳେ ଆଖିବୁଜା ମାଡ଼ ଚଢ଼େଇବା ଦରକାର । ମାଡ଼ ବେଉସା, ମାଡ଼ ନ ଖାଇଲେ ମଲି ମଉସା । ମାଡ଼ ନ ଦେଲେ କି କାହାରି ପାଖରୁ ପଇସା ବାହାରେ ?’’

 

ଚମକି ପଡ଼ି ବରଜୁ ପଚାରିଲା, ‘‘କଣ କହୁଛନ୍ତି ବାବୁ ?’’

 

‘‘ମୁଁ କହୁ ନାହିଁ, ପଧାନେ ! ଏହା ମୋର ପିଉସୀପୁଅ ଭାଇଙ୍କ କଥା । ସରକାର ଯେଉଁ ତଗାବି ଋଣ ମଞ୍ଜୁର କରନ୍ତି, ତାହା ଆଦାୟ କଲାବେଳେ କୁଆଡ଼େ ସୈନ୍ୟ ଫଉଜଙ୍କୁ ବନ୍ଧୁକ କାନ୍ଧରେ ପକେଇ ଆସିବାକୁ ହୁଏ ।’’

 

‘‘ବେଙ୍କ ପରା ସରକାରୀ ନୁହ, ଆମ ଦେଶୀ ଲୋକଙ୍କ କାରବାର ?’’

 

ଜୟକୃଷ୍ଣ କହିଲେ, ‘‘ମୋର ସେଇ ପିଉସୀପୁଅ ଭାଇଙ୍କୁ ଠିକ୍ ଏଇ କଥା ମୁଁ ଚେତେଇ ଦେଇଥିଲି । ସେ ଜବାବ୍ ଦେଲେ, ଟଙ୍କା ଅସୁଲ ପାଇଁ ଯେଉଁ ମାଡ଼ ଫଜତି ଦିଆଯାଏ, ସେ ଖାଲି ଲୋକଙ୍କ ଉପକାର ସକାଶ । ଡାକ୍ତର ଯେମିତି ରୋଗୀର ଉପକାର ପାଇଁ ତାକୁ କଲବଲ କରି ଘା ବଥ କାଟନ୍ତି । ତାହା ନ ହେଲେ ତ କରଜ ସୁଧରେ ବୁଡ଼ ଲୋକଙ୍କର ଘରବାଡ଼ ନିଲାମ ଯା’ନ୍ତା । ଦଣ୍ଡକେ ସବୁ ଦାଣ୍ଡର ଭିକାରୀ ହୁଅନ୍ତେ ।’’

 

‘‘ଉପକାର ପାଇଁ ? ତେବେ ତ ଯେତେ ଲୋକ ବଳକା ପଇସା ସଞ୍ଚି ବେଉସାରେ ଖଟାଉଛନ୍ତି, ସମସ୍ତେ ଆମର ଉପକାରୀ ! ବିଦେଶୀ ଲୋକେ ଆସି ଆମ ଉପକାର ପାଇଁ ଆମକୁ ଶାସନ କରୁଥିବାର ଯେ ଥୋକାଏ କହନ୍ତି, ସେଥିରେ ଆଉ ଗଲତି ରହିଲା କେଉଁଠି ? ଯେତେ କାବୁଲି ଟଙ୍କାକେ ଟଙ୍କାଏ ସୁଧ ଭିଡ଼ି କରଜ ଲଗାନ୍ତି, ପୁଣି ଆଦାୟ ବେଳେ ଠେଙ୍ଗା ଧରି ଦାଣ୍ଡ ଦୁଆରେ ଜଗି ବସନ୍ତି ଯେ ଆଉ ଉଠନ୍ତି ନାହିଁ, ସେମାନେ ତେବେ ଆମ ଉପକାର କରୁ ନାହାନ୍ତି କି-?’’

 

ଜୟକୃଷ୍ଣଙ୍କ ଯୁକ୍ତି ଶୁଣି ଆଜି କେତେ ବର୍ଷ ପରେ ବରଜୁର ବାପ ଶାମ ପଧାନ ତାହାର ମନେ ପଡ଼ିଗଲା । ମନେ ପଡ଼ିଗଲା, ନିଜ ଘରଭିତର ମାଟିପିଣ୍ଡା ତଳେ ଛିଡ଼ା ହେଇ ଅମିନ ଚାକିରୀ ଛାଡ଼ିବ ନାହିଁ ବୋଲି ବାପ ସାଥିରେ ସେ ଯେଉଁ ତର୍କ କରୁଥିଲା, ଆଜି ଜୟକୃଷ୍ଣ ତା’ ପାଖରେ ସେହିଭଳି ତର୍କ କରୁଛନ୍ତି । ସେହିଦିନ ପରି ଆଜି ବି ତାହାର ଆଖିଯୋଡ଼ାକ ବାମ୍ଫରେ ପୂରି ଢଳଢ଼ଳ ହେଲା, ଓଠ ଦୁଇଟା ଥରି ଉଠିଲା ।

 

‘‘ଆପଣ କହନ୍ତି, ଏସବୁ ଆମର ଉପକାରୀ ? କିଏ ତେବେ ଆମ ଉପକାରୀ ନୁହ, କହନ୍ତୁ ବାବୁ ? ପୁଲିସ, ଅମଲା, ଓକିଲ, ହାକିମ, ପୁଣି ସବୁରି ଉପରେ ଇଂରାଜୀ ସରକାର, କିଏ ନୁହଁ ? କାହିଁକି ତେବେ ଆପଣ ପଢ଼ା ଛାଡ଼ିଲେ ? କାହିଁକି ଏ ମୋଟା ଖଦି ପିନ୍ଧି ଗାଁ ଗାଁ ଘର ଘର ବୁଲୁଛନ୍ତି ? ଖାଲି କଣ ଏଇ ଉପକାରୀଙ୍କୁ ସବୁରି ଆଗରେ ଚିହ୍ନା ପରିଚୟ କରେଇ ଦବାକୁ ? ମୁଁ ବି ଦିନେ ବନ୍ଦୋବସ୍ତ ଅମିନ ହୋଇ ଉପକାର କରୁଥିଲି କେତେ ଲୋକଙ୍କର । ଏମାନେ ଆଉ ଅଧିକା କଣ କରୁଛନ୍ତି କହନ୍ତୁ ଦେଖି ? କହନ୍ତୁ, ତୁନୀ ହେଲେ କାହିଁକି ?’’

 

କଣ କହିବାକୁ ଯାଇ ଜୟକୃଷ୍ଟ ଆଉ କହି ପାରିଲେ ନାହିଁ । ତୁନୀ ହେଲେ । ଏହି ଅଶିକ୍ଷିତ ଗାଉଁଲି ଲୋକଟିର ଚେହେରା ଦେଖି ତାଙ୍କ ଆଖି ତଳକୁ ହୋଇଗଲା । ହରିପୁର ଗାଁରେ ବରଜୁ ଯେଉଁ ଉପାୟରେ ଗୋରୁ କାଇଦା କରିଥିଲା, ଜୟକୃଷ୍ଣ ତାହା ଶୁଣିଛନ୍ତି । ଆଜି ତାହାର ଚେହେରା ଦେଖି ତାଙ୍କୁ ବୋଧ ହେଲା, ଖାଲି ଗୋରୁ କାହିର୍କି, ମଣିଷ କାଇଦା କରିବା ମଧ୍ୟ ଲୋକଟା ପକ୍ଷରେ ଆଦୌ କଠିନ ନୁହେଁ ।

 

ହାଣ୍ଡି, ପାଛିଆ, ଘଡ଼ି, କୁଞ୍ଚା ଯେତେ ଯେଉଁଠି ଥିଲା ସବୁ କାଢ଼ି ଆଣି ତାହା ଭିତରେ ହାରାବୋଉ ଠାଆ ଠାଆ କରି ହାଟ ସଉଦାତକ ସଜାଡ଼ି ରଖିଲା । ତହିଁ ଆରଦିନ ଚାରି ପାଞ୍ଚ ଜଣ ସାଇପଡ଼ିଶା ଝିଅ ମାଇପେ ଆସି ଯୁଟିଗଲେ । କିଏ ବସିଲା ମସଲା କୁଟି, କିଏ ବିରି ରଗଡ଼ି, କିଏ କଦଳୀ ବାଟି, ଆଉ କିଏ ମୁଗ ପାଛୁଡ଼ି । କାଚ ଖଡ଼ୁର ଝଣଝଣ ଖଡ଼ଖଡ଼ ଶବ୍ଦ ମିଶି ଘରଯାକ ଚହଳ ପଡ଼ିଥିଲା । ହାରାବୋଉ ନିଜେ ଗୋଟାଏ ହାଣ୍ଡି ଭିତରେ ମେଞ୍ଚାଏ ବଟା ବିରି ଧରି ଫେଣେଇ ବସିଲା । ବିରଣା ଗାଁର ହେଲେ କଣ ହେବ, ହାରାବୋଉ ଯେମିତି ମେଳାପର ମଣିଷ, ସେମିତି ବଡ଼ ସହଳ ସଭିଙ୍କି ଆପଣାର କରିପକାଏ । ହରିପୁରକୁ କେତୁଟା ଦିନ ହେଲା ଆସି ସେ କାହାକୁ ଅପା, କହାକୁ ମାଉସୀ, କାହାକୁ ବଉଳ କରି ସାରିଲାଣି ।

 

ବାଁ ହାତରେ ହାଣ୍ଡି ଫନ୍ଦାକୁ ଧରି ହାରାବୋଉ ଡାହାଣ ହାତରେ ବିରି ଫେଣେଇବାରେ ଲାଗିଥାଏ । ସେଥି ସଙ୍ଗେ ତାହାର କଥାଗୁଡ଼ିକ ଫେଣେଇଲା ପରି ଫୁଲି ଉଠିଥାଏ-‘‘କାହାକୁ କହିବି ଲୋ ଅପା, କାହାର ସିନା ବଡ଼ିଜାଇ ଅନୁକୂଳ ପନ୍ଦର ଦିନ ଆଗରୁ ହୁଏ, ଆମର କାଲି ବାହା, ଆଜି ବଡ଼ିଜାଇ ଅନୁକୂଳ ।’’

 

ଦୁଖୀଅପା ହସିପକେଇ କହିଲା, ‘‘ହେଲା ଏବେ । ଦୋଡ଼ି ବାହାପାଇଁ କିଏ ଏତେ ଖୁଣ୍ଟୁଛି ମ ।’ ଦୁଖୀଅପା ଗୋଟାଏ ଗୋଡ଼ ଲମ୍ବେଇ ଦେଇଥାଏ । ଚକିସାମଟା ଧରି ଝୁଲିଝୁଲି ବିରି ରଗଡ଼ିବାରେ ଲାଗିଥାଏ । ଚକି ଭିତରୁ ବିରିଫାଳ ଖସିଲାଭଳି ତାହାର ଦାନ୍ତ ମଝିରୁ କଥାଗୁଡ଼ା ବାହାରି ଆସୁଥାଏ । ଦାନ୍ତ ଚିପି କଥା କହିବା ତାହାର ଅଭ୍ୟାସ । ‘‘ମଲା ଘୋଡ଼ାର ବାକୀ ଟାଙ୍କ ମପା ହଉଚି । ଗୌରା ପୁଅକୁ ତମେ ପୁଣି ହାତକୁ ଦି’ହାତ କରି ପାରିଲ, ସେ କଥା କହ । ଆହା, ସୁନା ଘରଟା ଦଣ୍ଡକେ ଚୂନା ହେଇଗଲା ଲୋ । ସେଇଦିନୁ ଏଣିକି ଆସିବାକୁ ଆଉ ତ ଗୋଡ଼ ଚଳେ ନାହିଁ । ବାରିପଟ ଗାଡ଼ିଆକୁ ଗାଧୋଇ ଆଇଲେ ତ ମୋତେ ଚଞ୍ଚଳୀବୋଉ ମୁହଁ ଦିଶିଯାଏ-।’’

 

ହଳଦୀବଟା ବନ୍ଦ କରି ନୀଳ ମାଉସୀ କହିଲା, ‘‘ଚଞ୍ଚଳୀବୋଉ କଥା କାହିଁକି ପଡ଼ିଛି ଭଲା ! ସେମିତି ମଣିଷଟାଏ ତମେ ଏ ଖଣ୍ଡ ମଣ୍ଡଳରେ ଦେଖିବାକୁ ପାଇବ କି ! ତା’ ବାପ ମା ଯେମିତି ନାଁ ଦେଇଥିଲେ ହୀରା, ସେ ବି ସେମିତି ମଣିଷପାକରେ ହୀରା । ତିନି ତିନିଟା ପିଲାର ମା ହେଇ ଦାଣ୍ଡଦୁଆର କେମିତି ଦେଖି ନ ଥିଲା ।’’

 

ଦୁଖୀଅପାର ଆଖିପତା ଯୋଡ଼ିକ ଓଦା ହେଇଗଲା । କାନିରେ ଆଖି ପୋଛି ସେ କହିଲା, ‘‘ଦିନେ ଯେବେ ଘରେ କଣ ଆଡ଼ତି ତବ, ଗାଧୋଇ ଆସୁ ଆସୁ ଉଛୁର ହେଇଗଲା, ତେବେ ଦାନ୍ତକାଠିଟା କାମୁଡ଼ି ପୋଖରୀକୂଳେ ଚାହିଁ ରହିଥିବ । ରାଗିମାଗି କହିବ, ଦିନ ଦି’ପହରଯାକେ ତମର କଣ ଆଡ଼ତି ସରୁ ନ ଥିଲା ମ । କାହିଁକି, ତମ ଜଳକଳା ଘଇତା କଣ ଧାନ ଉଷାନ୍ତା ନାହିଁ ?’’

 

ଗଉରା-ଭାରିଯା-କଥା କହୁ କହୁ ଦୁଖୀଅପା ନିଜ କଥା କହି କାନ୍ଦି ପକାଏ । ଟିକିକେ ତା ଆଖିରୁ ଲୁହ ଗଳିପଡ଼େ । ସେଥିପାଇଁ ତାକୁ ପଡ଼ିଶା ଲୋକେ କହନ୍ତି କାନ୍ଦୁରୀ ଅପା । ସ୍ୱାମୀ ଚାଲିଗଲା ଦିନୁ ସଂସାରେ ତାର ମା ଭାଇ ବନ୍ଧୁ କୁଟୁମ୍ବ କେହି ନାହିଁ । ଗାଁ ମଝିରେ ଜଣେ ମଣିଷକୁ ଥାନ ହେଲାଭଳି ଖଣ୍ଡେ ସାନ କୁଡ଼ିଆ । ଧାନ କୁଟି, ମୁଗ ରଗଡ଼ି ସେ ପେଟ ପୋଷେ । ସକାଳ ସଞ୍ଜରେ କାହାକୁ କେତେ ବାହୁନି କାନ୍ଦେ । ନିଜ ସ୍ୱାମୀ ଘିନି ଦୁଖୀଅପା ଯେଉଁ ସମୟରେ ହରିପୁର ଗାଁକୁ ଆସିଲା, ଲୋକେ ତା ବିଷୟରେ କେତେ କଣ ଟୁପ୍‌ଟାପ୍ ହେଲେ । କିଏ କହିଲା, ଦୁଖୀଅପାର ସେ ନିଜ ସ୍ୱାମୀ ନୁହେଁ । ଦିହେଁ ଦିହିଙ୍କି ଆଦରାଆଦରି ହୋଇ ରହିଛନ୍ତି ।

 

ସ୍ୱାମୀ ଥିଲାବେଳେ ଯୋଡ଼ିକ ପ୍ରାଣୀ ବେଶ୍ ଖୁସିରେ ଚଳୁଥିଲେ । ନନ୍ଦ ସ୍ୱାଇଁ ଲୋକଟା ତାର ଭାରି ଭଲ ଗୁଣଟାଏ ଥିଲା । ଗୋରୁ ଚିହ୍ନିବାରେ ସେ ବିଚକ୍ଷଣ । ଯେମିତି ସେମିତି ଗୋରୁଟା ହେଉ, ଗୋଟାଏ ଥର ଖାଲି ତା’ ଉପରେ ଆଖି ବୁଲେଇ ଆଣିଲେ ସେ କହିଦବ ବଳଦଟା ମଠୁଆ କି ରଗଦାର, ତାର କେଉଁ ଖୁରଟା ବୁଲୁଛି, ଖାଇବା ବିଷୟରେ କେମିତି, କାନ୍ଧ କି ଭଳି, ଦାନ୍ତିଛି କେତୁଟା । ବଳଦ କିଣି ବାହାରିଲେ ନନ୍ଦ ସ୍ୱାଇଁକୁ କେହି ନ ଡାକି ନାହିଁ । ଏହି ବଳଦଖୋଜାରେ ସେ କାହିଁ କାହିଁ ମୁଲକ ବୁଲି ଆସିଥିଲା-ସାଇଲୋ, ସାଇବିରି, କନିକା, କୁଜଙ୍ଗ, ଆଠଗଡ଼, ତିଗିରିଆ । ଏହା ଛଡ଼ା ସେ ଯେଉଁ ଘିଅ-ମନ୍ତରା ଜାଣିଥିଲା, ସେଥିରେ କେତେ ଘା, ବଥ, ପଠା, କଣନଖା ରୋଗ ଭଲ କରି ଦେଉଥିଲା । ଦିନେ ହଠାତ୍ କାହିଁକି କେଜାଣି ସେ ଘରୁ ବାହାରିଗଲା ଯେ, ଆଉ ଫେରିଲା ନାହିଁ । କିଏ କେତେ କଥା କହିଲେ । ଦୁଖୀକୁ ପଚାରିଲେ ସେ ନନ୍ଦକୁ ପରସ୍ତେ ଶୋଧି ପକାଏ । ତାହାପରେ ଟୁଙ୍ଗି ଭିତରେ ପଶି ଘଡ଼ିଏ ବାହୁନି କାନ୍ଦେ । ସେ କି ଛାତିଫଟା କାନ୍ଦ ! ଚାଲିଗଲା ବାଟୋଇର ମଧ୍ୟ ଆଖିରୁ ପାଣି ବୋହିପଡ଼େ । ଯେମିତି ଅବା ପୃଥୀ ଗୋଟାକର ବାହୁନା ଦୁଖୀ ମୁହଁରୁ ବାହାରି ଆକାଶଯାକ ଖେଳେଇ ହୋଇ ପଡ଼ୁଛି । ଯେତେବେଳେ କାମ ପାଇଟିରୁ ଟିକିଏ ତାକୁ ତର ମିଳେ, କୁଡ଼ିଆ ଭିତରୁ କବାଟ କିଳି ସେ ବାହୁନି ବସେ । ତାତଲା ନିଶ୍ୱାସରେ ଆଖିର ଲୁହ ଶୁଖିଯାଏ । ନିଆଁ ନ ଦିଶି ଧୂଆଁ କହୁଳି ଉଠିଲା ପରି ବାହୁନା ତାହାର ବାହାରେ । ଦୁଖୀର ବାହୁନା ଶୁଣିବା ସାହିଲୋକଙ୍କର ଏମିତି ଅଭ୍ୟାସ ପଡ଼ିଯାଇଥିଲା ଯେ, କଣ ତାର ଦୁଃଖ ତାହା ଆଉ କେହି ବୁଝନ୍ତି ନାହିଁ । ସେ ନିଜେ ବି ରୋଜିନା ଖାଇବା, ଗାଧୋଇବା ଭଳି କାନ୍ଦିବାଟାକୁ ଗୋଟାଏ ଅଭ୍ୟାସ କରି ପକାଇଥାଏ । କାନ୍ଦିସାରି ମଦନ ଦାସଙ୍କ ଘରକୁ ସେ ଧାନ କୁଟିବାକୁ ଯାଏ । ନ ହେଲେ ଚଇତନ ପାଇକରାଙ୍କ ନୂଆ ପୁଅକୁ ଗୋଡ଼ରେ ଶୁଆଇ ହଳଦୀ ଲଗେଇ ବସେ ।

 

ନୀଳ ମାଉସୀ କହେ, ‘‘ଗଉରା ଆଉ ଜଣକୁ ଆଣି ଘର କରିବ, ଏ କଥା ତ ପରତେ ହଉ ନ ଥିଲା ଲୋ ଅପା! ଗଉରା ଆଗରେ ହୀରା ପୁଣି କୁଟା ଖଣ୍ଡକ ଦିଖଣ୍ଡ କରିବ ! କଣ କହିବି ସେ କଥା । ଚେମଣିଟା ମୋର ପିଲା ହୋଇଥାଏ । ହାତ ପଚେଇବ ବୋଲି ଜିଗର କଲାରୁ ଗଉରା ବାଡ଼ିକି ଗଲି ହରଗଉରା ଫୁଳପୁଞ୍ଜାଏ ଆଣିବାକୁ । ଗଉରାର ପାଟି ଶୁଣି ତାଙ୍କ ବାଟେ ଘର କଣରେ ଠିଆ ହେଇଗଲି । ଏମିତି ରାଗ ଦିନେ ହେଲେ ମୁଁ ତାର ଦେଖି ନାହିଁ । ଘର ଗୋଟାକର ମାଇପେ ଜମା ହୋଇ ପଡ଼ିଛନ୍ତି। ଗଉରା ଖାଲି ପାଟି କରୁଛି, ‘ସାଙ୍ଗେ ସାଙ୍ଗେ ଘରୁ ନିକାଲି ଦେବି । ପାଜି ବଦମାସ୍‌!’ ତେବେ କଣ ! ବୁଝୁ ବୁଝୁ କଣ ନା ହୀରା ଦେହରେ କୁଆଡ଼େ ଦିନକ ଆଗରୁ ତବତି ହୋଇଥିଲା । ସେ ଗଉରା ବୋଲ ନ ମାନି ବାଡ଼ି ଗଡ଼ିଆରେ ଗାଧୋଇ ପଡ଼ି ଗରାଏ ପାଣି କାଖେଇ ଘରକୁ ଆସୁଥାଏ । ଦଇବେ ଗଉରା ଆଗରେ ହାବୁଡ଼ି ଗଲା । ଲାଜରେ ଓଢ଼ଣା ଟାଣି ମତେ ଆସି ହସି ହସି କହିଲା । ତାଙ୍କ କଥା କଣ ଶୁଣୁଚୁ, ମାଉସି ! ସବୁଦିନ ତ ସେମିତି ଅବୁଝାମଣା । ଆଜି କଣ ନୂଆ ହେଲାକି ?’’

 

ହାଣ୍ଡି ଫନ୍ଦରେ ହାତରୁ ବିରିଫେଣ ପୋଛୁ ପୋଛୁ ହାରାବୋଉ କହିଲା, ‘‘ହାରା ବାହାଘରକୁ ତାକୁ ମୁଁ ଲୋଡ଼ିଥେଲି ଯେ, ଆଗ ଆଗ କରି ବଡ଼ ଜା ହିସାବ କରି ଚୁଁ ମାଇଲା । ବହୁତ ଜିଗର କଲାରୁ ଯାଇ ତା’ ମୁହଁରୁ କଥା ପଦେ ଶୁଣିଲା । ବାହାଘର ଚହଳରେ ତ ମୋର ସବୁ କଥା ପାସୋର ହେଇ ଯାଉଥାଏ । କଣ ଖାଇଲା ପିଇଲା କିଛି ହେଲେ ବୁଝି ପାରିଲି ନାହିଁ । ଲୁଗା ଖଣ୍ଡେ ହେଲେ କି ଭଲ କରି ପିନ୍ଧେଇ ପାରିଲି ! ତାଙ୍କୁ ତ ଯେତେ କରି କହିଲି ଖଣ୍ଡେ ଭଲ ଶାଢ଼ୀ ଆଣିବାକୁ, ନ ହେଲା । ମୁଁ ମାଇପି ଲୋକ ଆଉ କଣ ଦାଣ୍ଡକୁ ବାହାରି ଲୁଗା କିଣନ୍ତି ? ମନ ଯଉଁ ଗୋଳେଇ ଘାଣ୍ଟି ହେଲା ! ମାସ ଯୋଡ଼ାଏ ତ ଯାଇ ନାହିଁ, ମଲା ଖବର ପହଞ୍ଚିଲା’’

 

ପଦିଆ ମାମୁଁର ଭାରିଯା ବେଙ୍କାଏ ନଡ଼ିଆ ଖଡ଼ିକା ଧରି ମୁଗ ଭାଜୁଥିଲା । ସେ କହିଲା, ‘‘କାଲି ହାଟରୁ ପରା କଣ ଲୁଗା ପଟା ସବୁ କିଣା ହେଇଚି ?’’

 

ହାରାବୋଉ କହିଲା, ‘‘ହଁ, ତମରି ଗେରସ୍ତ ଯାଇଥିଲେ ସାଙ୍ଗରେ । ମୁଁ ପରା ୟାଙ୍କ ଢଙ୍ଗ ଜାଣେ । ସେଥିପାଇଁ ସିନା ତମ ଗେରସ୍ତଙ୍କୁ କୁହାପୋଛା କରି ପଠେଇଲି । ସବୁ ଲୁଗାପଟା ଆଣୁଛି, ଦେଖିବ ତମେ । ବୋହୂ ପାଇଁ ପାଇଁ ଶାଢ଼ୀଖଣ୍ଡ ଆସିଛି, ତାକୁ ଟିକିଏ ବଦଳେଇବାକୁ କହିଲାରୁ ମୋ ଉପରେ ବିରୁଡ଼ି ମାଇଲା ପରି ହେଲେ । କାହିଁକି, ତମ ଗେରସ୍ତଙ୍କୁ ପଚାରିବ ।’’

 

ପଦିଆର ଭାରିଯା ମୁହଁ ମୋଡ଼ିଦେଲା, ‘‘ହଁ, ସେ ନିଜେ ଯଉଁ ପସନ୍ଦ କରିବା ମଣିଷଟାଏ ! ତାକୁ ଲାଗ ନ ଥେଲା । ତାକୁ ଡାକି ପଠଉଥିଲେ !’’

 

‘‘କାହିଁକି, ପଦ ପଦ କରି ଯାହା ବତେଇ ଥିଲି ସବୁ ଜିନିଷ ସେ ତ ଦେଖି ଚାହିଁ କିଣିଚନ୍ତି-। ଜଣକୁ ଦି’ଜଣ ହେଲେ ଗୋଟାଏ ପସନ୍ଦ ଅଛି ତ ! ଏ ପରା ଯଉଁ ଦୋକାନକୁ ଯିବେ ସେଠୁ କେମିତି ପଳେଇ ନ ଆସିବା ଯାକେ ବାଟ ଦିଶିବ ନାହିଁ । ତରତର ହେଲେ କଣ ଭଲ ସଉଦା କିଣା ହୁଏ ? ପୁଣି ସବୁ କଥାରେ ଖାଲି ଚିଡ଼ିମିଡ଼ି । ସେଥିରେ ତମର ଅବା କଉଁ କାମରେ ମନ ଲାଗିବ-? ହଁ, ଲୁଗା ଦେଖିବ ପରା, ଆଣେ ଯାଇ’’ - କହି ହାରାବୋଉ ବିରି ହାତଟାକୁ ପାଣି ହାଣ୍ଡିରେ ଚିକକ୍‌ଣ କରି ଧୋଇଲା । ଉଠୁ ଉଠୁ ହେଉଛି, ଦୂରରୁ କାନ ପତେଇ ଶୁଣିଲା, ବଳଦ ବେକରେ ଘଣ୍ଟି ଦାଣ୍ଡ କମ୍ପେଇ ଝଣର ଝଣର ବାଜି ଉଠିଲା ।

 

‘‘ହାରା ତ ଆସିଲାଣି ପରା । ତାହାରି ଘର ବଳଦଘଣ୍ଟି ପରି ଶୁଭୁଚି’’- କହି ହାରାବୋଉ ଦାଣ୍ଡ ପଟକୁ ବାହାରିବାର ଦେଖି ଆଉ ପାଇପେ ଯେଝା କାମ ଛାଡ଼ି ତାରି ପଛରେ ଚାଲିଲେ । ଦାଣ୍ଡ ପାହାଚ ଓ ଓହ୍ଲେଇ ହାରାବୋଉ ଆଗ ଗାଡ଼ି ଭିତରକୁ ହାତ ବଢ଼େଇ କଅଁଳା ପୁଅଟିକୁ ହାରା କୋଳରୁ ନିଜ କୋଳକୁ ଆଣିଲା । ପିଲାଟି ବେଶ୍‌ କାବୁଲ ବାବୁଲ ହେଇଛି । ମୋ କୋଳ ଛାଡ଼ି ସେ କାନ୍ଦି ଉଠିଲା । ନୀଳ ମାଉସୀ କହିଲା, ‘‘ତତେ ବାହା ହଉ ବୋଲି ତ କାନ୍ଦିଲାଣି ଲୋ ହାରାବୋଉ-।’’ ହସି ହସି ହାରାବୋଉ ନାତି ମୁହଁରେ ଗୋଟିଏ ଚୁମ୍ବ ଦେଇ କହିଲା, ‘‘ମତେ କାହିଁକି ବାହାହବି, ତତେ ହଉନି ।’’ ଶଗଡ଼ ଭିତରୁ ନୀଳ ମାଉସୀ ହାରାର ଗୋଟିଏ ହାତ ଧରି ତାକୁ ପଦାକୁ କାଢ଼ିଲା । ଘର ଭିତରେ ପଶି ହାରା ମାନ୍ୟଲୋକଙ୍କୁ ଓଳଗି ହେଲା । ଯେତେ ହେଲେ ବଡ଼ ଘରର ବୋହୂ ସେ । ଗୋଡ଼ଠାରୁ ମୁଣ୍ଡ ଯାଏ ରୂପା ଅଳଙ୍କାର ଖୁନ୍ଦି ହେଇଛି । ରସ କି ପିତ୍ତଳ ଜିନିଷ ଖଣ୍ଡେ ହେଲେ ଦେଖିବାକୁ ନାହିଁ । କେତେ ପାଇପେ ହାରାକୁ ବେଢ଼ିଯାଇ ତାହାର ଶାଶୁ ଶଶୁର, ଜା ନଣନ୍ଦଙ୍କ କଥା ପଚାରି ବସିଲେ । ସବୁ କଥାରେ ଉତ୍ତର ଦେବାକୁ ତାକୁ ଲାଜ ମାଡ଼ୁଥାଏ । ଶାଶୁଘରେ ଯାହା ବି ଗାଳି ଗଞ୍ଜଣା, ଅନିଭୋଗ ସହିଛି, ସେ କଥା କଣ ପଦାରେ କହନ୍ତି ? ପୁଣି ହରିପୁର ଗାଁରେ ତା’ର କେହି ପିଲାଦିନ ସାଙ୍ଗସୁଖ ଚିହ୍ନାପରିଚ ନାହିଁ ଯେ ବିଶ୍ୱାସ କଥାଗୁଡ଼ାକ ଫିଟେଇ କହିବ ।

 

ଦୁଖୀଅପା ମୁହଁ ମୋଡ଼ିଦେଇ କହେ, ‘‘ଆ, ପିଲା ଝୁଅଟା । ତାକୁ କଣ ଏତେ କଥା ପଚାରୁଚ ମ ? କେତୁଟା ଦିନ ସେ ଘର କଲାଣି ଯେ । ତା’ କହିବାକୁ ଶାଶୁଘରେ ତ ପାଦ ଦେଲା ଦିନରୁ ତାର ଉଜୁତିରୁ ଉଜୁତି ହଉଚି । ଶାଶୁଘରେ ବୋହୂ ହେଲାରୁ ହାନିଲାଭରେ କିଏ କେତେବେଳେ ପଦେ ଅଧେ କହି ଦଉଥବ । ଆଲୋ, ସଂସାର ଭିତରେ ଘର କରିଥେଲେ ପଥର ପଇଲେ ସହି ।’’

 

ସୋଦରୀ କହେ, ‘‘କାହିଁକି, ମଝି ସାହି ନାରଣ ସାହୁ ଘରକୁ ଦେଖୁ ନ । ସେ ବୋହୂଟା ତା’ଘରେ ପାଦ ଦେଇଛି କି ନାହିଁ, ଶାଶୁ ମଲା, ଶଶୁର ମଲା, ଶେଷକୁ ପୁଣି ଘଇତା ମଲା । ବରଷ ପାଞ୍ଚଟା ଯାଇଚି କି ନାହିଁ ତାର ପରା ଘରୁଟା ଏକାବେରେ ଅଇରି ଖପର ବଇରି ବା ହେଇଗଲା । ମଣିଷ ଲଖଣରେ ସିନା ଘର !’’

 

ସବୁରି ଭିତରୁ ବାହାରି ପଡ଼ି ମୁରବିପଣିଆ ଦେଖେଇ ନୀଳ ମାଉସୀ କହିଲା, ‘‘ମଲା ମୋର, କାହିଁକି ଏତେ ବିଚାର ପଡ଼ିଚି କିଲୋ ! ଝୁଅଟା କଉଁ ପହରୁ ତା’ ଶାଶୁଘରୁ ବାହାରିବଣି । ତୋରାଣି ମୁନ୍ଦାଏ ବାଢ଼ିବୁଟି ଲୋ ହାରାବୋଉ ।’’

 

ହାରାବୋଉ ସେତେବେଳକୁ ତାଟିଆଏ ଦୁଧ ଆଣି ନାତିକୁ ଗୋଡ଼ରେ ଶୁଆଇ ପିଆଇ ଲାଗିଥାଏ । କହିଲା, ‘‘ମଲା ଲୋ। ଦେଖୁଚୁ ଚନ୍ଦନ ପୋଛୁଚୁକାଠ । କାହିଁକି, ତୋ’ ଗୋଡ଼ କଣ ଚରୁନି କି ? ହାଣ୍ଡିରେ ତ ତୋରାଣି ଅଛି । ମୂଳାଶାଗ, ବଡ଼ି ସନ୍ତୁଳା ହେଇ ପଲମରେ ଘୋଡ଼ିଆ ହେଇଚି । ବାଢ଼ି ଦଉନୁ !’’

 

ନୀଳ ଗୌରାଙ୍ଗର ଲେଖାଯୋଖା ଭାଉଜ । ଗୋଟିଏ ବୋଲି ପୁଅ ଯେ ସେ ପୁଣି ବାଇଆ । ଆଉ ସ୍ୱାମୀଟି ବାତେରା ମଣିଷ । ଆଠକାଳ ବାରମାସି ଘରଭିତରେ ପଡ଼ିରହି ଖାଲି ୟା ଖାଇବାକୁ ଦେ, ତା’ ଖାଇବାକୁ ଦେ ବରାଦ କରି ଲାଗିଥିବ । ଟିକିଏ ଅସୁବିଧା ହେଲେ ଗାଳିଦେଇ ଠେଙ୍ଗା ଫୋପାଡ଼ିବ । ସ୍ୱାମୀ ଆଉ ପୁଅ, ଦିଓଟି ପ୍ରାଣୀ ନୀଳ ବେକରେ ବନ୍ଧା । ବାର ଦୁଃଖ ଧନ୍ଦା କରି ଦିହିଙ୍କି ସେ ଆଜିଯାକେ ଜୀଆଁଇ ରଖିଚି । ପୁଅଟା ତ କେତେବେଳେ କୁଆଡ଼େ ବୁଲେ । ଖାଇଲେ ଖାଇଲା, ନ ଖାଇଲେ ନାହିଁ। ଗାଁ ଗାଁ ବୁଲି କାହାକୁ କଣ କହେ । କେଉଁଠି ତଣ୍ଟିଆ, ଆଉ କେଉଁଠି ବିଧା ଚାପୁଡ଼ା ଖାଇ ଘରେ ଆସି ବାପ ମାଙ୍କୁ ମାରିବାକୁ ବାହାରେ । ଯେତେହେଲେ ମା ମନ କେତେକେ ବୁଝେ ! ପୁଅଠାରୁ ମାଡ଼ ଖାଇ, ସ୍ୱାମୀଠାରୁ ଗାଳି ଖାଇ ତାହା ବଦଳରେ ତାଙ୍କୁ କୁଆଡ଼ୁ କିମିତି ମୁଠାଏ ଖାଇବାକୁ ଦେଲେ ନୀଳ ମନଟା ଟିକିଏ ଭଲ ରହେ ।

 

ଘରେ ବା ଅଛି କଣ ଯେ ଯୋଡ଼ାଏ ଲୋକଙ୍କୁ ନିତି ବସାଇ ଖୁଆଉଥିବ । ତେବେ ନୀଳର ଗୋଟାଏ ଗୁଣ ପାଇଁ ତାକୁ ଦଶଖଣ୍ଡ ଗାଁରେ ଆଦର । ତା’ ହାତରେ କୁଆଡ଼େ କଣ ଗୋଟାଏ ଶିରୀ ଅଛି ଯେ ଯାହା ରାନ୍ଧିଦେବ ସେ ଅମୃତ । ସେଇ ଶାଗଖରଡ଼ା, କଖାରୁ ଆମ୍ବିଳ, ମାଛ ମହୁର, ଆଉ ଯେତେ ଯେ ତେଲ ମସଲା ଦେଇ ରାନ୍ଦୁ, ନୀଳର ହାତ ବାଜିଲେ ସେଥିରୁ ନିଆରା ବାସନା ବାହାରିବ । ତେଲ ନାହିଁ, ମସଲା ନାହିଁ, ତା’ ରନ୍ଧାରୁ ଯେଉଁ ମହକ ଉଠେ, ଖାଇବା ଲୋକ ତକ୍ଷଣେ ବାରିଦେବ କେଉଁଟା ନୀଳର । ଲେଖାଯୋଖା ବନ୍ଧୁବାନ୍ଧବଙ୍କ କଥା ତ ଛାଡ଼, କେତେ ଗାଁରୁ ତା’ ପାଖକୁ ଲୋକେ ଆସି ଗୁଆଟିଏ ଦେଇ ନିମନ୍ତ୍ରଣ କରିଯାନ୍ତି । ଶୁଧିଆ, ଶ୍ରାଦ୍ଧ, ବାହା ନିମନ୍ତରେ ଡାକିଘେନି ଛାଡ଼ିଲା ବେଳକୁ ପନିପରିବା, ପିଠା ଉଖୁଡ଼ାରୁ କିଏ ବୋଝେ ଭାରେ ଦିଏ, ଆଉ କିଏ ଶାଢ଼ୀ କି ଗାମୁଛା ଖଣ୍ଡେ, କାହାର ବଳ ନ ପାଇଲେ କାନିରେ ହେଲେ ଖଇ କୋରା ମୁଠାଏ ବାନ୍ଧିଦିଏ । ନୀଳ କାହାକୁ କିଛି କହେ ନାହିଁ; ଯେ ଯାହା ଦେଲା ତାର ଖୁସି ।

 

ଗାଁ ମାଇପେ କୁହାକୁହି ହୁଅନ୍ତି, ନୀଳର ପିଲାଦିନେ କୁଆଡ଼େ ନରହରି ମିଆଁର ବାରି କୂଅରେ ଗୋଟାଏ ଚିତାବାଘ ଖସି ପଡ଼ିଥିଲା । ନରହରି ତାକୁ ବାଉଁଶ କେଞ୍ଚାରେ ମାରି ଗାଁ ଦାଣ୍ଡରେ ଘୋଷାରି ସବୁରି ଘରୁ ପଇସା ଅସୁଲ କରିଥିଲା । ନୀଳ କାହାଠୁଁ, ଶୁଣିଥିଲା କେଜାଣି, ସେଇ ମଲା ବାଘ ମୁହଁରେ ହାତ ପୂରାଇ ଦେଇଥିଲା । ମଲେ ବି କଣ ହେଲା, ଯେତେ ହେଲେ ବାଘ ତ । ସାତ ଆଠ ବରଷର ଝିଅଟା ବାଘ ମୁହଁରେ ହାତ ଭର୍ତ୍ତି କରିବା କଣ କମ୍‌ ସାହସର କଥା-! କେତେ ଝିଅ ମାଇପେ ରୁଣ୍ଡ ହୋଇଥିଲେ । ବାଘ ମୁହଁରେ ହାତ ପୂରେଇଲେ ସେ ହାତରେ ଯାହା ରାନ୍ଧିଦେବ ତା ସୁଆଦ ନିଆରା । ଯେତେହେଲେ କାହାରି ଛାତି ପତେଇଲା ନାହିଁ, ଏକା ନୀଳ ଛଡ଼ା । ସାହସ କଲା ବୋଲି ସିନା ତାର ଫଳ ପାଇଲା । ‘ସାହସ ମରି, ସାହସେ ତରି, ସାହସେ ଘର ଦୁଆରେ କରି ।’ ନୀଳର ଗୁଣମାନ ଶୁଣି ହାରାବୋଉ ତାକୁ ଆଗତୁରା ଲୋକ ପଠେଇ ଡକେଇ ଆଣିଚି । ପିଲେଇତି ମଣିଷଟା, ସେ କଣ ବନ୍ଧୁ ବାନ୍ଧବ, ଗଲାଅଇଲା ସବୁରିଙ୍କୁ ରାନ୍ଧିବାଢ଼ି ପରଷି ପାରିବ ! ହାରାବୋଉ ସିନା ନୂଆ, ନୀଳ, ତ ସେ ଗାଁରେ ଅଜଣା ମଣିଷ ନୁହଁ !

 

ଦିନକୁଦିନ ଝିଅ ଝିଆଣିଆଙ୍କ ଆସିବା ବେଶି ହେଲା । ଗାଁ ଭିତରୁ ବି କେତେ ଝିଅ ମାଇପେ ବୁଲି ଅଇଲେ ନୂଆ କୁଳୁଆଁମାନଙ୍କୁ ଦେଖିବା ପାଇଁ । ହାରା ପଛେ ପଛେ ସେମିତି କେତେ ବାଡ଼ୁଅ, ଅହିଅ, ବିଧବା ଝିଅ ଆସି ଗୌରାଙ୍ଗ ଘରକୁ ଗହଳି କଲେ । ହାରାବୋଉର ପାଦ ପାଞ୍ଚ ହାତରେ ପଡ଼ୁଥାଏ ଉଠୁଥାଏ । ରାଧୀ କେଉଟୁଣୀ, ଚମ୍ପାବୋଉ, ଉମା, ଦୁଲାମା ଆସି ହାଜର ହେଲେ । ହାରାବୋଉ ନାତିକୁ ନେଇ ସଭିଙ୍କି ଥରେଲେଖା ଦେଖାଇ ଆଣିଲା । କିଏ ତାକୁ ଚୁମ୍ବ ଦେଲା, କିଏ ତାର ଚିବୁକ ଧରି ଟାଣିଲା, କିଏ ଗୋଡ଼ ଦୁଇଟି ଧରି ହଲାଇଲା, ଆଉ କିଏ କୁତୁକୁତୁ କଲା । ପାଞ୍ଚ ମାସର ମୂର୍ଖ ପିଲାଟି କାହା କୁତୁକୁତୁରେ ହସିଲା, କାହା ଗୋଡ଼ହଲାରେ କାନ୍ଦିଲା । ଭାରତର ଦରବୁଢ଼ା ଲୋକେ ବି ଏହି ମୂର୍ଖ ଶିଶୁଟି ଭଳି ବିନା କାରଣରେ ହସନ୍ତି, ପୁଣି ଅକାରଣରେ କାନ୍ଦନ୍ତି ।

 

ପିଲାଟିର ଚିବୁକ ଓଟାରିଦେଇ ସବା ଆଗରେ ମଥୁରି ସାହୁଙ୍କ ଝିଅ ଉମା ବାହାରି ଆସିଲା ହାରା ପାଖକୁ । ହାରାଠାରୁ ବୟସରେ ସାନ ହେବ ସେ । ମଥୁରି ସାହୁ ଘର ଦେଖି, ବର ଦେଖି ଉମାକୁ କୁସୁପୁର ନାଥ ପୃଷ୍ଟିଙ୍କ ବଡ଼ପୁଅ ମହେଶ୍ୱର ସାଙ୍ଗେ ବିଭା ଦେଇ ଥିଲେ । କେତେ ଲୋକଙ୍କ ଆଗେ ଖୁସି ହେଇ ସେ ଝିଅ ଜୋଇଁଙ୍କ ନା କହିପକାନ୍ତି- ଉମା - ମହେଶ୍ୱର । ସତକୁସତ ମହେଶ୍ୱର କେତେ ଜଣ ବାବାଜୀଙ୍କ ପିଛା ଧରି ଶେଷରେ ଘର ଛାଡ଼ି ସନ୍ନ୍ୟାସୀ ହୋଇ ପଡ଼ିଲେ । ଲୋକେ କୁହାକୁହି ହୁଅନ୍ତି, ନାଥ ପୁଷ୍ଟି ଭଳି ଚୋଠା ପାଖରେ ଆଉ କାହାରି ବାପ ବି ଥୟ ଧରି ପାରିବ ନାହିଁ, ନିଜ ପୁଅ ରହନ୍ତା କିମିତି ? ମହେଶ୍ୱର ବର୍ଷକ ପରେ କଅଁରା ନିଶ ଦାଢ଼ି ଛାଡ଼ି ଦେଇ ଡୋର କୌପୁନି ପିନ୍ଧି ଫେରିଲା ବେଳକୁ ଉମା ବାପ ଘରେ ଥାଏ । ମଥୁରି ସାହୁଙ୍କ ଆଗରେ କେହି ଏଣିକି ଝିଅ ଜୋଇଁଙ୍କ କଥା ପକେଇଲେ ସେ ବାଁରେଇ କହିଦିଅନ୍ତି । ବର୍ଷେ ହେଲା ତେଲ ବାଜି ନଥିବା ନୁଖୁରା ଦିହ ମୁଣ୍ଡ ଘେନି ମହେଶ୍ୱର ଯେତେବେଳେ ମଥୁରି ସାହୁଙ୍କ ଦାଣ୍ଡ ଦୁଆରେ ପହଞ୍ଚିଲା, ତାକୁ ଏ ବେଶରେ ଚିହ୍ନି ପକେଇ ସାହୁ ବାଟ କାଟି ହାଟ ଗୋଦାମ ଆଡ଼କୁ ବାହାରିଗଲେ-

 

ସାହୁଙ୍କର ପୁଅ ବାସୁ ନାକ ଟେକି ପଚାରିଥିଲା, ‘‘କୁଆଡ଼େ ଆସିଲ କି ?’’ ରାଧୀ କେଉଟୁଣୀ ଚୁଡ଼ା ଟୋକେଇଟା କାଖେଇ ସେଇବାଟେ ଆସୁଥିଲା । ଖଞ୍ଜା ଭିତରେ ଝଟ୍‌ଖବର ଦେଇଥିଲା, ଜୋଇଁ ଆଇଚନ୍ତି, ଦେଖିବ ଆସ । ଦାଣ୍ଡ ଦୁଆର ମୁହଁ ଜଳାକବାଟି ଫାଙ୍କରେ ଦଣ୍ଡକେ କେତେ ଝିଅ ବୋହୂଙ୍କ ନୋଥ ଗୁଣା ଦିଶିଥିଲା । ମାଟିଆ ଜଳାକବାଟି ସନ୍ଧାରୁ ଫୁଟି ଦିଶିଲା କେତେ ମନ୍ଦାରଫୁଲିଆ ପାନଖିଆ ଓଠ, କେତେ ନାକଚଣା, କେତେ ଅଳକା, ମଥାମଣି, ଆଉ କେଉଁ ଗହଳିଆ ପତା ତଳେ ଜୁଳୁଜୁଳୁ କଳା ଡୋଳା ଯୋଡ଼ିଏ । ସେସବୁ ମଥୁରି ସାହୁଙ୍କର ଭାଇବୋହୂ ଝିଆରୀ, ଭାଣିଜୀ, ଶାଳୀମାନଙ୍କର । ଉମା ଦାଣ୍ଡ ଦୁଆର ଭିତର ପଟେ ଲହର ପହର ହେଉଥାଏ । ଭାଇଙ୍କ କଥା ତା କାନରେ ଶୁଣାଗଲା, ‘‘କୁଆଡ଼େ ଆସିଲୁ ?’’

 

ସେ କଥାର ଜବାବ ଆସିଲା ଉମାର ଗୋଟାଏ ଅତି ଅଳ୍ପ ଦିନର ଚିହ୍ନା ସ୍ୱରରେ, ‘‘ନେବାକୁ ଆସିଲି ।’’

 

‘‘ନେବାକୁ ? କଣ ନେବାକୁ ?’’ ଉମାର ଭାଇ ଦଇତାରି ରାଗରେ ପଚାରିଥିଲା ।

 

‘‘ତୋ ଭଉଣୀକୁ ।’’ ସେହି ଚିହ୍ନା ସ୍ୱରଟା ଖୁବ୍‌ଜୋରରେ ଶୁଣାଗଲା ।

 

ତାହାପରେ ଉମାର ଦେହ ଥରି ଉଠିଥିଲା । ଦଇତାରି ମୁହଁକୁ ଯାହା ଆସିଲା, ସେ ଭିଣୋଇକୁ ତାହା ବକିଲା । ମହେଶ୍ୱର ଭଳି ଫକଡ଼ ଭିକାରୀ ହାତରେ ଉମାକୁ ଦେଇ ଯାହା ହେବାର ହେଲାଣି । ଆଉ ସେ କେଉଁ ମୁହଁରେ ତାଙ୍କ ଦୁଆର ମାଡ଼ୁଚି । ଏମିତି କେତେ ଗାଳି ଫଜତି ଶୁଣି ମହେଶ୍ୱର ତୁନୀ ରହିଥିଲା । ଶେଷକୁ ଖାଲି କହିଥିଲା, ‘‘ଆଚ୍ଛା, ତୋ ଭଉଣୀକି ପଚାରେ, ଏହି ଫକଡ଼ ଭିକାରୀ ସାଥିରେ ଯିବ, କି ବଡ଼ଲୋକି ଆରାମରେ ରହିବି ?’’

 

ଦଇତାରିର ରାଗ ବହୁତ ଉଚ୍ଚକୁ ଉଠିଗଲା । ସେ ମହେଶ୍ୱରକୁ ଧକ୍‌କା ଦେଇ ବାହାର କରିଦେବ ବୋଲି କହିବା ବେଳେ ଉମାର ଗୋଡ଼ ଦି’ଟା ଅଥୟ ହୋଇ ଉଠିଥିଲା, ଦାଣ୍ଡ ମଝିକୁ ସ୍ୱାମୀର ହାତ ଧରି ବାହାରି ପଡ଼ିବାକୁ । ଶଳା ଭିଣୋଇଙ୍କ ପାଟି ଶୁଣି ସେତେବେଳେ ଦାଣ୍ଡରେ କେତେ ଲୋକ ଜମା ହୋଇ ଗଲେଣି । ଉମାର ପାଦ ଚଳିଲା ନାହିଁ । ମହେଶ୍ୱର ଚାଲିଗଲା । ସେହିଦିନୁ ଆଉ ତାର ଖବର ନାହିଁ । ସେହି ଦିନୁ ଉମା କିମିତି ଗୋଟିଏ ମାଟିପିତୁଳା ଭଳି ହୋଇଗଲା । ତାହାର ଆଖି, ନାକ, ଓଠକୁ ଯେମିତି ଜଣେ କଟକୀ କାରିଗର ନିଖୁଣ ଦେବୀ ପ୍ରତିମା କରି ଗଢ଼ିଛି । ହେଲେ, ଖାଲି ପ୍ରତିମାଟିଏ ସେ । ଭିତରେ ତାହାର ଟିକିଏ ଯେମିତି ଜୀବନ ନାହିଁ ।

 

ଉମା ହସେ ଖେଳେ, ଥଟା ଟାପରା କରେ । ତେବେ ତାହାର ଉପର ଚେହେରାକୁ ଦେଖି ବୁଝା ପଡ଼େ, ଭିତରେ କାହାକୁ ଯେମିତି ସବୁବେଳେ ସେ ଝୁରୁଚି । ହାରାକୁ ତ ସେ ଦଣ୍ଡକ ଭିତରେ ଆପଣାର କରି ପକେଇଲା । ସତେ ଅବା କେଉଁ କାଳରୁ ସେ ତାହାର ଚିହ୍ନା ସାଙ୍ଗ !

 

ପୁଣି ସୁନା ଆସିଲା ପରେ ତା ସାଙ୍ଗରେ ଏକାବେଳେ ଜଡ଼ାତେଲ ମେଣ୍ଢାବାଳ ହୋଇଗଲା । ଏମିତି ହେଲା ଯେ, କେହି କାହାକୁ ଦଣ୍ଡେ ଛାଡ଼ି ରହି ପାରିଲେ ନାହିଁ । ସୁନା ଯେବେ ଘରେ ନାହିଁ, ତେବେ ସେ ଉମା ପାଖରେ । ଉମା ବି ଯେତେବେଳେ ସେତେବେଳେ ଆସି ସୁନା ପାଖରେ ହାଜର । ବନ୍ଧୁବାନ୍ଧବ ଗହଳିରେ ଗୌରାଙ୍ଗ ଘରେ ଥାନ ମିଳେ ନାହିଁ । ଦୁହେଁ ଯାଇ ଢିଙ୍କି ଚାଳିଆରେ ଗପସପ ହୁଅନ୍ତି । କେତେବେଳେ ପୋଖରୀ ତୁଠ ଓଉଗଛ ମୂଳେ ପାକଲା ଓଉ ଲୁଣ ଦେଇ ଚୋବାନ୍ତି, ଆଉ ଗପ ସୁଅ ଚାଲିଥାଏ ।

 

ଗୌରାଙ୍ଗର ଅଗଣା ଭିତରେ ବେଶି ଲୋକ ଚଳାଚଳ ପାଇଁ ତାଳତାଟି ଛାମୁଣ୍ଡିଆ ବନ୍ଧା ହେଲା । ବେଦୀ, ଚୁଲୀ, ଖଞ୍ଜାଶାଳ ଯାହା ଯେମିତି ଠିକଣା ହେଉଛି । ଉମା ସୁନାଙ୍କ ଗପସପ ଭିତରେ ତେଣିକି ନଜର ଦେବାକୁ ତର ନାହିଁ ।

 

ଆଜି ହାଣ୍ଡି ମଙ୍ଗୁଳା । ସବୁଦିନ ପରି ବରଜୁ କୁଆ ନ ରାବୁଣୁ ଉଠିଛି । ଡଙ୍କା, ଚଟୁ, ହାଣ୍ଡି, ପଲମ, ଡାଲି, ଚାଉଳ, ପନିପରିବା । ଯୋଗେଇବାରେ ସେ ଭାରି ବ୍ୟସ୍ତ । କିଏ କେତେ ବରାଦ ବୁଝୁଚି, କିଏ କଣ ପଚାରୁଚି, ସବୁ କଥାକୁ ତାର ଖିଆଲ ରହୁ ନାହିଁ । କୁଳୁଆଁ ମଇତ୍ର, ପିଲାଛୁଆ, ଗଲାଅଇଲାରେ ଘର ଗୋଟାକ ଭର୍ତ୍ତି ।

 

‘‘ପଧାନକୁ କଣ ଜମାରୁ ତର ନାହିଁ !’’ -ବରଜୁ ଫେରି ପଡ଼ି ଦେଖିଲା ନାଥ ବାବୁଙ୍କ ସାଥିରେ ଆଉ ବାବୁମାନେ ମଧ୍ୟ ଆସିଛନ୍ତି । କହିଲା, ‘‘ସକାଳୁ ଏଣିକି ବାହାରି ପଡ଼ିଲେ ଯେ ?’’ ଜୟିବାବୁ କହିଲେ, ‘‘ଆମର ଆଉ ସଞ୍ଜ ସକାଳ କଣ, ବୁଲିବା ତ ହେଲା କାମ ।’’

 

ପିଣ୍ଡା ତଳେ ଖଣ୍ଡେ ନଡ଼ିଆ ଚାଞ୍ଚ ପଡ଼ିଥାଏ । ସେ ଖଣ୍ଡ ବାବୁମାନଙ୍କୁ ବସିବାକୁ ଦେଇ ବରଜୁ କହିଲା, ‘‘ମୋର ତ ଆଜି ବଡ଼ ଭାଗ୍ୟ । ଗରିବ ଦୁଆରେ ଆପଣମାନଙ୍କ ପାଦ ପଡ଼ିଲା । ହଁ, ମୋର ସିନା ଏ ଘର ନୁହଁ, ଗୌରା ଘରେ ଆସି ରହିଛି । ତେବେ କଣ କି, ଗଉରା ବି ଏ ଘରକୁ ତାର ଆପଣାର ବୋଲି ମୋ ଆଗରେ କହିବାକୁ ରାଜି ନୁହଁ । ତେଣୁ ଏହାକୁ ଯେ ନିଜର ବିଚାରିବେ ତାଙ୍କ ଘର ।’’ ବରଜୁ ହସିଲା ।

 

ନାଥବାବୁ କହିଲେ, ‘‘ବୁଝିଲ ପଧାନେ, ମୋର ଦୁର୍ଭାଗ୍ୟ ଯେ ତୁମ ଗାଁରେ ଏତେ ଦିନ ରହିଲଣି, ଆଜିଯାକେ ତୁମ ପାଖକୁ ଆସିପାରି ଦନାହିଁ ।’’

 

‘‘ମୋର ଆଗ ତ ଭେଟିବାର କଥା ବାବୁ ! ତେବେ କଣ କି, ଢେଙ୍କି ସ୍ୱର୍ଗକୁ ଗଲେ ବି ଧାନ କୁଟେ । ଗାଁଗଣ୍ଡା ଘରଦୁଆର ଛାଡ଼ି ଏଠାରେ ଆସି ରହିଲି ଯେ, ମୋତେ ହେଲେ ଜଞ୍ଜାଳ କେତେବେଳେ ଛାଡ଼ିଛି । ଯେଉଁଠିକି ଗଲି, ସବୁଠି ଖାଲି ସେହି ଧାନକୁଟା ପାଣିବୁହା । ଗୌରା ଯେମିତି ମତେ ତା’ଘରେ ଦେଖିଛି, ଆଗେ ଯାହା ବା ଟିକିଏ ବୁଝାଶୁଝା କରୁଥିଲା, ଏଣିକି ସବୁ ମୋ ଉପରେ ଫୋପାଡ଼ି ଦେଇ ନିଶ୍ଚିତ ହୋଇଗଲା । କେତେବେଳେ ଟିକିଏ ତର ମିଳିଲେ ସିନା କୁଆଡ଼େ ବାହାରନ୍ତି କି କାହା ସାଙ୍ଗରେ କଥାବାର୍ତ୍ତା ଦି’ପଦ କରନ୍ତି !’’

 

ମଦନ ବାବୁ କହିଲେ, ‘‘ଆମେ ବି ତୁମ ଉପରେ ଆଉ ଗୋଟାଏ ଜଞ୍ଜାଳ ଲଦିବାକୁ ବାହାରିଛୁଁ, ପଧାନେ !’’

 

କିଛି ବୁଝି ନ ପାରି ବରଜୁ ପଚାରିଲା, ‘‘କଣ ଜଞ୍ଜାଳ ବାବୁ ?’’

 

ନିଶାମଣି ଖଣ୍ଡେ ନଡ଼ିଆପତ୍ରରୁ ଖଡ଼ିକାଟିଏ ଉଞ୍ଚି କହିଲେ, ‘‘ଜଞ୍ଜାଳ କିଛି ନୁହଁ ଯେ ପଧାନେ, ଆମେ ଖାଲିଟାରେ ବସି ଖୁସି ଗପ କରି ଯଉଁ ସମୟ ନଷ୍ଟ କରୁଁ, ସେହିଟାକୁ କାମରେ ଲଗାଇବାକୁ ହେବ ।’’

 

ଖାଲିଟାରେ ବସିବା, ସମୟ ନଷ୍ଟ କରିବା-ଏସବୁ କଥା ବରଜୁ କିଛି ବୁଝି ପାରୁ ନ ଥାଏ-। କେତେବେଳେ ବା ସେ ଖାଲିଟାରେ ବସି ଦିନ କଟାଏ ? କାହିଁ, ଦଣ୍ଡେ ହେଲେ ତ ନୁହେଁ ! ସକାଳୁ ସଞ୍ଜ ଯାକେ କେତେବେଳେ ତାକୁ ଫୁର୍‌ସତ ମିଳେ ? ସେଥିପାଇଁ ତ ତାକୁ ସାଇ ପଡ଼ିଶା ଲୋକେ ଥଟ୍ଟା ତାମସା କରନ୍ତି । ପୁନିଅ ପର୍ବରେ ଲୋକେ ମଉଜ ମଜଲିସ୍‌କରନ୍ତି, ଯାତ ତିଥ ଦେଖନ୍ତି । ସେ ତ କାହିଁକି କେବେହେଲେ ମନ ଲଗେଇ ଏ ସବୁରେ ମିଶି ପାରେ ନାହିଁ ! ଟାଣି ଓଟାରି କେହି କେବେ ଡାକି ନେଲେ ଅଛୁଆଙ୍କ ପରି ଦୂରରେ ବସି ଖାଲି ଚାହେଁ ମୁହଁଟାକୁ, ସେମିତି ହାଣ୍ଡି ଭଳି କରି । ସେଥିପାଇଁ କିଏ ଯେବେ କିଛି ମେଳା ମଉଛ ଭଜନ ଆଖଡ଼ାକୁ ତାକୁ ଡାକିଆସେ, ସେତେବେଳେ ଡରରେ ବରଜୁର ପିଳେହି ପାଣି ହୋଇଯାଏ । ଗଲେ ତ ତାର ମନ ଲାଗିବ ନାହିଁ, ନ ଗଲେ ପୁଣି ସମସ୍ତେ କହିବେ ଗୋଠଖଣ୍ଡିଆ । ତେବେ ଏହି ପାଠପଢ଼ୁଆ ବାବୁମାନେ ତ କିଛି ଗାଉଁଲିଙ୍କ ଭଳି ଚଗଲା ନୁହନ୍ତି ଯେ, ତାକୁ ମଉଜ ମଜଲିସ୍‌କୁ ଡାକୁଥିବେ ! ସେମାନେ ପୁଣି ଦେଶକାମରେ ବାହାରିଚନ୍ତି ପାଁ । ଜଣଙ୍କର କି ଭଳି ଭଲ ହେବ, ସମସ୍ତେ ସୁଖରେ ଚଳିବେ, ଏହି ତ ତାଙ୍କର କାମ, ଏ କଥା କଣ ବରଜୁ ବୁଝିନାହିଁ ଯେ, ସେମାନେ ତାକୁ କିଛି ମନ୍ଦ ପରାମର୍ଶ ଦେବେ ବୋଲି ଡରିବ !

 

ସେ ବସିପଡ଼ି ନିର୍ଭୟ ହୋଇ କହିଲା, ‘‘କଣ ମତେ କରିବାକୁ ହବ, ଫିଟେଇ କହନ୍ତୁ ।’’

 

ଜୟକୃଷ୍ଣ କହିଲେ, ‘‘ଏ କଣ, ଆପଣ ତଳେ ବସିଲେ, ଆମେ ତେବେ ଚାଞ୍ଚଡ଼ାରେ ବସିବୁଁ କାହିଁକି ?’’

 

‘‘କିଛି ନାହିଁ ବାବୁ, ମାଟି ପରା ଆମ ବେଉସା । ତା’ ଉପରେ ବସିଲେ ତ ଆମ ଲୁଗା କୋତରା ହବ ନି !’’ ହସି ହସି ବରଜୁ ଜବାବ ଦେଲା ।

 

ନିଶାମଣି ବରଜୁ ପାଖକୁ ଲାଗିଆସି କହିଲେ, ‘‘ହରିପୁର ଗାଁରେ’’ ତୁମକୁ ସବୁ କାମ କରିବାକୁ ହେବ ପଧାନେ । ତୁମେ ତ କଂଗ୍ରେସର ନାମ ଶୁଣିଥିବ !’’

 

‘‘ହଁ ଶୁଣିଛି ଯେ, ତେବେ କଣ କି, ଆମ ଭଳି ଅଳପିକିଆ ମୂଲିଆମୁଣ୍ଡ, ସେ ତ ସବୁ ବଡ଼ ବଡ଼ କଥା । ଆମର ଏତେ ଗହୀରରେ ଚାଷ କାହିଁ ?’’

 

‘‘ତମର ଯେତିକି ଗହୀରରେ ଚାଷ, ସେତିକିରେ ଚଳିବ । ଆମେ ସବୁ ତ ତୁମରି ସାଙ୍ଗେ ସାଙ୍ଗେ ଅଛୁଁ, ସବୁରି ସେବା କରିବୁଁ । ତମେ ଆମକୁ ସାହାଯ୍ୟ କରିବ, ଆମେ ତମକୁ କରିବୁଁ । ତା’ ନ ହେଲେ ଦେଶ ଉଠିବ କେମିତି ?’’

 

‘‘ମୁଁ କଣ କରିପାରିବି ବାବୁ ? ମୋ ଜଞ୍ଜାଳ ତ ମତେ ବଳେଇ ପଡ଼ିଚି ।’’

 

ଜୟକୃଷ୍ଣ କହିଲେ, ‘‘ଆପଣ ଯେବେ ଏମିତି କଥା କହିବେ, ଆମେ ତା’ ହେଲେ ବୁଝେଇବୁଁ କାହାକୁ ? ଜଣ ଜଣ ହେଇ ତ ଦେଶ । ଆପଣଙ୍କ ଭଳି ଜାଣିବା ଶୁଣିବା ଲୋକ ଯେବେ ପଛଘୁଞ୍ଚା ଦେବେ -’’

 

‘‘ତେବେ ଆଉ ସ୍ୱରାଜ୍ୟ ମିଳିବ କିପରି ?’’ ମଦନ ଜୟକୃଷ୍ଣଙ୍କ କଥାର ବାକିତକ ପୂରଣ କରିଦେଲେ ।

 

ସ୍ୱରାଜ ! କଣ ଏଇ ସ୍ୱରାଜ ! ବରଜୁ ମୁଣ୍ଡରେ ହଜାରଟା ଚିତ୍ର ଖେଳିଗଲା । ଏହି ସ୍ୱରାଜ କଥାଟା କେତେ ଲୋକଙ୍କ ମୁହଁରୁ ଶୁଣା ଯାଉଛି । ବରଜୁ ତ ତା’ ପିଲାଦିନେ ଏ କଥାଟା କାହିଁ ଶୁଣି ନ ଥିଲା ! ଏ ନୂଆ କଥାଟା ତେବେ କଣ ? ହରିପୁର ନାରଣ ପଣ୍ଡିତେ କହୁଥିଲେ, ସ୍ୱ ବୋଇଲେ ନିଜ, ରାଜ ବୋଇଲେ ରାଜତ୍ୱ -ମାନେ ନିଜେ ନିଜର ରାଜା । ନିଜ ରାଜତ୍ୱ ନିଜର; ପରର ନୁହେଁ । ସତେ ଯେବେ ବରଜୁ ପର ରାଜୁତିରେ ଅଛି, ତେବେ ତାର ନିଜ ରାଜୁତି କଣ ହେବ !

 

‘‘ଆଉ କଣ ଭାବିଚ, ଆମପରି କେତୁଟା ଲଣ୍ଡାମୁଣ୍ଡିଆ ଧୋବ ଧାଉଳିଆ ଦେଶର ଦୁଃଖ ଘୁଞ୍ଚଯିବ ?’’ ନିଶାମଣିଙ୍କ କଥାରେ ବରଜୁର ଭାବନାଧାରା ଭାଙ୍ଗିଗଲା ।

 

ଜୟକୃଷ୍ଣଙ୍କ କଥା ମଧ୍ୟ ତେଜି ଉଠିଲା, ‘‘କଦାପି ନୁହେଁ । ଆପଣା ଦୁଃଖ ଆପେ ଘୁଞ୍ଚାଇବାକୁ ନ ବାହାରିଲେ ଆଉ କାହାର ଗରଜ, କିଏ କାହିଁକି ବାହାରିବ ? ଆପଣମାନେ ତ ଦେଖୁଛନ୍ତି, ଏ ଦେଶର କେତେ ମହାପ୍ରାଣ ଆଜି ସବୁ ସ୍ୱାର୍ଥ ତ୍ୟାଗ କରି ନିଆଁକୁ ଡେଇଁଛନ୍ତି । ଏକ୍ଷଣି ଆମର ପ୍ରଧାନ ମନ୍ତ୍ର ହେଉଛି, ତ୍ୟାଗ ଆଉ ଅହିଂସା । ଏ ଯୋଡ଼ାକ କଥା ଆପଣ ଯେମିତି ପାଳିଛନ୍ତି, ସେମିତି ଅବା କୋଟିକେ ଗୋଟିଏ ମିଳିବେ । କେତୁଟା ଲୋକ ଭାଇକୁ ସବୁ ସମ୍ପତ୍ତି ଛାଡ଼ି ବାହାରି ଆସିଲେଣି । ଆମେ ତ ଏତେ ଗାଁ ବୁଲୁଛୁଁ । କେଉଁଠି ଏ କଥା ଶୁଣିନାହୁଁ । ଆପଣ ଦେଶପାଇଁ ନ ବାହାରିବେ ତ ଆଉ ବାହାରିବ କିଏ ?’’

 

‘‘ହଉ ବାବୁ, ମତେ ଆଉ ଏତେ ଉପରକୁ ଟେକନ୍ତୁ ନାହିଁ । ମୋ ହାତରେ ଯେତିକି ହବ, ମୁଁ ସେତିକି କରିବାକୁ ରାଜି ।’’

 

ସତକୁସତ ବରଜୁ କଣ ଏମିତି କରିଛି ଯେ ବାବୁମାନେ ଏତେ ଟେକାଟେକି କରି କହୁଛନ୍ତି । କଥାଗୁଡ଼ାକ ତାକୁ ବଡ଼ ଅଡ଼ୁଆ ଶୁଭୁଥାଏ । ସେଥିପାଇଁ ସେ ଆଉ ତାଙ୍କୁ କୁହାଇ ନ ଦେଇ ରାଜି ହୋଇଗଲା । ସେମାନେ ବା ତାକୁ କି କାମ ଦେବେ ? ଅରଟରେ ସୂତା କାଟିବା ତ ! ବରଜୁ ତାହା ଜାଣେ ନାହିଁ ? ନାଥବାବୁ ଖୁସି ହୋଇ କହିଲେ, ‘‘ତୁମେ ରାଜି ନ ହେଲେ ଆମେ କଣ ତୁମକୁ ସଜରେ ଆଜି ଛାଡ଼ିଥାନ୍ତୁ । ତମରି ଦୁଆରେ ତ ସତ୍ୟାଗ୍ରହ କରାଯାଇଥାନ୍ତା ।’’

 

ବରଜୁ ନଇଁ ସଇଁ କହିଲା, ‘‘କାହିଁକି ବାବୁ, ମୁଁ କିବା ଲୋକ ଯେ, ଏଡ଼େ ବଡ଼ କଥା କହୁଛନ୍ତି । ଖବର ଦେଲେ ତ ମୁଁ ଯାଇ ତକ୍ଷଣେ ଆପଣଙ୍କ ଦୁଆରେ ହାଜର ହେବି । ଆପଣମାନଙ୍କ ପାଦ ଏଠି ପଡ଼ିଛି । ମୋର ଆଉ ରାଜି ବେରାଜି ପଚାରୁଛନ୍ତି କାହିଁକି ? ଅରଟରେ ସୂତା କାଟିବା କଥା ତ ! ହଁ କଉଁକାଳୁ ଆମ ଭାଡ଼ି ଉପରେ ଖଣ୍ଡେ ଭଙ୍ଗା ଅରଟ ପଡ଼ିଥିଲା । ସେ ଖଣ୍ଡ ସଜାଡ଼ି ପହିଲେ ପହିଲେ କେଇ ଦିନ ସୂତା କାଟିଥିଲି । ବୋଉ ଆମର ସେ ଖଣ୍ଡ ଦେଖି ଭାରି ଖୁସି ହଉଥିଲା । ସେ କୁଆଡ଼େ ସେଇ ଅରଟରେ ସୂତା କାଟି ଆମ ପାଇଁ ମାଣେ ଜମି ଖରିଦ କରିଥିଲା ।’’

 

‘‘ନାଇଁ ପଧାନେ, ତୁମକୁ ଖାଲି ସୂତା କାଟିବାକୁ କହିବାପାଇଁ ସମସ୍ତେ କଣ ଆସିଛୁଁ ? ଅସଲ କଥା, ଆମ ଗାଁରେ ଗୋଟିଏ ସୂତା କଟା କେନ୍ଦ୍ର ଖୋଲାଯିବ । ଏହି କେନ୍ଦ୍ର ଜରିଆରେ କଟାଳିମାନଙ୍କୁ ତୁଳା ଯୋଗାଇଦେଇ ତାଙ୍କଠାରୁ ସୂତା ନେଇ ଲୁଗା ବୁଣେଇବାକୁ ହେବ । ହାଟ ଉପରେ ମଥୁରି ସାହୁ ମହାଜନଙ୍କର ଯେଉଁ ଗୋଦାମଘର ଦାଣ୍ଡିଟା ଅଛି, ସେଥିରୁ ସେ ଆମ ଆଶ୍ରମ ପାଇଁ ଦି’ ବଖରା ଦେଇଛନ୍ତି ।’’

 

ବରଜୁ ଖସିହୋଇ କହିଲା, ‘‘ବାଃ, ମଥୁରି ସାହୁଙ୍କର ତ ଦେଶପାଇଁ ଭାରି ମନ ।’’

 

ନାଥବାବୁ କହିଲେ, ‘‘ସେ କଣ ସହଜେ ରାଜି ହେଉଥିଲେ ? ଆମକୁ ଦେଖିଲା କ୍ଷଣି ତ ବୁଢ଼ା ବିଚରା ଆଗ ଡରିଗଲା । ହାତ ଯୋଡ଼ି କହିଲା, ସେ କଥା ମୋତେ କହନି ବାବୁ ! ମୁଁ କିଏ, ଇଂରାଜି ସରକାର କିଏ । କାଲି ସକାଳେ ପୁଲିସ ଆସି ମୋ’ ଘର ଖାନତଲାସ କରିବ । ପିଲାଏ ମୋର ବେଜିତ ହେବେ । ମୁଁ ଏତେ ଅଡ଼ୁଆ ଝଟାକୁ ପାରିବି କାହୁଁ ? ଆମେ କହିଲୁଁ, ସେ କି କଥା ମହାଜନେ, ତମ ଘର ପାଇଁ ଆମେ ମାସକୁ ମାସ ଭଡ଼ା ଦେବୁଁ । ଆମକୁ କଣ ଘରଭଡ଼ା ଦେଇ ରହିବାକୁ ସରକାର ମନା କରିଚି ଯେ ପୁଲିସବାଲା ତମକୁ ଧମକେଇବେ । ବୁଝେଇ ବୁଝେଇ ଫାଟିଫୁଟି ଗଲୁଁ । ବୁଢ଼ା କାହିଁରେ ହେଲେ ନ ମଙ୍ଗେ । ଶେଷରେ କହିଲା, ମୁଁ ପଛେ ଆଉ କିଛି ଚାନ୍ଦା ବାବତକୁ ଦେଉଛି, ମତେ ଆଉ ଘର କଥା କହ ନାହିଁ । ସେଥିରୁ ସମସ୍ତେ ହଟିଗଲେ, ଏକା ଏହି ଜୟକୃଷ୍ଣ ଗୋଟାଏ ଭଲ ଫିକର କଲେ । ଆଛା ହଉ, କେମିତି ଘର ନ ଦବ । ଆମେ ଚାରିଜଣଯାକ ତୁମ ଦୁଆରେ ସତ୍ୟାଗ୍ରହ କଲୁଁ । ଏହିଠାରେ ଆଜିଠୁଁ ନ ଖାଇ ନ ପିଇ ପଡ଼ି ରହିବୁଁ । ତେଣିକି ତୁମେ ପୁଲିସ ଡାକି ଆମକୁ ତୁମ ଦୁଆରୁ ଘୋଷାରି ତଡ଼ି ପଛକେ, ଏହିଠାରେ ପଡ଼ିଥିବୁଁ । ମୁହଁରୁ ତା’ର କଥା ବାହାରିବାକୁ, ସେ ଲମ୍ବ ହୋଇ ମହାଜନ ଦୁଆରେ ମୁହଁ ମାଡ଼ି ପଡ଼ିଗଲା । ତା’ ସଙ୍ଗେ ସଙ୍ଗେ ଆମେ ତିନିହେଁ ବି ସେମିତି ଲମ୍ବ ହୋଇ ପଡ଼ିଲୁଁ । ବୁଢ଼ା ଆଉ ଯାଏ କୁଆଡ଼େ ? ଲୋକଟି ଟିକିଏ ଧର୍ମଭୀରୁ କି ନା ! ସେଥିପାଇଁ ସମ୍ଭାଳି ପାରିଲା ନାହିଁ । ବହୁତ କଟାଳ କଲା ସତ୍ୟାଗ୍ରହ ନ କରିବାକୁ । ଶେଷକୁ ଜଣ ଜଣ କରି ହାତ ଧରି ଉଠାଇ ଜବାବ ଦେଲା, ହଉ, ବାବୁ ! କାହିଁକି ମତେ ହଇରାଣ କରୁଚ । କାଲିଠାରୁ ତମକୁ ମୋର ଘର ଭଡ଼ା ଦବାର ହେଲା । ଏକା ମାସକ ଭିତରେ ତୁମେ ନୂଆ ଘର କରି ମୋ ଘରଖଣ୍ଡ ଛାଡ଼ି ଦେବାକୁ ହେବ ।’’

 

ବରଜୁ କହିଲା, ‘‘ଯାହା ହଉ, ଖାସା ଉପାୟରେ ଆପଣ ବୁଢ଼ାଙ୍କୁ ମଙ୍ଗେଇଲେ । ନଇଲେ କି ସେ ସହଜରେ ଛାଡ଼ିବା ଜନ୍ତୁ ।’’

 

‘‘ଖାଲି କଣ ସେତିକି ମଙ୍ଗେଇଚୁଁ, ପଧାନେ ? ବିନା ଭଡ଼ାରେ ବି ଘର ଖଣ୍ଡ ମିଳିବ । ସେ କଥାଟି ଏକା ବାହାରେ କେହି ଜାଣିବେ ନାହିଁ । ନୁହେଁ କି ?’’ ଜୟକୃଷ୍ଣ ତାଙ୍କ ସାଥୀମାନଙ୍କୁ ଚାହିଁ ହସିଲେ ।

 

‘‘ବୁଢ଼ା ଯାହା ଟିକିଏ ଆଗପଛ ହେଉଥିଲେ, ଯେତେବେଳେ ଶୁଣି ପକାଇଲେ ଜୟକୃଷ୍ଣ ବାବୁଙ୍କ ବାପାଙ୍କ ନାଁଟି, ସେତେବେଳେ ତ କାବା ହେଇ ଚାହିଁଲେ । ଏଁ, କଣ କହୁଚ ? ତମେ ରାଧାକୃଷ୍ଣ ବାବୁଙ୍କ ପୁଅ ? ତୁମେ ଆମକୁ କାହିଁକି ଚିହ୍ନିବ, ବାବୁ ! କେତେ ଥର ମୁଁ ତମ ଘରକୁ ଯାଇଛି । ସେ ଆଜିକି ପଚିଶ କି ତିରିଶ ବର୍ଷ ତଳର କଥା । ତମ ବାପାଙ୍କ ସାଥିରେ କଲିକତା ଯାଇ କାରବାର କରିଚି । ବୁଢ଼ୀ ଅଛନ୍ତି ନା ? ତାଙ୍କୁ ପଚାରିବ, ସେ ନିଶ୍ଚେ ହେଲେ ଜାଣିଥିବେ । ବହୁତ ଚର୍ଚ୍ଚା ସେ କରିଛନ୍ତି । କେତେ ଭଲ ଜିନିଷ ଖୁଆଇଛନ୍ତି । ଯାହାହେଉ ଜୟକୃଷ୍ଣଙ୍କ କୃପାରୁ ମଥୁରି ସାହୁଙ୍କ ଘରେ ଆମ ସମସ୍ତଙ୍କର ଦି’ ଦି’ ଥର ନିମନ୍ତ୍ରଣ ମଧ୍ୟ ହୋଇ ସାରିଲାଣି ।’’

 

‘‘ସେ ତ ହବାର କଥା । ଏତେ ଭାବୁଚ ଯେତେବେଳେ- ହଉ ଆପଣମାନେ ଆସନ୍ତୁ । ଯାହା କରିବାକୁ କହିବେ ମୁଁ ସବୁବେଳେ ହାଜର ଅଛି ।’’

 

ବରଜୁ ହଁ ଭରିଦେଲା । ଭଲ ମନ୍ଦ ବିପଦ ଆପଦ କିଛି ବିଚାରିଲା ନାହିଁ । ସେ ଜାଣେ ତାହାର ଦିଓଟି ସାନ ପିଲା, ଘରେ ପୁଣି ହାରାବୋଉ ଅଛି । ତାକୁ ତ ପଚାରିଲା ନାହିଁ । ସେ ମୂର୍ଖ ପାଇପି ଲୋକ । ଏ ସବୁ କଥା ବୁଝିବ କଣ ! ହେଲେ ତା’ ପିଲାଙ୍କୁ ତ ପୁଣି ସେହି ସମ୍ଭାଳିଛି । ଘରଭିତରର ସବୁ ହାନି ଲାଭ ତ ଭାରି ଉପରେ । ତାକୁ ଥରେ ବିଚାରିବା ନ ଥିଲା କି ?

 

ହାରାବୋଉ ହାଣ୍ଡିମଙ୍ଗୁଳା ପାଇଁ ବାରିକାଣୀକୁ ଡାକି ଦୂବ ବରକୋଳିପତ୍ର, ଚୁଆସିନ୍ଦୂର ସଜାଡ଼ିବାରେ ଲାଗିଛି । ଦାଣ୍ଡଦୁଆରେ ଶଙ୍ଖ ମହୁରୀ ବାଜିଲାଣି । ଏତିକିବେଳେ ବରଜୁ ତାକୁ ଡାକି ପଚାରିଲା, ‘‘ଶୁଣିଲାଣି, କଂଗ୍ରେସିଆ ବାବୁମାନେ ମୋ ସଙ୍ଗେ ଲଗେଇଛନ୍ତି, ତାଙ୍କ ସାଥିରେ କାମ କରିବାକୁ ।’’ ସେ ବିଚାରିଥିଲା, ହାରାବୋଉ ତା’ କଥା ଶୁଣି ଚମକି ପଡ଼ିବ । ବାବୁମାନଙ୍କ ଭିତରେ ବି ବରଜୁର ଏତେ ଖାତିର ଅଛି ଶୁଣି ଭାରି ଖୁସି ହେବ । ତେବେ ହାରାବୋଉ ତା’ କଥା କାନକୁ ନେଲା ନାହିଁ । କହିଲା, ‘‘ହଉ, କଣ କରୁଚ କର । ଟୁଙ୍ଗିଘର ପେଡ଼ି ଭିତରୁ ଠାକୁରାଣୀଙ୍କ କଳା କରିଆ ଖଣ୍ଡ କାଢ଼ିଦବଟି । ଖରା ମାଡ଼ି ଆସୁଛି, ସବୁ ମାଇପେ ହାଣ୍ଡି ମଙ୍ଗୁଳାକୁ ବାହାରିଲେଣି ।’’

 

ହାରାବୋଉର ତରବର ଦେଖି ବରଜୁ ଆଉ କିଛି କହିଲା ନାହିଁ । ମୂର୍ଖ ମାଇପିଟା ସେ । ଏସବୁ କଥା ଓଲଟି ତାକୁ ଆସି ବରାଦ କରୁଚି । ଘରଭିତରଟା ମାଇପି ଗହଳରେ କମ୍ପୁଥାଏ । ଯେତେ ଯୁଆଡ଼େ ବନ୍ଧୁବାନ୍ଧବ ଥିଲେ ଗୌରା କାହାରିକି ନ ଡାକି ଛାଡ଼ି ନାହିଁ । ଏମିତି କି ନିଜେ ଗାଡ଼ି ଯୋଚି ଦାମ ମୋତିଙ୍କୁ ସାଥିରେ ଘେନି ନେତ୍ରମଣିକି ବି ସଙ୍ଖୋଳି ଆଣିଚି । ଛକଡ଼ି ଯେତେ ମନା କଲା ଶେଷକୁ ଗୌରାର ଜିଗର ରହିଲା । ବାହାଘର ଦିନଟା ଘରେ ତାଲା ପକେଇ ନିଜେ ଯିବ ବୋଲି ଜବାବ୍‌କରି ଛକଡ଼ି ବିଚରା ଏକା ଘରଜଗିଆ ହୋଇ ଥାଏ । ଘରଯାକ ସମସ୍ତେ ତ ଗୌରାର ପ୍ରୀତିବନ୍ଧୁ । ନେତ୍ରମଣି, ଛକଡ଼ି ନ ଯିବେ କାହିଁକି !

 

ହାଣ୍ଡି ମଙ୍ଗୁଳାକୁ ଯିବେ ବୋଲି ନାଲି, ନେଳି, ହଳଦିଆ ପୁଣି କେତେ ରଙ୍ଗର ଛିଟଶାଢ଼ୀ ପିନ୍ଧି ଝିଅ ମାଇପେ ସଜ ହେଉଛନ୍ତି । ଖଣ୍ଡେ ନାଲି କୁମ୍ଭଶାଢ଼ୀ ପିନ୍ଧି ହାରାବୋଉର ଗୋରା ତକତକ ଦିହଟା ବରଜୁ ଆଖିକି ଭାରି ସୁନ୍ଦର ଦିଶୁଥାଏ । ଆମ୍ବୁଲ ପାଣିରେ ଦିନକ ଆଗରୁ ରୂପା, ପିତ୍ତଳ ଅଳଙ୍କାରଗୁଡ଼ିକୁ ପକାଇ ମଜା ଚଉଁରୀରେ ମାଜି ସବୁ ଝିଅ ମାଇପେ ପିନ୍ଧିଥାନ୍ତି । ରଙ୍ଗଢଙ୍ଗିଆ ଶାଢ଼ୀକୁ ଚିକିଚିକି ଗହଣା ଖାସା ମାନୁଥାଏ । ଘର ବାହାର ଯେମିତି ହସି ଉଠୁଛି । ସବୁରି ଭିତରେ ହାରାବୋଉକୁ ଆଜି ଚରଚଇତ ହେବାର ଦେଖି ସେ ମନେ ମନେ ହସିଲା । ଆପଣା ଘରଦୁଆରେ ଛାଡ଼ି ପରଘର ବୋଲି ଆଜି ତ ଆଉ କାହିଁକି ତା’ର ମନେ ପଡ଼ୁ ନାହିଁ । ଆଜି ତ ସେହି ନେତ୍ରମଣିକି ଆଖି ଆଗରେ ଦେଖି ତାହାର ଖୁସି କାହିଁରେ ହେଲେ ଊଣା ନୁହଁ । ପର ଘରେ ଘରଣୀ ହେଉଚି ବୋଲି ଆଜି ତ ତା’ର ମନ ଭିତରେ କେଉଁଠି ଟିକିଏ ଲାଜ ଦୁଃଖ ଥିଲା ପରି ଜଣାପଡ଼ୁ ନାହିଁ ।

 

ପିଲାଗୁଡ଼ାକ ପଲପଲ ହୋଇ ଧାଁଧପଡ଼, ଗୋଡ଼ିଆଗୋଡ଼ି ଖେଳକୌତୁକ ଲଗାଇଛନ୍ତି-। ଗାଁ ଭିତରୁ କେତେ ପୁରୁଖା ଲୋକ ଆସି କେତେ କଥା ପଚାରି ବୁଝୁଛନ୍ତି । ବାହା ନିମନ୍ତରେ ସବୁରି ତ ଟିକିଏ ବୁଝାସୁଝା କରିବା କଥା । ତେବେ କାହିଁକି କେଜାଣି -ବରଜୁ ସବୁ ଦେଖୁଥାଏ, ଶୁଣୁଥାଏ, ବୁଝାସୁଝା କରୁଥାଏ ସିନା, କାହିଁରେ ତାର ମନଟା ପୂରାପୂରି ଲାଗେ ନାହିଁ । ହଁ, ଦିନ ଦି’ଟା ଗୋଟାକର ତ ଉଚ୍ଛବ ! ତା’ ପରେ ? ଯେଝା ଘରେ ସେ । କିଏ କାହାକୁ ପଚାରେ-? ପୁଣି ଆଜି ସକାଳେ ବାବୁମାନେ ତା’ ପାଖକୁ ଆସି କଥାଭାଷା ହେଇଗଲା ବେଳଠାରୁ ବରଜୁ ମନଟା ବେଶି ଗୋଳେଇ ଘାଣ୍ଟି ହେଉଥାଏ ।

 

ସତେ ସେ କଣ କରିବ, ଆଜିଯାକେ ତ କାହିଁ କିଛି ଠିକଣା ହେଲା ନାହିଁ । ମାଟି ତାଡ଼ି ପେଟ ପୂରାଇବା ତ ବଳଦ କରୁଛନ୍ତି । ବରଜୁ ମଣିଷ ହେଇ କଲା କଣ ! ଝିଅ, ପୁଅ, ନାତି, ନାତୁଣୀ କେଉଁ ଜନ୍ତୁ କରୁ ନାହାନ୍ତି କି ! ବାହା ପୁଆଣି ମେଳା ମଉଚ୍ଛ ବା କେତେ ଘଡ଼ିର ସୁଖ । କେତେ ଘଡ଼ିର ସୁଖ । କେତେ ସେ ଦେଖିଲାଣି, କଲାଣି । ଆଜି ସେମିତି ଗୌରା ବାହାଘରେ ସେ ଲାଗିଛି । ଏ ଉଚ୍ଛବରେ କେତୋଟି ଲୋକ ବା ଖୁସି ହେବେ ! ବନ୍ଧୁବାନ୍ଧବ, ଗଲା ଅଇଲା, ବାଜା ବଜନ୍ତିରି, ମାଗ ମାଗୁଣି । ତେବେ ଆଜି ଯାଏ ଏହିକ୍ଷଣି ଯେ କେତେ ଗାଁରେ କେତେ ଘରେ କାନ୍ଦ ବୋବା ପଡ଼ିଥିବ, ସେ କଥା ବିଚାରୁଛି କିଏ ? କେତେ ମା ପୁଅ ଝିଅଙ୍କୁ ହରାଇ, କେତେ ସ୍ତ୍ରୀ ସ୍ୱାମୀଙ୍କୁ ହରାଇ ଆଜି ହୁଏ ତ ମୁଣ୍ଡ କଚାଡ଼ିଥିବେ । କାହିଁକି କେଜାଣି ବରଜୁର ସୁଖବେଳେ ଏହି ଦୁଃଖ କଥାଗୁଡ଼ା ଯେ ମନେ ପଡ଼ିଯାଏ, ସେ ନିଜେ ତାହା ବୁଝିପାରେ ନାହିଁ । ନାଃ, କାହିଁରେ ମନ ପୂରାଇ ଖୁସି ହେବା ଯେମିତିକି ତା’ର କର୍ମରେ ଲେଖା ନାହିଁ ।

 

ଗୌରାର ଆଜି ମଙ୍ଗନ, କାଲି ବାହା । କାଲି କେତେ ଲୋକେ ରୋଷଣୀ କରି ବର ସାଙ୍ଗରେ ଚାଲିବେ । କନ୍ୟା ଘରେ ବି କେତେ ଉତ୍ସବ ଲାଗିଥିବ । ଏବେ ପୁଣି ବାହା ତିଥି ପଡ଼ିଛି ଯେ ଗାଁ ଗାଁ ଘର ଘର ଯୁଆଡ଼େ ଦେଖ ବାହାଘର ନଇଲେ ପୁଆଣିଘର । ପୁଷ ମାସ, ଧାନଗଣ୍ଡାକ ସମସ୍ତେ ଏହି ବାହା ପୁଆଣିରେ ସାରି ଦେଇ ତେଣିକି ଆକାଶକୁ ଚାହିଁବେ । ତେଣିକି ଦେଖ, କେଉଁଠୁ କାଢ଼ିଆ ମିଳିବ, ନଇଁଲେ ବିଦେଶରେ ଚାରି ପଇସା ଉପାୟ କରିବା । ଏହି ତ ସୁଖ ଉଚ୍ଛବ ବାହା ପୁଆଣି । ଏଥିପାଇଁ ଶହ ଶହ ଲୋକ ବାଜା ବଜେଇ ସବାରି ପାଲିଙ୍କି ଧରି ଚାଲିଛନ୍ତି । ତାହା ସାଥିରେ ଆଉ ଗୋଟାଏ ଛବି ବରଜୁର ଆଖି ଆଗରେ ଭାସିଗଲା । ଆଉ ଗୋଟାଏ ରୋଷଣୀରେ ଶହ ଶହ ହଜାର ହଜାର ମାଇପେ ମରଦ ପିଲା ବୁଢ଼ା ଚାଲିଛନ୍ତି । ସେ ରୋଷଣୀ ଉପରେ କେତେବେଳେ ଯୋତା, କେତେବେଳେ ବେତ, ଆଉ କେତେବେଳେ ଠେଙ୍ଗା ମାଡ଼, ଘୋଡ଼ାର ଟାପୁ, ହାତକଡ଼ି ଅଥବା ବନ୍ଧୁକ ! ବନ୍ଧୁକ ଗୁଳି ଧୂଆଁରେ ସେ ରୋଷଣୀ କେତେବେଳେ ଦେଖା ଯାଉ ନାହିଁ; କେଉଁଠି ତାହାକୁ ଚାରିପଟରେ ଇଟା ପାଚେରି ଭିତରେ ପଶି ବାହାରିବାର ସରୁ ଗଳି ମୁହଁରେ ଗୁଳି ଚୋଟ ଖାଇ ମାଟି କାମୁଡ଼ି ପଡ଼ିଯିବାକୁ ହେଉଛି; କେଉଁଠି ନଈ ପାରି ହେବାକୁ ଯାଇ ଡଙ୍ଗା ଉପରେ ଗୁଳି ବର୍ଷୁଚି; ଘରଦ୍ୱାର ଜଳି ପାଉଁଶ ହେଉଛି । କେତେ ପିଲା ମାଇପେ ଭେଣ୍ଡା ବୁଢ଼ା ଭୁଇଁରେ ଢଳି ପଡ଼ି ସବୁ ଦିନ ପାଇଁ ଆଖି ମୁଦି ଦେଉଛନ୍ତି, ପୁଣି ତାଙ୍କ ଥାନରେ କେତେ ଯାଇ ଛିଡ଼ା ହୋଇ ପଡ଼ି ସେ ରୋଷଣୀ ଚଳାଉଛନ୍ତି, କେହି ପଛକୁ ଚାହିଁବାକୁ ହୁକୁମ ନାହିଁ । ଦୁଃଖ କରିବାକୁ ତର ଅବା ଅଛି କାହାର ?

 

ହାଣ୍ଡି ମଙ୍ଗୁଳା ପାଇଁ ପଲ ପଲ ପିଲା ମାଇପେ ରଙ୍ଗଢଙ୍ଗିଆ ଲୁଗା ପିନ୍ଧ ଆଗରେ ତାଙ୍କର ଢୋଲ ଶଙ୍ଖମହୁରି ବାଜି ଦାଣ୍ଡ ମଝିରେ ଚାଲିଛନ୍ତି । ବରଜୁ ତାଙ୍କ ଭିତରେ ଏହି ରୋଷଣୀରେ ସପନ ଦେଖୁଚି । ସେହି ରୋଷଣୀ ଭିତରୁ କିଏ ଯେମିତି ତାକୁ ଡାକ ଛାଡ଼ୁଛି, ‘‘ତୋର ବାହା ରୋଷଣୀ ସେଠାରେ ନୁହେଁ ରେ, ଏହିଠାରେ ! ଚାଲିଆ ବରଜୁ, ଚାଲିଆ !’’

 

ହେଲା ବା ଦୋ’ଡ଼ି ବାହା - ଗୌରାର ନାହିଁ କଣ ଯେ ସେ ଭଲ କରି ଦି’ ମୁଠା ଭାଇଭାତ ଦବ ନାହିଁ । ବାରି ଗଡ଼ିଆରେ ବଡ଼ ଜାଲ ପକାଇ ବହୁତ ମାଛ ଧରା ହୋଇଥାଏ । ସାରୁ, ଆଳୁ, କଦଳୀ, ଦୁଧ ପାଇଁ ଆଗରୁ ବହିନା ଦିଆ ଯାଇଥିଲା । ପୁଣି ବନ୍ଧୁ ବାନ୍ଧବଙ୍କ ଘରୁ ଭାର ଭାର ହେଇ ସବୁ ଜିନିଷ ଜମା ହେଉଥାଏ । କେଉଁଠୁ କେତେ ଭାର ଆସିଲା, ଭାରୁଆମାନେ କଣ ଖାଇବେ, ବିଦାକୀ ପାଇବେ କେତେ, ସବୁ କଥା ତଦାରଖ କରିବାକୁ ଲୋକ ରହିଛନ୍ତି । ବନ୍ଧୁ ବାନ୍ଧବ ଯେତେ ଲୋଡ଼ା ହେଇଥିଲେ, ସମସ୍ତେ ଗୋଟିଏ ଗୋଟିଏ କାମ ଆଦରି ନେଇଛନ୍ତି, ଖିରି ପିଠାରେ ଘର ଦୁଆର ଭାସୁଛି ।

 

ମଙ୍ଗନ ସଭାରେ ଖାଇବାପାଇଁ ଭାଇ ବନ୍ଧୁ, ବାଜା ବଜନ୍ତରି, ଗଲା ଅଇଲା ବରାଦ । କିଏ ବସି ପାନ ଭାଙ୍ଗୁଚି ତ କିଏ କଦଳୀପତ୍ର ସଜାଡ଼ୁଛି । ପତର ପଡ଼ି ସାରି ଭାତ ତୁଣ ଲାଗି ଗଲାଣି । ବରଜୁକୁ ଖୋଜା ପଡ଼ିଚି, ସେ କାହିଁ ? ଆଉମାନେ କିଏ ଆସିବେ ବୋଲି ପାଞ୍ଚ ସାତ ଖଣ୍ଡ ପତର ବି ଖାଲି ପଡ଼ିଚି । ପଧାନପଡ଼ାରୁ ଯାହାଙ୍କୁ ଡକା ହେଇଥିଲା ସମସ୍ତେ ଆସି ତ ବସିଛନ୍ତି-। ଆଉ ତା’ ହେଲେ ଆସିବେ କିଏ, ବରଜୁ ଗଲା କୁଆଡ଼େ ? ସଭା ଗୋଟାକର ଲୋକେ ହାତ ଚାଳିବାକୁ ଚାହିଁ ରହିଛନ୍ତି । ବରଜୁ କଣ କାହାକୁ ଡାକିବାକୁ ବାହାରିଗଲା ? ଏ ତ ଆଉ କିଛି ନୁହଁ ଯେ କହି ପୁଛି ଟିକିଏ ମଟାଳି ନବା ! ଜାତିଆଣ ସଭା । ଟିକକ କଥାରେ ଜାତି ଭାଇ ବିଗିଡ଼ିଗଲେ ସବୁ ଭଣ୍ଡୁର ହୋଇଯିବ ! ବରଜୁ ଜାଣିବା ଶୁଣିବା ଲୋକଟା ହେଲା ଏ କଣ କଲା । ଲୋକେ ତାକୁ ଖୋଜି ଖୋଜି ଥକିଲେଣି ।

 

ଶେଷରେ ପଦିଆ ଯାଇ ଦେଖିଲା ହାଟମୁଣ୍ଡ ସୁତାକେନ୍ଦ୍ର ଘରେ ବସି କଂଗ୍ରେସିଆ ବାବୁମାନଙ୍କ ସାଥିରେ ସେ ଗପ ଯୋଡ଼ି ଦେଇଛି । କହିଲା, ‘‘ବା, ଆଚ୍ଛା ଲୋକ ତମେ ପଧାନେ । ତେଣେ ପଛେ ଘରବୁଡ଼ି ପାଣି ଆଣ୍ଠୁଏ, ଏଠି ବସି ତେମେ ଗପ ମାରୁଚ ।’’

 

ବରଜୁର ମନେ ପଡ଼ିଗଲା । ସତେ ତ ! ସେ ପରା ବାବୁମାନଙ୍କୁ ସଭାକୁ ଡାକି ଆସିଥିଲା । କଥାଲହସରେ ସବୁ ଏମିତି ପାସୋରି ପକେଇଛି ! ତାକୁ ଭାରି ଲାଜ ମାଡ଼ିଲା । ବାବୁମାନଙ୍କୁ କହିଲା, ‘‘ହଁ, ମୁଁ ଡାକି ଆସିଥିଲି, ଆମ ଗୌରାଙ୍ଗର ମଙ୍ଗନସଭାକୁ । ସେ କଥା କହିବାକୁ ସାହସ ହଉ ନ ଥାଏ । ଏଣେ ପୁଣି ଗପ ଆରମ୍ଭ ହେଇଗଲା ।’’

 

‘‘ଏଁ ! ଏତେବେଳଯାକେ ପୁଣି କହିନ । ଭାରି ବେପାରୁଆ ଲୋକ ତମେ ।’’ ପଦିଆମାମୁଁ ରାଗି ଯାଇଥାଏ ।

 

ନିଶାମଣି କହିଲେ, ‘‘ସେ କଥା ଜାଣିଥିଲେ ତ ଆମର ଆଜି ରୋଷେଇ ବନ୍ଦ ହେଇଥାନ୍ତା ।’’

 

‘‘ଆଉ ହବନି, ହବନି । ଏ ଗୋଟିଏ ଦରବୁଢ଼ା ହେଲେଣି । ୟାଙ୍କ ଅକଲ ଦେଖ, ବାବୁ; ତେଣେ ଶହେ ଲୋକ ଦି’ ଘଣ୍ଟା ହେଲା ହାତ ଚାଳିବାକୁ ଚାହିଁ ବସିଛନ୍ତି ।’’

 

ମଙ୍ଗନସଭାରେ ସମସ୍ତେ ମନୋବଧ କରି ମୁଠେ ଲେଖାଏଁ ଖାଇଲେ । ଆର ଦିନ ବାହା । ସେ ଦିନ ବି ଭାଇବନ୍ଧୁ କୁଟୁମ୍ବଙ୍କୁ ଡାକି ବରଜୁ ଆଉ ବକତେ ଲେଖାଁ ଦେଲା । ରୋଷଣୀ ପାଇଁ ଗୌରା ଫୁଲ ମେଢ଼, ବାଣ ବାଜା ଖୁବ୍‌ ଯୋଗାଡ଼ କରିଥାଏ। ବର, ବରଯରତ୍ରୀ, ପାଲିଙ୍କି, ଗଉଡ଼ ସମସ୍ତେ ସଜିଲ ହେଲେଣି । ଖାଲି ଯାହା ଅନୁକୂଳ କରିବାକୁ ବାକୀ ଅଛି । ତେବେ ଆଉ ବରଜୁକୁ ଖୋଜିଲା ବେଳକୁ ସେ ନାହିଁ ।

 

ବରଜୁ କେଉଁଠି, ନା ଯାଇ ସୂତାକେନ୍ଦ୍ରରେ ! ପଦିଆମାମୁଁ ତା’ ଉପରେ ଯେମିତି ଚିଡ଼ିଗଲା, ସେମିତି ଚିଡ଼ା ନିଜ ଜୀବନରେ ସେ ଖୁବ୍‌ କମ୍‌ ଚିଡ଼ିଥିବ । ‘‘ଏ କଣ, ଗୌରା ତମର ପର ବୋଲି ତା’ ବାହାଘର ପାଇଁ ଏଡ଼େ ଉବାସିଆ ହେଉଛ ସିନା !’’

 

ପଦିଆର କଥାଗୁଡ଼ା ବରଜୁ ହଠାତ୍ ବୁଝି ପାରିଲା ନାଇଁ । ତାକୁ ଜଳ ଜଳ ଚାହିଁ ପଚାରିଲା, ‘‘କାହିଁ, ମୁଁ କଣ କଲି କି ?’’

 

‘‘ନାହିଁ, ତମେ କରିବ କଣ । ତେଣେ ବର ଅନୁକୂଳ କରିବ ବୋଲି ଆଞ୍ଜୁଳାରେ ଗୁଆ ଚାଉଳ ଧରି ଚାହିଁ ବସିଥାଉ । ପୁଣି ଅନୁକୂଳ ଲଗନ ବଳି ଯାଉଚି । ଯାଃ, ବଡ଼ ନାକରା ଲୋକ ତମେ, ପଧାନେ ! ନିଜ ପୁଅ ଭାଇ ହେଇଥିଲେ ୟା ପୁଣି କରନ୍ତ କି !’’

 

ପଦିଆର ଶେଷ କଥାଗୁଡ଼ାକ ଚିଆଁ ପରି ବରଜୁ ଦିହରେ ଲାଗିଗଲା । ସେ ଉଠି ଆସି ପଦିଆର ଗୋଟାଏ ହାତକୁ ଧରିଲା । ନିଜର ଢେମା ଢେମା ଡୋଳା ଯୋଡ଼ାକୁ କଟମଟ କରି କହିଲା, ‘‘କଣ କହିଲ ପଦିଆମାମୁଁ ? ଗୌର ମୋର ପର ! ନିଗ ପୁଅ ଭାଇ ହୋଇଥିଲେ-’’ ବରଜୁ ଆଉ କହି ପାରିଲା ନାହିଁ । ତାହାର ଡ଼ୋଳା ଦି’ଟାରୁ ବରକୋଳି ପରି ବଡ଼ ବଡ଼ ଲୁହ ଟୋପା ଥପ ଥପ ହୋଇ ଗଡ଼ି ଆସିଲା ।

 

ସେ କଣ କହିଲା ଯେ, ତହିଁରେ ବରଜୁ ଆଖିରୁ ଲୁହ ଝରିବ । ପଦିଆ ଭାବି କିଛି ବୁଝିପାରୁ ନଥାଏ । ବରଜୁ ଲୋକଟା ଯେ କେବେ କାନ୍ଦି ପାରେ ଏକଥା ପଦିଆକୁ ଆଉ କିଏ କହିଥିଲେ ସେ ତ ଜମାରୁ ବିଶ୍ୱାସ ଯାଆନ୍ତା ନାହିଁ । ଏବେ ନିଜ ଆଗରୁ ତାକୁ ଏହିପରି ଦେଖି ପଦିଆ ଛାତିରେ କିମିତି ଗୋଟାଏ ଛନକା ପଶିଗଲା । ପୁଣି ବାବୁମାନେ ତରବରରେ ଉଠି ଆସି ଯେତେବେଳେ ପଚାରିଲେ, ‘‘କଣ ହେଲା କି ପଧାନେ ?’’ ସେତେବେଳକୁ ବରଜୁର ଅଷ୍ଟାଙ୍ଗ ଶରୀର ଥରୁଛି । ସେ ଖାଲି ଓଠ ଥରାଇ କହିଲା, ‘’ପଦିଆମାମୁଁ କହେ ଗୌରା ମୋର ପର !’’

 

ବାବୁମାନେ ବୁଝେଇ ସୁଝେଇ ଦେଲେ । ପଦିଆ ନିଜ ଦୋଷ ମାନିଲା । ‘‘ହଉ, ଘରକୁ ଚାଲ, ସବୁ ଦୋଷ ମୋର ।’’ ଘରକୁ ଆସୁଁ ଆସୁଁ ବାଟରେ ବରଜୁ ହଠାତ୍‌କାହିଁକି ପାଗଳେ ପରି ପଦିଆକୁ କୁଣ୍ଢେଇ ପକେଇଲା । ‘‘ନାଇଁ, ପଦିଆମାମୁଁ, ଦୋଷ ତମର ନୁହଁ, ମୋର ।’’

 

ପଦିଆ ମୁଣ୍ଡରେ ଏସବୁ କଥା ବୁଝିବାକୁ ବୁଦ୍ଧି ନ ଥାଏ । ଏଛୁଣି ତ ସବୁ ଦୋଷ ପଦିଆର ହେଉଥିଲା, ସାଙ୍ଗେ ସାଙ୍ଗେ ବରଜୁ ଦିହକୁ ଆସିଲା କିମିତି !

 

ତେଣେ ଅନୁକୂଳ ବେଳ ଗଡ଼ି ଯାଉଛି, ଏଣେ ବରଜୁର ହାତ ଯୋଡ଼ାକ ଜାପ ପଡ଼ି ଯାଇ ଫିଟୁ ନାହିଁ । ପଦିଆ ବିଚରା ବଡ଼ ଅକଳରେ ପଡ଼ିଗଲା ।

 

‘‘ମୋ ମନଟା ଏବେ କାହିଁକି ବଡ଼ ଚଞ୍ଚଳ ହେଇ ପଡ଼ିଚି । କେତେବେଳେ କଣ କରୁଚି ନିଜେ କିଛି ବୁଝିପାରୁ ନାଇଁ ।’’ ପଦେ ପଦେ ଭୁଲ ହେଇ ଯାଉଚି । ତମେ ତ ମୋର ତ ମୋର ଦୋଷ ଧରି ନାହିଁ; କହ ପଦିଆମାମୁଁ, ନ କହିଲେ ତ ମୁଁ ଛାଡ଼ିବି ନାହିଁ ।’’

 

ବରଜୁର କବଳରୁ ସହଳ ଉଧୁରିବା ପାଇଁ ସେ କହିଲା, ‘‘ନାହିଁ ପଧାନେ, ତମର କଣ ଦୋଷ ।’’ ବାଟ ମଝିରେ ଏମିତି ଯୋଡ଼ାଏ ଦରବୁଢ଼ା ମଣିଷଙ୍କୁ ଧରାଧରି ହେଇ ଛିଡ଼ା ହେଇଥିବାର କିଏ ଯେବେ ଦେଖିବ !

 

‘‘ନାହିଁ ତ ସବୁ, ମୋର ଦୋଷ ।’’ କହି ବରଜୁ ତାକୁ ଛାଡ଼ିଲା ନାହିଁ ।

 

ପଦିଆ ଦେଖିଲା, ହାଟତରଫରୁ ସେହିବାଟେ ତିନି ଚାରି ଜଣ ଲୋକ ଆସୁଛନ୍ତି । ବରଜୁ ପଦିଆକୁ ନ ଛାଡ଼ିବାର ଦେଖି ସେ ଆଖିବୁଜି ଦେଇ ପାଟି କଲା, ‘‘ହଁ ହଁ ତମର ତ ସବୁ ଦୋଷ’’ ! ଅନେକ ଦିନ ପରେ ପଦିଆମାମୁଁ ଠାରୁ ଏହି ଗପ ଶୁଣି ହସି ହସି ଲୋକଙ୍କର ପେଟ ପରାସ ହେଇ ଯାଇଛି ।

 

ଆଗରୁ ତ ବରଜୁ କେତେ ବାହାଘର ଦେଖିଛି । ଆଜି କାହିଁକି ମଶା କାମୁଡ଼ିଲା ପରି ତା’ ମନ ଭିତରେ କେତେ କଥା ଫୋଡ଼ି ପକାଇଲା । ସେ ଯେ ଗୌରାର ମଙ୍ଗନସଭା କଥା ଏକାବେଳେ ପାସାରି ପକେଇ ଆଶ୍ରମରେ ଆସି ବସିଥିଲା, ତା’ ନୁହେଁ । ଗୋଟାଏ ଘଟଣାର ତାହାର ନିଜ ଉପରେ ପୁଣି ଦୁନିଆ ଉପରେ ଏମିତି ଏକ ଘୃଣା ଆସିଗଲା ଯେ, ଆଶ୍ରମ ବାବୁମାନଙ୍କ ସାଥିରେ ଟିକିଏ କଥାଭାଷା ହେଇ ମନଟାକୁ ଉଶ୍ୱାସ କରିବ ବୋଲି ତା’ର ଉଛୁର ହୋଇଗଲା ।

 

ଘଟଣାଟା ଏମିତି କିଛି ବଡ଼ ନୁହେଁ । ସବୁ ଦିନ ଯାହା ସବୁରି ଆଖିରେ ପଡ଼େ । ଘରୁ ବାହାରି ଆସି ସେ ଦେଖିଲା ଗୋଟାଏ ମାଗନ୍ତାଣୀ ପାଟି କରି ଗାଁ କମ୍ପାଉଚି । ଭାଇ ବନ୍ଧୁ ଖାଇ ସାରିଲେ ସିନା କିଏ ମାଗମାଗୁଣିକି ଦିଏ ? ତେବେ ମାଇପିଟାକୁ ଯେତେ ଯେ ମନା କଲେ ସେ କାହାରି କଥା ନ ଶୁଣି ପାଟି କରୁଥାଏ, ‘‘ମୁ ଦି’ ଦିନ ହେଲା ଖାଇ ନାହିଁ, ମୋତେ ଗଣ୍ଡାଏ ଦିଅ ।’’

 

ବାହାଘର ଗୋଳମାଳ ଭିତରେ ବରଜୁ ମନଟା ଟିକିଏ ବିଗିଡ଼ି ଧରି ଯାଇଥାଏ । ଦାଣ୍ଡ ପାହାଚକୁ ଓହ୍ଲାଇ ଆସୁଁ ଆସୁଁ ଏହି ମାଇପିଟାକୁ ସେ ହାତରେ ଟିକିଏ ଆଡ଼େଇଦେଲା । ବରଜୁ ତାକୁ ଛୁଇଁଚି କି ନାହିଁ ମାଇପିଟା ତଳେ ପଡ଼ିଗଲା ଖଣ୍ଡେ ଶୁଖିଲା ଡାଙ୍ଗ ପରି ! ଅତି ଅଳ୍ପକେ ମାଇପିଟା ପଡ଼ିଯିବ ବୋଲି ସେ ଭାବି ନ ଥିଲା । ପୁଣି ରାଗ ମୁହଁରେ ତାର ହାତଟାକୁ ଉଠାଇ ଯେତେବେଳେ ସେ ଠିଆ କରେଇଲା, ଦେଖିଲା ସେ ତ ମଣିଷ ନୁହଁ, ମଣିଷର ଗୋଟାଏ ଛାଇ ! ରାଗ ଓ ଘୃଣାରେ ତାର ତାଳୁରୁ ତଳିପାଯାକେ ଥରୁଥାଏ । ପଚାରିଲା, ସତ କୁହ, ତୁ କାଲିଠୁଁ ଖାଇ ନାହୁଁ ? ମାଇପିଟା ସବୁ ଲାଜ ସରମ ଛାଡ଼ି ପିନ୍ଧୁଥିବା ଛିଣ୍ଡାକନା ତଳେ ପେଟରେ ହାତ ମାରି କହିଲା ‘‘ଦେଖୁନ, ମୁଁ ଯେବେ ମିଛ କହୁଥେବି ମୋ ଛାତି ଫାଟିଯିବ ।’’

 

ଯେଉଁ ଲୋକ ଦି’ଦିନ ହେଲା ଖାଇ ନାହିଁ ବୋଲି ନିଜ ମୁହଁରେ କହୁଚି, ଯାହାର ଚେହେରା ଦେଖି ମନେ ହୁଏ ନାହିଁ, ସେ ଜନ୍ମରୁ କେବେ ହେଲେ ଖାଇଛି, ବରଜୁ ତାରି କଥାରେ ପୁଣି ସନ୍ଦେହ କରି ପଚାରିଲା ! ତେବେ ଯେ କେହି କେହି ନ ଖାଇ ଦୁଇ ଚାରି ଦିନ ରହନ୍ତି ବୋଲି ଧନୀ ବଡ଼ ଲୋକେ ବିଶ୍ୱାସ କରି ପାରନ୍ତି ନାହିଁ ସେଥିରେ ତାଙ୍କର ଭୁଲ କେଉଁଠି !

 

ଖୁବ୍ ଆଡ଼ମ୍ଭରରେ ବାହାଘର ରୋଷଣୀ ଚାଲିଲା । ବାଜା ଦିହୁଡ଼ି ଫୁଲ ଫାନ୍‌ସ ଛଡ଼ା ଦୁଇ ଚାରିଟା ଗେସ୍‌ ଆଲୁଅ ବି ଯୋଗାଡ଼ ହୋଇଥାଏ । ବରବେଶ ପିନ୍ଧି କପାଳରେ ଚନ୍ଦନପାଟି ଲଗାଇ ଗୌରାକୁ ପାଲିଙ୍କିରେ ବସିଥିବାର ହରିପୁର ଗାଁର ଝିଅ ବୋହୂମାନେ ଆଭରି ଥରେ ଦେଖିଲେ । ପାଲିଙ୍କି ଆଗରେ ପଇସା କଉଡ଼ି ବିଞ୍ଚା ଚାଲିଥାଏ । ଢୋଲ ଚାଙ୍ଗୁର ଢୁ ଢୁ ଚଡ଼ଚଡ଼ ଭିତରେ ତେଲିଙ୍ଗି ବାଜାର ମହୁରି ସ୍ୱର ମହୁ ପରି କାନକୁ ମିଠା ଲାଗୁଥାଏ, ‘‘ତେଲିଙ୍ଗି ଚତୁରୀ ଚାହିଁଲା ନିଶି ନାଶେ ପାଶେ ନାହିଁ ଦିବ୍ୟ ତରୁଣ’’ । ତା’ ମଝିରୁ ଗୋଟାଏ ଲେଖାଁ ଫୁଲ ଝରି, ଚମ୍ପା, ଆକାଶମଲ୍ଲୀ ରୋଷଣୀଟାକୁ ଆହୁରି ଜମେଇ ଦେଉଥାଏ ।

 

ବରଜୁ ଏଇ ରୋଷଣୀ ପଛରେ ଚାଲିଛି ବରକର୍ତ୍ତା ହେଇ । ତେବେ ତା’ ଆଖିକି କିଛି ଭଏ ଦେଖାଯାଉ ନାହିଁ । ହଃ, ମାଇପିଟା ପଡ଼ିଗଲା ତ ହେଲା କଣ ? ନିତି ତ ଏମିତି କେତେ ଲୋକ ପଡ଼ୁଛନ୍ତି, ଉଠୁଛନ୍ତି । ଦୁନିଆଟା ସେଥିରେ ବା କଣ ଯାଏ ଆସେ ? ଏଇ କଥା ଭାବି ଭାବି ମୁହଁ ଶୁଖାଇ ପେଚା ଭାଳି ବସି ରହିଲେ ତ ଚଳିବ ନାହିଁ । କିଏ କାହା କଥା ଭାବେ, କିଏ କାହା କଥା ଶୁଣେ ! ଯେଝା କଥା ସେ ତ କରି ଚାଲି ଯାଉଚି । ବରଜୁର ଏତେ ଭାବନା ପଡ଼ିଛି କିଆଁ ?

 

ବାହାଘର ରୋଷଣୀ ସାଥିରେ ବରଜୁ ଚାଲିଛି । ତାହାର ମନେ ପଡ଼ିଲା, ବାପ ମା ଥିଲାବେଳେ ସେ ବଡ଼ ପୁଅ ବୋଲି ଗାଁରେ ମଡ଼ା କାଢ଼ିବାକୁ ଯାଏ ନାହିଁ । ବାପ ଶାମ ପଧାନ ନିଜେ ଦମ୍ଭ ଥିବା ଯାକେ ଯାଉଥିଲା । ତା’ରେ ଛକଡ଼ିର ପଡ଼ିଲା ପାଳି । ବାପ ମାଙ୍କ ଅନ୍ତେ ବରଜୁ କେତେଥର କୁଟୁମ୍ବ ଭିତରେ କେହି ମରିଗଲେ ମାଲ ଭାଇ ହୋଇ ଯାଇଛି । ଯାହା ଘରେ ମଡ଼ା ତା’ ଘରେ ସିନା କାନ୍ଦ ବୋବାଳି, ମାଲଭାଇଙ୍କ ମନରେ କାହିଁ ସେ ତ ଟିକିଏ ଦୁଃଖ ଦେଖି ନାହିଁ । ସେ ନିଜେ ବି ମଲା ମଣିଷର କଥା ଥରେ ଦି’ଥର ମନେ ପକାଇ ଦେଇ ତାହାପରେ କେମିତି କୋକେଇ ବନ୍ଧା ହେବ, ଯୁଈଗାତ ଖୋଳାଯିବ, ସେଇ କାମରେ ଲାଗିପଡ଼େ । ମଣିଷର ଦୁଃଖ ସୁଖ ତେବେ କଣ ଖାଲି ନିଜ ପାଇଁ, ଆଉ କାହାରି ପାଇଁ ନୁହେଁ ? ନା, ନା, କଦାପି ହୋଇ ନ ପାରେ। ଦୁନିଆର ନିୟମ ତାହା ତ ନୁହେଁ, ଏକା ମଣିଷ ବେଳକୁ ହେବ କାହିଁକି ? ଉପରେ ତ ସୂର୍ଯ୍ୟ, ଚନ୍ଦ୍ର, ଗ୍ରହ, ତାରା ସବୁରି ଗତି ଏକା ରକମର । ତଳେ ତ ଆଉ ଜୀବଜନ୍ତୁ କଥା ଛାଡ଼, ଜନ୍ଦା ପିମ୍ପୁଡ଼ିବି ହଜାର ହଜାର ଏକା ଗୋଠରେ, ଏକା ଧାଡ଼ିରେ, ଏକା ବାଟରେ ଚାଲିଛନ୍ତି । ମଣିଷବେଳକୁ ସେ ଏକୁଟିଆ କାହିଁକି ? ତା’ ନିଜ ଦୁଃଖ ସୁଖ ଏକା ତାର ଆପଣାର ହେବ କେମିତି ! ନା, ନା, ନା, ତେବେ ତ ମଣିଷ ଜଙ୍ଗଲ ଭିତରେ ରହନ୍ତା । ଗାଁ ବସ୍ତି ଉଣ୍ଡି ରହୁଚି କାହିଁକି ? ନା ବରଜୁ, ତୋତେ ହସିବାକୁ ହେଲେ ତୋ ସାଥିରେ ଆଉମାନେ ହସିବା ଲୋଡ଼ା, ପୁଣି ଆଉମାନେ କାନ୍ଦିଲେ ତୋ ଦିହ ନ ତରଳି ରହିବ କିପରି !

 

ରୋଷଣୀ ଭିତରେ ପଦିଆମାମୁଁ ମଝିରେ ମଝିରେ ମୁଠାଏ ଳେଖାଁ କଉଡ଼ି କି ଅଧଲା ପାହୁଲା ଫିଙ୍ଗିଦିଏ । ବାଜା ବନ୍ଦ କରି ସମସ୍ତେ ତାହା ଗୋଟାଇବାରେ ଲାଗନ୍ତି । ବରଜୁର ଭାବନା ସୁଅ ଟିକିଏ ଅଟିକିଯାଏ । ପୁଣି ବାଜା ଆରମ୍ଭ ହେଲେ ଚାଲେ । ଜଇନ୍ତାର ଗାଁ ମୁଣ୍ଡରେ ପହଞ୍ଚିଲା ବେଳକୁ ରୋଷଣୀ ଖୁବ୍‌ଘମାଘୋଟ ହେଇ ଉଠିଲା । ସେଇଠି ଲାଗିଲା ବେଶି ଫୁଲଝରି ଆକାଶମଲ୍ଲୀ । ସେତେବେଳକୁ ରାତି ଅଧ । ସାନ ପିଲା ଗୁଡ଼ା ବି ଶେଯରୁ ଉଠି ଆସି ଅଧାନିଦିଆ ହୋଇ ଆଖି ମଳି ମଳି ରୋଷଣୀ ଦେଖିଲେ । ଆଉ କେତେ ପିଲାଙ୍କୁ ତାଙ୍କ ମାବାପମାନେ ବି ଅତି ସ୍ନେହରେ ନିଦରୁ ଉଠାଇ ରୋଷଣୀ ଦେଖାଇଲେ ।

 

ବାଟବନ୍ଦାଣ ହେଲା, ଶିଳଲେଉଟା ହାତଗଣ୍ଠି ହେଲା କି ସଙ୍ଖୁଡ଼ି ସଭା ହେଲା, ବରପକ୍ଷ କନ୍ୟାପକ୍ଷ ଭିତରେ ଯେତେବେଳେ ବର ଟିକିଏ ଟଣାଟଣି ଆରମ୍ଭ ହୋଇଯାଏ ବରଜୁ ସେଠାକୁ ଯାଇ କଜିଆ ମେଣ୍ଟାଇଦିଏ । ଶିଳ ଲେଉଟା ବେଳକୁ ଦି’ ପକ୍ଷ ଭିତରେ ହାତ ଉଠା ଉଠା ହୋଇ କୁଆଡ଼େ ମାରପିଟ ହୋଇ ପଡ଼ିଥାନ୍ତା । ବର ଯେବେ ଶିଳ ଉପରେ ଗାଧୋଇ ସାରି ଶିଳାଟାକୁ ଲେଉଟାଇ ଦେବ ତେବେ ଯେ ତା’ର ସାତ ପୁରୁଷ କନ୍ୟା ସାତ ପୁରୁଷର ଉପରେ ରହିଯିବେ। କନ୍ୟାପକ୍ଷ ଏ କଥା କରେଇ ଦେବେ କାହିଁକି ! ଯାହାହେଉ ବରଜୁ ସେଠାରେ କଳିଟାକୁ ମେଣ୍ଟେଇ ଦେଲା । ସେ ମୂଳରୁ ଶିଳ ଲେଉଟାଇବାକୁ ଦେଲା ନାହିଁ ।

 

ବନ୍ଧୁ ବାନ୍ଧବଙ୍କ ଘରୁ ବୋଝିଆ ଭାରୁଆମାନେ ଯେ ଯମିତି ଜିନିଷ ଆଣିଥିଲେ ତାକୁ ଚାହିଁ ବିଦାକୀ ପାଇଲେ । କିଏ ବା ଦୂର ବାଟକୁ ଯିବେ ବୋଲି କିଛି ଜଳଖିଆ ସାମଗ୍ରୀ ଗାମୁଛାରେ ବାନ୍ଧି ଘରକୁ ଲେଉଟିଲେ । ଝିଅ ଝିଆଣିଆ ଆହୁରି ଦଶ ବାର ଦିନ ରହିଲେ ।

 

ସବୁରି ମୁହଁରୁ ଶୁଣାଗଲା ବୋହୂଟି ଉତ୍ତମ ସୁନ୍ଦର । ସାଇ ପଡ଼ିଶା, କୁଟୁମ୍ବଘର ମାଇପେ କିଏ ନଡ଼ିଆ କଡ଼ାଏ, କିଏ ବା ପଇସା ଅଣାଏ, ବୋହୂ ହାତରେ ଗୁଞ୍ଜି ତାହାର ଓଢ଼ଣା ଟେକି ମୁହଁ ଦେଖିଲେ । ହାରାବୋଉ ମାଗୁମାଗୁଣିଙ୍କୁ ଉଖୁଡ଼ା ଆରିସା ପିଠା ବାଣ୍ଟ ବାଠଉଁ କେତେବେଳେ ହାରା ପୁଅକୁ ଦୁଧ ପିଆଉଛି, ସୁନା ପଚାରିଲାଣି ପାନିଆଟା କେଉଁଠି ରହିଲା ବୋହୂର ମୁଣ୍ଡ ବନ୍ଧାହେବ; ଗୌରା ପଚାରିଲାଣି ନେତ୍ରମଣି ପାଇଁ କିମିତି ଶାଢ଼ୀ ଯିବ, କାହିଁରେ ତାକୁ ତର ନାହିଁ ।

 

ସାତମଙ୍ଗୁଳା ଯାକେ ଗୌରାଙ୍ଗ ଦେହରୁ ପାଞ୍ଚି ହଳଦୀ, ପାଦରୁ ଅଳତା, ଆଖିରୁ କଜଳ, ବାହାରୁ ଦୁବ ବରକୋଳି ପତ୍ର ଗଲା ନାହିଁ । ଏ ବୟସରେ ଏମିତି ବରବେଶ ସାଜିହେବାକୁ ତାକୁ ଖୁସି ଲାଗୁ ନ ଥାଏ । କେତେବେଳେ ଟିକିଏ ସେ ଗୁଁ ପୁଁ ହେଲେ ହାରାବୋଉ କୋବଲେଇ କହେ, ‘‘କାଲିକା ପିଲାଟା, ଲାଜ କଣ ମାଡ଼ୁଚି ମ ତୁମକୁ !’’ ତୁନିହେଇ ସେ ବାହାଘର ବିଧିତକ ପାଳିଲା । ପଲେ ମାଇପଙ୍କ ଭିତରେ କାହାକୁ ଅବା ସେ କଣ କହନ୍ତା ?

 

ତେବେ ଦାଣ୍ଡକୁ ବାହାରିଲେ ତାକୁ ବଡ଼ ଅଡ଼ୁଆ ଲାଗେ । ସାଙ୍ଗ ସାଥିମାନେ ଟାହି ଟାପରା କରନ୍ତି । ଏକୁଟିଆ ବେଳେ ମନେ ପଡ଼ିଯାଏ ତିନି ବର୍ଷ ତଳର କଥା । ଏହି ଘର ତିନି ବର୍ଷ ତଳେ ଗୋଯାଏ ରୁପ ଧରିଥିଲା, ଆଉ ଆଜି ଆଉ ଗୋଟାଏ ରୁପ ! ତାହାର ସାନ ଭାଇ ଚୌତନ୍ୟ ତେରବର୍ଷର ପୁଅ ମାଧବ - ପିଲା ମାଇପଙ୍କ ଗହଳରେ ଏହି ଘର ଏମିତି ଦିନେ କମ୍ପୁଥିଲା !

 

Unknown

ବର୍ଷକ ଆଗେ, ଦି’ ବର୍ଷ ଆଗେ ତିନି ବର୍ଷ ଆଗେ ସବୁକଥା ମନ ଭିତରେ ଯେମିତି ଚେଇଁଥିଲା, ଏଣିକି ସବୁ ଛାଇଛାଇଆ ହୋଇ ପଡ଼ିଲାଣି । ଆଗଠାରୁ ମନଟା କେତେ ଉଶ୍ୱାସ ଧରିଲାଣି । କେଜାଣି କିମିତି ମଣିଷ ଅଙ୍ଗେ ନିଭେଇବା କଥାଗୁଡ଼ା ବି ପାସୋରି ପକାଇ ପାରେ । ତାକୁ ଲାଗୁଥାଏ ଯେମିତି କି ସେ ରେଲଗାଡ଼ି ଭଳି ଧାଇଁଛି । କେତେ ଦୂରରୁ ଗଛଲତା ବିଲପାହାଡ଼ କ୍ଷଣକେ ପାଖକୁ ଆସି ଆର କ୍ଷଣରେ କେତେ ପଛରେ ପଡ଼ିଗଲାଣି ଯାହା ଚାଲିଗଲା ବେଳେ ଦିହରୁ ଖଣ୍ଡେ ଛିଡ଼ିଗଲା ପରି ଲାଗୁଥିଲା, ସେ ଆଜି ମନରୁ ସୁଦ୍ଧା ପାସୋରି ଯାଉଛି !

 

ଦାଣ୍ଡ ପିଣ୍ଡାରେ ବସି ଏମିତି କେତେ ଆଡ଼ୁ କେତେ କଥା ଧାନ ବିଲରେ ଭୋଦୁଆ ମାସର ଚଲା ବଉଦର ଛାତ ଭଳି ତା ମନ ଉପରେ ଉଠି ଉଭେଇ ଯାଉଥିଲା । କେତେ ମୁହଁ ଦେଖା ଦେଇ ନିଭି ଯାଉଥିଲା । କାହା ଡାକରେ ତାର ପୁଣି ଚେତା ପଶିଲା- ‘‘ପଧାନେ କଣ ଘରେ ନାହାନ୍ତି କି ?’’

 

ଗୌରା ଦେଖିଲା ଦାଣ୍ଡ ମଝିରେ ଜୟବାବୁ । ଡାକିଲା, ‘‘ଆସନ୍ତୁ ବାବୁ । ସେ କେଉଁଠି ଥିବେ ମୁଁ ଡାକି ଆଣୁଚି ।’’

 

ପିଣ୍ଡା ଉପରକୁ ଉଠି ଜୟକୃଷ୍ଣ ଟିକିଏ ମୁରୁକି ହସି ପଚାରିଲେ, ‘‘କଣ ଏବେ, ବାହାଘର ତ ସରିଗଲା ?’’

 

‘‘କି ବାହାଘର ଆଜ୍ଞା, ଚିରା ଲୁଗାରେ ତାଳି ପକାଇବା କଥା । ପୋଡ଼ିଗଲା ତୁଣରେ ସୁଆଦ ଖୋଜିଲେ ଆଉ ଦେଲା କିଏ । ଖାଲି ଭାଇ ଭାଉଜଙ୍କ ଜିଗରକୁ କଲି ସିନା ।’’

 

‘‘ଆରେ ଗୌରା ମାଠିଆ କଣ ସବୁ ଭାଙ୍ଗି ଯାଇଛି ? ଦି’ ଟା ନୂଆ ମାଠିଆ କାଢ଼ିବେ । ପାଣି ଆସିଲେ ରନ୍ଧା ହବ ।’’ ଘର ଭିତରୁ ବାହାରି ପଡ଼ି ବରଜୁର ନଜର ପଡ଼ିଲା ଜୟବାବୁଙ୍କ ଉପରେ ‘‘ଆପଣ କେତେବେଳେ ?’’

 

‘‘ଏଇ ତ ଆସୁଛି । ତମ ସାଙ୍ଗରେ କେତେ ଦିନୁଁ ଦେଖା ଦର୍ଶନ ନାହିଁ । ବାହାଘର ଧନ୍ଦାରେ ତ ଖାଲି ଲାଗି ରହିଚ ।’’

 

‘‘ନାହିଁ, ବାହାଘର ଧନ୍ଦା କଣ ? ତେବେ କେତେଗୁଡ଼ାଏ କଥା ନ ଦେଖିଲେ ତ ନ ଚଳେ । ବନ୍ଧୁ ବାନ୍ଧବ କିଏ କେତେବେଳେ ବିଦା ହେବେ, କାହାକୁ କଣ ଦିଆଯିବ । ସେଥିରେ ପୁଣି ତୁଚ୍ଛାକୁ କେତେ ମାନ ଅଭିମାନ । ତେବେ କଣ କି ଗାଈକି ମାଇଲେ ମଲି, ଗାଈ ମାଇଲେ ମଲି, ଏମିତି ଅବସ୍ଥା । ଜଞ୍ଜାଳ ନ ଥାଇ ମନବେସ୍ତ, ଥାଇଁ ତ ଜାଣିକରି । ହଉ, ଆଉ, ଆଉ ଖବର କଣ କହନ୍ତୁ, ବାବୁ ।’’

 

‘‘ଖବର ତ ଭାରି ଗୁରୁତର ପଧାନେ । ଗାନ୍ଧିଜୀ ଏଥର ଗୋଟାଏ ବଡ଼ ଅନଶନ କରୁଛନ୍ତି ।’’ ଜୟକୃଷ୍ଣଙ୍କ ମୁହଁ ବଡ଼ ଗମ୍ଭୀର ।

 

ଯେଉଁ ସମୟରେ ଜୟକୃଷ୍ଣ ବରଜୁକୁ ଖବରଟା ଦେଲେ ସେତେବେଳେ ଗାନ୍ଧିଜୀଙ୍କ ଅନଶନ ବୋଇଲେ ଦେଶ ଗୋଟାକର ରାଜନୀତି ଚମକି ଉଠୁଥିଲା । ମନେ ହେଉଥିଲା ଗାନ୍ଧିଜୀଙ୍କ ଉପସିଆ ଖାଲି ପେଟରେ ଦେଶର ରାଜନୀତି ମଥାଟା ଲୁଚିଗଲା ପରା । ସତେ କି ଭାରତର ଲକ୍ଷ ଲକ୍ଷ ଲୋକ ଉପାସ କରୁଛନ୍ତି । କେତେଜଣ ଉତ୍କଟ ଗାନ୍ଧୀବାଦୀ ମଧ୍ୟ ତାଙ୍କ ମନା ନ ମାନି ସହାନୁଭୂତିରେ ଉପାସ କରି ବସିଲେ । ଆଉ କୁଆଡ଼େ ଖବର ଯାହା ହେଉ - ନାଥବାବୁଙ୍କ ଭଳି ଭୋଳ ଭୋଜନୀ ମଣିଷ କୁଆଡ଼େ ତିନିଦିନ କାଳ ଖାଡ଼ା ଉପାସ ରହି କାଲି ଉପରଓଳି ବନ୍ଧୁମାନଙ୍କ କଥାରେ ଭାଙ୍ଗିଛନ୍ତି !

 

ବରଜୁ ଘର ଭିତରେ ହାରାବୋଉ ଉପରେ ଜିଦ ଧରି ଏଭଳି ରୂଷା ଉପାସ କେତେ ଥର କରିଚି । ସେଥିରେ ଯେ କିଛି ଫଳ ହେଇଚି ନ ହେଇଚି ତା ନୁହଁ । ତେବେ ହାରାବୋଉକୁ ଉପାସ ଧମକ ଦେଖାଇ ସେ ଯାହାକରି ପାରିଥିଲା, ହରିମିଶ୍ରଙ୍କୁ ସେମିତି ଧମକରେ ଯେ ବଦଳେଇ ପାରନ୍ତା ଏଥିପାଇଁ ତାର ସନ୍ଦେହ ହୁଏ । ପୁଣି ଯେଉଁ ସବୁ ଗାଁ ଗଣ୍ଡାରେ ସେ ଚଳବିଚଳ ହୁଏ ସେଠାରେ ନିତି ତା’ ଆଗରେ ଭୋକ ଉପାସରେ କେତେ ଘଟଣା ଆସି ପହଞ୍ଚେ । ତା’ର ଅନୁମାନ ହୁଏ, ଗାନ୍ଧିଜୀଙ୍କ ଭଳି କୋଟିଏ ଖାଇବାକୁ ପାଉଥିବ ଲୋକ ବର୍ଷରୁ ଛ’ମାସ ଉପାସ କଲେ ବି ତହିଁତ ବଳକା ଆହାରରେ ଦେଶର ଭୋକିଲା ପେଟ ତ ପୂରିବ ନାହିଁ ।

 

ସେ ଯେ ନିଜେ ମେହେନତ କରି ପେଟ ପୋଷେ, ହେଲେ ତା’ ପିଲାଙ୍କ ଲାଗି ଦୁଧ ଟିକିଏ ଯୋଗେଇ ପାରୁ ନାହିଁ, ବରଜୁ ତାହା ଦଣ୍ଡକ ପାଇଁ ପାସୋରି ପକାଏ । ଗାନ୍ଧିଜୀ ଦୁଃଖୀ ଗରୀବଙ୍କ ପାଇଁ ଏତେ ଭାବୁଛନ୍ତି । ଭକ୍ତିରେ ତା’ମନ ପୁରି ଉଠେ । ଛାତି କୁଣ୍ଢେ ମୋଟ ହୋଇଯାଏ-। ଘରକଳି ନେଇ ତ ଲୋକେ ମାତିଛନ୍ତି, କୋଟି କୋଟି ଲୋକଙ୍କ ପକ୍ଷ ଧରି କଜିଆ କରିବାକୁ କେତେ କଣ ତିଆର ?

 

ଅନଶନ ଖବରଟା ବରଜୁ ତୁନୀ ହୋଇ ଜୟବାବୁଙ୍କଠାରୁ ଭଲ କରି ଶୁଣିଲା । ମଫସଲ୍‌ ଗାଁରେ ପରତି ଦିନ ଖବର ମିଳୁଚି କୁଆଡ଼ୁ ? ତେବେ ଆଠ ଦିନ ଅନ୍ତର ଯାହା ଖବର ମିଳେ, ଲୋକମୁହଁରେ ତାହା କେତେ ରୂପ ଧରି ଏଗାଁରୁ ସେ ଗାଁକୁ ବ୍ୟାପିଯାଏ । ଗାଁ ଭିତରୁ ବି କେତେ ନୂଆ ନୂଆ ଖବର ବାହାରେ । ସେଥର ଘଟଣାଟା ଦେଖି ବରଜୁ ତ ଏକେବେଳେ ତାଟକା ହୋଇଗଲା । ତିନି ଦିନ ହେଲା କୁଆଡ଼େ ଗୌରାଙ୍ଗର ବାରି ଗାଡ଼ିଆ ମଝିରୁ ପାଣି ଭୁରି ଉଠିଲା । ସେଥିରେ କିଏ ଚାରିଆଡ଼େ ହଲା କରି ଦେଲା, ପୋଖରୀ ଭିତରେ ଗାନ୍ଧିଠାକୁର ବିଜେ ହେଲେଣି ! ଚାହୁଁ ଚାହୁଁ କେତେ ସଂକୀର୍ତ୍ତନ ଦଳ ଆସି ପୋଖରୀ ହୁଡ଼ାରେ ଜମା ହୋଇଗଲେ । ଝାଞ୍ଜ ମୃଦଙ୍ଗରେ ଗାଁ ଗୋଟାକ ଉଚ୍ଛୁଳି ପଡ଼ିଲା । ଗୁଡ଼ିଆମାନେ ଅମୁଣିଆ ଭୋଗ ଦୋକାନ ଆଣି ପସରା ଫିଟାଇଦେଲେ ।

 

ବରଜୁ ସେତେବେଳେ ସବୁ ଦେଖି ତୁନି ରହିଲା । କେଜାଣି ଅବା ତାହା ଭିତରେ କିଛି ଥିବ । ନ ହେଲେ ଏତେ ଲୋକ ଜମା ହୁଏନ୍ତେ କାହିଁକି ! ପୁଣି ନାଥବାବୁ ନିଜେ ରହି ମଧ୍ୟ ଲୋକଙ୍କୁ ତ ଏଥିରେ ମତଉଥାନ୍ତି । ବରଜୁ କଣ ତାଙ୍କଠାରୁ ବେଶି ଜାଣିବାର ?

 

ଏଥର ମହାତ୍ମାଙ୍କୁ ଉପବାସ ଖବର ବାହାରିବା ସଙ୍ଗେ ସଙ୍ଗେ ଆଉ ବି କେତେ ଲୋକ ଉପବାସ କଲେ । ନାଥବାବୁ ତିନି ଦିନ ତିନି ରାତି ଉପାସ ରହିଲେ । ଜଣେ ତାଙ୍କର ଅନ୍ତରଙ୍ଗ ବନ୍ଧୁ ନିଶାମଣି ବାବୁ ନାଥବାବୁଙ୍କ ଉପାସକୁ ଖୁବ୍‌ ତାରିଫ୍‌ କରି ସେ ଦିନ ବରଜୁକୁ କହିଲେ, ‘‘ନାଥବାବୁଙ୍କୁ କମ୍‌ବୋଲି ବିଚାର ନାହିଁ, ପଧାନେ । ହରିପୁର ପାଟଣାର ତିନିହଜାର ଲୋକଙ୍କ ଭିତରେ ସେ ଜଣେ ମଣିଷ ।’’ ତାହାପରେ ମହାତ୍ମା ଶବ୍ଦ ସଙ୍ଗେ ଗୋଟିଏ ଜୀ ଶବ୍ଦ ଲଗାଇ ସେ କହିଲେ ‘‘ମହାତ୍ମାଜୀଙ୍କ କଥା ଛାଡ଼ । ଆମେ ତ ଗୋଟିଏ ଦିନ ଉପାସ କଲେ କି ଏକାଦଶୀ କଲେ ହାଲିଆ ହୋଇ ପଡ଼ୁଥାଇଁ । ଦିନେ ନୁହେଁ, ଦି’ଦିନ ନୁହେ, ଲାଗେ ଲାଗେ ତିନି ଦିନ ! ରାତି ବାରଟା ବେଳକୁ ଖାଲି ସିନା ଟିକିଏ ମିଶ୍ରିପଣା ଯାହା ପିଉଥିଲେ !’’

 

ବରଜୁ ବିଚରା ଏ ପର୍ଯ୍ୟନ୍ତ ବୁଝିପାରି ନ ଥିଲା ଯେ ଉପାସ କଲେ ରାତି ବାରଟାବେଳ ମିଶ୍ରିପରା ଟିକିଏ ପିଇବା ଦରକାର । ସେ ବୋକାଙ୍କ ଭଳି ପଚାରିଲା, ‘‘ଖାଡ଼ା ଉପାସରେ କଣ ମିଶ୍ରିପଣା ପିଅନ୍ତି ? ଆମର ଜାଗର କି ଶ୍ରୀ ପଞ୍ଚମୀ ଉପାସରେ ବକତଟାଏ ଭଲ ଖିଆପିଆ ହୁଏ । ଏହା କଣ ତେବେ ତାହାଠାରୁ ଟିକିଏ ଉଚ୍ଚ ପାହିଆର ଉପାସ ?’’

 

ଅର୍ଜ୍ଜୁନବାବୁଙ୍କୁ ଦିନେ ଏକୁଟିଆ ପାଇ ସେ ପଚାରିଲା, ‘‘ଗାନ୍ଧିଜୀ କଣ ଉପାସ ବେଳେ ଭୋଜନ କରନ୍ତି ?’’

 

‘‘କିମିତି ବୋକାଙ୍କ ଭଳି ପଚାରି କିହେ ପଧାନେ !’’ ଅର୍ଜ୍ଜୁନବାବୁ ଉତ୍ତର କଲେ, ‘‘ରାଜନୀତିକ ଉପାସ ଆଉ ଧର୍ମ୍ମଉପାସ ଭିତରେ ବହୁତ ଫରକ । ଧର୍ମ ଉପାସ ବର୍ଷ ଭିତରେ ଧରାବନ୍ଧା ଗୋଟାଏ ଦିନରେ ବା ସମୟରେ କରା ହୁଏ । ଆମର ଏକାଦଶୀ କି ମୁସଲମାନମାନଙ୍କର ରମଜାନ ଭଳି ରାଜନୀତିକି ଉପାସ କରଯାଏ ନାହିଁ । କରାଯାଏ ରାଜନୀତିର ଠିକ୍‌ ବେଳକାଳ ଉଣ୍ଡି କାମ ହାସଲ ସକାଶେ । ସେ ସବୁ ଉପାସର ସେଥିପାଇଁ ଗୋଟାଏ ଟେକ୍‌ନିକ୍‌ ଅଛି ।’’ ବରଜୁ ଟେକ୍‌ନିକ୍ ଶବ୍ଦଟା କେଉଁ ଭାଷାରୁ ଆସିଛି ମୋଟେ ଧରି ପାରିଲା ନାହିଁ । ଅର୍ଜ୍ଜୁନ କହିଲେ, ‘‘ଖବର କାଗଜ ପଢ଼, ଜାଣିବ; ଗାନ୍ଧିଜୀ ଉପାସ କଲେ କେତେବେଳେ କମଳା ଲେମ୍ବୁ କି ଅନ୍ୟ ପ୍ରକାର ରସ ଖାନ୍ତି ! ବଡ଼ ବଡ଼ ଡ଼ାକ୍ତରମାନେ ସବୁବେଳେ ପାଖରେ ଜଗି ରହନ୍ତି । ତାଙ୍କ ସାଙ୍ଗେ ଆମେ ଯେବେ ଉପାସ କରୁଁ, ଓଧ ସାଥିରେ ବଣଭୁଆ ବାଇ ହେଲାଭଳି ହେବ ସିନା ! ସେଥିପାଇଁ ସେ ମନା କରନ୍ତି, ଆଉ କାହାକୁ ସହାନୁଭୁତି ଉପାସ କରିବା ପାଇଁ । ଆମ ନାଥବାବୁ ସିନା କଲେ- ।’’ ବରଜୁ ତାଙ୍କ କଥା ଉପହାସ କଲାଭଳି ଲାଗେ । ପୁଣି ନାଥବାବୁଙ୍କୁ କାହିଁକି କେଜାଣି ସେ ବେଳେ ବେଳେ ସହି ପାରନ୍ତି ନାହିଁ । ଅର୍ଜ୍ଜୁନବାବୁ ସହରିଆ ଲୋକ ପରା !

 

ଗାନ୍ଧିଜୀଙ୍କ ଉପାସରେ ସତେ ଗୋଟିଏ ଖାଲି ରାଜନୀତି ପେଞ୍ଚ ଥିଲାପରି ବରଜୁକୁ ଲାଗେ ନାହିଁ । ପୁଣି, ତାଙ୍କ ଦେଖାଦେଖି ଆଉ ଯେତେ ଯେ ଉପାସ କଲେ ତାହା କଦାପି ଦେଖେଇବା ପାଇଁ ନୁହେଁ । ଦେଖେଇବା ପାଇଁ କର ଏଡ଼େ ବଡ଼ ଦେଶଟାର ସବୁ ଗାଁ ଗଣ୍ଡା ଅନ୍ଧିସନ୍ଧିରେ ଏମିତି ଚହଳ ପଡ଼ିଯାନ୍ତା ? ଦେଖେଇବା ପାଇଁ କଣ ଘଣ୍ଟାରେ ଚାବି ମୋଡ଼ିଲା ପରି ଜଣକ କଥାରେ ଦେଶ ଗୋଟାକର ପ୍ରାଣ ଏକା ଥରକେ ଗତି କରନ୍ତା ! ଜଣେ ଠାରିଦେଲେ ହଜାର ହଜାର ଲୋକ ନିଆଁକୁ ଡେଇଁ ପଡ଼ନ୍ତେ ଜୀବନଟାକୁ ମୂର୍ଚ୍ଛି ଦେଇ ! ଜଣକର ନାଡ଼ି ସଙ୍ଗେ ଲକ୍ଷ ଲକ୍ଷ ନାଡ଼ି ବନ୍ଧା ହେଲା ଭଳି ପଡ଼ନ୍ତା ଉଠନ୍ତା ? ଜଣକ ସଙ୍ଗରେ ଲକ୍ଷ ଲକ୍ଷ ଲୋକ କାନ୍ଦିବେ ହସିବେ, ଖାଲି କଣ ଦେଖେଇ ହେବା ପାଇଁ ! ଦେଖେଇବା ପାଇଁ ହେଲେ କି ପୃଥିବୀଯାକରେ ସବୁଠିଁ ବଡ଼ ରାଜଶକ୍ତି ଦୋହଲି ପଡ଼ନ୍ତା ! ତେବେ ସେ ଦେଖାଣିରେ ବି ଆମର ତ ମୁନାଫା ଅଛି ! ବରଜୁର ବେଶି ପଢ଼ା ଶୁଣା ନ ଥିଲେ ମଧ୍ୟ ପାଞ୍ଚ ଦଶ ପୁରୁଷ ଭିତରେ ଆଉ ଜଣେ ଇମିତି ପୁଅ ତ ଏ ଦେଶରେ ଜନ୍ମିଥିବାର ସେ କାହାରି ମୁହଁରୁ ଶୁଣି ନାହିଁ । ଗାନ୍ଧିଙ୍କୁ ସେ ଦେଖେ ଚୈତନ୍ୟ କି ନାନକ ଭଳି ଜଣେ ମହାପୁରୁଷ ଯେ ନିଜ ଗୁଣରେ ହଜାର ହଜାର, ଲକ୍ଷ ଲକ୍ଷ ଲୋକଙ୍କ ହୃଦୟକୁ ଟାଣି ନିଅନ୍ତି। ସେ ଠିକ୍‌ କଲେ କି ଭୁଲ କଲେ- ତାଙ୍କରି କଥା ପଦକ ମାନି ତୁଳା ଭିଣା କାମଠାରୁ ଜେଲ୍‌ରେ ପଶିବା ଯାକେ ଏତେ ଲୋକ ଯେ ବାହାରି ପଡ଼ିଲେ, ଏହା କଣ କମ୍‌ କଥା ! ପୁଣି ଭାରତର ବେଶି ଲୋକ ଯେ ଆପଣାକୁ ପହିଲେ ପରାଧୀନ ବୋଲି ବୁଝିଲେ, ଏହାର କଣ ଦାମ୍‌ ନାହିଁ ?

 

ଗୁରୁବାର ଶୁକ୍ଳ ଦଶମୀ । ହାରାବୋଉର ସୁଦଶା ବ୍ରତ । ମୁଣ୍ଡ ଧୋଇ ଗାଧୋଇ ସେ ଖଣ୍ଡେ କୁମ୍ଭପକା ତିଗିରିଆ ମଠା ପନ୍ଧିଚି । ରାତି କଣେ ନ ପାହାଣୁ ଉଠି ଭଗବତ ଘର ଲିପା ପୋଛା କରିଥିଲା । ଗାଧୋଇ ସାରି ଘିଅଦୀପ, ଫୁଲ ଚନ୍ଦନ ସଜାଡ଼ି ରଖିଲା ।

 

ବାସୁଦେବ ପୁରୋହିତ ପୋଥି ଫିଟାଇ ଦି’କାନରେ ପ୍ରଚକ୍ଷୁର ଯୋଡ଼ାଏ ସୂତା ଗୁଡ଼ାଇଲେ । ଅକ୍ଷର କଳା କରିବାକୁ ପୋଥିରେ ମେଞ୍ଚାଏ କଲରାପତ୍ର ଘସି ପଢ଼ି ବସିଲେ, ‘‘ଶୁଣ ହୋ ପ୍ରାଣୀମାନେ, କେଉଁଣସି ଦିନରେ ସୁଦଶାବ୍ରତ ପଡ଼ିଲା । ଧର୍ମାଗତ ରାଜାର କଟକରେ ତାହାର ପଦ୍ମାବତୀ ରାଣୀ । ତାହାର ଗଦାଧର ବୋଲି ମନ୍ତ୍ରୀ । ଏ ମନ୍ତ୍ରୀ ଭାରିଯା ନାମ ପାର୍ବତୀ । ରାଜା ଭାରିଜା ମନ୍ତ୍ରୀ ଭାରିଯା ଏ ଦୁଇଜଣଙ୍କ ଆଗେ ଆସି ପାଟ ଜଉତିଷ କହିଲା । ଶୁକ୍ଳପକ୍ଷ ଦଶମୀ ଗୁରୁବାର । ଏମନ୍ତ ପଡ଼ିଲା ମହାଲକ୍ଷ୍ମୀଙ୍କ ବ୍ରତବାର ।’’

 

ସାଇପଡ଼ିଶାରୁ ଦଶ ବାର ଜଣ ଅହିଅ ଓଷେଇତୀ କାନ ପାରି ଶୁଣୁଥାନ୍ତି । ମଝିରେ ମଝିରେ କାହାର ହାତ ଖଡ଼ୁ କି ଗୋଡ଼ ଖୁଡ଼ୁ ଟିକିଏ ଝଣ ଝଣ ହୁଏ । କାହା ପିଲା ଅବା ରଡ଼ି ଛାଡ଼େ-। ଗୋସେଇଁ ସିଆଡ଼କୁ ନ ଚାହିଁ ଖାଲି ଘିଅ ଦୀପଟାକୁ ଥରେ ଅଧେ ତେଜିଦେଇ ପଢ଼ୁଥାନ୍ତି, ‘‘ଜୀବନ୍ତେ ବିପୁଳ ଭୋଗ, ପରଲୋକ ଲକ୍ଷ୍ମୀଆଳେ ସ୍ଥିତି । ଏ କଥା ଶୁଣି ପଦ୍ମାବତୀ ରାଣୀ, ମନ୍ତ୍ରୀ ଭାରିଯା ପର୍ବତୀ, ଏ ଦୁଇଲୋକ ମହାଲକ୍ଷ୍ମୀଙ୍କ ବ୍ରତ କରିବେ ବୋଲି ସଂକଳ୍ପ କଲେ ।’’

 

କଥା ମଝିରେ ରହି ରହି ଦଶ ବାର ମାଇପେ ଏକାସ୍ୱରରେ ହୁଳହୁଳି ଛାଡ଼ି ଗାଁ କମ୍ପେଇ ଦିଅନ୍ତି । ଥରେ ହୁଳହୁଳି ଉପରକୁ ଉଠି ଆସ୍ତେ ବନ୍ଦ ହେଲା ବେଳକୁ ଦାମ ତା’ ବୋଉ ଉପରେ ଛିଡ଼ା ହେଲା । ସମସ୍ତେ ଠାକୁର ଓ ପୁରୋହିତଙ୍କ ଆଡ଼କୁ ମୁହଁ କରି କଥା ଶୁଣୁଛନ୍ତି । ତା’ ଆଡ଼ିକି କାହାର ନଜର ନାହିଁ, ଏକା ଜଣକୁ ଛାଡ଼ି । ସେ ରାଘବ ଚିନରା ଝିଅ ଦୁଲାଳୀ । ଦୁଲା ବୋଲି ତାକୁ ସବୁ ଡାକନ୍ତି । ଆଠ ଦଶ ବର୍ଷର ପିଲା ଝିଅଟା । ହାତରେ ଦି’ବାହି ବାର ଭରିର ରୂପା ଚୂଡ଼ି, ତା ତଳକୁ ପଇଁଚ ଖଡ଼ୁ, ବଟଫଳ, ପୁଣି ବାହାରେ ତାଡ଼ । ନାକ, କାନ, ଗୋଡ଼, ଆଙ୍ଗୁଠି ଅଳଙ୍କାରରେ ଆଉ ରାହା ନାହିଁ । ଦାମ ତାକୁ ଇସ୍କୁଲରେ ‘ନୂଆବୋହୂ’ କହି ଚିଡ଼ାଏ ବୋଲି ଦୁଲାର ତା’ ଉପରେ ଭାରି ରାଗ । ସେ ଦାମକୁ ଚାହିଁ ଖତେଇ ହେଲା ।

 

କଥା ଟିକିଏ ଥମିଲାରୁ ଦାମ କହିଲା, ‘‘ବୋଉ, ଅପା ଘରୁ କିଏ ଜଣେ ଆସିଚି ।’’

 

‘‘ହଉ ରହ, ପୂଜା ସରୁ’’ କହି ହାରାବୋଉ ହାରାଘର କଥା ପଛକୁ ରଖି ଆଗ ବ୍ରତ କଥା ଶୁଣିଲା ।

 

ସମୁଦିଘରୁ ଆସିଥିବା ଲୋକଜଣକ ବାତାନି ଦେଲା, ହାରାର ଭାରି ଦିହ ଦୁଖ । ବସିଲାଠାରୁ ଉଠି ଆସିବାକୁ କହିଚନ୍ତି ।

 

ବରଜୁ ସେତେବେଳେ ଗାଁ ଭିତରୁ ଘର ଘର କରି ହାତକଟା ସୂତା ଅସୁଲ କରୁଥାଏ । ନିଶାକର ସାହୁଙ୍କ ପିଣ୍ଡାରେ ସେ ଆଉ ଜୟକୃଷ୍ଣ ବସିଚନ୍ତି । ବରଜୁ କରୁଚି ସୂତା ଓଜନ, ଜୟକୃଷ୍ଣ କରୁଚନ୍ତି ଗପ । ପାଖରେ ନିଶାକର ସାହୁ, ମଦନ ଖୁଣ୍ଟିଆ, ମାଧ ମହାରଣା ଖଣ୍ଡେ ଗାମୁଛା କାନି ପାରିଦେଇ ତାହା ଉପରେ ଦଶ ବାର ଖିଲ ପାନ ଭାଙ୍ଗି ବସିଛନ୍ତି ।

 

ବରଜୁକୁ ଏବେ ଗୋଟାଏ ଶକ୍ତ କାମ ମିଳି ଯାଇଛି । ହରିପୁର ଗାଁଟାର ତିନି ହଜାର ଘର ଭିତରେ ଶହ ଶହ ଅରଟ ରାତିଦିନ ଘର୍‌ଘର୍‌ଶବ୍ଦ କରି ଚାଲେ । ଚାରି ପଇସିକିଆ ଅରଟ ଗୀତ ବହିବାଲା ରାଜୀବ ଲେଙ୍କା ସାହି ସାହି ବୁଲି ବିକେ । ତା’ ସାଥିରେ ତାରାଦେଈ କାନ୍ଦ, ଶାଶୁବୋହୂ କଳି, ଦିଅରଭାଉଜ ରହସ୍ୟ, ବାଟ ଓଷା, ଭ୍ରମରବର ପାଲା, ବତ୍ରିଶ ସିଂହାସନ, ବିଲଙ୍କା ରାମାୟଣ, ପ୍ରେମସୁଧାନିଧି କି ନୃସିଂହ ପୁରାଣରୁ ବି ଖଣ୍ଡକେତେ ତାର ବିକ୍ରି ହୋଇଯାଏ । ପିଠିରେ ବହି ବୋକଚା ଲଦି ସେ ସ୍ୱର ଲମ୍ୱାଇ ବୋଲେ –

 

‘‘ଅରଟରେ କାଟ ସୂତା ଗୋ ଫୁଲ ବଉଳ ବେଣୀ

 

ଘରଧନ ତୋର ପର ନ ଖାଇଲେ

 

ପାଇବୁ ଗଜ ମୁକୁତା ଗୋ ଫୁଲ ବଉଳ ବେଣୀ ।’’

 

ରାଜୀବ ଲେଙ୍କାର ଗଳାଟି ଭାରି ମିଠା । ଯେଉଁ ଗୀତ ବୋଲୁ, ଯେତେ କାମ ଥିଲେ ବି ଲୋକେ କାନ ପାରି ଶୁଣନ୍ତି । ବୋହୂ ଭୁଆସୁଣୀମାନେ କବାଟକୁ ଦରଆଉଜା କରି ଶୁଣନ୍ତି । ଚଳପକ୍ଷ ଘରର ପାଠ ପଢ଼ିଥିବା ଝିଅମାନେ ତାକୁ ଦାଣ୍ଡ ପିଣ୍ଡାରେ ନଇଲେ ଘର ଭିତରେ ବସାଇ ବହି ଦେଖନ୍ତି । ଗଣ୍ଠିଲି ଫିଟାଇ ତାହା ଭିତରରୁ ରାଜୀବ କେତେ ନାଲି, ନେଳି ରଙ୍ଗ ମଲାଟର ସୁନ୍ଦର ସୁନ୍ଦର ବହି କାଢ଼ି ସେଥିରୁ ଦି’ଚାରି ଧାଡ଼ି ବୋଲିଦିଏ । ମଥୁରି ସାହୁଙ୍କ ଝିଅ ଉମାର ଖାସା ପଢ଼ା । ଯେଉଁ ବହି ତା’ ହାତରେ ଧରେଇ ଦିଅ, ପାଣି ପରି ତା’ର ମୁହଁରୁ ଗୀତଗୁଡ଼ା ବାହାରି ଆସିବ ଯେ ଠାଏ ହେଲେ କେଉଁଠି ଅଟକିବ ନାହିଁ । ପୁଣି ତାରି ହାତରେ ବହିନି ହେଲେ ରାଜୀବର କୁଆଡ଼େ ଭାରି ବହି ବିକ୍ରି ହୁଏ । ସେଥିପାଇଁ ଆଗ ସେ ମଥୁରି ସାହୁଙ୍କ ଦୁଆରେ ପାଟି କରି ଗୀତ ବୋଲେ । ଉମା ବାହାରି ଆସିଲେ ଚାରି ପାଞ୍ଚ ଖଣ୍ଡ ନୂଆ ବହି ତା’ ହାତକୁ ବଢ଼େଇ ଦିଏ । ଖରାବେଳିଆ ପଡ଼ିଶା ଅଡ଼ିଶା ଝିଅ ମାଇପଙ୍କ ମେଣ୍ଟରେ ଗୀତ ବୋଲିବା ଉମାର ଗୋଟାଏ କାମ ଥିଲା । ରାଜୀବ ହାତରୁ ଅରଟ ଗୀତ କିଣି ଏବେ ଝିଅଙ୍କ ଭିତରେ ବୋଲି ଶୁଣେଇଲାଣି ।

 

ଆଗେ ତନ୍ତୀସହିରେ କଳସୂତାର ଲୁଗା ଗାମୁଛା ବୁଣା ହେଉଥିଲା । ଏବେ ତନ୍ତୀମାନେ ଖଦିକେନ୍ଦ୍ରରୁ ମଜୁରୀ ପାଇ ହାତକଟା ସୂତାରେ ଲୁଗା ବୁଣିଲେ । ତେବେ ସେ ସବୁ ଜିନିଷ ହରିପୁର ହାଟରେ ବେଶି କଟିବ ନାହିଁ ବୋଲି କଟକ ପୁରୀକୁ ଚାଲାଣ ହୁଏ । କଳସୂତାର ଲୁଗା ଗାମୁଛାଠାରୁ ହାତକଟା ସୂତା ଲୁଗାର ଦାମ ପୁଣି ଢେର ବେଶି । ମଫସଲରେ ଅବା ଲୁଗା କିଣୁଚନ୍ତି କେତେ ? କୁଳୁଆଁ ମଇତ୍ର, ବାହାପୁଣିଆ ଦାଣ୍ଡ ହାଟକୁ ଯାହା ଖଣ୍ଡେ ଅଧେ ଆଠ ନ’ ହାତ ଦରକାର । ଯାହାହେଉ, ପାଠ ପଢ଼ୁଆ ବାବୁଭାୟାଙ୍କ ଭିତରେ ହାତକଟା ସୂତାର ଖଦଡ଼ ଲୁଗା ବେଶି ଚାଲୁ ହେଲା । ତାକୁ ପିନ୍ଧିବାକୁ ଗରିବ ଗୁରୁବା ପଇସା ପାଇବେ କାହୁଁ ?

 

ବରଜୁ ନିଜେ ସିନା ଖଦଡ଼ ପିନ୍ଧିଲା । ଦର ବେଶି ହେବାରୁ ଗାଁ ଭିତରେ ଆଉ କାହାକୁ ପିନ୍ଧେଇ ପାରିଲେ ନାହିଁ । ଲଗେଇ ଲଗେଇ ତା’ରି ମୋହବତରେ ପଦିଆ ଖଣ୍ଡେ ଗାମୁଛା କିଣିଥିଲା । ସେ ଖଣ୍ଡେ ମୁଣ୍ଡରେ ବାନ୍ଧି ତା’ଉପରେ ମୁଢ଼ି ବୋଝ ଥୋଇ ସେ ଗାଁ ଗାଁ ବୁଲି ବିକେ ।

 

ଦିନେ ପଦିଆ ମୁହଁରୁ ଖଦଡ଼ ପ୍ରଶଂସା ଶୁଣି ବରଜୁ ମନଟା ଖୁସି ହେଇଗଲା, ‘‘ଯାହା କହୁଥିଲ ପୁତ, ସତକଥା । ଗାମୁଛା ଖଣ୍ଡ ପୁଣି ଏମିତି ପଡ଼ିଲା କି !’’ ବରଜୁ ତାକୁ ସନ୍ତୋଷ ହୋଇ ଚାହିଁଲା । ତା’ର ପେଟ ପୂରି ଉଠୁଥାଏ । ସେ କହିଲା, ‘‘ଜାଣ ପଦିଆ ମାମୁଁ, ସେ ଗାମୁଛା ଖଣ୍ଡକର ସବୁ ସୂତା ମୁଁ ନିଜ ହାତରେ କାଟିଚି ।’’ ପଦିଆ କହିଲା, ‘‘ନିଜ ହାତରେ ? କଣ କହୁଚ ? ଯାହାହଉ, ଠେକାଟା ମୁଣ୍ଡରେ ଭିଡ଼ି ଯେଡ଼େ ଇଚ୍ଛା ବୋଝ ନଦି ଦିଅ, ଖାଲି ତୁଳା ଭଳି କଅଁଳ ଲାଗୁଚି ।’’

 

‘‘ସେତିକି ନୁହେଁ, ପଦିଆ ମାମୁଁ, ଖଦଡ଼ ହେଉଚି ଅତି ପବିତ୍ର ଜିନିଷ । ଆମ ଦେଶ ନେତାମାନେ ପରା କହନ୍ତି, ବିଦେଶୀ ଲୁଗା ପିନ୍ଧି ଦେଉଳ ଭିତରକୁ ଗଲେ ଦିଅଁଙ୍କ ଜାତି ଯିବ । ସହର ବଜାରରେ ବଡ଼ଲୋକମାନଙ୍କ ଘରେ ବିଲାତି ଲୁଗା ଥିଲା, ସବୁ ପୁରୁଷେ ଦି’ ପୁରୁଷ ଉଞ୍ଚରେ ଗଦାକରି ନିଆଁ ଲଗେଇ ଦେଲେଣି । ଶୁଣିଚ ନା ?’’

 

ପଦିଆ ବିଚାରିଲା, ହେଲେ ହୋଇଥିବ । ତେବେ ବଡ଼ ଲୋକଙ୍କ ଘରେ ଏମିତି କେତେ ଲୁଗା ଥାଏ କି ପୁରୁଷେ ଉଞ୍ଚରେ ଗଦା କରି, ନିଆଁ ଲଗାହୁଏ ! ହରିପୁର ଗାଁଟାଯାକ ଗୋଟାଇଲେ ଭଲା ପୁରୁଷେ ଉଞ୍ଚରେ ଗଦାଟାଏ ହେବ । ଦିଅଁ ଦେଉଳରେ ଯେତେ ପଣ୍ଡା ମାଳୀ କାମ କରନ୍ତି, ସମସ୍ତେ ଖଣ୍ଡେ ନେଖାଁ ହାତେ ଓସାର ତିନି ହାତ ଲମ୍ୱ କର୍ମଣିଆ କରିଆ ପିନ୍ଧନ୍ତି । ସେ ଖଣ୍ଡିମାନଙ୍କରେ ନିଆଁ ଲଗେଇ ଦେଲେ ସେ ବିଚରା ଭଲା ଚଳିବେ କିମିତି ? ପୁଣି ଦି’ଅଣା ତିନିଅଣା ଗାମୁଛାରେ ଯାହାଙ୍କର ଚଳୁଚି, ସେ ଆଠଣା ଦଶଣା ଖର୍ଚ୍ଚ କରି ଖଦଡ଼ ଗାମୁଛା ପିନ୍ଧିବେ କୁଆଡ଼ୁ ? ହଁ, ବଡ଼ଲୋକଙ୍କ ଘରେ କେତେ ଲୁଗାପଟା ଥିବ; ଶୁଣା ତ ଯାଏ, କାହାର କାହାର ଲୁଗାପଟା ସାହାବଙ୍କ ଦେଶକୁ ଇସ୍ତ୍ରୀ ହେବାକୁ ଯାଉଥିଲା। ଆଉ କାହାର ଯୋତା କୁଆଡ଼େ ବିଦେଶୀ କାରଖାନାରେ ବରାଦ ଦିଆ ଯାଉଥିଲା ବୋଲି ନିଶାମଣି ବାବୁ କହନ୍ତି । ପଦିଆର ଘରଗୋଟାକ ଦରାଣ୍ଡିଲେ ତ ପାରିସୁଆ ହେଁସଖଣ୍ଡକ ଛଡ଼ା ଛିଣ୍ଡା ମସିଆ ହେଇ ଚାରି ପାଞ୍ଚ ଖଣ୍ଡ କନା ବାହାରିବ କି ନାହିଁ । ସେଥିରୁ ସେ ନିଆଁରେ ପୋଡ଼ିବ କେତେ ଆଉ ଘରେ ରଖିବ କଣ ? ଦି’ବର୍ଷ ତଳେ ନବୀନ କଲିକତାରୁ ବାପମାଙ୍କ ପାଇଁ ଯେଉଁ ଦି’ ଯୋଡ଼ା ଧୋତି ଶାଢ଼ୀ ଆଣିଥିଲା ତା’ରି ଉପରେ ବାରଜାଗା ତାଳି ପକେଇ ଆଜି ଯାକେ ତ ଦି’ ପ୍ରାଣୀ ଚଳୁଛନ୍ତି । ଏବେଗୌରା ବାହାଘରକୁ ଖଣ୍ଡେ ନୂଆ କନା ସେ ଦେଖିଲା । ତେବେ ଖାଲି ସୂତା କାଟିଲେ ଭଲ ଲାଭ ଅଛି ବୋଲି ବାବୁମାନେ ଯାହା କହୁଛନ୍ତି, କାହିଁ, ମୁଢ଼ୀ ଉଖୁଡ଼ା ବେଉସାଠାରୁ ତହିଁରେ ବେଶି ଉପାୟ ହବ ବୋଲି ସେ ତା ବୁଝି ପାରେ ନାହିଁ ?

 

ଜୟିବାବୁ କହି ଚାଲିଥାନ୍ତି, ‘‘ମୋ ଗୋସେଇଁ ମା ନିଜ ହାତରେ ସୂତା କାଟି ତାହାରି ପଇସାରେ ଗୋଟାଏ ମାହାଲ ଖରିଦ କରିଥିଲେ । ସେ ମାହାଲଟାକୁ ଏବେ ବି ସୂତାକଟା ମାହାଲ କହନ୍ତି । ଆମ ଖମାର ଭାଡ଼ି ଉପରେ କେଉଁ ଦିନୁଁ ଲୋକ ଚଢ଼ି ନଥିଲେ । ସବାରି ତାମଯାନ ଗୁଡ଼ାକ ପୁରୁଣା ଉଇଖିଆ ହେଇ ପଡ଼ିଚି । ତାହା ସାଙ୍ଗକୁ ପୁରୁଣା ହାତଭଙ୍ଗା ଚୌକି, ତାଟି, ଛିଣ୍ଡା ଦଉଡ଼ି ଟୋକେଇ ଟିଣ କେତେ କଣ । ପୁଣି ସାପ ଭୟ । କେଉଁ କାଳୁ ତା’ଉପରେ ଲୋକ ଚଢ଼ି ନ ଥିଲେ । ଏବେ ଗୋଟାଏ କାଠ ଖୋଜା ପଡ଼ିବାରୁ ମଣିଷ ଚଢ଼ିଲେ । ଚାରିଖଣ୍ଡ ପିଆଶାଳ ପଟା ଉଠାଇ ତା’ତଳୁ ବାହାରିଲା ପାଞ୍ଚ ସାତଟା ଭଙ୍ଗା ଅରଟ ।’’

 

ତେଣେ ନିକ୍ତି ଝୁଲାଇ ବରଜୁ ସୂତା ଓଜନରେ ଲାଗି ଥାଏ, ଜୟିବାବୁଙ୍କ କଥା ସଙ୍ଗେ ତାଳ ପକାଇ । ମନ ଭିତରେ ତା’ର କେତେ ଭାବନା ଉଠୁଥାଏ ପଡ଼ୁଥାଏ । ମଝିରେ ମଝିରେ ରୁମ ଟାଙ୍କରୁ ଉଠେ । ସତେ ଏ ଦୁନିଆଟାରେ ମଣିଷର ଭଲା ଭାବନା କଣ ? କାହିଁପାଇଁ ତାର ଚିନ୍ତା ? ଖାଇବା ପିନ୍ଧିବା ପାଇଁ ? କୁଟି ଖାଇବ କାଟି ପିନ୍ଧିବ, ଏତ ଆମର ବହୁତ କାଳର କଥା, ନିଜ ହାତ ପାଉଣାରେ ଯାହା ଅଛି, ତାକୁ ଆମେ ଅନେଇ ବସିଛୁଁ ବାହାରକୁ । ନିଜ ପୋଖରୀରେ ପାଣି ଥାଉଁ ଥାଉଁ ଅକାମୀ ଯେମିତି ମେଘକୁ ଅନେଇ ବସେ ।

 

କିଏ ଜଣେ ଟୋପିପିନ୍ଧା ବାବୁ ଦାଣ୍ଡ ମଝିରେ ସାଇକେଲରୁ ଓହ୍ଲେଇ ପଡ଼ିଲେ । ବରଜୁ ଚାହିଁ ଦେଖିଲା ଦାରୋଗା ସୁରେନ୍ଦ୍ର ବାବୁ । ଜୟିବାବୁ କଥା ଗପି ଚାଲିଥାନ୍ତି, ‘‘ମୁଁ ଯେତେବେଳେ ସାନପିଲା, ଆମ ରୁପାଧାଈ କୋଡ଼ରେ ଶୋଇ ଗୀତ ଶୁଣିଚି, ‘ବାୟାମା ଯେ ସରୁକାଟୁଣୀ ପୁଅକୁ ପିନ୍ଧାଏ ପାଟ ପତନୀ, ଝିଅକୁ ପିନ୍ଧାଏ ନେତ; ଆପେ ପିନ୍ଧଇ କଳା ବୋଇତ, ଉଡେଇ ନେଉଛି ଭୂତ-।’ ଗୀତଟାକୁ ସେତବେଳେ ମୁଁ ବୁଝି ପାରି ନ ଥିଲି, ଏବେ ବୁଝୁଚି ବାୟାମାର ଗୁଣ । ସେ ସରୁ କାଟୁଣୀ ବୋଲି ପୁଅଝିଅଙ୍କୁ ଏମିତି ସୁନ୍ଦର ଲୁଗା ପିନ୍ଧାଏ, ଆପେ ପୁଣି ପିନ୍ଧେ ।’’ ଜୟିବାବୁଙ୍କ କଥା ସାଙ୍ଗକୁ ମଦନ ଖୁଣ୍ଟିଆ ଖଚ୍‌ଖଚ୍‌କରି ଗୁଆ କାତିରେ ପାନ ଭାଙ୍ଗୁଚି, ନିଶାକର ସାହୁ ଘର୍‌ର୍‌ ଘର୍‌ର୍‌ କରି ସୂତା କାଟୁଚି, ବରଜୁ ନିକ୍ତିରେ ସୂତା ଓଜନ କରି ଚାଲିଚି ।

 

ଗାଁ ଦାଣ୍ଡରେ ଦଫାଦାର ଚାଲିଗଲେ ଲୋକେ ହଡ଼ବଡ଼େଇ ଯିବାର ଦିନ ଆଉ ନାହିଁ । ଦାରୋଗା ସୁରେନ୍ଦ୍ର ବାବୁ ସେ କଥା ଅଳ୍ପ ବହୁତ ବୁଝିଛନ୍ତି । ସାଇକେଲଟାକୁ ଭରା ଦେଇ ସେ ଛିଡ଼ା ଛିଡ଼ା ପଚାରିଲେ, ‘‘କଣ, ଖୁବ୍‌ ତ କାମ ଚାଲିଚି।’’ ଜୟିବାବୁ ଭଦ୍ରତା ଦେଖାଇ କହିଲେ, ‘‘ଆସନ୍ତୁ ଆଜ୍ଞା, ଉପରକୁ । ନମସ୍କାର ।’’

 

ଦରୋଗା ବାବୁ ନମସ୍କାରଟାକୁ ଓଲଟାଇ କଲେ କି ନାହିଁ କେହି ଦେଖିନି । ଏକା ଜୟିବାବୁ ହୁଏ ତ ଦେଖିଥିବେ। ‘‘ନାହିଁ, ମୋର ଗୋଟାଏ ଇନ୍‌କ୍ୱାରି ଅଛି । ବଡ଼ ଜରୁରି ।’’ ଜୟକୃଷ୍ଣଙ୍କ ଭଳି ମେଳାପୀ ଲୋକ ସାଥିରେ କାହାର ବା ଜଣାଶୁଣା ନାହିଁ ?

 

ଦାରୋଗା ଜୟକୃଷ୍ଣଙ୍କୁ ଡାକିଲେ, ‘‘ପଦେ କଥା ଥିଲା ।’’ - ‘‘କଣ, ମୋ ସାଥିରେ ?’’ କହି ଜୟିବାବୁ ପିଣ୍ଡାରୁ ଓହ୍ଲାଇ ତାଙ୍କ ପାଖକୁ ଆସିଲେ ।

 

ଦାରୋଗା ପଚାରିଲେ, ‘‘ସୂତା ଓଜନ କିଏ କରୁଚି କି ?’’

 

‘‘ଆପଣ ପଧାନଙ୍କୁ ଜାଣନ୍ତି ନାହିଁ, ଡାକିଦିଏଁ ତାଙ୍କୁ ?’’

 

‘‘ନାହିଁ, ଦରକାର ନାହିଁ, ସେହି ଯେ ଲୋକଟି ଗୌରାଙ୍ଗ ଶେଣ ଘରେ ଆସି ରହିଚି ପରା ? ନାଁ କଣଟି ?’’

 

‘‘ବରଜୁ ପ୍ରଧାନ, କାହିଁକି ଆଜ୍ଞା, କଥା କଣ ?’’

 

ଦାରୋଗା ମୁରୁକି ହସି କହିଲେ, ‘‘ନାହିଁ, ସେମତି କିଛି କଥା ନାହିଁ ଯେ, - ତେବେ ପଧାନପଡ଼ାକୁ ଯାଉଛି ମୁଁ ଗୋଟାଏ କେସ୍‌ ଇନ୍‌କ୍ୱାରିରେ । ସେ ଗାଁରେ ଗୋଟାଏ ଚୋରି ହୋଇଯାଇଛି ।’’

 

‘‘କାହାଘରୁ ବାବୁ ?’’ ଜୟକୃଷ୍ଣଙ୍କର ଆଗ୍ରହ ବଢ଼ିଲା ।

 

‘‘ଖୋଦ ପ୍ରସିଡେଣ୍ଟ ଘରୁ । ସେ ଗାଁରେ ଆଉ ଚଳପକ୍ଷ କିଏ ଅଛି କି ? ହଉ, ମୁଁ ଯାଏ-।’’ ଦାରୋଗା ସାଇକେଲ ଚଢ଼ି ଚାଲିଲେ ।

 

ଜୟବାବୁଙ୍କ ମୁହଁରୁ ଦାରୋଗାବାବୁଙ୍କ କଥାତକ ବରଜୁ ଶୁଣିଲା । ପଧାନପଡ଼ା ଗାଁମୁଣ୍ଡ ହୁଙ୍କା ଉପରେ ଡିମିରିଗଛଟାଠାରୁ ଆରମ୍ଭ କରି ବିରୂପା ନଈର ଶୀତଦିନିଆ ସରୁ ସୁଅଧାରଟି ମଧ୍ୟ ଆଜି ତାକୁ ଯେମିତି ଡାକିଲେ ‘‘ଦିନକ ପାଇଁ ହେଲେ ଆ ବରଜୁ, ଆମେ ଟିକିଏ ତତେ ଦେଖିବୁଁ । ତୁ ଯେ ଆମର କେତେ ପୁରୁଣା, କେତେ ଜଣାଶୁଣା ।’’
 

ନିକ୍ତିଟା ତଳେ ରଖି ଦେଇ ବରଜୁ ଉଠି ଛିଡ଼ା ହେଲା । ଜୟକୃଷ୍ଣ କାବା ହୋଇ ପଚାରିଲେ, ‘‘କୁଆଡ଼େ ବାହାରିଲ ? ସୂତା ଓଜନ ସରିନି ପରା ?’’

 

‘‘ସୂତା ଓଜନ ସେତିକି ଥାଉ, ବାବୁ ! ମୁଁ ଟିକିଏ ପଧାନ ପଡ଼ାକୁ ଯିବି ।’’

 

‘‘ହଠାତ୍‌ କାହିଁକି ?’’

 

ସେ ଖାଲି ଟିକିଏ ହସି ଦେଇ କହିଲା, ‘‘କାମ ଅଛି, ବାବୁ ! ସଞ୍ଜକୁ ପୁଣି ଆସିବି ଯେ ।’’

 

ଜୟିବାବୁଙ୍କ ମନ ବୁଝିଲା ନାହିଁ । ଚୋରି ମକଦ୍ଦମା ତଦନ୍ତ ପାଇଁ ଦାରୋଗା ଗଲେ, ତାଙ୍କ ପଛେ ବରଜୁ ବାହାରିଛି କାହିଁକି ? ହରି ମିଶ୍ରଙ୍କ ଘରୁ ତ ଚୋରିଗଲା, ବରଜୁର ଗଲା କଣ ?

 

ମଦନ ଖୁଣ୍ଟିଆ କହିଲା, ‘‘ପୋଲିସ ତ ଚୋର ଧରିବାକୁ ଯାଉଛି, ତୁମେ ଯିବ କଣ କରିବାକୁ ?’’ ମାଧ ମହାରଣା ଟିକିଏ ଖେଁ କରି ହସି ଦେଲା ।

 

‘‘ତାଙ୍କର ଆଉ କିଛି କାମ ଥବ ନା, ଯେତେହେଲେ ଆପଣା ଗାଁ, ଘର, ବିଲବାରି । ମନ ହବନି ?’’ ନିଶାକର ସାହୁ ଜୟକୃଷ୍ଣଙ୍କୁ ପାନଖିଲ ବଢ଼ାଇ ଦେଇ କଥାଟାକୁ ବାଗେଇ ନେଲା ।

 

ମାଧ ମହାରଣା ଗୋଟାଏ ଭୁଲ କରି ପକାଇଲା ଭଳି କହିଲା, ‘‘ପଧାନେ ସେମିତି ଛାତି ଦମ୍ଭିଲା ବୋଲି ଆଜିଯାକେ ଘରଛାଡ଼ି ରହିଛନ୍ତି କି ! ମୁଁ ଘର ଛାଡ଼ି ଯୋଡ଼ାଏ ଦିନ କାହିଁ ରହିଗଲେ ତେଣିକି ମନ ଉଡ଼ିବ ।’’

 

ବରଜୁ ପଧାନ କାହାରିକି କିଛି ଜବାବ ନ ଦେଇ ମୁଣ୍ଡରେ ଠେକାଟା ଭିଡ଼ି ବାହାରି ପଡ଼ିଲା । ସବୁରି ମଝିରେ ସଳଖ ହେଇ ଛିଡ଼ା ହେଲାବେଳେ ସମସ୍ତେ ଯେମିତି ଭାବିଲେ ତା’ର କାହାକୁ କିଛି ଜବାବ ଦେବା ଲୋଡ଼ା ନାହିଁ । ସେ ନିଜେହିଁ ଯେମିତି ସବୁ କଥାର ଜବାବ ।

 

ସେଥିପାଇଁ କେହି ଆଉ ତାକୁ କିଛି ପଚାରିଲେ ନାହିଁ ।

 

ଘରକୁ ଫେରି ଶୁଣିଲା, ହାରାର ଦିହ ଭାରି ଦୁଃଖ । ବସିଲାଠାରୁ ଉଠି ଆସିବାକୁ ଚିଟାଉ ଆସିଛି । ହାରାବୋଉ ପାଣି ଢାଳଟା ବରଜୁ ଗୋଡ଼ ପାଖରେ ଆଣି ଥୋଇଲା । ସେଥିରୁ ଚଳେ ପାଣି ଚହଲି ପଡ଼ି ବରଜୁର ପାଦ ଆଙ୍ଗୁଠିକି ଥଣ୍ଡା କଲା । ବର୍ଷାଟିଆ ପାଗ ସାଙ୍ଗକୁ ହାରାବୋଉ ଗରମ ମୁଢ଼ିରେ ସୋରିଷ ତେଲ ଗୋଳି ଗୋଟିଏ ଭଲ ଜଳଖିଆ ଆଣି ଥୋଇଲା । ମୁଢ଼ି ମୁଠାଏ କଳରେ ଜାକି ବରଜୁ କେତେ କଥା ବିଚାରି ହେଲା । ହାରାର ଦିହ ଦୁଃଖ ବେଳକୁ ପଧାନପଡ଼ାରେ ପୁଲିସ ତଦନ୍ତ ! ମନଟା ତାର ଘାଣ୍ଟି ଚକଟି ହେଲା । କଣ କରିବ, କୁଆଡ଼େ ଯିବ ଠିକ୍‌ କରି ପାରିଲା ନାହିଁ । ହାରାଘରୁ ମଣିଷ ଆସିଛି । ପଧାନପଡ଼ାରୁ ତ କେହି କିଛି ଖବର ଦେଲେ ? କାହିଁକି ନ ଦେଲେ ? ଯଦୁ, ନିଧି, ମାଧିଆ, ଧରମା ସମସ୍ତେ କଣ ତାକୁ ପାସୋରି ଦେଲେ ? ହଁ, ବରଷେ ହେଲା ଗାଁ ଛାଡ଼ି ଆସିଲାଣି, ଆଉ କିଏ କାହିଁକି ତାକୁ ପଚାରିବ ? ଭିତରୁ ଗୋଟାଏ କୋହ ଉଠିଲା । ନାଃ, ଯା ପଛେ ହଉ, ସେ ଆଉ ପଧାନପଡ଼ାର ନାଁ ବି ତୁଣ୍ଡରେ ଧରିବ ନାହିଁ । ତେବେ ପୁଲିସ ଗଲାଣି ! ହରି ମିଶ୍ରଙ୍କର ତ ଗାଁ ଯାକ ସବୁରି ଉପରେ ରିହ। କାହାକୁ କଣ ଧରପଗଡ଼ କରିବ । ସେ ଟିକିଏ ନ ଯିବ କିମିତି ।

 

ନା, ନା, ହାରା କଥା ପଛେ, ଆଗ ପଧାନପଡ଼ା ଗାଁ ଗୋଟାକର ଲୋକ କେଡ଼େ ନିରିମାଖି ହୋଇଥିବେ । ଏତେବେଳେ ସେ ନ ଗଲେ ଆଉ ଯିବ କିଏ ? ପଧାନପଡ଼ା କଥା ମନେ ପଡ଼ି ବରଜୁର ପେଟ ଭିତରୁ ଗୋଟାଏ ବାମ୍ଫ ବାହାରିଲା । ତୋଟିରେ ଆଉ ମୁଢ଼ି ଗଳିଲା ନାହିଁ । ଆଖି ଯୋଡ଼ାକ ନାଲି ହୋଇ ଉଠିଲା ନିଶା ଖାଇଲା ଭଳି । ସେ ପାଣି ଟିକିଏ ବି ପିଇ ନ ପାରି ହଠାତ୍‌ ଛିଡ଼ି ହେଲା । ହାରାବୋଉର ଛାତିଟା ଦପ୍‌ କିନି ପଡ଼ିଲା । ‘‘ମୁଢ଼ି କଣ ଭଲ ଲାଗିଲା ନି କି-? ଭାତ ଆଣେଁ ?’’

 

‘‘ନାହିଁ, ଆଉ କିଛି ଖାଇବି ନାହିଁ,’’ ବରଜୁ ମନା କରିଦେଲା । ପଦାକୁ ଆସି ଦେଖିଲା, ଆକାଶରେ ଗୋଟାଏ କଣରୁ ଖଣ୍ଡେ ବଡ଼ କଳା ମେଘ ଆସ୍ତେ ଆସ୍ତେ ଉପରକୁ ଉଠୁଚି । ପୁଣି ଭୋଦୁଅ ଯାଇ ଅଶିଣ ପଶିଲାଣି । ଦିନେ ହେଲେ ବର୍ଷା ଛାଡ଼ ନାହିଁ । ସେ ହାରାବୋଉକୁ କହିଲା, ‘‘ମେଘ ଉଠେଇଲାଣି, ଆଉ ଡେରି କଲେ ହବ ନାହିଁ ।’’

 

ହାରାବୋଉ କହିଲା, ‘‘ଗୋବିନ୍ଦ ଆସିଯାଉ ତା’ହେଲେ । ଟିକିଏ ସତାର କର ।’’ ଗୋବିନ୍ଦ ଭାଇ ଗୌରାଙ୍ଗର ଚାଷ କାମ କରେ ।

 

‘‘ଗୋବିନ୍ଦ କରିବ କଣ ?’’ ବରଜୁ ପଚାରିଲା ।

 

‘‘ତୁମ ସାଥିରେ ଯିବ ପରା ! ଗୌରା କଳାମୁଗ, ହରଡ଼ ରଖି ଦେଇସାରି ଯାଇଛନ୍ତି ସଜନା ଛୁଇଁ, ବାଇଗଣ ଆଣିବାକୁ ।’’

 

ବରଜୁର ଚେତା ପଶିଲା- ହାରା ଘରକୁ ଏ ସବୁ ରୋଗୀ ପଥି ସଜଡ଼ା ହୋଇଛି । କହିଲା, ‘‘ମୁଁ କଣ ହାରା ଘରକୁ ଯିବି କି ?’’

 

ସ୍ତ୍ରୀ ତାହାର ବୁଝି ପାରିଲା ନାହିଁ । ହାରା ଘରକୁ ନ ଯିବ ତ ଏତେ ତରବର କାହିଁକି ! ଆଉ ତେବେ ସେ ଯିବ କୁଆଡ଼େ ? ହାରାଘରୁ ପରା ମଣିଷ ଆସିଚି ! ଝିଅ ଏଡ଼େ ବାଧକା ହେଇ ପଡ଼ିଚି ଯିବ ନାହିଁ ?

 

ବରଜୁ ବୁଝେଇଦେଲା, ‘‘ମୋର ଭାରି ଜରୁରୀ କାମ; ହାରା ଘରକୁ ତ ଯାଇ ପାରିବି ନାହିଁ !’’

 

ନାହିଁ ? ହାରାଘରକୁ ନ ଯାଇ ଆଉ କଣ ଜରୁରି କାମ ? ହାରାବୋଉ ତାର ମୂର୍ଖ ଆଖିଯୋଡ଼ାକୁ ଢଳ ଢଳ କରି ପଚାରିଲା, ‘‘ଆଉ ତେବେ କୁଆଡ଼େ ?’’

 

‘‘କହିଥିଲି ପରା ଅନୁକୂଳ ବେଳେ ପଚାରନ୍ତି ନାହିଁ ! ଖୁବ୍‌ ଜରୁରୀ । ସାଙ୍ଗେ ସାଙ୍ଗେ ନ ଗଲେ ନ ଚଳେ । ସେମିତି କାମ ନ ଥିଲେ କି ମୁଁ ହାରାଘରକୁ ନ ଯାନ୍ତି ?’’

 

ହାତରେ ମୁଠାଏ ସଜନାଛୁଇଁ ଆଉ ଗାମୁଛାରେ ବାଇଗଣ ବାନ୍ଧି ଗୌରା ପହଞ୍ଚିଗଲା । ହାରାବୋଉ ବରଜୁକୁ କିଛି ପଚାରିଲା ନାହିଁ । ସେ ବାହାରିଯିବା ପରେ ଗୌରାଙ୍ଗକୁ କହିଲା, ‘‘ସେ ତ ଗଲେ ନାହିଁ, ତୁମେ ହେଲେ ଟିକିଏ ଯାଅ । ତାଙ୍କର ଆଉ କୁଆଡ଼େ ଭାରି କାମ ।’’ ହାରାବୋଉର ବରଜୁ ଉପରେ ଯେତେ ଯେତେ ରାଗ ଆସୁଥିଲା, ସେ ସବୁକୁ କଷ୍ଟରେ ସମ୍ଭାଳି ନେଉଥାଏ । ଆଜି ପୁଣି କୁଆଡ଼େ ସେ ଅନୁକୂଳ କରି ବାହାରିଛି । ଏତେବେଳେ ରାଗିବାଟା ଭଲ ନୁହେଁ ।

 

ହାରା ଘରକୁ ଗଲା ଗୌରା । ଆଉ ବରଜୁ ଚାଲିଲା ପଧାନ ପଡ଼ାକୁ । ସେହି ତା’ର କେତେ ଭଲ ମନ୍ଦ ହସ କାନ୍ଦର ସାନ ଗାଁଟି । ତା’ରି କୋଳରେ ବଢ଼ି ସେ ମଣିଷ ହେଇଛି । ତା’ର ଛାତିକୁ ଚିରି ଫସଲ କମେଇ ଖାଇଛି । ତା’ରି ମାଟିତଳର ପାଣି ପିଇଚି। ଅମିନ ଚାକରୀରେ ଥିବାବେଳେ ତ ସେ କେତେ ଗାଁ ଗଣ୍ଡା ଦେଖିଛି । ଥରେ ଅଧେ ସହର ବଜାର ବି ବୁଲି ଆସିଚି । ପଧାନପଡ଼ା ଭଳି ତାକୁ ତ ଆଉ କେଉଁ ଗାଁ ଲାଗି ନାହିଁ !

 

ଆକାଶ କଣର କଳା ମେଘଖଣ୍ଡ ବରଜୁର ମୁଣ୍ଡ ଉପରେ ଅସ୍ରାଏ ପାଣି ଅଜାଡ଼ି ଦେଇ କଟକ ଆଡ଼କୁ ଭାସି ଭାସି ଚାଲିଗଲା । ସେହି ବାଟେ ପୁଣି ଆଉ କୁଆଡ଼ିକି ଚାଲିଯିବି । ବରଜୁ ଆଜି ଏହି ମେଘ ଭଳି ଆଗପଛ ବିଚାର ନ କରି ଚାଲିଛି । ଧାନ ଫସଲଟା ଏ ବର୍ଷ ଊଣା ଅଧିକେ ମନ୍ଦ ନୁହେଁ । ଚାରିଆଡ଼େ ସବୁଜା ଧାନ କିଆରୀରୁ ଡେଙ୍ଗା ଡେଙ୍ଗା ପତରଗୁଡ଼ାକ ଛିଡ଼ା ହେଇଚି । ଯେମିତି କି ଲକ୍ଷ ଲକ୍ଷ ହାତ ଟେକା ହେଇଚି ବରଜୁ ପଧାନକୁ ଭୋଟ ଦେବା ପାଇଁ । ଏହି ଧାନ କିଆରୀର ଭୋଟ ବରଜୁ ପିଲା କାଳରୁ ଆଜି ଯାକେ ପାଇ ଆସିଚି । ଏହି ଭୋଟ ପାଇ ସେ ନିଜ ଘରେ ମେମ୍ୱର, ନିଜ ଗାଁରେ ମନ୍ତ୍ରୀ । ଚାଷ ପାଗଯୋଗଠାରୁ ଗାଁ କଜିଆଯାକେ ଲୋକେ ତାକୁ ମାନନ୍ତି । କିଆରୀ ଭିତରେ ପାଣି ଜମିଛି । ଠାଏ ଠାଏ ହିଡ଼ ତଳେ ଜଳା ହେଇ ଗୋଟିଏ କିଆରୀରୁ ଆର କିଆରୀକୁ ପାଣି ବୋହି ଯାଉଛି । ଧାନଗଛ ଗହଳି ଭିତରେ କେଉଁଠି ପୁଣି କ୍ଷେତ ଉଜାଡ଼ୁଚି ଓଲେଇ ଗାଈଟା, ଖୁଣ୍ଟ ହୁଗାଳି ପଳେଇ ଆସିଚି । ପଘା ସାଙ୍ଗରେ ଖୁଣ୍ଟାଟା ବେକରୁ ଓହଳିଛି । ବରଜୁ ବାଟ ଚାଲୁ ଚାଲୁ ହିଡ଼ ଜଳା ମୁହଁରେ ମାଟି ମେଞ୍ଚାଏ ଛାଟି ପାଣି ଧାର ବନ୍ଦ କଲା । ନିଜ ବାଟ ଛାଡ଼ି ଗାଈଟାକୁ ଅଡ଼େଇ ତଡ଼ିଦେଲା ପଡ଼ିଆ ଉପରକୁ । ବାଟ ମଝିରେ କେଉଁଠି କଣ୍ଟା ଡାଳଟା ପଡ଼ିଥିଲା, ତାକୁ ଉଠାଇ ଦୂରକୁ ଫୋପାଡ଼ି ଦେଲା । ବାଟ ଚାଲିଲେ ଏଇଟା ତାର ଅଭ୍ୟାସ-

 

ଅଧ କୋଶେ ଦୂରରୁ ଗହୀର ଆର ପଟେ ବିରୂପା ନଈର କସରା ବାଲି ଉପରେ ସରୁ ପାଣିଧାରଟା ଦିଶିଗଲା। ପାଣି ଖସି ନଈ ପାଆକରେ ଅଛି । ବନ୍ଧତଳେ ପ୍ରଧାନ ପଡ଼ାର ଘରଚାଳ ଦିଶୁ ନାହିଁ । ଗାଁ ମୁଣ୍ଡ ହୁଙ୍କା ଉପରେ ସେହି ଥୁଣ୍ଟା ଡିମିରି ଗଛଟାର ଅଗ ପାଉଁଶିଆ ହୋଇ ପଡ଼ିଚି । ରଥ ଦଉଡ଼ା ଭଳି ସେ ସମସ୍ତ ଯେମିତି ବରଜୁକୁ ଆଜି ଝିଙ୍କି ଓଟାରି ନେଉଛନ୍ତି । ସେ ଓଟରାରେ ତାକୁ ଖାଲ ଖମା ଜଣାଗଲା ନାହିଁ । ତିନି କୋଶ ବାଟ ଚାଲି ସେ ଯେ କେତେବେଳେ ବିରୂପା କୂଳରେ ପହଞ୍ଚିଲାଣି, ସେ କଥା ତାର ହେଜ ନ ଥିଲା । ସଡ଼କବାଟ ଟିକିଏ ବୁଲାଣି ପଡ଼ିଥାନ୍ତା ।

 

ବିରୂପାକୂଳରେ ବୁଢ଼ା ନଟ ତରେଇ ଖଣ୍ଡେ ସାପୁଆ ଡଙ୍ଗାରେ ଡଙ୍ଗାଏ ମଣିଷ ପୂରାଇ ନାଆ ଫିଟେଇବାକୁ ଯାଉଥିଲା । ଦୂରରୁ ତାକୁ ଚିହ୍ନି ପକେଇ ଡଙ୍ଗା ଅଟକେଇ ଡାକିଲା, ‘‘କିଏ ? ପଧାନ ପୁଅ ? ବରଜୁ ! ଏତେ ଦିନକେ ମନେ ପଡ଼ିଲା ପରା ।’’

 

ବରଜୁ କହିଲା, ‘‘ଦଣ୍ଡବତ ମଉସା, କଣ କରିବ, କହ । କେତେବେଳେ ହେଲେ ତ ଜଞ୍ଜାଳ ଛାଡ଼ିଲା ନାହିଁ ।’’

 

‘‘ଜଞ୍ଜାଳ କାହାକୁ ଛାଡ଼ିଚି, କହିଲ ? ତା’ ବୋଲି କଣ ଆପଣା ଗାଁ ଘର ବାରି କିଏ ପାସୋରି ଦିଏ ? ହଉ, ଭଲ କଲ, ଆଇଲ । କଣ ଦେଖିବ, ଘର ଘରକେ କାନ୍ଦ ବୋବାଳି ପଡ଼ିଚି-।’’

 

ଡଙ୍ଗା ଉପରକୁ ଉଠି ବରଜୁ ପଚାରିଲା, ‘‘କାହିଁକି, କଣ ହେଲା ?’’

 

‘‘ଆଉ ହବ କଣ, ପୁଅ ? ଶାମ ପଧାନ ଥିଲେ କି ଏ କଥା ପୁଣି କାନ ଶୁଣନ୍ତି, ନା ଆଖି ଦେଖନ୍ତା ? ଉଦ ସୁତାର, ରଥ ମଳିକ, ମଣି ସ୍ୱାଇଁ, ଧରମା ଭୋଇ ଚାରି ଜଣ ହାତ କଡ଼ି ପଡ଼ି ଥାନାକୁ ଟଣା ହେଲେଣି । ଆଉ ଯାହା ମାଡ଼ ହେଇଚି, କଣ କହିବି ପୁତ ।’’ ନଟ ତରେଇ ଶାମ ପଧାନଠାରୁ ପାଞ୍ଚ ଦଶ ବର୍ଷ ସାନ । ବରଜୁକୁ ପୁଅ ନେଖା କରେ। ବର୍ଷକ ପରେ ପୁଣି ତାର ନିଜ ନାଁଟାକୁ ଆଉ ଜଣକ ମୁହଁରେ ଶୁଣି ବରଜୁର ମନ ଟିକିଏ ନରମା ଧରି ଆସିଥିଲା । ତେବେ ପୁଲିସ ଚାଲାଣ କରିବା କଥାଟାରେ ବିରୁପା ନଈର ସୁଅ ପରି ତାର ସବୁ ନାଡ଼ିରେ ରକ୍ତ ଛୁଟିଲା । ଆଗରୁ ହରି ମିଶ୍ରଙ୍କ ଘର ଚୋରି ହୋଇଥିବା ଖବର ପାଇ ସେ ଯାହା ଅନୁମାନ କରିଥିଲା, ତାହା ତ ସବୁ ଘଟି ଯାଇଛି । ଆଉ ତେବେ ସେ କାହିଁକି ଯିବ, କେଉଁ ମୁହଁରେ ?

 

ବରଜୁକୁ ବୁଦ୍ଧି ଦିଶିଲା ନାହିଁ । ସବୁ କଥା ବୁଝି ପାରିଥିଲେ ବି ସେ ପୁଣି ତରେଇକୁ ପଚାରିଲା, ‘‘କାହିଁକି, ସେ କି ଦୋଷ କଲେ କି ?’’

 

‘‘କିଛି ତେବେ ଶୁଣି ନ ପରା ତମେ ! କିହେ, ହରି ମିଶ୍ର ଘରୁ ଚୋରି ଯାଇଚି । ସେ କଣ ଗାଁରେ କାହାକୁ ରଖି ଦବ ?

 

‘‘ଏଇ ଚାରି ଜଣ କଣ ଚୋରି କରିଥିଲେ ?’’

 

‘‘କିଏ କହିବ ସେ କଥା ? ନରମାୟା ତ ନାରାୟଣଙ୍କୁ ଗୋଚର ନୁହେଁ । ତେବେ ପୁଲିସ ସନ୍ଦେହ କରି ଧରି ନେଇଚି ।’’

 

‘‘ଗାଁ ଭିତରେ କଣ ଆଉ କେହି ନ ଥିଲେ, ଖାଲି ଏହି ଚାରିଜଣଙ୍କ ଉପରେ ସନ୍ଦେହ ହେଲା ?’’

 

‘‘ଆରେ ବାବୁ, ଗରୀବ ମାଇପ ସମସ୍ତଙ୍କର ଶାଳୀ । ସେମିତି ଦମ୍ଭିଲା ହୋଇଥିଲେ ପୁଲିସ ନା ପୁଲିସର ଗୋସାଇଁ ଭଲା ପାଖେ ପଶନ୍ତା ! ଯଦୁ ଦଳେଇଙ୍କି ବି ମିଶ୍ରେ ଗୁନ୍ଥିବେ ବୋଲି ବାହାରି ନ ଥିଲେ କି ? ପୁଲିସର କୁଆଡ଼େ ସାହାସ ହେଲା ନାହିଁ । ଯେତେ ହେଲେ ଚଳପକ୍ଷ ଘରଟାଏ ଆଗକୁ ଭଲ ଥାଏ କି ମନ୍ଦ ଥାଏ । ପୁଲିସ ବୋଲି ତାର କଣ ଡର ଭୟ ନାହିଁ ? ବାଘର ତ ଫାଗକୁ ଡର !’’

 

ଡଙ୍ଗାଟା ଆର କୂଳରେ ଲାଗିଲା । ବରଜୁ ଓହ୍ଲେଇ ପଡ଼ି ଡଙ୍ଗା ଭଡ଼ା ପଇସା ଦେବାକୁ ଯାଇଥିଲା । ତରେଇ କହିଲା, ‘‘ତମଠଉଁ କଣ ପଇସା ନେବି ପୁତ ? ତମ ବାପ ପାଖେ ତ ମୁଁ କେତେ ବାଟକେ ଧାରୁଆ ହେଇ ରହିଚି । ରଖ, ପଇସା ରଖ । ତୁମେ ଯାହା ଯାଚିଲ, ସେଇ ମୋର ବହୁତ ।’’ ବରଜୁ କହିଲା, ‘‘ନାହିଁ ମଉସା, ସମସ୍ତେ ତ ପଇସା ଦେଲେ। ମୁଁ ନ ଦେବି କାହିଁକି-? ତମେ ମୋ ବାପା ପାଖେ କଣ ଧାରୁଆ ଥିଲ ବୋଲି ମୁଁ ତମ ପାଖେ ଧାରୁଆ ରହିବି କହିଁକି ? ସେ କଥା ହବ ନାହିଁ । ପଇସା ନବାକୁ ହବ । ନଇଲେ ମଲା ପରେ ତମ ବାରିରେ ମୋର ଲଙ୍କାମରିଚ ଗଛ ହେଇ ପୁଣି ଶୁଝିବ କିଏ ?’’

 

‘‘ଯୋଡ଼ିଏ ପଇସାକୁ ଏତେ କଥା ? ହଉ ଦିଅ ତା’ ହେଲେ ।’’ ତରେଇ ପଇସା ନେଇ ତା’ ଅଣ୍ଟା ଖିସାରେ ରଖିଲା ।

 

ବନ୍ଧତଳକୁ ଗଡ଼ ଚାରି ଖଣ୍ଡ ବିଲ ଡେଇଁଲେ ପଧାନପଡ଼ା । କିଏ ଜଣେ ବିଲ ଭିତରୁ ଦଉଡ଼ି ଆସି ତାକୁ କୁଣ୍ଢେଇ ପକେଇ କହିଲା, ‘‘ବରଜୁଆ ଭାଇ, ତମେ ଆସିଚ !’’ ଲୋକଟା ମୁହଁରୁ ଆଉ କିଛି କଥା ବାହାରିଲା ନାହିଁ, ଖାଲି ଆଖି ଯୋଡ଼ାକରୁ ଝର ଝର ହୋଇ ଲୁହ ଗଡ଼ି ପଡ଼ିଲା । ଲୋକଟିର ମୁଣ୍ଡକୁ ଛାତିରେ ଜାକି ବରଜୁ ଦଣ୍ଡେ କାଳ ତୁନୀ ରହିଲା । ତା ପରେ କହିଲା, ‘‘ଯଦୁ, ମତେ ହେଲେ ଟିକିଏ ଆଗରୁ ଖବର ଦେଲ ନାହିଁ ? ମୁଁ କଣ ତୁମର କେହି ନୁହେଁ ?’’

 

ଯଦୁ ଦଳେଇ ପିଲାଙ୍କ ପରି କଇଁ କଇଁ ହୋଇ କାନ୍ଦି ଉଠିଲା, ‘‘ତମେ ଆମର କେହି ନୁହଁ, ବରଜୁଆ ଭାଇ ! ଆଉ ତେବେ କିଏ ଆମର ? କିଏ ଆମର, କହ; କହ ବରଜୁଆ ଭାଇ ।’’

 

ଗାଁ ଭିତରକୁ ଦୁହେଁ ଚାଲୁଁ ଚାଲୁଁ ଯଦୁ କହିଲା, ‘‘ମିଶ୍ରେ ଯଉଁ ଫାନ୍ଦ ପକେଇ ଥିଲେ, ସେଥିରେ ତ ଆମେ ସମସ୍ତେ ଗୁନ୍ଥା ହେଇଥେଲୁଁ, ତୁମକୁ ଖବର ଦେଇ ସେହି ଫାନ୍ଦରେ ପକାଇବାକୁ ସିନା ଟାଣିଥାନ୍ତୁ । ଆସିଲେ ଅବା କଣ କରନ୍ତ ତମେ ।’’

 

‘‘ସେ କଥା ସତ । ମୋ ହାତରେ କଣ ହୁଅନ୍ତା ! ତେବେ ପୁଲିସକୁ ଗାଁର ସବୁ ହାଲ ଆଗରୁ ଟିକିଏ କହିଥିଲେ-’’

 

‘‘ବାଉଳା ହେଲ ଭାଇ, ପୁଲିସ ହରି ମିଶ୍ରଙ୍କ କଥା ନ ଶୁଣି ତୁମ ଆମ କଥା ଶୁଣନ୍ତା ! ଆମେ କଣ ତାଙ୍କ ଝୁଅ ବାହାଘରକୁ ଦଶ ଭାର ଆଳୁ କଦଳୀ ପଠେଇ ପାରିବା, ନା ଘରଖର୍ଚ୍ଚକୁ ତିନି ଭାର ଚୂଡ଼ା ଚାଉଳ ଯୋଗାଇ ପାରିବା ?’’

 

ଗାଁଟାଯାକ ହୁଲର ପଡ଼ିଗଲା, ବରଜୁ ଫେରି ଆସିଚି । ଛକଡ଼ି ନେତ୍ରମଣିକି ଡାକି କହିଲା, ‘‘ଭାଇ ଆସିଛନ୍ତି । ମୁଁ ଯାଏଁ ଦନେଇ ଖଟୁଆକୁ କହି ମାଛ ଦି’ଟା ଦେଖେଁ । ନେତ୍ରମଣି ଡାଲି, ସରୁ ଚାଉଳ, ଘିଅ ଆଣି ଦେଢ଼ଶୁର ପାଇଁ ଯତ୍ନ କରି ରୋଷେଇ ଯୋଗାଡ଼ କଲା ।

 

ଉଦ ସୁତାର, ରଥ ମଳିକ, ମଣି ସ୍ୱାଇଁ ଧରମା ଭୋଇ ସବୁରି ଘରକୁ ବରଜୁ ଗଲା । ତାକୁ ଦେଖି ମାଇପେ ଓଢ଼ଣା ଟାଣି ଘର ଭିତରୁ ବାହୁନା ପକେଇଦେଲେ । କିଏ ଅଛି ଯେ ବରଜୁକୁ ସନାମନା କରିବ । କିଏ ତା’ ସାଥିରେ କଥା କହିବ ହସିକରି ? କିଏ ତାକୁ ହେଁସ ପାରିଦେଇ ବସାଇବ ? ପାନ ଭାଙ୍ଗିଦେବ ? ଇମିତି କେତେ ବାହୁନା । ବରଜୁ ସମସ୍ତଙ୍କୁ ଶୁଣାଇ କହିଲା, ‘‘ଦୋଷୀକୁ ଦଣ୍ଡ ମିଳିବ, ସଂସାରରେ କଣ ଦିଅଁ ଦେବତା ନାହାନ୍ତି ?’’

 

‘‘କେଉଁଠି ଦିଅଁ ଦେବତା ଅଛନ୍ତି ? କହିଲ ଭାଇ ? ଥିଲେ ଅବା ଆଉ କଉଁ ଗାଁରେ ଥେବେ। ଆମ ପଧାନ ପଡ଼ାରେ ଥେଲା ପରି ତ ଲାଗୁନି’’ -ଯଦୁ ଦଳେଇ ପଚାରିଲା । ‘‘ସେ କଥା କାହିଁକି କହୁଚୁ ଯଦୁ । ଦିଅ ଦେବତା ନାହାନ୍ତି କେଉଁଠିରେ ? ତାଙ୍କ ହୁକୁମରେ ତ ଦୁନିଆ ଗୋଟାକ ଚଳୁଚି । ତାଙ୍କ ବିନା ହୁକୁମରେ ତ ଧୂଳି ଟିକିଏ ଏ ପାଖ ସେ ପାଖ ହେବାକୁ ଚାରା ନାହିଁ ! ତାଙ୍କ ସାହାଯ୍ୟ ନ ହେଲେ ତୁଣ୍ଡରୁ କାହାରି ତ ପଦେ କଥା ବାହାରିବ ନାହିଁ ! ସେଥିପାଇଁ ପରା କବିମାନେ କଣ୍ଠରେ ବସିବାକୁ ତାଙ୍କୁ ଡାକନ୍ତି ! ତାଙ୍କ ଦୟା ଥିଲେ ପୁଣି ଡର ଭୟ କଣ ! ସେ ନାହାନ୍ତି ବୋଲି କହିଲେ ଆଉ ସଂସାର ଅଛି, କି ଆମେ ଅଛୁଁ ବୋଲି କହିବା କିମିତି ?’’

 

‘‘କାହିଁକି ଭାଇ, ସଂସାର ତ ଆମେ ଦେଖୁଛୁଁ, ନିଜେ ଅଛୁଁ ବୋଲି ବୁଝୁଚୁଁ । ଦିଅଁ ଦେବତା ଅଛନ୍ତି ବୋଲି ତମ ଭଳି କେଇଜଣ ଭଲଲୋକଙ୍କଠାରୁ ଶୁଣୁଚୁଁ ସିନା ! ତାଙ୍କର ଚିହ୍ନ ଭିନ୍ନ ତ କାହିଁ କେଉଁଠି ମିଳୁ ନାହିଁ ! ଖାଲି ମାଟି ପଥର କି କାଠ ପିତଳର କେଇଟି ରୂପ ଦେଖିବା ଛଡ଼ା ଆଉ କଣ-?’’

 

ବରଜୁ କାନରେ ଯଦୁ ଦଳେଇର କଥାଗୁଡ଼ାକ ପଶୁ ନ ଥାଏ । ଗାଁଟାରୁ କେତେ ଲୋକ ତାକୁ ଘେରି ଗଲେଣି । କାହାକୁ କେତେ ଦୁଃଖ ସୁଖ ସେ ପଚାରୁଚି । କେତେ କଥାର ଜବାବ ଦେଉଚି । ହରି ମିଶ୍ରଙ୍କ ଘରୁ କେତେବେଳେ ସବୁ କଂସା ବାସନ ଚୋରିଗଲା ? ଚୋର ପଶିଲା କେଉଁ ବାଟେ ? ଆଜିଯାକେ ତ ପଧାନପଡ଼ାରେ ଚୋର ନ ଥିଲା, ଆଜି ହେଲା କାହିଁକି ?

 

ରୂପ ଜେନା କହିଲା, ‘‘ଚୋରି ନ ଥିଲା କାହିଁକି, ଦିନୁଟାଏ କୁଳୁଆଁ ଘର ଯାଇଚି କି ନାହିଁ, ମୋ ପୀଢ଼ା ଉପରୁ ପରା କଖାରୁଟାଏ କିଏ ନଇଗଲା । ମୋ ଘରେ ବାସନକୁସନ ଥିଲେ କଣ ଛାଡ଼ି ଯାଇଥାନ୍ତା ! ପଧାନପଡ଼ାରେ ଆଉ କାହାର କଣ ଅଛି ଯେ, ଚୋର ଯିବ ? ଯାହା ଘରେ ଥିଲା ତା ଘରୁ ଗଲା । ଏଥିପାଇଁ କଣ ଆମେ ସମସ୍ତେ ଚୋର !’’

 

ନାରଣ ଲେଙ୍କାର ପାଦରେ ଗୋଟାଏ ବାଉଁଶ କଣ୍ଟା ପଶି ପାଚିଥାଏ । ସେ ସଳଖ ଠିଆ ହୋଇ ନ ପାରି ଠେଙ୍ଗାଟାରେ ଭରା ଦେଇ କହିଲା, ‘‘ତମରି ଭାଇ ତ ସାକ୍ଷୀ ହୋଇ ସମସ୍ତଙ୍କୁ ଧରେଇଛନ୍ତି, ଆଉ ପଚାରୁଛ କାହାକୁ ?’’

 

ତାଜୁବ ହୋଇ ବରଜୁ କହିଲା, ‘‘କିଏ ଛକଡ଼ି ?’’

 

‘‘ଛକଡ଼ି ନୁହ ତ ଆଉ କିଏ ? ମିଶ୍ରଙ୍କ କଥାରୁ କଣ କେତେବେଳେ ସେ ବାହାର ହେଲାଣି ? ସେଇ ତ ସବୁ ନାଟର ଗୋବର୍ଦ୍ଧନ ।’’

 

ପୁଣି ଛକଡ଼ି ! ବରଜୁର ମୁଣ୍ଡଟା ଭଉଁରି ପରି ବୁଲିଲା । ଛକଡ଼ି ଗାଁ ଲୋକଙ୍କୁ ଚାଲାଣ ଦେବାରେ ସାକ୍ଷୀ ହୋଇଛି ।

 

ହରି ମିଶ୍ରଙ୍କ ବୁଦ୍ଧିରେ ! ତାକୁ ସେ ଏତେ କରି ବୁଝାଇଥିଲା । ଆଜି ଯାକେ ଛକଡ଼ି ବୁଝିଲା ନାହିଁ । କେବେ ଆଉ ବୁଝିବ ସେ ?

 

‘‘ହଉ ବେଳତ ଗଡ଼ିଗଲାଣି । ହରିପୁରରେ ପହଞ୍ଚିବାକୁ ରାତି ହୋଇଯିବ । ମୁଁ ତେବେ ବାହାରେ । ’’

 

ସକାଳ ଓଳିର ମେଘଟା ପୁଣି ଓପର ଓଳିକୁ ଫେରିଲାଣି । ପବନ ଗୁମ୍‌ ମାରି ରହିଚି । କିଛି ସମୟ ପରେ ପୁଣି ଜୋର ବର୍ଷା ହେବ । ରୂପ ଜେନା, ଜଗୁ ସୂତାର ଜିଗର କଲେ । ‘‘ଏ କୁଆଡ଼ କଥା ଏଡ଼େ ଯୋରରେ ମେଘ ଧରିଛି । ରାତିଟା ରହିଗଲେ କଣ ହବ ନି ।’’ ଯଦୁ ତୁନୀ ରହିଲା ।

 

ବରଜୁ ଆସିଥିବା ଖବର ପାଇ ଛକଡ଼ି ନେତ୍ରମଣିକୁ ଖବର ଦେଲା । ନେତ୍ରମଣି ସହଳ ଚୁଲୀ ଲଗାଇ ଦେଢ଼ଶୁର ପାଇଁ ରାନ୍ଧ ବସିଲା । ଛକଡ଼ିକୁ ଡାକି ପଚାରିଲା, ‘‘ଭାଇଙ୍କି ଦେଖିଥିଲ ଟି-? କାହିଁ ଏତେବେଳଯାକେ ତ ଆସିଲେ ନାହିଁ ।’’

 

‘‘ରନ୍ଧା ନ ସରୁଣୁ କଣ ଡାକିବାକୁ ଯିବ ?’’ ଛକଡ଼ି ଉତ୍ତର କଲା ।

 

‘‘ଗାଁ ଭିତରକୁ ଆସିଥିଲେ ତ ଆଗ ଆସନ୍ତେ ଘରକୁ । ଗଲେ କୁଆଡ଼େ ?’’

 

‘‘ଯଦୁ ଦଳେଇ ସାଥିରେ ବାଉରି ସାହି ପଟେ ସେ ବୁଲି ଯାଇଛନ୍ତି । ବଳେ ଏଣିକି ଆସିବେନି ।’’

 

‘‘ତେବେ ଆସିବେ ବୋଲି ଏତେବେଳଯାକେ ତୁମେ ଠିକଣା କରି ବୁଝିନ ?’’

 

‘‘ହଁ, ବୁଝିନି, ଆଉ ଖାଲି ମିଛରେ କହୁଚି ।’’ ବରଜୁ ତ ତାକୁ ବରାବର କହିଛି, ଯେତେବେଳେ ଇଚ୍ଛା ଆପେ ସେ ତା’ ଗାଁକୁ, ତା ଘରକୁ ଯିବ । କୁଳୁଆଁ ମଇତ୍ର ଭଳି ଛକଡ଼ି ତାକୁ ଡାକିବ କାହିଁକି । ଆଜି ନ ରହିଲେ ବି ଟିକିଏ ତ ହେଲେ ଘରଆଡ଼େ ମୁହଁ ମାରିଯିବ । ସତେ ହରି ମିଶ୍ରେ ଯାହା କହନ୍ତି, ଭାଇଙ୍କର ସେହି ଛୋଟ ବୁଦ୍ଧି ଆଜିଯାକେ ଗଲା ନାହିଁ । ବାଟରେ ଯଦୁ ଦଳେଇକି ଦେଖି ପକେଇଲେ ବୋଲି ତାରି ସାଙ୍ଗରେ ସିଧା ଚାଲିଲେ ବାଉରି ସାହିକୁ । ଆଗ କଣ ନିଜ ଘରକୁ ଆସିବେ, ବରଷକ ପରେ ଗାଁକୁ ଫେରି ଯେଉଁ କଥାକୁ ସେଇ କଥା ।

 

ଏହା ଭିତରେ ଛକଡ଼ି ଘରଟାରେ କେତେକ ଅଦଳ ବଦଳ କରି ସାରିଛି । ଦାଣ୍ଡ ପିଣ୍ଡାରେ କେତେ ଖଣ୍ଡ କଟା ପଥର ପକାଇ ତଳ, ସାହାଲାଟାକୁ ତୁଳିଆ ଆଟୁ କରିଛି । ସେତକ ଭାଇକୁ ଦେଖେଇ ତାହାଠାରୁ ସାବସଟା ପାଇବ ବୋଲି ଛକଡ଼ି ମନ ଉଚ୍ଛନ୍ନ ହେଉ ଥାଏ । ତେବେ ଖାଲି ବାଡ଼ିପଟ ଦାଣ୍ଡପଟ ହେବା ଛଡ଼ାର ତାର ଆଉ କିଛି ଉପାୟ ନାହିଁ । ଗାଁ ଭିତରେ ସେ ଏକା ହରି ମିଶ୍ରଙ୍କ ପଟର ଲୋକ । ଆଜି ପୁଲିସ ତଦନ୍ତ ପରେ ଗାଁ ଭିତରେ କେତେ କଥା ଲଗେଇ ତା’ ନାଁରେ ଲୋକେ କହୁଥିବେ । ଦିନେ ତ କାହାରି ଦୁଆରକୁ ଯାଏ ନାହିଁ, କାହାରିକି ଆଡ଼ ଆଖିରେ ଚାହେଁ ନାହିଁ । ଛୋଟ ଲୋକଗୁଡ଼ାକ ପାଖରେ ବସିଲେ ଅବା ତାର କି ଲାଭ ! ବରଜୁ ଆଗେ ଯେମିତି ତାଙ୍କରି ଦୁଆରକୁ ଧାଉଁ ଥିଲା, ଆଜି ବି ସେମିତି । ମିଶ୍ରେ ଯାହା କହନ୍ତି, ‘ଘରେ ନାହି ଚୁଡ଼ାଭଜା ବେଟା କରୁଛି ଦୁର୍ଗାପୂଜା ।’

 

ବରଜୁ କାହା ପିଣ୍ଡାରେ ବସିଥିବ କି କାହା ଓଳିତଳେ ଛିଡ଼ା ହୋଇଥିବ । ଛକଡ଼ି ଏତେ ଲୋକଙ୍କ ଭିତରେ ତାକୁ ଡାକିବ ଯାଇଁ କିମିତି । ମେଘ ଅନ୍ଧାର ଘୋଟି ଆସିବା ପଛେ ପଛେ ଛକଡ଼ି ମନଟା ବି ଅନ୍ଧାରିଆ ହୋଇ ଆସିଲା । ସତେ କଣ ବରଜୁ ଗାଁ ଭିତରକୁ ଆସି ନିଜ ଘରକୁ ଆସିବ ନାହିଁ । ମୁନ୍‌ସିବାବୁଙ୍କ ପାଇଁ ହରି ମିଶ୍ରେ ଆଜି ନାଥ ପଟୁଆକୁ ବରାଦ କରି ବିରୂପା ନଈରୁ ମାଛ ମରେଇଥିଲେ । ଦରୋଗାବାବୁଙ୍କ ପଛରେ ଯାହା ତ ପଠାଗଲା, ଛକଡ଼ି ଘରକୁ ଯେଉଁ ଶରଣ ବାଉ ଗାଡ଼ିଆରୁ ସଦିନ ଯେଉଁ ମାଛ ଧରା ହେଉଥିଲା, ସେଥିରୁ ପୁଞ୍ଜାଏ ଭଲା ଏ ଗୋଟାକ ପାଖରେ ଲାଭ ଦିଆ ହବ । ସେଥିରୁ ଯାଉଁ ବସ ମଞ୍ଜ ବାହାରିଚି ତାକୁ ଖାଣ୍ଟି ସୋରିଶ ତେଲରେ ଅଲଗା କରି ନେତ୍ରମଣି ଭାଜି ରଖିଚି । ବରଜୁ ଖାଲି ଦୁଆରେ ଗୋଡ଼ ଦେଲେ ଏଣେ ଭାତ ବଢ଼ା ହେବ ।

 

ତେବେ ବରଜୁ ଆଉ ଦୁଆରେ ଗୋଡ଼ ଦେଲା ନାହିଁ । ପେଟ ମାଛତକ ଆଉ ଥରେ ତେଲରେ ଉଷୁମେଇ ଦେବାକୁ ଛକଡ଼ି ନେତ୍ରମଣିକୁ ହାଣ୍ଡିଶାଳ ଦୁଆରେ କହୁଚି ଦାଣ୍ଡରେ କେତେ ଲୋକଙ୍କର ପାଟି ତୁଣ୍ଡ ଶୁଣି ସେ ବାହାରି ଆସିଲା । ବରଜୁ ଯଦୁ ଦଳେଇ କାନ୍ଧରେ ହାତଟା ପକେଇ ଚାଲିଚି । ତା’ ସାଙ୍ଗରେ ଆଉ ପିଛା ଧରି ଦାଣ୍ଡମଝିରେ ଚାଲିଛନ୍ତି, କୋଡ଼ିଏ କି ପଚିଶ ଜଣ ଗାଁ ଲୋକ ।

 

ଛକଡ଼ି ଉପରେ ବରଜୁର ନଜର ପଡ଼ିବା ଆଗରୁ ସେ ଟିକିଏ ଖୁଣ୍ଟ ପାଖକୁ ଆଡ଼େଇ ହୋଇଗଲା । ଦୁଆର ମୁହଁ ହେଲେ ତ ବଳେ ଘର ଭିତରକୁ ଉଠି ଆସିବ ।

 

ଘର ଭିତରକୁ ଉଠି ଆସିବା ଦୁରେ ଥାଉ, ବରଜୁ ଦୁଆର ମୁହଁକୁ ଥରେ ଆଖିରେ ଚାହିଁଲା ନାହିଁ । ଅଚିହ୍ନା ଲୋକ ଭଳି ଆଗକୁ ମାଡ଼ି ଚାଲିଲା । ଛକଡ଼ି କିଛି ବୁଝି ପାରୁ ନଥାଏ । ତେବେ କଣ ହରି ମିଶ୍ରଙ୍କ ଘରଆଡ଼େ ସେ ଯାଉଚି କଥାଭାଷା କରି ଫେରିବ ।

 

ଯଦୁ ଦଳେଇ ଶେଷରେ ତାକୁ ପଚାରିଲା, ‘‘ସତରେ କଣ ଏଡ଼ିକି ମେଘରେ ତମେ ଯିବ-?’’ ବରଜୁ ହସିଦେଇ କହିଲା, ‘‘ଆଉ ମିଛରେ କିମିତି ଯା’ନ୍ତି ଯଦୁ ?’’

 

ଛକଡ଼ି ସବୁ ବୁଝିପାରି ଏଥର ମୁହଁ ଟାଣ କରି ବରଜୁ ଆଗକୁ ଯାଇ ଦଣ୍ଡବତ ହେଲା । ‘‘ଘରକୁ କଣ ଆସିବ ନାହିଁ କି ଭାଇ?’’

 

ସାନ ଭାଇକୁ ଦେଖିଲେ ବରଜୁର ଯେମିତି ଆଗ୍ରହ ହୁଏ, ଛକଡ଼ି ଆଜି ସେ କଥା ଦେଖିଲା ନାହିଁ । ଲୋକେ କିଭଳି ଶୁଖିଲା ହସ ହସନ୍ତି ସେଭଳି ହସ ବି ବରଜୁ କେବେ ଶିଖି ନାହଁ । ସେ ଛକଡ଼ିକୁ ଚାହିଁ ଚିହ୍ନି ନ ପାରିଲା ଭଳି କହିଲା ‘‘ଆଉ ଥରେ ଆସିବି, ଏଥର ନୁହଁ ।’’ ଆଉ ପଦେକଥା କହିବାକୁ ଛକଡ଼ିର ସାହସ ନ ଥିଲା । ସେ ଖଣ୍ଡେ ଶୁଖିଲା କାଠ ପରି ପଛେଇ ରହିଗଲା-

 

ଗାଁ ମୁଣ୍ଡରୁ ବରଜୁ ସମସ୍ତଙ୍କୁ ଲେଉଟାଇ ଦେଲା । ଖାଲି ଯଦୁ ଦଳେଇ ନଈକୂଳଯାକେ ଆସି ପଛକୁ ଚାହିଁ କହିଲା, ‘‘ଦେଖିଲ ଭାଇ, କେଡ଼େ ମେଘ, ଏଥିରେ ଭଲା କିଏ ଯାଏ ?’’

 

ପାଖରେ କେହି ଲୋକ ନ ଥିଲେ କି ବରଜୁ ତାକୁ ତୁନୀ ତୁନୀ କହିଲା, ‘‘ଏତ ଦିନକେ ଗାଁକୁ ଆସିଲ । ମତେ କାହିଁକି ତେବେ ଜମାରୁ ଭଲ ଲାଗୁନି ଯଦୁ । ଧରମା, ମଣିଆ, ଊଦ ରଥ ହାଜତରେ ପଡ଼ି କଣ ଖାଇଲେ ପିଇଲେ କେଜାଣି ।’’

 

‘‘ଯାହା ତାଙ୍କ କର୍ମରେ ଥିବ । କର୍ମକଷଣ ଦେହ ସହେ ଅରଣ୍ୟ ଅଜଗର ପ୍ରାୟେ ।’’

 

‘‘ନାହିଁ ରେ ଯଦୁ । ଚୋରି ନ କରି ହାଜତରେ ପଶିବା କେତେବେଳେ ହେଲେ କାହାରି କର୍ମରେ ନାହିଁ । ସବୁ ଜାଣୁ ଜାଣୁ କିମିତି ଭଲା ତୁନୀ ହେଇ ରହିବା, କହିଲୁ ?’’

 

‘‘ଏଥିକି ଆମର ଆଉ ବଳ କଣ, ଭାଇ । ଏ କଥାତ କିଛି ଆମ ହାତ ପାଉଣାରେ ନାହିଁ-। ହରି ମିଶ୍ରଙ୍କୁ ଯାଇଁ କହିଲି ଯେ, ସେ ମୁହଁ ବୁଲାଇ ଦେଲେ । କହିଲେ, ‘‘ମତେ ଆଉ ଏତେବେଳେ ପଚାରିଲେ ହବ କଣ ? ମୋ ହାତରେ କଥା କଣ ହେଉଛି ? କେଉଁ ପାଣି ଯାଇଁ କେଉଁଠି ଉଠିଲାଣି ଦେଖୁ ନ ।’’ ସତ କଥା, ସେ ଅବା ଏତେବେଳେ ଆଉ କରିବେ କଣ । ସରକାର ଦୁଆରେ ଯାହା ସିନା ହବ, ତୁମ ଆମ ହାତରେ କଥା ତ ନୁହେଁ ।’’ ଯଦୁ ଦଳେଇ ଗୋଟାଏ ଲମ୍ବା ନିଶ୍ୱାସ ଛାଡ଼ି ତୁନୀ ହେଲା ।

 

ନଈ ପାରି ହୋଇ ବରଜୁ ଆରପାଖ ବନ୍ଧ ଉପରକୁ ଉଠିଲା । ଯଦୁ ଏ ପାରିରେ ଛିଡ଼ା ହେଇ ତାକୁ ଚାହିଁଥାଏ । ସେଇପଟୁ ବରଷା ମାଡ଼ ଆସୁଚି । ସାବୁଜା ଗଛର ଗହଳି ଭିତରେ ସୋପାରି ଗାଁଗୁଡ଼ିକ ବର୍ଷାଧାରାରେ ଘୋଡ଼େଇ ହେଇ ଧଳା ଦିଶୁଚି । ଭାରି ଯାକଯମକରେ ରୋଷଣୀ କରି ବର୍ଷା ଚାଲି ଆସୁଥିବାର ଶବଦ ଶୁଭିଲାଣି । ବରଜୁ ଖୋଲା ଦିହରେ ଏକମୁହାଁ ଚାଲିଥାଏ । ପାଖରେ ଥିବାବେଳେ ଯଦୁ ମନରେ ତା’କଥା ଏମିତି ପଡ଼ୁ ନ ଥିଲା । ଆଜି ତାକୁ ପଛପଟୁ ଦୂରରୁ ଦୂରକୁ ଚାଲି ଯାଉଥିବାର ଚାହିଁ ଯଦୁ ବିଚାରୁଥିଲା, କେତେ ଦୋମୁହାଁ ଲୋକଙ୍କୁ ସେ ଦେଖିଚି ଯାହାଙ୍କର ପେଟରେ କଥାଏ ହେଲେ ମୁହଁରେ କଥାଏ, କାମରେ କଥାଏ । ତେବେ ବରଜୁ- ବରଜୁ ଲୋକଟା ଯେମିତି ସବୁ ଦିନେ ଏକମୁହାଁ ।

 

ଉପରେ ଆକାଶ, ତଳେ ଗାଁଗଣ୍ଡା ଧାନକିଆରୀ । ମଝିରେ ମେଘ ଯେମିତି ଏ’ ଦିହିଙ୍କି ଏକାଠି କରି ଦେଇଚି । ତାହାରି ଭିତରେ ବରଜୁର କଳା ଦେହଟା କାହିଁ ମିଶିଗଲା । ଯଦୁ ଦଳେଇର ମନ ଘାଣ୍ଟି ହେଲା ବରଜୁ ହାତରେ ଛତାଖଣ୍ଡେ ହେଲେ ଦେଇ ପାରିଲା ନାହିଁ ।

 

ତାଳୁରୁ ତଳିପାଯାକେ ପାଣିରେ ଜୁଡ଼ୁବୁଡ଼ୁ ହେଇ ବରଜୁ ଘରେ ପଶିଲା । ହାରାବୋଉ କହିଲା, ‘‘କେଉଁଠି ଟିକିଏ ଛିଡ଼ା ହେଇ ପାରିଲ ନାହିଁ ଯେ, ଓଦା ସରସର ହୋଇ ଧାଇଁଚ ?’’

 

‘‘ସବୁଆଡ଼େ ତ ମେଘବର୍ଷା, ଛିଡ଼ା ହେବି କଉଁଠି ?’’ ହାରାବୋଉ ହାତରୁ ଶୁଖିଲା ଗାମୁଛା ବରଜୁ ପୋଛିପାଛି ହେଲା ।

 

ହାରାବୋଉ ମୁହଁ ଶୁଖାଇ କହିଲା, ‘‘ଗଉରା ତ ଯାଇଛନ୍ତି, ହାରା ଘରକୁ । କଣ ହେଲା କେଜାଣି ।’’

 

‘‘ହବ କଣ ଗଲ ହୋଇଯିବ ଯେ । ଆଣିଲ କଣ ରଖିଚ । ଭୋକରେ ହଂସା ଉଡ଼ିଲାଣି-।’’ ହାରାବୋଉ କଂସାଟାରେ ସକାଳର ସୁଦଶା ମଣ୍ଡା ଆଣି ଥୋଇଲା । ପଚାରିଲା, ‘‘ଘରକୁ ଆମର ଯାଇଥେଲଟି । ଛକଡ଼ି କଣ କହୁଥିଲେ ?’’

 

ମୁଣ୍ଡାଟାଏ ପାଟିରେ ପୂରାଇ ବରଜୁ କହିଲା,‘‘ଛକଡ଼ି ଭଲରେ ଅଛି ।’’

 

ସହଳ ଖାଇସାରି ହାତ ଧୋଇ ସେ ବାହାରିଗଲା । ସେତେବେଳକୁ ହାରାବୋଉ ଚଉରାମୂଳେ ସଞ୍ଚବତୀ ଦେଇ ଗୁଣୁ ଗୁଣୁ କରି ଗଜନ୍ତିସ୍ତାରଣ ବୋଲୁଥାଏ । ମୋତି ଗୋଟିଏ ଲେଖାଁ ବଳିତା ଲଗାଇ ଦାଣ୍ଡଦୁଆର, ବାଡ଼ିଦୁଆର, ଆଉ ଘରଦୁଆର ମାନଙ୍କ ମୁହଁରେ ରଖିଦେଇ ଆସିଲା ।

 

ଚଉରା ମୂଳରୁ ମୁଣ୍ଡ ଟେକି ହାରବୋଉ ପିଣ୍ଡାକୁ ଆଖି ପକେଇ ଦେଖିଲା, ଖାଲି କଂସଟା ପଡ଼ିଚି, ବରଜୁ ନାହିଁ । ମୋତି କହିଲା, ‘‘ବାପା ହାଟ ଆଡ଼ିକି ଯାଇଛି ।’’ ମନଟା ତାର ଜଙ୍ଗଲ ନିଆଁ ଭଳି ରାଗରେ ଜଳି ଉଠିଲା । ମଲା ! ଗାଁ ଭିତରେ ଆଉ କିଏ ମଣିଷ ଅଛି, ନା ଏଇ ଏକା ! ଘରେ ଗୋଡ଼ ଦେଲା କି ନାଇଁ ପୁଣି କଣ ଏମିତି କାମ !

 

ନୂପୁରୀ ବାରିକାଣୀ ଆଉ ଦିନେ ତାକୁ କହୁଥିଲା, ‘‘ତମେ କଣ ଶୁଣି ନ କି ଅପା ? ଏବେ ପରା କେଉଁଠି ଗାନ୍ଧି ମହାତମା ବିଜେ ହେଲାଣି ଯେ, ସେ ହୁକୁମ କରିଚନ୍ତି, ଅରଟ ଧରି ସୂତା କାଟ । ଯେତିକି କାଟିବ ସେତିକି ପିନ୍ଧିବ । ନଇଲେ ନାଇଁ । ଯେତିକି ବିରିକି ସେତିକି ପିଠା । କି ମରଦ, କି ମାଇପେ ସମେତ ସୂତା କାଟିବେ । ମୁଁ ତା’ ହେଲେ ତ ଗୋଡ଼ ପରେ ଗୋଡ଼ ପକେଇ ଅରଟ ବୁଲାନ୍ତି ।’’

 

କେଳି ବାଉରାଣୀ କଂସଟା ଧରି ଭାତ ମାଗି ଆସିଥିଲା । ଟାପରା କରି କହିଲା, ‘‘ଆଉ ତମ ମୁରିଆ ବୋପା ସକାରୁ ଉଠି ତମ ପାଇଁ ନୋଟା ଦାନ୍ତକାଠି ସଜ କରନ୍ତେ ।’’ ନୀଳ ମାଉସୀ ବେସର ବାଟୁଥିଲା । ମୁହଁ ଛଞ୍ଚାଡ଼ି କହିଲା, ‘‘ଆଲୋ ରଖିଆ ତୋ ଗାନ୍ଧି ମହାତମା । କଥାରେ ପରା ଅଛି, ଦେଶ ମାତିଲେ ଖଣ୍ଡିଆ ମାତେ । ଖାଲି ଗାନ୍ଧି ମହାତମା କଥାରେ ସମେତ ଯେବେ ମାତିବେ, ତେବେ କାହିଁକି କଣା କମାରଶାଳ କରିବ, ନାଥ ମହାରଣା ଲଙ୍ଗଳ ଗଢ଼ିବ, ବିନା କୁମ୍ଭାର ହାଣ୍ଡି ପୋଡ଼ିବ ? ତମେ ଆମେ ଯେବେ ଅରଟ ଧରି ସୂତା କାଟିବା ତା’ହେଲେ ଜାଳ କରିବ କିଏ, ଧାନ କୁଟିବ କିଏ, କିଏ ବା ଆଖି ନାକ ଏକାଠି କରି ଚୂଲୀ ଫୁଙ୍କିବ ।’’ ନୀଳର ତା ନିଜ ଘରକଥା ମନା ପଡ଼ିଗଲା । ପାଗଳା ପୁଅକୁ ବାଉରା ଘଇତା କଉଁ ଗାନ୍ଧି ମହାତମା ସମ୍ଭାଳିବ ଭଲା !

 

ନୂପୁରୀ କାଖରୁ ବାଉଁଶିଆଟାକୁ ତଳେ ଥୋଇଦେଇ କହିଲା, ‘‘ସତେ ଲୋ ମାଉସି, ଆମର ତ ବାର ଦୁଆର ଦୁଃଖ ନ କଲେ ପେଟ ପୂରିବ ନି । ତମର ଚାରି ପାଇଟି କଲେ ସିନା ତେମେ ସେରେ ପାଏ ଦବ । ଅରଟ ଧରି ସୂତା କାଟିଲେ କିଏ କାଇଁକି ଦବ ? ହେଇଚି, ବୁଢ଼ୀ ଭୁଆସୁଣୀ ହେଲେ କି ବଡ଼ଲୋକିଆ ଘର ହେଲେ ହେଲେ ତାଙ୍କର ଅବା ତର ଅଛି, ସେ ଅରଟ ଧରି ସୂତା କାଟିଲେ କି ପୋଥି ଧରି ଗୀତ ବୋଇଲେ । ଯେମିତି ଆମର ମଥୁରୀ ସାହୁଙ୍କ ଝୁଅ ଉମା ଦେଈ, ସକାଳୁ ସଞ୍ଜଯାକେ ଅରଟ କି ପୋଥି ଧରି ବସିଥିଲେ କେହି କହିବା ବୋଲିବାକୁ ନାଇଁ । ଆମର ତ ରାତି ପାଇଲେ, ‘କୁମ୍ଭାର ଘରର ବହୂ- ନା ଝାଟିକି ନ ଗଲେ ମାଟିକି ଯାଉ ।’’

 

ବେସରବଟାରେ ନୀଳର ଅଷ୍ଟାଙ୍ଗ ଦୋହଲି ଯାଉଥାଏ । ନୂପୁରୀକୁ ନ ଚାହିଁ ସେ କହି ଲାଗିଥାଏ, ‘‘ହଁ, ଏ କଥା କହିଲୁ ଯେ ମନକୁ ପାଇଲା । ଉମାର ଗରସ୍ତ ଗଲାକାଳରୁ ମୁହଁରୁ ତ ତାର ହସ ପୋଛି ହେଇ ଯାଇଥେଲା । ଆଲୋ, ବନ ପୋଡ଼ିଗଲେ ସିନା ସମତେ ଜାଣିବେ, ମନ ପୋଡ଼ିଗଲେ ଜାଣିବ କିଏ କହିଲୁ ? ଚିନ୍ତାରେ ସେ ଝୁଅଟା ତ ଏକାବେରେ ଶିରୀ ଦଉଡ଼ି ହେଇ ପଡ଼ିଥେଲା । ଏବେ ଟିକିଏ ଯାହା ହେଉ, ଚାହିଁ ସହିଲାଣି ।’’

 

‘‘ତମେ ଶୁଣିନ କି ନୀର ସା’ନ୍ତାଣୀ, ଯେତେ ନୋକ ସୂତା କାଟୁଚନ୍ତି ସଭିଙ୍କି କୁଆଡ଼େ ସରକାର ଧରି ନେଇ ପରା ଠାକୁରାଣୀ ଆଗରେ ବୋଦା ଦବ ।’’ କେଳି ବାଉରାଣୀ ମୁହଁରୁ ଏ କଥା ଶୁଣି ହାରାବୋଉର ଛାତିରେ କିଲ ଯେପରି ହାତୁଡ଼ି ଖଣ୍ଡେ ଧରି ପିଟିଲା । ତା’ରି ଗେରସ୍ତ ପୁଣି ସୂତାକଟାରେ ମାତିଛି ! ଏତେ ଲୋକ ତ ମାତିଛନ୍ତି, ବରଜୁ ନ ଗଲେ କଣ କାମ ଅଟକି ଯିବ-?

 

କେଳି କଥାରେ ନୁପୁରୀ ହସି ହସି ଗଡ଼ିଗଲା । ‘‘ମଲାଲୋ ଖଳବୀ ସବାଖାଈ । ଏଡ଼ିକି କାଳତୁଣ୍ଡୀ ତୁ । ଠାକୁରାଣୀ ଆଗରେ ବୋଦା ଦବ ବୋଲି କିଏ କହିଲା ତତେ ? ସରକାର ତ ଆଗ ଧରିନେଇ ଗାରଦ ଭିତରେ ପୁରାଉଚି । ତହିଁତୁରୁ କଣ କରିବ କିଏ ଜାଣେ ?’’

 

କେଳି ଆହୁରି ସତ ଫଳେଇ କହିଲା, ‘‘ନାଇଁବା, ତମ ଆଣ ପକଉଚି । ଡିମିରି ପଦାରୁ ପରା ପାଞ୍ଚୁଟା ମଣିଷ ଏମିତି ବୋଦା ପାଇଲେଣି । ମୋ ନେତରା ମଉସା ସାବିତରୀ ବୋଝ ଘିନି ଯାଇଥିଲାଁ ଯେ, ଶୁଣି ଆଇଚି ।’’

 

ନପୁରୀ ହସି ହସି ଆଉ ପ୍ରସ୍ତେ ତାକୁ ଶୋଧିଲା, ‘‘ହଁ ତୋ ମୁହଁରେ ନିଆଁ ଲୋ ନିଅଁଶୀ-।’’ ହାରାବୋଉ ମନଟା ଘାଣ୍ଟିଦେଲା । କାହିଁକି ଭଲା ବରଜୁ ଏ ବୁଦ୍ଧି ଧରିଚି ?

 

ନୀଳ ତରକାରିରେ ବେସର ଦେଇ ସାରି ହାଣ୍ଡିଶାଳରୁ ବାହାରି ଆସି କହିଲା, ‘‘ଆଲୋ, ଆମର ଏତେ ବିଚାର ପଡ଼ିଚି କାହିଁକି ? ସାନ ତୁଣ୍ଡରେ ବଡ଼ କଥା । ବଡ଼ବଡ଼ିଆ ଯାହା କରିବେ, ସେଇତା ହବ । ଆମେ ଯେତେ ଭୁକିହେ ଲେ ଶୁଣୁଚି କିଏ ? ଉମା ପରା କହୁଥିଲା, କେତେ ବଡ଼ଘର ଝୁଅ ବି କୁଆଡ଼େ ଗିରଫ ହେଇ ଗଲେଣି ।’’ ‘‘ସତେ କିଲୋ ମାଉସୀ ?’’ - ନୂପୁରୀ ପଚାରିଲା । ଛି, ଛି, ମାଇକିନା ଝୁଅ ଯେତେହେଲେ ତ କିଛି ଅଣ୍ଡିରି ପୁଅ ନୁହଁ । ଆଚ୍ଛା,ଗିରଫ କଲେ ତ ସିପେଇ ତାଙ୍କୁ ଟଣା ଓଟରା କରୁଥିବ । ଆଉ ଭଲା ବାକୀ ରହିଲା କଣ ? ତାଙ୍କ ଗେରସ୍ତମାନେ ଏଥିରେ କଣ କହୁଥିବେ ।’’ - ‘‘ମଲା, ଗେରସ୍ତମାନେ ତ ଓଲଟି ମାଇପମାନଙ୍କୁ ଦାଣ୍ଡରେ ଛାଡ଼ି ଦେଇ ଆସୁଛନ୍ତି ।’’ ନୀଳ କହିଲା ।

 

କେଳି କାବା ହୋଇଗଲା- ‘‘ଆଉ ହବ ନି, କାର ଯାଇଁ ନଟାରେ ପଶିଲା ସିନା । ଆମ ବାଉରିଘରେ ତ ଏ କଥା ହବ ନି ।’’

 

ନୂପୁରୀ ତାର ବସଣୀଟାକୁ ଦୋହଳାଇ ତା ତଳକୁ ପାନଖିଆ ଦାନ୍ତଗୁଡ଼ାକ ଦେଖାଇ ହାରାବୋଉକୁ ଚାହିଁ କହିଲା, ‘‘ଆଉରି ତମେ ଶୁଣିନ କି ? ପର ପରମେଶ୍ୱର, କାହା ଝୁଅବୋହୁ କଣ କଲା ଆମେ କାହିଁକି ସେ କଥା ବିଚାରିବା । ହେଲେ ଉମାଦେଇଙ୍କ ନାଁରେ ସାବି କେଉଟୁଣୀ ଯଉଁ କଥା କହୁଥେଲା, ମୁଁ ଆଉରି ଚାରି ପାଁ ଜଣଙ୍କ ମୁହଁରୁ ସେ କଥା ଶୁଣିଲିଣି । ସାବିଠଉଁତ ଶୁଣି ପକେଇ ଜିଭ କାମୁଡ଼ି ଦେଲି । ଉମାଦେଇ କଣ ଖାଲି ସୂତା କାଟୁଛନ୍ତି ? ସେତେବେଳେ କୁଆଡ଼େ ଜୟିବାବୁଙ୍କ ସାଙ୍ଗରେ ସେ ଯେମିତି କଥାଭାଷା ହଉଥେଲେ, ସେଥିରେ ଦେଖିଲା ନୋକକୁ ନାଜ ମାଡ଼ିବ ।’’

 

‘‘ମୁଁ ପରା ହାରାବାପାକୁ ଏଇକଥା ଛିଗୁଲେଇଲାରୁ ସେ ମୋ ଆଡ଼କୁ ଯେମିତି ରଟମଟ କରି ଚାହିଁଲା, ମନ ହେଲା ଘରୁ ଦଉଡ଼ି କରିପଳେଇଥାନ୍ତି । ତେବେ କଣ କି’ ମଣିଷୁଟା ତ ସେମିତି କିଛି ଖରାପ ନହଁ, ଦଣ୍ଡକେ ପାଣି ହୋଇଯାଇ କହିଲା, ‘ତମେ ସବୁ ଅସଲ କଥା ବୁଝି ପାରୁ ନ । ଝୁଅ ବୋହୂମାନେ ନ ବାହାରନ୍ତି କାହା ଘରୁ, ଯେଉଁମାନେ ଟିକିଏ ଥିଲାବାଲା, ଚଳନ୍ତି ପକ୍ଷ, ନୋକବାକ ଦିଇଟା ଗୋଟେ ରଖିଚନ୍ତି, ତାଙ୍କରି ଘରୁ । ଯାହାଙ୍କର ପଦାକୁ ନ ବାହାରିଲେ ପେଟ ପୋଡ଼ିଯିବ, ତାଙ୍କୁ ଭଲା ଆଜିଯାକେ ଘର ଭିତରେ କିଏ ଲୁଚାଇ ପାରିଛି ? ବଛା, କଟା, ଖତବୁହା ସବୁଥିରେ ତ ସେ ବାହାରୁଚନ୍ତି, ତେବେ, ଏଇନାଗେ ଯେ ଚଳପକ୍ଷ ଭଲ ଲୋକଘର ଝୁଅ ବୋହୂମାନେ ବାହାରିଲେ, ସେଥିରେ ସେମାନେ କିଛି ଦୋଷ ଦେଖୁ ନାହାନ୍ତି ବୋଲି ତ ? ସେମାନେ କଅଣ ପାଠଶାଠ, ଧର୍ମକର୍ମ ଜାଣନ୍ତି ନାହିଁ, ଆମେ ତାଙ୍କୁ ନିନ୍ଦିବା କାହିଁକି’ ?’’

 

ନୀଳ କହିଲା, ‘‘ସେ କଥା କଣ ମିଛ କି ? ଉମା କଥା କହୁଚୁ ଯେ, ପିଲା ଝୁଅଟା ଯୁବା ବଅସରେ ତା କର୍ମ ଯେମିତି ହେଲା, ସୁଖ କଣ ଜୀବନରେ ଜାଣିଲା ନାହିଁ । ବଡ଼ଲୋକଘର ଝୁଅତ, ତାର ଅବା କଣ କାମଦାମ ଅଛି ଯେ ସେ କାହିଁକି ସୁତା କାଟିବ ନି ?’’

 

ହାରାବୋଉ ସେଦିନ ଆଉ ଥରେ ବରଜୁକୁ କହିଲା, ‘‘ବାର ଲୋକେ ବାର କଥା କହୁଛନ୍ତି, ଆମର ସେ ସୂତାକଟା ନ ହେଲେ କଣ ଭାସି ଯାଉଛି ? ଯେତେ ଯାହା କହ, ମୋ ମନଟା କାହିଁକି ଭଲ ଲାଗୁନି ?’’

 

ବରକୁ କହିଲା,‘‘ତମକୁ ଯେତେ ବୁଝେଇଲେ ବୁଝିବନି । ଆମେ ଯେମିତି ଧାନ କୁଟି ଭାତ ଖାଇବା, ସେମିତି ସୂତା କାଟି ଲୁଗା ପିନ୍ଧିବା- ସେଥିରେ ଦୋଷ କଣ ?’’

 

ଦୋଷ ନାହିଁ ତ ଏତେ ଧଡ଼ପଗଡ଼ି ଲାଗିଚି କାହିଁକି ? ୟା ଭିତରେ ଆଉରି କିଛି ମରମ ଥିବ ବୋଲି ସିନା !’’

 

ବରଜୁ ମରମ ଖୋଜିବାକୁ ଗଲା ନାହିଁ । ଏଭଳି ନିରୀହ କଥାରେ ଯେବେ ଧରପଗଡ଼ ମାଡ଼ଫଜିତି ହୁଏ, ତା ହେଲେ ତ ମଣିଷ ଯାହା କରିବ ସବୁ ଦୋଷ । ହାକିମ ହେଲେ, କି ପୁଲିସ ହେଲେ ସେମାନେ ତ ପୁଣି ମଣିଷ । କିଛି ବାଘ ଭାଲୁ ନୁହନ୍ତି ।

 

ମୁନିସିବାବୁଙ୍କ ପାଖକୁ ବରଜୁ ସିଧା ଯାଇ କହିଲା, ‘‘ପଧାନ ପଡ଼ାରେ ଯାହାଙ୍କୁ ଚୋରି ସନ୍ଦେହରେ ଗିରଫ କରାଯାଇଛି, ସେମାନେ ପୂରାପୂରି ନିର୍ଦ୍ଦୋଷ । ସେମାନେ ଯେବେ ଦୋଷୀ ହୁଅନ୍ତି, ବରଜୁ ତେବେ ନିଜେ ବି ଦୋଷୀ ।’’

 

ମୁନସିବାକୁ ତାହାର କଥା ଶୁଣି ବିଚାରିଲେ ସେ ଗୋଟାଏ ବାରପଣିଆ ପାଗଳ । ଥାନା ହତାରୁ ତାକୁ ବାହାର କରି ଦେବା କଠିନ ହେଲା ନାହିଁ ! ବରଜୁକୁ ଯେତେବେଳେ ଥାନା ସିପାହୀ ବାହାରିଯିବାକୁ କହିଲା, ସେ ମାନ ଅପମାନ ପାସୋରିଦେଇ ଖୁବ୍‌ନରମ ସ୍ୱରରେ ମିନତି କଲା ଯେ, ‘‘ସେ ଆଉ କିଛି ଚାହୁଁ ନାହିଁ । ଖାଲି ଟିକିଏ ହାଜତରେ ପଡ଼ିଥିବା ଉଦ ସୁତାର, ରଥ ମଳିକ, ମଣି ସ୍ୱାଇଁ ଆଉ ଧରମା ଭୋଇଙ୍କୁ ଦେଖିଦେଇ ଯିବ ।’’ ତାହା ବି ଯେତେବେଳ ନାମଞ୍ଜୁର ହେଲା, ତାହାର ପାଦ ଦୁଇଟା ଯେପରି ଠେଲି ଠେଲି ତାକୁ ଫାଟକ ବାହାରକୁ ଆଣୁଥାଏ, ଆଉ ଯେଉଁଠି ସେ ପାଦ ପଡ଼ୁଥାଏ ସେଠୁ ଯେମିତି କି ପୃଥିବୀର କାହିଁ ତଳରୁ ଗୋଟାଏ ଭୂମକମ୍ପ ବାହାରିବ । ଯେଉଁଠି ପାଦ ପଡ଼ୁଥାଏ, ସେଠୁ ଯେମିତି କାହାର ଡାକ ଶୁଣଯାଏ, ତୁମେ କଅଣ ସତେ ଆମକୁ ଛାଡ଼ି ବାହାରିଗଲ ? ବରଜୁ ଓଲଟିପଡ଼ି ଥାନା ହାଜତ ଆଡ଼କୁ ଚାହିଁଲା । ଅନ୍ଧାର ରାତିରେ ଷ୍ଟେସନ ସିଙ୍ଗଲଦତି ଭଳି ତାହାର ଆଖି ଯୋଡ଼ାକରୁ ଲାଲ ନିଆଁ ବାହାରି ଆସିଲା- ‘‘କେଭେଁ ନୁହେଁ, କେଭେଁ ନୁହେଁ , ତୁମକୁ ଛାଡ଼ିଲେ ବରଜୁ ତେବେ ରହିବ କେଉଁଠି ? ନା, ନା, ବରଜୁ ! ଆଉ ଥରେ ତତେ ଛିଡ଼ା ହେବାକୁ ପଡ଼ିବ । ମିଛ ବିରୁଦ୍ଧରେ ଅନ୍ୟାୟର ପ୍ରତିବାଦ କରି । ଆଉ କିଏ କରୁ ନ କରୁ ବରଜୁ ତ ଏତେବଡ଼ ମିଛ, ଏତେବଡ଼ ଅନ୍ୟାୟ ବରଦାସ୍ତ କରି ପାରିବ ନାହିଁ ।’’

 

ହାରାବୋଉ କେତେ ଆକଟ କଲା, ବାବୁମାନେ ବହୁତ ହେମତ ଦେଇ ବୁଝେଇଲେ । ପଧାନପଡ଼ାର ଉଦ ସୁତାର, ରଥ ମଳିକ, ମଣି ସ୍ୱାଇଁ ଓ ଧରମା ଭୋଇଙ୍କୁ ନିର୍ଦ୍ଦୋଷରେ ସେ ଖଲାସ କରି ଆଣିଲା । ତେବେ ହେଲେ ବରଜୁର ମନ ବୁଝିଲା ନାହିଁ ।

 

ସେଥର ନୋଟିସ୍‌ ବଣ୍ଟା ହୋଇଥାଏ, ସ୍ୱାଧୀନତା ଦିବସ ପାଳନ ପାଇଁ ହାଟ ପଡ଼ିଆରେ ସଭା ହେବ । ସେତେବେଳେ କଂଗ୍ରେସର ନାଁ ଯେ ଧରିଲା ତାହାର ନାଁ ପୁଲିସ ଟିପି ରଖିବାର ଶୁଣାଯାଇଥାଏ । ଯେମିତିକି କଂଗ୍ରେସବାଲାଙ୍କ ନାଁ ଟିପିବା ଛଡ଼ା ତାଙ୍କର ଆଉ କିଛି କାମ ନାହିଁ । ହରିପୁର ବାଟ ପଡ଼ିଆରେ ମଧ୍ୟ ସଭାଦିନ ମନିସି, ଦଫାଦାର ଦାରୋଗାମାନେ କାଗଜ ପେନ୍‌ସିଲ ଧରି କଣ ସବୁ ଟିପିବାରେ ଲାଗିଥାନ୍ତି । ଜୟକୃଷ୍ଣ, ଅର୍ଜ୍ଜୁନ ଓ ନାଥବାବୁ ସଭାରେ ଛିଡ଼ା ହୋଇ କେତେ କେତେ କଥା କହିଲେ । ‘ଇଂରେଜୀ ସରକାର ଦେଢ଼ଶ ବର୍ଷ ଧରି ଏ ଦେଶକୁ ଚିପୁଡ଼ି ଗରିବ କରି ପକାଇଛି । ତନ୍ତୀମାନଙ୍କ କାରବାର ଲୁଗାବୁଣା ବେଉସା କିମତି ବନ୍ଦ କରି ଦେଇ ନିଜ ଲୁଗା ଚଳେଇଛି, ସେଥିପାଇଁ ଆମକୁ ଆଜି ଖାଇବାକୁ ଗଣ୍ଡେ, କି ପିନ୍ଧିବାକୁ ଖଣ୍ଡେ ମିଳୁ ନାହିଁ । ଆମେ କୁଟି ଖାଇବୁଁ, କାଟି ପିନ୍ଧିବୁଁ । ସେଥିରେ ଆମକୁ ରୋକିବ କିଏ ?’ ଏମିତି କେତେ କଥା, ତା’ ସାଙ୍ଗରେ ଇଂରାଜୀ ସରକାର ଉପରେ କେତେ ଗରଳି ବରଷିଗଲା । ଦୁଇ ଶହ ସରିକି ଲୋକ ତୁନୀ ହୋଇ, କାବା ହୋଇ ସବୁ କଥା ଶୁଣୁଥାନ୍ତି ।

 

ବାବୁମାନେ କହିସାରି ବରଜୁକୁ ଝିଙ୍କିଲେ କିଛି କହିବା ପାଇଁ । ସେ ଏଡ଼େବଡ଼ ସଭାରେ କେବେହେଲେ କହି ନାହିଁ । ତାକୁ ଭାରି ଲାଜ ଲାଜ ମାଡ଼ୁଥାଏ । ଶେଷରେ ତାକୁ ଯେତେବେଳେ ନାଥ ବାବୁ ଠେଲି ଛିଡ଼ା କରାଇଦେଲେ, ଦୁଇଶ ମଣିଷଙ୍କୁ ଆଗରେ ଦେଖି ନିଜକୁ ସେ ପାସୋରି ପକାଇଲା । ମହାତ୍ମା ଗାନ୍ଧି ଯେତେବେଳେ କଟକ ଆସିଥିଲେ କାଠଯୋଡ଼ୀ ନଈବାଲିରେ ଯେତେ ଲୋକ ରୁଣ୍ଡ ହୋଇଥିଲେ, ସେତେବେଳେ କେହି କେହି କହୁଥିଲେ ଥାଳି ମାରିଦେଲେ ଚାଲିଯିବ, ବରଜୁ ସେତେବଡ଼ ସଭା ଦେଖିଛି । ହେଲେ ଛିଡ଼ା ହୋଇ କହି ନାହିଁ । ଆଜି ତାକୁ ଭାରି ଅଡ଼ୁଆ ଲାଗୁଥିଲେ ବି ଆଉ କିଛି ଉପାୟ ନ ଦେଖି ସେ କହିଲା-

 

‘‘ଏଠାରେ ଆମେ ଯେ ଦୁଇଶ ଲୋକ ସବୁ ଶୁଣି ତୁନୀ ହୋଇ ବସିଚେଁ ଏହାର ଅସଲ କାରଣ ଜାଣ ଭଲା ? ତାହା ଆଉ କିଛି ନୁହଁ । ମନ ଭିତରେ ଖାଲି ଗୋଟାଏ ଡର । ଗାଁରେ ଜମିଦାର ମକଦ୍ଦମାକୁ ଡର, ନଇଲେ ତାଙ୍କ ପିଆଦାକୁ, ଗାଁ ବାହାରେ ଦଫାଦାର କନିଷ୍ଟବଲଙ୍କୁ ଡର-। ପୁଣି ସହରକୁ ଗଲେ ମଟର ଡ୍ରାଇଭର, ଦୋକାନୀ, ଗାଡ଼ିବାଲା, କାହାକୁ ଭଲା ଆମେ ନ ଡରୁଁ ? ଛାଟ ଖଣ୍ଡେ ଦେଖିଲେ କୁତା ଯେମିତି ଡରେ ଆମେ ସେମିତି ଜଣେ କରୁତାପିନ୍ଧା ପଗଡ଼ିବନ୍ଧା ଲୋକକୁ ଦେଖିଲେ ଡରୁଥାଇଁ । ବାବୁମାନେ ଆଜି ଯାହା କହିଗଲେ ସେଥିରୁ ମୁଁ ଏତିକି ବୁଝୁଛି ଯେ ଆମକୁ ଏହି ଡରଟାକୁ ମନ ଭିତରୁ ତଡ଼ିବାକୁ ହବ । କଂଗ୍ରେସ ଆମକୁ ଏହି ଡରଟାକୁ ଦୂରରେ ଫିଙ୍ଗିଦେଇ ନିଜ ରୂପରେ ଛିଡ଼ା ହବାକୁ ଡାକୁଛି । ଏହି ଡରଟା ଖାଲି ମିଛ ଘୋଡ଼ଣୀ ଭଳି ଆମକୁ ଘୋଡ଼େଇଛି ସିନା ! ସତ୍ୟାଗ୍ରହ ଆନ୍ଦୋଳନ ଏଇ ମିଛ ଘୋଡ଼ଣୀକୁ ଆଡ଼େଇ ନେଇ ମଣିଷ ଭିତରେ ଯାହା କିଛି ସତ, ଯାହା କିଛି ନ୍ୟାୟ, ଯାହା କିଛି ଉଚିତ ତାହାକୁଇ ଆଶାବାଡ଼ି କରି ଧରିବାକୁ ତିଆରି ହୋଇଛି । ତୁମେ ଭାବୁଥିବ ବଡ଼ଲୋକଙ୍କର ସିନା ଧନ ସମ୍ପତ୍ତି ଥିବାରୁ ସେମାନେ ତାହା ପର ଉପୁଗାର ପାଇଁ ଧରମ କାର୍ଯ୍ୟରେ ଦାନ କଲେ । ଆମର ଅଛି କଣ ଯେ ଦେଇ ପାରିବୁଁ-? ତେବେ ଏ ସତ୍ୟାଗ୍ରହ ଯୁଗରେ ଧନ କଉଡ଼ି ଗୁଳିବାରୁଦ ଲୋଡ଼ା ନାହିଁ, ଖାଲି ଭଲ ମଣିଷର । ନିକୁଚ୍ଛରେ ତ ଏଇ ହତିଆରଟା ସବରି ହାତରେ ଅଛି । ଏହା ଗୁଳି ବାରୁଦଠାରୁ କମ କାଟିବ ନାହିଁ-। କଣ ତେବେ, ଏ ହତିଆର ଧରିବାକୁ ଆମେ କଣ ପଛେଇବା ?’’

 

ବରଜୁ ପଧାନ ପହିଲେ କଂଗ୍ରେସ ତାଲିକାରେ ନିଜ ନାଁଟି ଲେଖାଇ ଦେଲା । ଜଣ ଜଣ ହୋଇ ଚାରି ପାଞ୍ଚ ଜଣ ତା’ ପଛକୁ ବାହାରି ପଡ଼ିଲେ । ଏଥିରୁ ସଭ୍ୟ ପାଇଁ ଲୋକଙ୍କ ଭିତରେ ଯେଉଁ ଆଗ୍ରହ ଦେଖାଗଲା, ତାହା ଯେତେ କମ୍‌ ହେଉ ପଛେ ସରକାର ସେଥିରେ ଗୋଟାଏ ବିପଦ ଗଣିଥିଲେ । ସେଥିଲାଗି ଯାହା ପ୍ରତିକାର ହେବାର କଥା ତାହା ହୋଇଥିଲା । ବରଜୁ ପ୍ରଧାନ ବକ୍ତୃତାରେ ଆଉ ଯାହା କହୁନା କାହିଁକି ପାଞ୍ଚୋଟି ଥର ଗାନ୍ଧିଙ୍କ ନାଁ ତୁଣ୍ଡରେ ଧରିଛି । ତାହା ପରେ ଲୋକଙ୍କୁ ମତାଇଛି କପାଚାଷ କରିବାକୁ, ଆଉ ସୂତା କାଟି ଖଦଡ଼ ଲୁଗା ପିନ୍ଧିବାକୁ । ଶେଷରେ ପୁଣି ସତ କଥା କହିବାକୁ । ରାଜଦ୍ରୋହୀ ଆଉ କାହାକୁ କହନ୍ତି କି ?

 

ବରଜୁ ପଧାନ ଠେଲା ପେଲାରେ ଛିଡ଼ା ହୋଇପଡ଼ି ପହିଲି ଥର ଦୁଇ ଶହ ଲୋକଙ୍କ ଆଗରେ ମୁହଁ ଫିଟେଇ ଯେ କଣ କହିଲା, ସେ ନିଜେ ହେଜି ପାରିଲା ନାହିଁ । ତେବେ ଅଣନିଶ୍ୱାସୀ ହୋଇ କହି ସାରି ହଠାତ୍‌ ବସି ପଡ଼ିଲା ବେଳେ ତାଳି ଶବଦ ଉଛୁଳି ଉଠିଲା; ସମସ୍ତେ ବାହାବା କଲେ । ଜୟିବାବୁ ତ ଏକାବେଳେ ତାକୁ କୁଣ୍ଢେଇ ପକାଇଲେ । ତାଙ୍କ ଭଳି କୁହାଳିଆ ଲୋକ ଯେତେବେଳେ ଏଡ଼େ ଖୁସି ହେଲେ ବରଜୁର ସେଥିରେ ବେଶ୍‌ ସନ୍ତୋଷ ଆସିଲା ପୁଣି ସଭା ହେଲା । ମୁନସି ଦାରୋଗା ଆସି ଖାତା ପେନ୍‌ସିଲ ଧରି ସଭା ମଝିରେ ବସିଲେ । ବରଜୁର ଏଥର ଟିକେ ସାହସ ବଢ଼ି ଯାଇଛି । ଜୟୀବାବୁଙ୍କ ପଛରେ ସେ ବି ଛିଡ଼ା ହୋଇ କହିଲା, ‘‘ମତେ ହରିପୁର ଗାଁର କେଇ ଜଣ ପଚାରୁଥିଲେ ସ୍ୱରାଜ କହନ୍ତି କାହାକୁ । ମୁଁ ଯେତିକି ବୁଝିଚି ସେତିକି ତାଙ୍କୁ ବୁଝେଇ ଦେଇଛି । ଯାହା କହନ୍ତି, ‘ଯେ ପକ୍ଷୀ ଉଡ଼େ ଯେତେ ଦୂର, ସେ ଜାଣେ ତହିଁର ବିଚାର ।’ ମୋର କିବା ବୁଦ୍ଧି । ମୁଁ ତାଙ୍କୁ କହିଦଲି, ଆମେ ଯେ ସ୍ୱରାଜ କଣ ଜାଣିବାକୁ ଆଜି ଲୋଡ଼ିଲୁଁ, ଏହି ତ ଆମର ସ୍ୱରାଜ- ଏ କଥା ତ ଆଜିଯାକେ ପଚରା ଉଚରା ହଉ ନ ଥିଲୁଁ, ଆଜି ହେଲୁ କାହିଁକି ? ନିଜକୁ ନିଜ ଦେଶକୁ ନିଜେ ପାଇବା ହେଉଛି ଅସଲ ସ୍ୱରାଜ । ତାକୁ କେହି କାହାକୁ ଦେଇ ପାରେନି-। ନିଜ ଗାଁ ବୋଲି କି ନିଜ ଦେଶ ବୋଲି ଯେତେବେଳେ ଆମେ କହୁଁ, ସେତେବେଳେ ବୁଝୁଁ ଏଥିରେ ଧନୀ ବଡ଼ଲୋକ, ଗରିବଗୁରୁବା, ଖନାକୁଜା, କଣାକୁଢ଼ି, ପିଲାବୁଢ଼ା, ଯେତେଲୋକ ଅଛନ୍ତି, ସବୁରି ଏ ଦେଶ, ଜଣେ କାହାରି ନୁହଁ । ଆମେ ସ୍ୱରାଜ ବୋଇଲେ ଧନୀ ଗରିବ, କୁଢ଼ି କାମକା, ସବୁରି ସୁବିଧା ବୁଝୁଁ । ଜଣେ ଦି’ଜଣଙ୍କର ନୁହଁ । ପୁଣି ସ୍ୱରାଜ ଗୋଟାଏ ଲେମ୍ବୁ ବାତାପି ଭଳି ଫଳ କି ଆଉ ଜିନିଷ ନୁହଁ ଯେ, ଆମେ ଯାଇ ତାକୁ ତୋଳି ଆଣିବା । ଗାଡ଼ିଆ ଖୋଳିବାକୁ ଯାଇ ଆମେ ଯେମିତି ଖାଲି ମାଟି ହାଣୁଁ, ମାଠି ବୋହୁଁ, ତାହାରି ସାଥିରେ ଗାଡ଼ିଆ ଖୋଳା କାମ ହେଇଯାଏ, ସ୍ୱରାଜଟା ବି ଠିକ୍‌ ଗାଡ଼ିଆ ଖୋଳା ଭଳି । ମାଟି ହାଣୁଁ ହାଣୁଁ ଗାଡ଼ିଆ ଯେମିତି ଖୋଳା ହୋଇଯାଏ, ସ୍ୱରାଜ ପାଇଁ କାମ କରୁଁ କରୁଁ ଏହା ଆସିଯିବ । ସ୍ୱରାଜ ବୋଇଲେ ଆଉ କିଛି ନୁହଁ ଭାଇ ! ସ୍ୱରାଜ ଆମେ ନିଜେ-। ଆମେ ଏ ଦେଶର ସ୍ୱରାଜ, ଆମେ ଏ ଦେଶର ସବୁ । ଆମେ ଯେତେ ମାଇପି ମରଦ ପିଲା ବୁଢ଼ାଏ ଦେଶରେ ଅଛୁଁ, ତାହାର ମାଟି ପୁଣି ସବୁ ଆମର । ଭାରତର ସ୍ୱରାଜ ତାହାର ଚାଳିଶ କୋଟି ଲୋକଙ୍କର ସ୍ୱରାଜ ।’’

 

ବରଜୁ ବକ୍ତୃତାରେ ଗାନ୍ଧିଙ୍କ ନାଁ ପଛେ ତୁଣ୍ଡରେ ନ ଧରୁ ପ୍ରାୟ ବାରଟି ଥର ସ୍ୱରାଜ ଶବ୍ଦଟାକୁ ଉଚ୍ଚାରଣ କରିଚି । ଏହି ଶବ୍ଦଟା ଲାଗି ଅଭିଧାନରେ କେଉଁଠି କିଛି ଆପତ୍ତି ନ ଥିଲା । ତେବେ ସରକାରୀ ଅଭିଧାନରେ ସେତେବେଳେ ସେ କଥାଟାର ମାନେ ଗୁଳି ବାରୁଦ ଭଳି ବୋଧହୁଏ ଭୟାନକ ଥିଲା । ଏମିତି ଗୋଟାଏ କଥା ତୁଣ୍ଡରେ ଧଇଲେ ଇଂରେଜ ରାଜୁତି ଭିତରେ କାହାକୁ ଭଲା ଠାବ ମିଳିପାରେ ? ବରଜୁକୁ ମିଳନ୍ତା କିମିତି !

 

ଅଗଣି ମିଶ୍ର ଇସ୍କୁଲ ମାଷ୍ଟର କଟକ ବୋର୍ଡ଼ରୁ ତିନି ମାସର ବାକିଆ ଦରମା ଆଣିବାକୁ ଯାଇ ଦେଖି ଆସିଲେ କଟକ ସହର ଘର ଗୁଡ଼ାକ କେଜାଣି କାହିଁକି ନିଆଁ ଲାଗି ହୁତୁହୁତୁ ଜଳି ଯାଉଛି ।

 

କିଏ ଲଗେଇ ଦେଲା କି କେଉଁଠୁ ନିଆଁ ଆସିଲା ସେ କଥା କହି ପଚାରୁ ନାହିଁ । ଲୋକଙ୍କର ବେଶି ବେଳ ଯାଉଛି ନିଆଁ ନିଭେଇବାରେ କି ଆପଣା ଘର ଜଗିବାରେ । ‘‘କଣ କହିବି ରାଜୀବ, କଟକ ସହର ତ ଖାଲି ହାଉ ହାଉ ଜଳୁଛି । ଲୋକଙ୍କର କଣ ଘର ପୋଡ଼ିଯାଏ ନିକି ! ଏ କଣ ସେମିତି ଘରପୋଡ଼ି ? ଏ ପରା ଆଜି ମୋ ଘରେ ଲାଗିଲାଣି ତ କାଲି ତୁମ ଘରେ । ଆଉ କଣ କଟକରେ ଏକା ଏ ତମସା ? ପୁରୀ ବାଲେଶ୍ୱର ସବୁଆଡ଼େ ପରା ! ଏ ଦେଶ ଗୋଟା ଯାକ ଜଳୁଚି ହେ ଗୋଟାଯାକ । ଆମେ କଣ ଏଥିରୁ ଉଧୁରିଯିବା ? କେହି ଭଲା ଉଧୁରି ପାରିବ ?’’

 

ରାଜୀବ ଲେଙ୍କା ବହିବିକାଳି ବହିବସ୍ତାନୀ ଉପରକୁ ଆଉଜି ପଡ଼ି କହିଲା, ‘‘ସେ କଥା କାହିଁକି କହୁଚ ମହାପ୍ରୁ । ସେ ନିଆଁ ପରା ଆମ ଜାଁଯାକେ ମାଡ଼ି ଆସିଲାଣି । ତାକୁ ରୋକିବ କିଏ ? ଆଉ ତ କିଏ କଣ କହୁଥେଲା, ନିଜେ ପୁଲିସବାଲା କୁଆଡ଼େ ସବୁ ନାଟର ଗୋବର୍ଦ୍ଧନ ।’’

 

‘‘ଆହା ହା-ସେ କଥା କହ ନି । ଯେ କଲେ ଆମର ସେତିରେ କେତେ ଯାଏ ଆସେ-?’’-ମାଷ୍ଟ୍ରେ ବାଧାଦେଇ କହିଲେ ।

 

‘‘ନାହିଁ ତ ଆଜ୍ଞା ! ନିଜେ ନାଥବାବୁ ତ କହୁଥେଲେ ।’’

 

‘‘କହନ୍ତୁ ବାବା, ଯେ ଯାହା କହିବେ କହନ୍ତୁ । ଆମର କିଛି ନ କହିଲେ ପାଠ ଗଲା । ଆମରି ଯେତିକି ଗହୀରରେ ଚାଷ ବାବା ସେତିକି ।’’ ତା’ପରେ ତୁନୀ ତୁନୀ କରି ମାଷ୍ଟର ରାଜୀବ କାନରେ କହିଲେ, ‘‘ଆହେ, ପୁଲିସବାଲା କରୁଛନ୍ତି, କିଏ ଭଲା ନ ଜାଣେ ? ତା’ ବୋଲି ସେ କଥା ପଦାରେ କହିଲେ ତମେ ଆମେ କିଏ କି ! ଶିଳ ଶିଳପତା ତ ଗଗନେ ଉଡ଼ୁଛନ୍ତି ହେ । ସେ କଥା ତୁଣ୍ଡରେ ଧଇଲେ ଆମକୁ ଆଉ ତାଳପାତାଳେ ଠାବ ମିଳିବଟି !’’

 

ପଦନସାହୁ ମୁଢ଼ି ବୋଝ ମୁଣ୍ଡେଇ ସେଠାରେ ଆସି ଛିଡ଼ା ହେଇ କହେ, ‘‘କଟକ ପୁରୀ କଥା କାହିଁକି ? ଆମରି ଗାଁରେ ଏବେ ଦେଖିଲ କାହା ଘରେ ସିନା ନିଆଁ ଲାଗି ନାହିଁ, ହରିପୁର ଗାଁ ତ ଖାଲି ପଡ଼ୁଚି ଉଠୁଚି । ନାଥବାବୁ, ଜୟିବାବୁ, ଅର୍ଜୁନବାବୁ-କିଏ ଆଉ ବାକୀ ଅଛନ୍ତି କି ? ଗୋଟି କି ଗୋଟି ସମତେ ପରା ବନ୍ଧା ହେଇଗଲେଣି । ସେତିରେ ପୁଣି ତାଙ୍କ ବେକରେ ଫୁଲମାଳ ଦେଖିବ କଣ, ଜୟକାର ପଡ଼ୁଚି କେତେ । ଏ କଥା କଣ ଭଲା କହିଲ ? ବେହିଆର ବଥ ଉଠିଲେ ସେ ପରା କହେ ମତେ ଛାଇ ହେଲା । ଯେ ଯାହା କହୁ ସବୁ କରିବାକୁ ଏହି କଂଗ୍ରେସିଆ ।’’

 

ଇସ୍କୁଲ ମାଷ୍ଟର କହନ୍ତି, ‘‘ହେଲା ପଛେ, ବାବୁଭୟାଙ୍କର ସେ କାମ ଯେ ସେମାନେ ଲାଗିପଡ଼ିଛନ୍ତି, କିଏ ଶହେ ପାଇବ ତ ଆଉ କିଏ ଦୁଇଶ ପାଇବେ, ଆମେ କେତେକର ମୁଣ୍ଡ ଯେ ତାଙ୍କ ସାଥିରେ ସରିସା ହେଇ ଡେଇଁବା ? ହେଇ ଦେଖିଲ, ଶେଣଘରକୁ ଯଉଁ ବନ୍ଧୁ ଜଣକ ଆସିଛନ୍ତି । କିରେ ବାବୁ, ତୋର ପିଲା ଭାରିଜା ଶକତ ସଂସାର । ତହିଁରେ ପୁଣି ଚୁଲୀ ଚାଳ ନାଇଁ ଅଘର ବାସ । ତମର ଏତେ ସଭା ସମିତିରେ ଭଲା ଭାଷଣ ଗୋଟାଏ କଣ ?’’

 

ପଦନ ସାହୁ ବୋଝଟାକୁ ତଳେ ଥୋଇଦିଏ-‘‘କହ ନାଇଁ ଆପଣେ, ସେ କଥା । ଚେଇଁ ଶୋଇବ ଯେ ତାକୁ ଉଠେଇବ କିଏ କହିଲେ ? ବୁଝେଇ ବୁଝେଇ ତ ସମତେ ଥକିଲେ । କିଛି ପିଲା ଛୁଆ କି ଟୋକାଟାକାଳିଆ ନୁହଁ । ଯେ ନ ବୁଝିବ ତାକୁ ଆଉ ବଳ କାହାର ? ଶେଷରେ ଗଉରା ବିଚରା ସିନା ହଇରାଣ । ପ୍ରୀତିବନ୍ଧୁ ବୋଲି ସେ ତ କିଛି ତମ ପିଲାଛୁଆଙ୍କୁ ପୋଷିବାକୁ ଲେଖିପଢ଼ି ଦେଇ ନି । ନାଥବାବୁ ଜୟିବାବୁ ଭଳି ନୋକ ତ ଧରା ହେଇଗଲେଣି । ତମକୁ କଣ ସରକାର ଡରିକରି ଛାଡ଼ି ଦବ କି ।’’

 

‘‘କାଇଁକି ଛାଡ଼ିଦେବ କି ହେ ? ତମପରି କାହାଣେ ଭଲା ଜିଅଲ ଫାଟକରେ ପଶିଲେ ତାର କାହିଁରେ କଣ ବଙ୍କା ହେଇଯିବ ?’’-ଇସ୍କୁଲ ମାଷ୍ଟର କହିଲେ ।

 

ସରକାର ବଙ୍କା ହେବ କି ନାହିଁ ବରଜୁ ତାହା ବିଚାରି ନ ଥିଲା । ତେବେ ସବୁ ଲୋକ ଯେବେ ଜେଲରେ ପଶିବାକୁ ତିଆରି ହେବେ ଯେତେବଡ଼ ସରକାର ହେଉ ପଛକେ ଟଳି ପଡ଼ିବ ବୋଲି ତା’ର ବିଶ୍ୱାସ । ପୁଣି ବିଶ୍ୱାସ ଥିଲା, ସେ ଯେଉଁ କାମ କରିବାକୁ ଯାଉଛି ତାହା ସତ ପାଇଁ, ନ୍ୟାୟ ପାଇଁ ଧର୍ମ ପାଇଁ । ସେଥିରେ ତା’ର ଯାହା ହେଉ, ତହିଁକି ପରୁଆ କଣ ? ସେ ଯେବେ ସତରେ ଥିବ ତା’ ପିଲାଛୁଆ ଉପାସ ରହିବେ କାହିଁକି ?’’

 

ରାଜୀବ ଲେଙ୍କା ପଚାରେ, ‘‘ଆଚ୍ଛା ଏମାନେ କାହାର ଭଲା କି ଦୋଷ କରୁଛନ୍ତି ଯେ ସରକାର ତାଙ୍କୁ ଏତେ ଦଣ୍ଡ ଦଉଚି ? ଓଲଟି ସେମାନେ ସବୁରି ଉପୁଗାର ପାଇ ତ ଧାଇଁଛନ୍ତି । କେଡ଼େ ଭଲ ମଷିଣ ଏଇ ଜୟିବାବୁ, ନାଥବାବୁ ।’’

 

‘‘ଆହେ, ଭଲ ମଣିଷ ବୋଲି ସରକାର କଣ ତାଙ୍କୁ ମୁଣ୍ଡେଇ ଧରିବ ? କାହାର ରାଜୁତି ଜାଣ ଟିକ ? ପଞ୍ଚମ ଜର୍ଜ୍ଜ ସମ୍ରାଟ ଆମ୍ଭ ମହାରାଜା । ଅତି ସୁଖେ ଚିରଦିନ ପାଳନ୍ତି ପରଜା । ’’ ପିଲାଙ୍କ ପାଠ୍ୟପୁସ୍ତକରୁ ପଦେ ବୋଲିଦେଇ ମାଷ୍ଟର କହିଲେ, ‘‘ପଞ୍ଚମ ଜର୍ଜ କିଏ ଜାଣ ? ଭକ୍ଟୋରିଆ ମହାରାଣୀଙ୍କ ନିଜ ନାତି । ମଧୁବାବୁ ପରା ତାଙ୍କ ସାହିତ୍ୟ କୁସୁମରେ ଲେଖିଛନ୍ତି-’’

 

ଇସ୍କୁଲ ଭିତରକୁ ଚାହିଁଦେଇ ମାଷ୍ଟର ଡାକନ୍ତି, ‘‘କିରେ ପିଲାଏ । ପିଠି ପୁଣି ଗଲୁ କଲାଣି ପରା ! ମାଡ଼ ମୂଲାଉଛ ନା ?’’

 

ପିଲାଗୁଡ଼ିକ ପାଟି କରି ପାଠ ଘୋଷନ୍ତି, ‘‘କ-ଆକାର କା, ହ୍ରସ୍ୱ ଇକାର କି’’-ଇତ୍ୟାଦି ।

 

ପଦନ ସାହୁ ମୁଢ଼ି ବୋଝ ମୁଣ୍ଡେଇ ଦାଣ୍ଡ ମଝିରେ ଡାକି ଡାକି ଚାଲିଯାଏ ।

 

ବହି ବସ୍ତାନୀଟାକୁ ଆଉ ଟିକିଏ ଟାଣି କରି ବାନ୍ଧି ରାଜୀବ ଲେଙ୍କା ପିଠିରେ ପକାଏ । ଅଣ୍ଟା ପାଖରୁ ସମକୋଣ ଭାବରେ ଭାଙ୍ଗି ହୋଇ ବାଟ ଯାକ ଗୀତ ବୋଲି ସେ ନଇଁ ନଇଁ ଚାଲେ । ଲୋକେ କହନ୍ତି, ପିଠିରେ ଆଗରୁ କେତେ ବୋଝ ନଦି ହୋଇ ରାଜୀବର ଅଣ୍ଟା ସାଗି ହୋଇ ଯାଇଥିଲା । ବୟସ ପଚାରିଲେ କହେ, ତିନି କୋଡ଼ି ଷୋହଳ । ତେବେ ଦାନ୍ତଗୁଡ଼ିକ ଲୁହା ଭଳି ଟାଣ । ସ୍ୱର ବି ଏମିତି ଟାଣ ଆଉ ମିଠା ଯେ ଗୀତ ବୋଲିଲେ ଦୂରରୁ ଶୁଣିବା ଲୋକ କହିବ ଜଣେ ପଚିଶ ବର୍ଷର ଭେଣ୍ଡିଆ । ନୂଆ ବହି ଘର ପୋଡ଼ି ଗୀତ ବୋଲି ବୋଲି ସେ ଦାଣ୍ଡରେ ଚାଲିଥାଏ ।

 

ଭେଟ ହେଇଗଲା ବରଜୁ ପଧାନ ସଙ୍ଗେ । ରାଜୀବଲେଙ୍କାକୁ ବରଜୁ ଖାଲି ସୁଖ ପାଏ ନାହିଁ, ଗୁରୁ ଭଳି ତାକୁ ଭକ୍ତି କରେ । ବେଶି କରି ତିନି କୋଡ଼ି ଷୋହଳ ବର୍ଷରେ ସେ ଯେମିତି ବହି ବୋଝ ପିଠିରେ ଥୋଇ ଗୀତ ବୋଲେ ସେଇଥି ପାଇଁ । ବରଜୁର ଅବଧୂତ ଜୀବନରେ କେତେ ଗୁରୁ ସେ କରିଛି । କେତେ ଲୋକଙ୍କଠାରୁ କେତେ କଥା ଶିଖିଚି । ରାଜୀବଲେଙ୍କାକୁ ଦେଖି ସବୁରି ପାଇଁ ତାହାର ଭକ୍ତି ମମତା ବଢ଼ିଯାଏ ।

 

ରାଜୀବର ଗୀତ ମଝିରେ ବରଜୁ କହିଲା, ‘‘ଦଣ୍ଡବତ ମଉସା ।’’

 

ଦୁଇ ଥର ଦଣ୍ଡବତ ହୋଇ ସାରି ରାଜୀବ ବହି ଉପରୁ ମୁହଁ ଟେକି ବରଜୁ ମୁହଁକୁ ଚାହିଁଲା, ‘‘କଣ ଆଜି ଏଡ଼େ ବେଗା ବେଗି ବାହାରି ପଡ଼ିଛ ?’’

 

‘‘ଡାକ ଘରକୁ ଯାଉଚି ମଉସା । ଖବରକାଗଜ ପଢ଼ିବାକୁ ।’’

 

ରୋଜିନା ଖବର କାଗଜ ପଢ଼ିବା ବରଜୁର ନିଶା ହୋଇ ଗଲାଣି । ଖବର କାଗଜ ପଢ଼ି ବାବୁମାନଙ୍କ ସାଙ୍ଗେ ଚର୍ଚ୍ଚା କରିବା, ସୁତା କାଟି ଖଦଡ଼ ଲୁଗା ପିନ୍ଧିବା, ବିଲବାରି କମେଇବା ସାଙ୍ଗକୁ ଏହା ତାର ଗୋଟାଏ ଅଧିକା କାମ ହୋଇ ପଡ଼ିଚି। ସେଥି ପାଇଁ ତାର ଚାଷ କାମରେ ହେଳା ହୁଏ ନାହିଁ । ଖରବେଳିଆ ନଇଲେ ସଞ୍ଜ ହେଲେ ବିଲରୁ ଫେରି ଯେତେକ ଫୁରସତ୍ ମିଳେ ସେତକ ସେ ଏଇ କାମରେ ଲଗାଏ । ଘଣ୍ଟା କଣ୍ଟା ଭଳି ସକାଳୁ ରାତିଯାକେ ଯେତେବେଳେ ଯାହା କରିବା କଥା କାହିଁରେ ହେଳା ହୁଏ ନାହିଁ ।

 

ସବୁ ଦିନ ପରି ଆଜି ବି ବରଜୁ ରାତି କଣେ ନ ପାହୁଣୁ ଶେଯରୁ ଉଠି ସବୁ କାମ ଦାମ ସାରିଛି । ଦାମ, ମୋତି ଦାନ୍ତ ଘଷି ଚୁଡ଼ାଭଜା ମୁଠାଏ ନେଖାଁ ଅଣ୍ଟିରେ ପୂରେଇ ବାହାରିଲେଣି । ହାରାବୋଉ କେତେ ଆଗରୁ ଦାଣ୍ଡ ପିଣ୍ଡା ଘର ଦୁଆର ଲିପାପୋଛା କରି ସାରିଛି । ଗଉରା ଆସି ଥର ଥର ଗଳାରେ ଖବର ଦେଲା, ଦାରୋଗା ବାବୁ ଦି’ ଜଣ ସିପେହିଙ୍କୁ ଧରି ଦାଣ୍ଡଦୁଆର ବରଜୁକୁ ଡାକୁଛନ୍ତି । ହାରାବୋଉର ହାତଧୁଆ ଅଟକିଗଲା । ଦାମ ମୋତି ପାଟିରେ ଚୁଡ଼ାଭଜା ଜାକି ଆଉ ଚୋବେଇ ପାରିଲେ ନାହିଁ । ଗୌରାଙ୍ଗ ଶେଣର ଦାଣ୍ଡ ଦୁଆରେ ଘର ଭିତରେ କେତେ ଲୋକ ଜମା ହୋଇଗଲେ । କେତେ ଲୋକ କେତେ କଥା ଟୁପୁଟାପୁ ହେଲେ । ପୁଲିସ ଆଗରେ ଆଉ କଣ ବଡ଼ ପାଟିରେ କଥା କହନ୍ତେ ?

 

ବରଜୁ ପଧାନ ସବୁ କଥା ବୁଝି ସାରିଥିଲା । ଅତି ସହଜରେ ହସି ହସି ଗୌରାଙ୍ଗକୁ କହିଲା, ‘‘ତୋ ପାଟି କାହିଁକି ଖନି ମାରି ଯାଉଛି କି ରେ ? ପୁଲିସ ଆସିଛି ତ ହେଲା କଣ ? ଗିରଫ କରି ନବ ? କଣ ହେଲା କି ହାରାବୋଉ ? ଏମିତି କାହିଁକି ଚାହିଁଚ ? ଗୌରା ତମକୁ ମାସ କେଇଟା ଚଳେଇ ପାରିବ ନି ବୋଲି ଡରୁଛ ପରା ? ନାହିଁ ମ, କିଛି ଅସୁବିଧା ହେବ ନି । ଗୌରା କାହିଁ ଗଲା ?’’

 

ହରାବୋଉକୁ ସେ କେତେ ଥର ଆଗରୁ ଜେଲ ଯିବା କଥା, ଦେଶରେ ନିଜ ସରକାର ହେବା କଥା ବୁଝାଇଥିଲେ ବି ସେ ବିଚାରି ମନ ଦେଇ ତା’ କଥା ଶୁଣି ନାହିଁ କି ବୁଝି ପାରି ନାହିଁ । ଆଜି ବୁଝିଲା, ଦାଣ୍ଡ ଦୁଆରକୁ ପୁଲିସ ଆସିଛି, ବରଜୁକୁ ଧରି ନେବା ପାଇଁ ।

 

କୁଆଡ଼ୁ କିମିତି ଖଣ୍ଡେ କନିଅର ଫୁଲରମାଳ ଆଉ ଟିକିଏ ଚନ୍ଦନ ଯୋଗାଡ଼ କରି ଗୌରା ଫେରିଲା । ବରଜୁର ଦି’ହାତରେ ସେତେବେଳେ ଜଣେ ସିପେଇ ଗୋଟାଏ ହାତକଡ଼ି ପିନ୍ଧାଉଚି । ଯେତେ ଲୋକ ରୁଣ୍ଡ ହୋଇଥିଲେ ସବୁରି ଆଖିରେ ଡର । ମୁହଁରୁ ଯେମିତି ରକ୍ତ ଶୁଖି ଯାଇଛି । ଆଜିଠୁଁ ଯେମିତି ଗାଁ ଯାକର କଥା ଏକାବେଳେ ବନ୍ଦ ହୋଇଗଲା । ଏତିକିବେଳେ ଗୌରଙ୍ଗ ଶେଣ ଘରଭିତରୁ ବାହାରିପଡ଼ି ଲୋକଙ୍କୁ ଦୁଆର ମୁହଁରୁ ଆଡ଼େଇ ଦେଲା । ତା’ପଛରେ ହାତେ ଲମ୍ବ ଓଢ଼ଣା ଟାଣି କିଏ ଜଣେ ମାଇପିଟିଏ ବରଜୁ ପାଖକୁ ଚାଲିଗଲି ଆସିଲା । ପଡ଼ିଶାଲୋକେ ଚିହ୍ନିଲେ ସେ ହାରାବୋଉ । ଗୌରାଙ୍ଗ ହାରାବୋଉ ହାତରେ ବରଜୁ କପାଳରେ ଚନ୍ଦନ ଟୋପାଟିଏ ଦିଆଇ ଆପେ ତା’ ବେକରେ କନିଅଁର ଫୁଲମାଳଟି ପକାଇ ଡାକିଲା, ‘‘ଭାରତ ମାତାର ଜୟ ।’’

 

ନାଥବାବୁ ଜୟବାବୁ ଗିରଫ ହେଇ ଗଲାବେଳେ ଗୌରା ଯାହା ଦେଖିଥିଲା, ବରଜୁ ବେଳକୁ ସେତିକି ଯୋଗାଡ଼ କରିଥିଲା। ହେଲେ ସରକାରୀ ପୁଲିସ ଆଗରେ ସେ କଣ କମ ସାହସ କଲା !

 

ଗୌରା କଥାରେ ଆଉ ଜଣେ ହେଲେ କେହି ଯୋଗ ଦେଲେ ନାହିଁ । ବରଜୁ ହାତକଡ଼ି ପିନ୍ଧି ଦୁଇ ପାଖେ ପୁଲିସ ଜଗୁଆଳଙ୍କ ମଝିରେ ଦାଣ୍ଡେ ଦାଣ୍ଡେ ଚାଲିଲା । ଓଢ଼ଣା ତଳୁ ପଛରୁ ଚାହିଁ ଦେଇ ହାରାବୋଉ ଘର ଭିତରେ କବାଟ କିଳି ଲୁହ ଢାଳିଲା ।

 

କଚେରୀ କାଠଗଡ଼ା ଭିତରେ ଛିଡ଼ା ହୋଇ ବରଜୁ ପଧାନ କହିଲା, ‘‘ତାହାର କିଛି ହେଲେ ଜବାବ ଦବାକୁ ନାହିଁ । ଏହି ବିଚାରରେ ତାହାର ବିଶ୍ୱାସ ନାହିଁ ।’’ ସେଥିପାଇଁ ତାକୁ ଦଣ୍ଡ ମିଳିଲା, ଛଅଟି ମାସ ଜେଲଭିତରେ ଦିନକୁ ଅଧସେର ସୋରିଷ ତେଲ ବାହାର କରିବ ଆଉ ଦେଢ଼ ସେର କତାର ଦଉଡ଼ି ବଳିବ ।

 

ଏହି ଭାବରେ ପୃଥିବୀମାତାର କେଉଁ କଣରେ ବିରୂପାକୁଳ ପଧାନପଡ଼ାର ସବୁଠାରୁ ଅତି ନଗଣ୍ୟ ଅତି ସାନ ମଣିଷଟିଏ ଜୀବନର ଯୋଡ଼ିଏ ଅଧ୍ୟାୟ ଶେଷ କରି ଆଉ ଗୋଟିକରେ ପହଞ୍ଚିଲା, ମାଟିର ବାଡ଼ ଭାଙ୍ଗି ପଶିଲା ଲୁହାବାଡ଼ ଭିତରେ । ହାତରେ ଗୋଡ଼ରେ ଲୁହା ଶିକୁଳି ପିନ୍ଧିଲା । ଛାତିରେ ତାହାର ଲୁହା କଣ୍ଟା କାଟିଲା ନାହିଁ । ବାହା ଦୁଇଟା ଲୁହାବାଡ଼ଠାରୁ ଟାଣ ହେଲା-। ଆଙ୍ଗୁଠି ଯେମିତି ଇସ୍ପାତର ଛୁରୀ, ଆଉ ଆଖି ଯୋଡ଼ାକ ଜଳିଲା ଯେମିତି ତାତିଲା ଲୁହା । ଦୁନିଆ ଉପରେ ଉଇଁ ଉଠିଲା ଲୁହାର ମଣିଷ ।

 

***